ପୃଷ୍ଠା:Typical selections from Oriya literature.pdf/୧୪୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

କର୍ଣ୍ଣରେ କୁଣ୍ଡଳ ତୋର ଶିରରେ ମୁକୁଟ ।
ପଞ୍ଚରତ୍ନମାଳା ଯେ ଶୋହଇ କଣ୍ଠତଟ ॥
ଏସନକ ରୂପ ଯେ ମୁଁ ଦେଖିଲି ତୋହର ।
କହ କହ କପୁ ତୁ ଯେ କାହାର କୁମର ॥

(୨)
ହନୁମାନ ବନ୍ଦୀ


ଅସୁରେ ବୋଲନ୍ତିରେ ପାମର ଦୁଷ୍ଟ କପି ।
କିପାଁ ଆସି ପ୍ରବେଶ ହୋଇଲୁ ମହାପାପୀ ॥
କେ ବୋଲଇ ନିର୍ଲ୍ଲଜ୍ଜ ରେ ଲାଜ ତୋତେ ନାହିଁ ।
ମୋହର ଭାଇକି ରେ ମାଇଲୁ କିସ ପାଇଁ ॥
କେ ବୋଲଇ ଏ ମୋହର ତନୟ ମାଇଲା ।
କେ ବୋଲଇ ମୋହର ଦାଦିକି ନାଶ କଲା ॥
କେ ବୋଲଇ ମୋହର ପଡ଼ିଲେ ଦୁଇ ଶଳା ।
କେ ବୋଲଇ ମୋହର ଯେ ମଲାଟି ମଉଳା ॥
କେ ବୋଲଇ ମୋହର ମଇତ୍ରକୁ ମାଇଲା ।
କେ ବୋଲଇ ମୋହର ଦିଅର ନାଶଗଲା ॥
କେ ବୋଲଇ ମୋହର ଯେ ନଣୋନ୍ଦଇ ମଲା ।
ଯୁବାକାଳେ ମୋ ନଣନ୍ଦ ବିଧବା ହୋଇଲା ॥
କି ବୋଲଇ ଶ୍ବଶୁର ମୋହର ପ୍ରାଣ ଦେଲା ।
ଏଡ଼େକ ସମ୍ପଦ ମୋର ହେଳେ ନାଶକଲା ॥
କେ ବୋଲଇ ମୋହର ଏ ମାଇଲା ଗୁରସ୍ତ ।
ପାଞ୍ଚପୁଅ ଘେନିଣ ମୁ କରିବି କେମନ୍ତ ॥
କେ ବୋଲଇ ମୋହର ଖୁଡ଼ୁତାଶୁର ମଲା ।
ଖୁଢ଼ୀଶାଶୁ ମୋହର ଯେ ବିଧବା ହୋଇଲା ॥
କେ ବୋଲଇ ମୋହର ଗୋ ମଲା ଦେଡ଼ୁଶୁର ।
କେ ବୋଲଇ ମୋହର ଗୋ ମଲାଟି ସୋଦର ॥
କେ ବୋଲଇ ମୋହର କୁଣିଆ ଆସିଥିଲା ।
ଯୁଦ୍ଧ ଦେଖିବାକୁ ଯାଇ ସେହି ପୁଣ ମଲା ॥
କେ ବୋଲଇ ମଲା ମୋର ସଉତୁଣୀ ଭାଇ ।
କେ ବୋଲଇ ମଲାଟି ଗୋ ମୋହର ଜୁଆଇଁ ॥
କେ ବୋଲଇ ଯୁଦ୍ଧେ ମଲା ଭିଣୋଇ ମୋହର ।
କେ ବୋଲଇ ଭଣଞ୍ଜାକୁ ନାଶିଲା ବାନର ॥