ପୃଷ୍ଠା:ShreeJagannath.pdf/୮୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରଥକୁ ଆଣନ୍ତି । କାଳୀୟଦଳନ ବେଶର ଫଣା, ଦଶହରା ନୀତିକୁ ଲାଖପଟା ଯୋଗାନ୍ତି ।
ଶାଢ଼ିବନ୍ଧା ପଧାନ ସେବକ, ସେବା ବଂଶାନୁକ୍ରମିକ ।
୭୦. ବୀଣାକାର ସେବା
ଚନ୍ଦନ ଲାଗି ସମୟରେ କଳାହାଟ ଦ୍ୱାର ଲଣ୍ଡାବର୍ଷ ତଳେ ଓ ପହୁଡ଼ ବେଳେ ପୁଷ୍ପାଞ୍ଜଳି ଠାକୁର ସହ ଜୟ ବିଜୟ ଦ୍ୱାରଠାରୁ ଭିତର ପଲଙ୍କ ଯାଏଁ ବୀଣା ବଜାଇବେ ।
ଶାଢ଼ିବନ୍ଧା ବ୍ରାହ୍ମଣ ସେବକ । ସେବା ବଂଶାନୁକ୍ରମିକ । ବର୍ତ୍ତମାନ ଏ ସେବା ହେଉ ନାହିଁ ।
୭୧. ଦର୍ପଣିଆ ଓ ବଇରଖିଆ
ନୀତି ସମୟରେ ଦର୍ପଣ ଯୋଗାନ୍ତି । ଶାଢ଼ି ବନ୍ଧାଇ ଥିଲେ ଅବକାଶ ପୂଜାରେ ଦର୍ପଣ ଲଗାନ୍ତି । ଏମାନଙ୍କର ଅନ୍ୟ ସେବା ହେଲା ବଇରଖିଆ ସେବା । ପ୍ରତିଦିନ ମଙ୍ଗଳଆଳତି ପରେ ଠାକୁରଙ୍କ ବ୍ୟବହୃତ ବାସନ ଯଥା: ଗରା, ପରଖ, ଥାଳି, ବଟା, ପିଙ୍ଗଣ ଆଦି ସଫା କରନ୍ତି । ଆବଶ୍ୟକ ସମୟରେ ପୂର୍ଣ୍ଣକୁମ୍ଭ ବସାନ୍ତି । ସ୍ନାନ, ଗୁଣ୍ଡିଚା ବିଜେ ଓ ବାହୁଡ଼ାରେ ମୁଣ୍ଡରେ ପୂର୍ଣ୍ଣକୁମ୍ଭ ବସାଇ ଚାଲନ୍ତି । ସ୍ନାନ ଓ ରଥଯାତ୍ରା ବେଳେ ଡୋରି ଛିଣ୍ଡିଗଲେ ଦେବାପାଇଁ ପ୍ରସ୍ତୁତ ଥାଆନ୍ତି । ରୁନ୍ଧା ବନ୍ଧାରେ ସାହାଯ୍ୟ କରନ୍ତି । ବଂଶାନୁକ୍ରମିକ, ଶାଢ଼ିବନ୍ଧା ନାପିତ ସେବକ ।
୭୨. କୋଠ ସୁଆଁସିଆ
ପର୍ବପର୍ବାଣିରେ ଘର ତିଆରି, ଚାନ୍ଦୁଆ ବିନ୍ଧା, ଚାରମାଳ ବନ୍ଧା, ସ୍ନାନବେଦୀ ଧୋପଖାଳ, ରଥ ଉପରକୁ ଚାଙ୍ଗଡ଼ା, ଭଣ୍ଡାର ବାକ୍ସ ନେବା ଏମାନଙ୍କ କାର୍ଯ୍ୟ । ଦୋଳବେଦୀ ଚାନ୍ଦୁଆ ବାନ୍ଧନ୍ତି । ହୋମଘର ତିଆରି କରନ୍ତି । ଜଳକ୍ରୀଡ଼ା ପାଇଁ ଛାମୁଣ୍ଡିଆ ତିଆରି କରନ୍ତି । କନକ ମୁଣ୍ଡି ତିଆରି କରନ୍ତି । ରଥ ମଣ୍ଡଣିରେ କାମ କରନ୍ତି । ଗୁଣ୍ଡିଚା ଘରୁ ମନ୍ଦିରକୁ ପଲଙ୍କ ନିଅନ୍ତି । ଚକ୍ରବୁଲା ଏକା ଦଶୀରେ ଚାରି ଆଶ୍ରମରେ ଚାନ୍ଦୁଆ ବାନ୍ଧନ୍ତି । କୃଷ୍ଣ ଜନ୍ମ ରେ ଦୋଳି ବାନ୍ଧନ୍ତି, ନବକଳେବରରେ ସମାଧି ଖୋଳନ୍ତି, ମାରା ଭୋଗ ପୋତିବା ଆଦି ସେବା କରନ୍ତି । ବଂଶାନୁକ୍ରମିକ ଶୂଦ୍ର (ଚଷା) ସେବକ । ଶାଢ଼ିବନ୍ଧା ନୁହନ୍ତି ।
୭୩. ମହାଭୋଇ
ଦିନ ତମାମ ଓ ସବୁ ପର୍ବ, ଯାତ୍ରା ନିମନ୍ତେ ଦରକାର ଦୁଧ, ଦହି, ମାଖନ, ସର ଇତ୍ୟାଦି ଯୋଗାନ୍ତି । ଠାକୁରଙ୍କ ଦୁଧ ମେଲଣ ଯାତ୍ରାରେ ଜଗନ୍ନାଥ ବଲ୍ଲଭ ମଠଠାରେ ଗାଈ ଦୁହିଁ ଅତ୍ୟେକ ଦୁଧ ଠାକୁରଙ୍କୁ ଭୋଗ ଲାଗି ଦିଅନ୍ତି ଓ ଅବଶିଷ୍ଟ ଅତ୍ୟେକ ଦୁଧ ମେଲଣ କରି ସରଘରଠାରେ ଦହି ବସାନ୍ତି । ନନ୍ଦୋତ୍ସବ ଦିନ ମହାଭୋଇ ଭରତିଆ ଗଉଡ଼ ବେଶରେ ସ୍ନାନ ବେଦୀରେ ନନ୍ଦବେଶୀ ଭିତରଛଙ୍କୁ ପୁତ୍ର ଜନ୍ମର ସମାଚାର ଦିଅନ୍ତି । କାଳୀୟଦଳନ ଏକାଦଶୀ ଦିନ ମଦନମୋହନ ଓ ରାମକୃଷ୍ଣ ଠାକୁରଙ୍କୁ ମହାଭୋଇ ଲବଣୀଖିଆ ମଣ୍ଡପରେ ବିଜେ କରାନ୍ତି । ମଣ୍ଡପରେ ଲବଣୀ

ଶ୍ରୀଜଗନ୍ନାଥ ୮୩