ତେଣୁ ସେ ଭୋ ମଇତ୍ର ଅଇଲୁ ଘୋର ବନେ ।
ସଙ୍ଗତରେ ସୀତା ଲକ୍ଷ୍ମଣ ଏ ବେନି ଜନେ ।
ସୁମନ୍ତ୍ର ଯେ ବାହୁଡ଼ଇ ନେବ ଏବେ ରଥ ।
ଆମ୍ଭେ ଆଶ୍ରୟ କରିବୁଁ ବନ ପରବତ ।
ଶୁଣିଣ ସେ ମହା ବ୍ୟଥା ପାଇଲା ଶବର ।
ଶ୍ରୀରାମଚନ୍ଦ୍ର ହୋ ତୁମ୍ଭେ ମୋର ବୋଲକର ।
(4)
ରାମଙ୍କ ଚିତ୍ରକୂଟ-ପ୍ରବେଶ
ଚିତ୍ରକୂଟ ସେଠାବକୁ ଅଛି ପାଞ୍ଚ କୋଶ ।
ସାତ ଘଡିମାନେ ତହିଁ ହୋଇଲେ ପ୍ରବେଶ ।
ଦେଖିଲେକ ସେ ପର୍ବତ ଅତ୍ୟନ୍ତ ସୁସଞ୍ଚ ।
ମଞ୍ଚ କଇଁ ସ୍ୱର୍ଗ କିବା ସ୍ୱର୍ଗ କଇଁ ମଞ୍ଚ ।
ଅତି ଅଗମ୍ୟ ସେ ସ୍ଥାନ ବଇକୁଣ୍ଠ ସମ ।
ସନ୍ତୋଷ ମନ ହୋଇଲେ ଦେଖିଣ ଶ୍ରୀରାମ ।
ଅପୂର୍ବ ପାଷାଣ ତାକୁ ସମ ସରି ନାହିଁ ।
ଶୁଦ୍ଧ ସୁବର୍ଣ୍ଣ ଯେ ଜାତ ହେଉ ଅଛି ତହିକ୍ଷ ।
କେବଣ ଠାବରେ କଂସା ହୁଏ ଉତପନ ।
କେବଣଠାବରୁ ରୂପା ହୁଅଇ ଜନମ ।
କାହିଁ ହୀରା ମାଣିକ୍ୟ ଯେ ନୀଳ ଉପୁଜଇ ।
କେବଣ ପଥର ଶୁଦ୍ଧ ସ୍ଫଟିକ ଅଟଇ ।
କାହିଁ ପୋହଳା ଯେ କାହିଁ ବଇଦୂର୍ଯ୍ୟ ଜାତ ।
କାହିଁ ପୁଷ୍ପରାଗ କାହିଁ ମର୍କତ ସଂଜାତ ।
କାହିଁ ମୁଗୁନି ପଥର କାହିଁ କାଇମାଟି ।
କାହିଁ ଶିଳାଜତୁ ହରିତାଳ ସେ ଭ୍ରୁକୁଟି ।
କାହିଁ ମଣି ଶିଳ କାହିଁ ପିଙ୍ଗଳ ଶଇଳ ।
କାହିଁ ଶଙ୍ଖମଲମଲ ପଥର ପ୍ରବାଳ ।
କାହିଁ ତମ୍ବା ସୀଂସା କାହିଁ ଟାଙ୍ଗଣା ସଂଜାତ ।
କେବଣଠାବରୁ ରତ୍ନ ହେଉଅଛି ଜାତ ।
କେବଣ ପଥର ଯେ ସିନ୍ଦୂର ବର୍ଣ୍ଣ ଦିଶି ।
କେବଣ ଶୀଳା ଗୋଟି ଯେ ଦର୍ପଣ ସଦୃଶୀ ।
କେବଣ ଶିଳା ନିନ୍ଦଇ ଦେବତାର ଜ୍ୟୋତି ।
କେବଣ ଠାବେ କୁଙ୍କୁମ ନିର୍ମଳ ଯେ ଦ୍ୟୁତି ।