ବଣି ଗୁହୁକାଳିକା ଯେ ବକ ଶଙ୍ଖଚିଲ ।
ମରାଳ ସାରସ କାଣ୍ଟିବଗ ପଲ ପଲ ।
ମନ୍ଦାକିନୀ ନଦୀ ଯେ ବହଇ ଝର ଝର ।
ପଦ୍ମବନ ଥିବାରୁ ସେ ଦିଶଇ ସୁନ୍ଦର ।
ପକ୍ଷିମାନେ ଖେଳିବାରୁ ଜନ ମନ ହରେ ।
ପଦ୍ମ ଗନ୍ଧ ଲୋଭେ ଉଡ଼ୁ ଅଛନ୍ତି ଭ୍ରମରେ ।
କାହିଁ ନୀଳ ଉତପଳ ଫୁଲ ଅଛି ଫୁଟି ।
କାହିଁ ରକତ କୁମୁଦ ପୁଷ୍ପ କୋଟି କୋଟି ।
ସିଂହଡ଼ା କେଶୁର ଶଇବାଳ ଅଛି କାହିଁ ।
ପର୍ବତକୁ ବେଢ଼ି ନଦୀ ଯାଉଛନ୍ତି ବହି ।
ଦୁଇ କୂଳେ ବୃକ୍ଷେ ରହିଛନ୍ତି ପନ୍ତି ପନ୍ତି ।
ନାନା ଜୀବମାନେ ତହିଁ ଶୋଭା ପାଉଛନ୍ତି ।
ଜଳେ ଜଳଚଡ଼ାଇ ଯେ ଉଡ଼ନ୍ତି ବସନ୍ତି ।
ଏମନ୍ତ ବନ ଶୋଭାକୁ ଶ୍ରୀରାମ ଦେଖନ୍ତି ।
(୫)
ଭରତଙ୍କ ମାମୁଘର-ବାହୁଡ଼ା
ଭରତ କହଇ କଉଶଲ୍ୟା ପାଦ ଧରି ।
ଭୋ ମାତା ଏଥିରେ ଦୋଷ ନାହିଁ ଗୋ ମୋହରି ।
ମନ ଜ୍ଞାନ ବାକ୍ୟେ ଯେବେ ଜାଣଇ ମୁଁ ଏହା ।
ରାମ ବନ ଯିବେ ହେବି ମୁଁ ଅଯୋଧ୍ୟା-ନାହା ।
ଏକଥାଟା ଯେବେ ମୁହିଁ ହୃଦେ ଥିବି ଧରି ।
ଶ୍ରୀରାମ ବନେ ଥିଲେ କି ମୁହିଁ ରାଜ୍ୟ କରି ।
ପୁତ୍ର ନ ଥିବା ଲୋକ ଯେବଣ ଗତି ପାଇ ।
ଶ୍ରୀରାମଙ୍କୁ ଯେବେ ମୋ ମନରେ ପାପ ଥାଇ ।
ସେହି ଗତି ମୋତେ ମାତ ହେଉ ପରାପତ ।
ଯେହୁ ଅବା ହରଇ ଗୋ ପରରାଜ୍ୟବିତ୍ତ ।
ସେ ଲୋକର ମଲେଟି ଯେବଣ ପାପ ହୋଇ ।
ଶ୍ରୀରାମଙ୍କୁ ଯେବେ ମୋର ମନେ ପାପ ଥାଇ ।
ତାହାର ପାପ ମୋହର ଦେହରେ ଗୋ ହେଉ ।
ଚନ୍ଦ୍ରସୂର୍ଯ୍ୟ ସତ ହେଲେ ଏହା ଆନ ନୋହୁ ।
ଅକାରଣେ ପ୍ରାଣିକି ମାରନ୍ତି ଯେଉଁ ଜନ ।
ଏକ ସୂର୍ଯ୍ୟ ବେନି ବେଳ କରନ୍ତି ଭୋଜନ ।