ପୃଷ୍ଠା:Typical selections from Oriya literature.pdf/୧୪୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଚନ୍ଦ୍ରର ରୋହିଣୀ କିବା ଆଦିତ୍ୟର ଛାୟା ।
କି ଅବା ଶାପରେ ଧରିଅଛୁ ମାୟା କାୟା ॥
ଆନ କି ଭାଜନ ଏତେ ଦୁଃଖପାରେ ସହି ।
ମାନବତରୁଣୀ ମାତ୍ରେ ସହି ନ ପାରଇ ॥
ଶୁଦ୍ଧ ସୁବର୍ଣ୍ଣେ କି ରସାଣିଲା ଦିଶୁ ନାରୀ ।
ତିନିପୁରେ ତୋତେ କେହି ନାହିଁ ସମସରି ॥
ପ୍ରଣାମ କରିଣ ମୁଁ ଯେ ବୋଲୁଅଛି ତୋତେ ।
କିଏ ତୁମ୍ଭେ ସୁନ୍ଦରି ଗୋ କହକିନା ମୋତେ ॥
ଶୁଣିଣ ବଇଦେହୀ ଯେ ହେଠମାଥ ହୋଇ ।
ଧୀରେ ଧୀରେ କହଇ ବଚନ ସୁଧା ତହିଁ ॥
ଜନକର ଝିଅ ମୁହିଁ ନାମ ମୋର ସୀତା ।
ଦଶରଥନନ୍ଦନ ଶ୍ରୀରାମର ବନିତା ॥
ପିତା ବୋଲେ ସ୍ବାମୀ ମୋର ବନକୁ ଅଇଲେ ।
ମୋତେ ଲକ୍ଷ୍ମଣକୁ ଘେନି ଦଣ୍ଡକେ ରହିଲେ ॥
ତହୁଁ ଯେ ରାବଣ ମୋତେ ଆଣିଲାକ ହରି ।
ମାୟାରେ ସେ ପାମର ତପୁସୀ ରୂପ ଧରି ॥
ସୁବର୍ଣ୍ଣର ମୃଗେକ ଉପାୟେ ଭିଆଇଲା ।
ଲୋଭେ ଯେ ଶ୍ରୀରାମ ସେ କୁରଙ୍ଗୀ ମାରିଗଲା ॥
ଲକ୍ଷ୍ମଣ ତ୍ରାହି ଯେ ମାୟା ରାବେକ ଶୁଭିଲା ।
ଶୁଣି ନୟନରୁ ଅଶ୍ରୁଜଳ ମୋ ଗଳିଲା ॥
ଲକ୍ଷ୍ମଣ ସହିତେ ଯହୁଁ ଗଲେ ମୋର ନାହା ।
ଏକା ଦେଖି ମୋତେ ଯେ ଆଣିଲା ବିଂଶବାହା ॥
ତେଣୁ ଦୁଃଖୀପ୍ରାୟ ହୋଇ ମୁହିଁ ରହିଅଛି ।
ବ୍ୟାଧ ବନ୍ଧନ ଯେସନେ କରିଥାଇ ପକ୍ଷୀ ॥
ଆଜର ରଜନୀରେ ରାବଣ ଆସିଥିଲା ।
ଦୁଇମାସକୁ ଯେ ମୋତେ କଣ୍ଟଦେଇ ଗଲା ॥
ବୋଇଲା ତୋ ଶ୍ରୀରାମକୁ ଦେଖାଇବୁ ଆଣି ।
ନୋହିଲେ ମୋହର ତୁ ଯେ ହୋଇବୁ ଘରଣୀ ॥
ତ୍ରିଜଟା ନଥିଲେ ଯାଆନ୍ତାନି ମୋତେ ମାରି ।
ବେଳକ ରଖି ସେ ସଦାତ୍ମାଣୀ ବୋଲକରି ॥
ମଲାପ୍ରାଣୀ ପ୍ରାୟେକ ହୋଇଣ ମୁହିଁ ଅଛି ।
ତୁ ଆସି ଜୀଆଇଲୁ ଅମୃତପାଣି ସିଞ୍ଚି ॥
ଅପୂର୍ବ ମୂରତି ମୁହିଁ ଦେଖିଲି ତୋହର ।
ଏ କଥାତ ଦେବତା ମାନବେ ଅଗୋଚର ॥