ପୃଷ୍ଠା:ShreeJagannath.pdf/୨୮୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅପରାହ୍‌ଣରେ ଦଇତାପତିମାନେ ସିଂହଦ୍ୱାର ବାଟେ ପଦାକୁ ବାହାରି ମାର୍କଣ୍ଡେୟ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ପରେ ପୁଣି ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରି ମୁକ୍ତି ମଣ୍ଡପ ପାଖରେ ଓଦା ଗାମୁଛାଯାକ ପକାଇଥିଲେ । ଜନୈକ ଧୋବା ସେସବୁ ନେଇଥିଲେ ।
ପରମ୍ପରାନୁସାରେ ମହାପ୍ରଭୁଙ୍କ ଜ୍ଞାତି ହିସାବରେ ଦଇତାମାନେ ବିଧିପୂର୍ବକ ଶୁଦ୍ଧିକ୍ରିୟା ପାଳନ କରନ୍ତି । ତ୍ରୟୋଦଶୀ ଦିନ ଦ୍ୱାଦଶାହ ନିମନ୍ତେ ବ୍ରାହ୍ମଣ ସାଧୁସନ୍ଥ, ଛତିଶା ନିଯୋଗ, ଦଇତାପତି, ମୁକ୍ତିମଣ୍ଡପର ପଣ୍ଡିତମଣ୍ଡଳୀ ଓ ବିଶିଷ୍ଟ ବ୍ୟକ୍ତିମାନେ ଶ୍ରୀମନ୍ଦିର ବେଢ଼ାରେ ମହାପ୍ରସାଦ ପାଆନ୍ତି । ତା: ୨୭-୬-୯୬ରେ ରାତି ଆଠଟାରୁ ପ୍ରାୟ ଭୋର ପର୍ଯ୍ୟନ୍ତ ପଚାଶ ହଜାରରୁ ଊଦ୍ଧ ବ୍ୟକ୍ତି ଶ୍ରୀମନ୍ଦିରର ପରିସରରେ ମହାପ୍ରସାଦ ସେବନ କରିଥିଲେ ।
ଏହା ପରଠାରୁ ନୂତନ ବିଗ୍ରହମାନଙ୍କର ସପ୍ତାବରଣ କର୍ମ ଆରମ୍ଭ କରାଯାଏ । ସପ୍ତାବରଣ ମାନେ ଦାରୁ, ଚେହେଲି, ଚଉବନ୍ଧ (ଖଣ୍ଡୁଆ ଓ ଛାଚିପାଟ) ବାସୁଙ୍ଗ ପାଟ, ପୁଅ, ରକ୍ତ ବସ୍ତ୍ର ଓ ଶ୍ରୀମୁଖ ଓତା । ଏହିପରି ସପ୍ତାବରଣ ଦ୍ବାରା ବିଗ୍ରହ ନିର୍ମାଣ ସମାପନ ହୁଏ । ବନକ ଲାଗି କାର୍ଯ୍ୟ ସରିବା ପରେ ଯଥାରୀତି ଅମାବାସ୍ୟା ଦିନ ନେତ୍ରୋତ୍ସବ ନୀତି ହୁଏ । ଗତ ନବ କଳେବର ବେଳେ ଜୁଲାଇ ୧୬ତାରିଖରେ ନେତ୍ରୋତ୍ସବ ଓ ନବ ଯୌବନ ଦର୍ଶନ ନୀତି ହୋଇଥିଲା । ୧୭ତାରିଖରେ ଶ୍ରୀଗୁଣ୍ଡିଚା ଯାତ୍ରା ଆରମ୍ଭ ହୋଇଥିଲା । ଲକ୍ଷ ଲକ୍ଷ ଦର୍ଶନାର୍ଥୀ ଭକ୍ତ ତିନି ରଥ ଉପରେ ନବ ବିଗ୍ରହଙ୍କୁ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିଥିଲେ ।
ନବକଳେବର ୧୯୯୬ ଥିଲା ଗତ ଶତାବ୍ଦୀର ଶେଷ ଓ ସର୍ବାପେକ୍ଷା ସଫଳ ନବକଳେବର । ବିଭିନ୍ନ ଖବରକାଗଜ ତଥା ଗଣମାଧ୍ୟମରେ ଏହାର ଅଭୂତପୂର୍ବ ସାଫଲ୍ୟକୁ ନିର୍ବିବାଦରେ ସ୍ୱୀକାର କରାଯାଇଥିଲା ।

୨୮୨ ଶ୍ରୀଜଗନ୍ନାଥ