ପୃଷ୍ଠା:Typical selections from Oriya literature.pdf/୧୫୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ମାୟାକୁ ମାୟା ଜାଣଇ ଏହି ପଉଲସ୍ତି ।
ଅସ୍ତ୍ର ନ ଆସୁଣୁ ଆଗ ହେଲା ଉର୍ଦ୍ଧ୍ବଗତି ॥
ଏହାର ବେଳେ ଯେ ପୁଣି ମେଣ୍ଟି ନୋହେ ତାହା ।
ଅସୁରମାନଙ୍କୁ ବାବୁ ମାୟାସିନା ସାହା ॥
ଏବେ ଯେ ବାବୁ ରେ ତୁ ମୋହର ବୋଲେ ଥିବୁ ।
ଏକା ହୋଇ ଇନ୍ଦ୍ରଜିତ ପାଶକୁ ନଯିବୁ ॥
ତୋହର ଜୀଇଥିଲେ ରେ ସବୁ ମୋର ଅଛି ।
ତୋହର ବିନୁ ମୋତେ ଯେ ଯଶ ନାହିଁ କିଛି ॥
ପ୍ରାଣର ଆଧାର ମୋର ଅଟୁ ତୁ ରେ ଭାଇ ।
ତୋତେ ନ ଦେଖିଲେ ପିଣ୍ଡେ ପ୍ରାଣ ମୋ ନ ଥାଇ ॥
ସୀତା ମୂରୁଛିଲି ମୁଁ ତୋହର ସଙ୍ଗେ ଥାନ୍ତେ ।
ସବୁ ସମ୍ପଦ ମୋହର ତୋହର ଜୀବନ୍ତେ ॥
ଯୁଦ୍ଧର ଭଙ୍ଗୀମାନ ତୁ ନ ଜାଣୁ ରେ ସାନ ।
ମେଘନାଦ କୁମର ଜିଣିଛି ମଘବାନ ॥
ରାବଣହୁ ଅଧିକ ବୋଲନ୍ତି ତ୍ରଇଲୋକ୍ୟେ ।
ତୁ ତାର ତୁଲେ ଯୁଝିଲେ ମରିବି ମୁଁ ଶୋକେ ॥
କହୁଁ କହୁଁ ରାମର ନୟନୁ ବହେ ଜଳ ।
ସେନା ସେନାପତି କପି ସଇନି ବିକଳ ॥
ଶୁଣିଣ ଲକ୍ଷ୍ମଣ ଯେ ଅରୁଣବର୍ଣ୍ଣ ନେତ୍ର ।
ଥରହର ହୋଇଣ କମ୍ପଇ ତାର ଗାତ୍ର ॥
ଦଶଦିଗକୁହିଁ ଯେ ବୋଲଇ କୋପ କରି ।
କିପାଁ ତୁ ଡ଼ରାଇ ମୋତେ କହୁ ଚାପଧାରୀ ॥
କ୍ଷତ୍ରିୟର ପୁଅ ମୁହିଁ ମୂରୁରୁଛିବି ରଣେ ।
ଅପଚୟ ଉପଚୟ ଅଛଇ ପୁରାଣେ ॥
ରାବଣର ଶୂଳକୁ ଯେ ଦେଖିଥିଲି ମୁହିଁ ।
ଇନ୍ଦ୍ରଜିତ ଶକତି ମାଇଲା ଆଡ଼େ ଥାଇ ॥
ତେଣୁ ତାକୁ ପ୍ରତିଅସ୍ତ୍ର ନ ପାରିଲି କରି ।
ଛାମୁରେ ମିଳି କି ଅସ୍ତ୍ର ପାରନ୍ତା ସେ ମାରି ॥
ରାମ ବୋଇଲେ ମୁଁ ଏହା ସ୍ନେହେ ଯେ କହିଲି ।
ଅସୁର ମାୟାଯୁଦ୍ଧରେ ଜିଣନ୍ତି ବୋଇଲି ॥
ଯୁଝିବେ ଯେବେ ସେମାନେ ଧର୍ମରେ ଯେ ରହି ।
ତିନିପୁର ଜିଣନ୍ତେ କେମନ୍ତେ କହ ସେହି ॥
ଲକ୍ଷ୍ମଣ ବୋଇଲେ ସେହି ଜାଣୁ ପଛେ ମାୟା ।
ମୁହିଁ ଯେ ନାରାଚେ ତାର ବିଦାରିବି କାୟା ॥