ପୃଷ୍ଠା:Typical selections from Oriya literature.pdf/୧୫୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଚନ୍ଦ୍ର ସୂର୍ଯ୍ବ ପୁଣି ଉଇଁ ଅସ୍ତ ହେଉଛନ୍ତି ।
ଯେ ଯାହାର କାଳେ ରୁତୁ ଭୋଗ କରୁଛନ୍ତି ॥
ଶୀତ ବରଷା ଗ୍ରୀଷମ ଶରଦ ଯେ କାଳ ।
ଆତଯାତ ହେଉଛନ୍ତି ଏ ମହୀମଣ୍ଡଳ ॥
ଦିବସ ସରିଲେ ପୁଣି ରାତ୍ର ଆସି ହୋଇ ।
ରାତ୍ର ପାହିଲେ ଯେ ପୁଣି ଦିବସ ହୁଅଇ ॥
ପୁଣିହିଁ ଦିବସ ପୁଣି ରାତ୍ର ଯେ ହୁଅଇ ।
ତିଥି ବାର ନକ୍ଷତ୍ର ଯେ ମାସ ପକ୍ଷ ଯାଇ ॥
ଦ୍ବୀପକେ ସମୁଦ୍ରେ ପୁଣି ସମୁଦ୍ରକେ ଦ୍ବୀପେ ।
ଜନମକେ ନାମେ ପୁଣି ନାମକେ ସ୍ବରୂପେ ॥
ସ୍ବର୍ଗ ମଞ୍ଚ ପାତାଳ ଯେ ତିନିପୁର ହୋଇ ।
ବାଲି ମାଟି ପଥର ଅଟଇ ଏହି ମହୀ ॥
ପଥର ମାଟି ହୋଇ ମାଟିରୁ ବାଲି ଜାତ ।
ସନ୍ଧ୍ୟା ମଧ୍ୟାହ୍ନ ଯେ ପୁଣି ହୁଅଇ ପ୍ରଭାତ ॥
ସ୍ତିରୀ ପୁରୁଷ ଆବର ସତ ମିଛ ଅଛି ।
ଆତଯାତ ଜୀବନ ମରଣ ଗଛାଗଛି ॥
ଏକା ହୋଇକରି ଯେ ପଦାର୍ଥେ ଏଥି ନାହିଁ ।
ବେଦ ବଉଦ୍ଧ ବୋଲି ଅଛନ୍ତି ଏବେ କହି ॥
ଶରୀରାର୍ଥ ପରମାର୍ଥ ଏହି ଦୁଇ ମତ ।
ସତ୍ୟ ତ୍ରେତ ଦ୍ବାପର ଯେ କଳି ଆତଯାତ ॥
ନିଶ୍ଚଳ ବୋଲିଣ ଯେ ଶୁଣିଲା ନାହିଁ କିଛି ।
ହାନି ଉପଚୟ ଯେ ସବୁରି ଦେହି ଅଛି ॥
ତୁ କେହ୍ନେ ଏହି ବିଚାର କରୁ ହୋ ଅସୁର ।
ଏ ପୃଥ୍ବୀର ନାମ ଯେ ଅଟଇ ମର୍ତ୍ତ୍ୟପୁର ॥
ଏଥି ଜାତ ହୋଇଲେ ନିଶ୍ଚୟ ପ୍ରାଣ ହାରି ।
ତୁ ବୋଇଲୁ ମୋତେ କେହି ନ ପାରଇ ମାରି ॥
ପୂର୍ବର ଭାଗ୍ୟ ଘେନି ସମୟେ ଭୋଗ କଲୁ ।
ମରିବାର ବେଳେ ମୋର ଛାମୁରେ ପଡ଼ିଲୁ ॥
ଆଜ ସେ ଜାଣିମା ତୋର ବୀରଶୂରପଣ ।
କିଞ୍ଚିତ ବାଣେ ତୋହର ଘେନିବି ପରାଣ ॥
କଥା କହୁଁ କହୁଁ ଦୁହେଁ ବିନ୍ଧୁଛନ୍ତି ଶର ।
ଦୁହିଁଙ୍କରି ଶରୀର ରକତେ ଜର ଜର ॥
କୁହୁଡ଼ି ପ୍ରାୟେକ ଯେ ଦିଶଇ ରଣଭୂଇଁ ।
ଏକକୁ ଆରେକ ତହିଁ ଚିହ୍ନାଚିହ୍ନି ନାହିଁ ॥