ପୃଷ୍ଠା:ShreeJagannath.pdf/୭୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପୂର୍ବରେ ସୁଆର ନିଯୋଗ ନାୟକମାନେ କୋଠଭୋଗ ସୁଆର ନିଯୁକ୍ତି, ନିଯୋଗ ପରିଚାଳନା, କୋଇଲି ବୈକୁଣ୍ଠରେ ଆୟ ଆମଦାନୀ ଓ ଦାରୁ ଘର ଦାୟିତ୍ବ ତୁଲାଉଥିଲେ । ବର୍ତ୍ତମାନ ଏ ସବୁ କାର୍ଯ୍ୟ ନିଯୋଗ ନିୟମାନୁଯାୟୀ ଗଠିତ କମିଟି ଦ୍ବାରା କରାଯାଉଛି । କମିଟିରେ ସଭାପତି, ସଂପାଦକ ଆଦି ନିର୍ବାଚିତ କର୍ମକର୍ତ୍ତା ଅଛନ୍ତି ।
୪୭. ମହାସୁଆର
ପ୍ରତିଦିନ ରୋଷନାୟକ ସହ ବୁଲି ରୋଷ ପରିଶ୍ରୁତି ଦେଖି ରୋଷ ହୋମପାଇଁ ଅନୁମତି ଦେବା, ରନ୍ଧନ କାର୍ଯ୍ୟ ତନଖିବା, ହରିବଲ୍ଲଭ ତାଟ ପିଠା ନିଜେ ରାନ୍ଧିବା, ଅବାଞ୍ଚିତ ବ୍ୟକ୍ତି ଯେପରି ରୋଷଘରେ ପ୍ରବେଶ ନକରନ୍ତି ତାହା ଦେଖିବା, ବଲ୍ଲଭରେ ସୁଧସୁଆରଠାରୁ ଭୋଗ ସାମଗ୍ରୀ ନେଇ ପରିରେ ବାଢ଼ିବା, ମଠବାଡ଼ିର ବଲ୍ଲଭ ଭୋଗ ସୁଆର ବଡୁଠାରୁ ନେଇ ଭୋଗରେ ବାଢ଼ିବା, ଗରାବଡ଼ୁଠାରୁ ଘଷାଦଳ ନେଇ ପରିରେ ଲଗାଇବା, ଭୋଗ ପୂଜା ବସିବା ଆଗରୁ ସମସ୍ତ ନୈବେଦ୍ୟ ଠିକ୍ ଭାବରେ ପ୍ରସ୍ତୁତ ହୋଇଛି କି ନାହିଁ ଦେଖିବା, ପ୍ରତିହାରୀଙ୍କୁ ଭୋଗ ଡାକିବା ସକାଶେ ଖବର ଦେବା, ପ୍ରତି ଧୂପରେ ପ୍ରଥମ ଛେକ ପରିରେ ବାଢ଼ିବା, ସେଠାରେ ଉପସ୍ଥିତ ହୋଇ ଯାହା ପରେ ଯାହା ମଣୋହି ଯୋଗ୍ୟ ସେହି ପ୍ରକାରେ ବାଢ଼ିବା, ଟେରା ପଡ଼ିବା ପୂର୍ବରୁ ‘ଭୋଗ ମଣୋହି କରିବା ହେଉ’ ବୋଲି ପୂଜାପଣ୍ଡାଙ୍କୁ କହିବା, ମଣୋହି ସମୟରେ ଖଦି ଧରି ବିବା, ହରିବଲ୍ଲଭ ତାଟରେ ଉଲାଖମାନ ବାନ୍ଧି ଗଣେଶ ଚିହ୍ନ ମୋହର ଦେଇ ପ୍ରସାଦ ବଡ଼ ନିକଟରେ ମଣାଇବା, ଅମାବାସ୍ୟା ବିଜେ, ଚନ୍ଦନ ଯାତ୍ରା ଇତ୍ୟାଦି ବାହାର ବିଜେରେ ଛାମୁରେ ପନ୍ତି ବାଢ଼ିବା ଓ ଘଷା ଜଳ ଲଗାଇବା, ରାମ, କୃଷ୍ଣ ଓ ବାମନ ଜନ୍ମରେ ଗଣ୍ଡଷ ମସଲା ଓ ସରଲବଣୀ ବାଢ଼ିବା, ରୁକ୍ମିଣୀ ବିଭାବେଦୀରେ, ଶୀତଳ ଷଷ୍ଠୀ ପଞ୍ଚମହାଦେବଙ୍କ ନିକଟରେ ପନ୍ତି ବାଢ଼ିବା, କୁମାର ପୂର୍ଣ୍ଣିମା ଦିନ ଗୋଟା ଫଳଗୁଡ଼ିକ ଛାମୁରେ ବାଢ଼ିବା, ବାଳ ଧୂପ ପରିରେ ବାଢ଼ିବା ଇତ୍ୟାଦି କାର୍ଯ୍ୟ କରନ୍ତି । ବ୍ରାହ୍ମଣ ସେବକ, ସେବା ବଂଶାନୁକ୍ରମିକ । ଶାଢ଼ିବନ୍ଧା ସେବକ ନୁହନ୍ତି । ବ୍ରତ ପରେ ସ୍ନାନପୂର୍ଣ୍ଣିମା ଦିନ ଛକ ନେଇ ନିଯୋଗର ଅଂଶୀଦାର ହୁଅନ୍ତି ।
୪୮. ଜଗିଆ ମହାସୁଆର ବା ରୋଷ ଅମିନ
ବଡ଼ସୁଆରଙ୍କୁ ଭୋଗ ନିମନ୍ତେ କୋଠଭୋଗ ଜିନିଷ ଦିଅନ୍ତି । ପିଠାପଣାରେ କେତେ ଘିଅ ବ୍ୟବହୃତ ହେଲା ତନଖି କରନ୍ତି । ମଧ୍ୟାହ୍ନ ଧୂପରେ ଘିଅ ଓ ପଣା ପଠାନ୍ତି । ଥାଳିରେ ଘିଅ ପଡ଼ି ଲାବେଳେ, ପଣାରେ ଛାଟ ବା ଚିନି ପଡ଼ିଲା ବେଳେ ଦେଖନ୍ତି । ଚୁଲି ଓ ପନ୍ତି ଗୋଳମାଳ ସବୁ ଦେଖନ୍ତି ଓ ଦେଉଳକରଣଙ୍କୁ ରିପୋର୍ଟ କରନ୍ତି । ପର୍ବ ଯାତ୍ରାରେ ଭୋଗ ପ୍ରସ୍ତୁତି ପାଇଁ ଦେଉଳକରଣଙ୍କଠାରୁ ଭୋଗ ଉଠିଆ ତାଲିକା ନେଇ ବଡ଼ୁ ସୁଆରଙ୍କୁ ବରାଦ କରି ପ୍ରସ୍ତୁତ କରାନ୍ତି । ଲକ୍ଷ୍ମୀଙ୍କ ରୋଷ ଘରେ ଭୋଗ ପ୍ରସ୍ତୁତି ସମୟରେ ଜଗନ୍ତି ଓ ତତ୍ତ୍ୱ ନିଅନ୍ତି ।

ଶ୍ରୀଜଗନ୍ନାଥ ୭୭