ପୃଷ୍ଠା:Typical selections from Oriya literature.pdf/୧୫୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ନାହିଁ ପଟାନ୍ତର ଏହି ବ୍ରହ୍ମାଣ୍ଡ ଭିତରେ ।
ଧନ୍ୟ ଆୟୂଧ ଅଛଇ ତୁମ୍ଭର ହସ୍ତରେ ॥
ଏସନକ ବୋଲି ପ୍ରଶଂସନ୍ତି ସୁରଗଣ ।
ଇନ୍ଦ୍ରଜିତ ଲକ୍ଷ୍ମଣ ସଂଗ୍ରାମ କଥା ଶୁଣ ॥
ଦୁହିଙ୍କରି ଦେହରୁ ରୁଧିର ବହୁଅଛି ।
ଶତ୍ରାଜିତ ବୋଇଲା ଶୁଣ ହୋ ରଘୁବତ୍ସି ॥
ଯୁବାକାଳେ ସ୍ତିରୀଭୋଗ କରିବା ଛାଡ଼ିଲୁ ।
ମରିବୁ ବୋଲି ତୁ ମୋର ଛାମୁରେ ପଡ଼ିଲୁ ॥
ତୁହି କିସ ଜାଣିବୁ ରେ ଯୁଦ୍ଧର ଯେ ମତ ।
ନ ଜାଣିଣ ହୁତାଶନେ ପଶିଲୁ ବାଳୁତ ॥
ଏହା ଶୁଣି ଲକ୍ଷ୍ମଣ ବୋଇଲେ ହସି କରି ।
ବାଳୁତ ମୋତେ ବୋଇଲୁ ଇନ୍ଦ୍ରର ଅଇରି ॥
ଆଜିଯାଏ ଇନ୍ଦ୍ରଜିତ ନ ଜାଣୁ କି ମୋତେ ।
ତିନିଭୁବକୁ ଦହି ପାରେ ମୁଁ କିଞ୍ଚିତେ ॥
ତୃଣରାଶି ପ୍ରାୟ ତୋତେ ମଣଇ ଅସୁର ।
ଏହି କ୍ଷଣି ପଠାଇବି ତୋତେ ଯମପୁର ॥
ଇନ୍ଦ୍ରଜିତ ବୋଇଲାରେ ନ ଜାଣୁ କି ମୋତେ ।
ବିଭୀଷଣ ତୁମ୍ଭର କି କହି ନାହିଁ ତୋତେ ॥
ଶତେକ ବେଳ ଜିଣିଲି ମୁହିଁ ସୁରଆଳେ ।
ମୋହର ମୁଖ ଦେଖି ଡ଼ରନ୍ତି ଦିଗପାଳେ ॥
ମେରୁ ପର୍ବତକୁ ମୁହିଁ କରିପାରେ ଧୂଳି ।
ସ୍ବର୍ଗ ଛିନ୍ନାଇ ପକାଇପାରେ ମହୀସ୍ଥଳୀ ॥
ପୃଥ୍ବୀ ବିଦାରି ପାରେଁ ମୁ ନାରାଚର ଘାଏ ।
ସାତସିନ୍ଧୁ ପାଣି ଉଡ଼ାଇବି ଶସ୍ତ୍ରବାୟେ ॥
ପାତାଳପୁର ମଞ୍ଚକୁ ଆଣି ମୁ ପାରଇଁ ।
ଏହିକ୍ଷଣି ତୋତେ ନାରାଚରେ ସଂହାରଇଁ ॥
ମୋହ ଛାମୁରେ ପଡ଼ିଣ କେହୁ ବର୍ତ୍ତିଯିବ ।
ଦେବତା ଦାନବ ଆଦି ପ୍ରାଣ କି ପାଇବ ॥
ଲକ୍ଷ୍ମଣ ବୋଇଲେ ଶୁଣ ପୁଣ ରେ ରାବଣି ।
ତୋହର କଥାମାନ ଅଛଇ ମୁହିଁ ଶୁଣି ॥
ମର୍ତ୍ତ୍ୟେ ଜନ୍ମ ହୋଇ ଯେ ସବିଏ ନାଶଯାଇ ।
ଚିର ହୋଇଣ ଯେ ଏଥେ ପଦାର୍ଥେକ ନାହିଁ ॥
ଯେହି ସେ ଏହି ସଂସାର ସର୍ଜିଲା ଦଇବ ।
ପ୍ରଳୟକାଳରେ ପୁଣି ସେହି ନାଶଯିବ ॥