ପୃଷ୍ଠା:ShreeJagannath.pdf/୮୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୬୬. ପାଣିଆପଟ
ଠାକୁରଙ୍କ ଥାଳି, ପରଖ ବଟ, ଗରା, ଝରି ଇତ୍ୟାଦି ଭୋରରୁ ଦର୍ପଣିଆ ସେବକ ମାଜିଲା ପରେ, ବାକି ଦିନ ତମାମ ପାଣିଆପଟ ସେବକ ସେସବୁ ମାଜି ସଫା କରିବେ । ଭିତରେ ଧୋପଖାଳପାଇଁ, ଅବକାଶ ପାଇଁ, ପୂଜା ପାଇଁ ଯେତେ ପାଣି ଲାଗିବ ସେତେ ପାଣି ବିମଳାଙ୍କ କୂଅରୁ ପାଣି ଯୋଗାଇବେ । ରାତ୍ର ଚନ୍ଦନ ଲାଗି ପରେ ପିଙ୍ଗଣ ମାଜି ଦେବେ। ଦୈନନ୍ଦିନ ବ୍ୟବହାର ଜିନିଷ ମାଜି ସଫା କରିବେ । ଗୁଣ୍ଡିଚା ଘରେ ମଧ୍ୟ ଏହିପରି କାର୍ଯ୍ୟ କରିବେ ।
ଶାଢ଼ିବନ୍ଧା, ପାଣିମ୍ପର୍ଶ ଜାତିର ସେବକ ।
୬୭. ମଣ୍ଡଣି ସେବା
ମନ୍ଦିର ଭିତରେ ପର୍ବପର୍ବାଣିରେ ଯେତେ ବିଜେ ହୁଏ ଏ ସେବକ ଚାନ୍ଦୁଆ ବାନ୍ଧନ୍ତି । ଗୁରୁବାର ଦିନ ମାଜଣା ମଣ୍ଡପରେ, ଜଳକ୍ରୀଡ଼ା ମଣ୍ଡପ ଓ ଅଧିବାସ ବେଳେ ଭୋଗ ମଣ୍ଡପରେ ଚାନ୍ଦୁଆ ବାନ୍ଧନ୍ତି । ଆଶ୍ୱିନ ଗୁଣ୍ଡିଚା ଓ ଦଶହରାରେ ଦୁର୍ଗାମାଧବଙ୍କ ରଥ, ରାଜେନ୍ଦ୍ରାଭିଷେକ ଓ ରୁକ୍ମିଣୀ ବିବାହରେ ରଥ ମଣ୍ଡଣି କରନ୍ତି । ଅଣସର ଘରୁ ଚିତ୍ରପଟି ବାହାରିଲେ ତାହା ଆଣି ମଣ୍ଡଣି ଘରେ ରଖନ୍ତି । ଚନ୍ଦନ ଯାତ ୨୧ ଦିନରେ ଚନ୍ଦନ ଚକଡ଼ାରେ ୩ ପାଣି କୁଣ୍ଡରେ ପାଣି ଭରନ୍ତି । ମଣ୍ଡଣି ଘର ଓ ତହିଁରେ ଥିବା ଜିନିଷ ଏହାଙ୍କ ଜିମାରେ ଥାଏ । ପ୍ରତ୍ୟେକ ରଥ ମଣ୍ଡଣି କରିବା ଏହାର କାର୍ଯ୍ୟ ଓ ସେଥିରେ କୋଠ ସୁଆଁସିଆଙ୍କ ସାହାଯ୍ୟ ନିଅନ୍ତି ।
ବ୍ରାହ୍ମଣ ସେବକ, ଶାଢ଼ିବନ୍ଧା ସେବା ନୁହେଁ ।
୬୮. ଚକା ଅପସର ସେବକ
ଚକା ଅପସର ଆଦି ମାଣ୍ଡି ମୁଚୁଳା ନିଆ ଅଣା କରୁଥିବା ସେବକ ସ୍ନାନମଣ୍ଡପରେ, ଅଣସର ପିଣ୍ଡିରେ, ଗୁଣ୍ଡିଚା ଘରେ, ଚକା ଅପସର ପହଞ୍ଚନ୍ତି ।
ଏମାନେ ବଂଶାନୁକ୍ରମିକ, ଶାଢ଼ି ବନ୍ଧା ବ୍ରାହ୍ମଣ ସେବକ । ଏ ମଧ୍ୟ ଚାଙ୍ଗଡ଼ା ମେକାପ ସେବା କରନ୍ତି ।
୬୯. ମୂଳିଆ ସୁଆଁସିଆ
ଜିନିଷ ଯଥା- ପିଢ଼ା, ରୁଖା, ଭଦ୍ରାସନ ଇତ୍ୟାଦି ଯୋଗାନ୍ତି (ବଢ଼େଇ ଏହାକୁ ଦିଅନ୍ତି) । ବିଭିନ୍ନ ନୀତିରେ ପ୍ରଦତ୍ତ ବଳି ପୋତନ୍ତି ଭଉଁରୀ ଦିନ ରଥର ପ୍ରତ୍ୟେକ ଚକ ଧୁଅନ୍ତି । ହଳଦୀପାଣି ଓ ଜଳକ୍ରୀଡ଼ାରେ ବାଉଁଶ ପିଚକାରୀ ଦିଅନ୍ତି । ଆଶ୍ୱିନ ଷୋଳପୂଜା, ସଙ୍ଖୁଡ଼ି ଭୋଗ ତିନିଦିନ, ଖଟୁଆଠାରୁ ଆମିଷ (ମାଛ) ଆଣି ଯୋଗାନ୍ତି । ମାଛ କଟା ହେବା ପରେ ଧୁଅନ୍ତି । ଅଣସର ଦଶମୀ ଦିନ ଚକା ବିଜେକୁ ନଡ଼ି ଆଗଡ଼ (୮୦ ଖଣ୍ଡ) ଯୋଗାନ୍ତି, ଯାହାକି ବଢ଼େଇ ଦେଇଥାଏ । ସ୍ନାନବେଦୀ, ରଥ, ଗୁଣ୍ଡିଚା ଘରକୁ ପିଢ଼ା,ପୂଜା ଉପକରଣ ନିଆଅଣା କରନ୍ତି । ଘୋଡ଼ା, ଚୌକି, ଗରା, ଚୂଳ ଆଦି ଗୁଣ୍ଡିଚା ଘରକୁ ବୁହନ୍ତି ।

୮୨ ଶ୍ରୀଜଗନ୍ନାଥ