ପୃଷ୍ଠା:Typical selections from Oriya literature.pdf/୧୪୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଯାନ୍ତେଣ ଦେଖିଲେ ରୁଷ୍ୟମୂକ ଯେ ପର୍ବତ ।
ସୁଗ୍ରୀବର ସଙ୍ଗେ ରାମ ହୋଇଲେ ମଇତ୍ର ॥
ମଇତ୍ର ଛଳେ ରାମ ବାଳିକି ବଧ କଲେ ।
କିଷ୍କିନ୍ଧ୍ୟା କଟକେ ଯେ ସୁଗ୍ରୀବ ରାଜା କଲେ ॥
ଥାଟ ଘେନି ମାଲ୍ୟବନ୍ତେ ଛନ୍ତି ରାମ ରହି ।
ଚାରିଦିଗକୁ ଯେ ରାମ ଦୂତ ପଠିଆଇ ॥
ଦକ୍ଷିଣକୁ ଆମ୍ଭେ ଯେ ଅଇଲୁଁ ଜଣ ଆଠ ।
କହିଲେ ନ ସରଇ ଆମ୍ଭର ଯେତେ କଷ୍ଟ ॥
ଅଶିଣ ଶୁକଳଦଶମୀରେ ଯେ ଅଇଲୁଁ ।
ସିନ୍ଧୁର ଉତ୍ତରକୂଳେ ଯାଇଣ ରହିଲୁଁ ॥
ଆବର ସାତଜଣ ରହିଲେ ସିନ୍ଧୁକୂଳେ ।
ମୁହିଁ ଯେ ଲଙ୍କାକୁ ଅଇଲଇଁ ଧର୍ମବଳେ ॥
ଖୋଜିଲଇଁ ଶ୍ରୀରାମର ଘରଣୀ ଯେ ସୀତା ।
ଅଶୋକବନେ ଅଛି ଯେ ଜନକଦୁହିତା ॥
ଚାରିଦିଗେ ଯାହାକୁ କି ଲୋଡ଼ୁଛନ୍ତି ଦୂତ ।
ଦେଶ ବିଦେଶ ଆବର ବନ ପରବତ ॥
ପୂର୍ବ ପୁଣ୍ୟ ବଳରେ ମୁଁ ଭେଟ ଯେ ପାଇଲି ।
ଏ ମୋହର ଜନ୍ମକୁ ସଫଳ ହାଦେ କଲି ॥
ଏ ଦେହ ଶ୍ରୀରାମର ଯେ ଉପକାର କଲା ।
ଏ ମୋହର ପୂର୍ବ ଜନ୍ମ ଭାଗ୍ୟ ଯେ ଦିଶିଲା ॥
ଯେବଣ ରୂପ ରାମ ଅଛନ୍ତି ମୋତେ କହି ।
ତହୁଁ ଶତଗୁଣେ ଯେ ଅଟଇ ବଇଦେହୀ ॥
ନିଶ୍ଚୟ ଜାନକୀ ଏ ଯେ ଜନକକୁମାରୀ ।
ଯେଣୁ ଲକ୍ଷ୍ୟ ଦେବାକୁ ଯେ ନାହିଁ ଆନନାରୀ ॥
ଯହୁଁ ହନୁମନ୍ତ ବୀର ଏମନ୍ତ ବୋଇଲା ।
ଶୁଣି କରି ସୀତା ଦେବୀ ହରଷ ହୋଇଲା ॥
ଚାରିଦିଗକୁ ଚାହିଁଲେ ଦୃଷ୍ଟି ଉର୍ଦ୍ଧ୍ବଗତି ।
ମନେ ମନେ ବିଚାର କରଇ ମହାସତୀ ॥
କେ ମୋତେ ଶ୍ରୀରାମ ନାମ ଅମୃତ ସିଞ୍ଚିଲା ।
ଏତେ ବୋଲି ଦେବୀ ଯେ ବୃକ୍ଷକୁ ଦୃଷ୍ଟିଦେଲା ॥
କରଦୁଇ ଯୋଡ଼ିଣ ବୋଇଲେ ପୁଣି ପୁଣି ।
କେ ମୋତେ ଶୁଣାଇଲା ଯେ ଶ୍ରୀରାମର ବାଣୀ ॥
କେବଣ ମାହାତ୍ମା ତୁ ଯେ କଲୁ ମୋତେ ଦୟା ।
ତୁନି ହୋଇ ରହିଲୁ ଏ କେବଣହିଁ ମାୟା ॥