ପୃଷ୍ଠା:Typical selections from Oriya literature.pdf/୧୩୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

<poem>ଛାଲ ହାଡ଼ ମାଉଁସ ଘେନିଲେ କିସ କାର୍ଯ୍ବ । ଅବିଚାର ପଣ ତୋର ଜାଣିଲଇଁ ଆଜ ॥ ପୁରାଣ ବେଦ ଆଗମ ଶାସ୍ତ୍ର ଶୁନି ନାହୁଁ । ମୋତେ ତୁହି ଆକାରଣେ ବିନ୍ଧୁଲଟି ଯହୁଁ ॥ ପଞ୍ଚନଖିଆ ଯେ ପୁଣ ପାଞ୍ଚ ଜନ୍ତୁ ଖାଇ । ଆବର ଯେ ପାଞ୍ଚଜୀବ ଭକ୍ଷି ନ ଯୋଗାଇ ॥ ଗଜ ବ୍ୟାଘ୍ର ମର୍କଟ ଯେ ମନୁଷ୍ୟ କୁମ୍ଭୀର । ଏହି ପାଞ୍ଚ ଜନ୍ତୁ ପୁଣ ନଭକ୍ଷନ୍ତି ନର ॥ ଗୋଧି ନକୁଳ ଶଶା ଯେ ଗଣ୍ଡା ଝିଙ୍କ ଖାଇ । ମୋତେ ଯେ ବଧିଲୁ ତୁ କେବଣ ଗୁଣ ପାଇଁ ॥ ଶ୍ରୀରାମ ବୋଇଲେ ଯେ ସୁଗ୍ରୀବ ମୋର ମିତ । ତୋତେ ମୁହିଁ ମାଇଲଇଁ ଏହାର ନିମିତ୍ତ ॥ ତାହାର ତୁ ଜ୍ୟେଷ୍ଠ ଭ୍ରାତ ଅଟୁ ଆହୋ ବାଳି । ଅନ୍ୟାୟିଲୋକଙ୍କୁ କି ସହଇ ମହୀସ୍ଥଳୀ ॥ ପିତା ତୋର ଏହାକୁ ଯେ ଯୁବରାଜ କଲା । ବାପର ବୋଲ ଯେ ତୋର ଗ୍ରାହିଯ ନୋହିଲା ॥ ରାଜ୍ୟରୁ ବାହାର କରି ଏହାକୁ ତୁ ଦେଲୁ । ଭାଇବହୁ ରୋମାକୁ ତୁ ବଳେଣ ହରିଲୁ ॥ କିଷ୍କିନ୍ଧ୍ୟା କଟକ ଯେ ଏକାଏ ଭୋଗ କଲୁ । ସହୋଦର ଅନୁଜକୁ ମାରିବା ଇଛିଲୁ ॥ ପୁଣ୍ୟବନ୍ତ ପ୍ରାଣୀ ହୋଇ ଅନ୍ୟାୟ ଯେ କରୁ । ଅନ୍ୟାୟ ଦେଖିଲେ ଆମ୍ଭେ ଉପ୍ରୋଧ ନକରୁ ॥ ତେଣୁ ଯେ ନାରାଚ ମୁହିଁ କଲଇଁ ପ୍ରହାର । ଯହୁଁ ଅନ୍ୟାୟ ମାର୍ଗେ ପଶିଲୁ ନୃପବର ॥ ଭରତ ଯେ ଅଯୋଧ୍ୟାରେ ହୋଇଲା ନୃପତି । ପିତାର ଆଜ୍ଞାରେ ଆମ୍ଭେ ବୁଲୁ ଅଛୁ ପୃଥ୍ବୀ ॥ ଦୁଷ୍ଟ ଜନମାନଙ୍କୁ ଦେଖିଲେ ପ୍ରାଣେ ମାରୁଁ । ଅଗତି ଲୋକଙ୍କୁ ପୁଣ ଉପ୍ରୋଧ ନକରୁଁ ॥ ପୃଥିବୀର ରାଜା ଯେ ଅଟଇ ସୂର୍ଯ୍ବ ବଂଶ । ପାପୀ ବୋଲି ତୋତେ ଯେ କରଇ ପ୍ରାଣେ ନାଶ ॥ ବିଶେଷେ ତୁ ଶାଖା-ମୃଗ ଅଟୁ ଆହୋ ରାୟେ । ମୃଗୟା ବିନୋଦେ ଆମ୍ଭେ ବନସ୍ତେ ବିଜୟେ ॥ କଉତୁକେ ପୁଣ ନାନା ଜୀବଜନ୍ତୁ ନାଶୁଁ । ମୃଗର ଲେଖାରେ ତୋତେ ନାରାଚେକ ପେଷଁ ॥