ପୃଷ୍ଠା:Typical selections from Oriya literature.pdf/୧୬୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ସୁଷେଣ ମୁଖ ଚାହିଁ ବୋଲନ୍ତି ରାମରାୟେ ।
ଲକ୍ଷ୍ମଣ ସଙ୍ଗତେ ମୁହିଁ ମରିବି ନିଶ୍ଚୟେ ॥
ଆଉ ଜୀଇଥାଇ ଏବେ ଚାହିଁବି କା ମୁଖ ।
ଏହାର ବିହୀନେ ମୋର ସବୁ କଥା ଦୁଃଖ ॥
ସୁଷେଣ ବୋଲେ ଦେବ ନ ମରେ ତୋର ଭାଇ ।
ମରିବାର ଲୋକ ପ୍ରାୟେ ଏହି ନ ଦିଶଇ ॥
ବଦନ ସୁନ୍ଦର ବେନି ନେତ୍ର ଅଛି ବୁଜି ।
ଡାଳିମ୍ବକୁସୁମ ଜାଣି ଅଧର ବିରାଜି ॥
ବେନି ଶ୍ରବଣ ଟେକ ଯେ ନାସିକା କଠିନ ।
ନିଜ ଭୁଜଦଣ୍ଡ ବେନି ଦିଶଇ ଗଠଣ ॥
ଅଙ୍ଗୁଳିମାନ ଫୁଟଇ ବହଇ ନିଶ୍ବାସ ।
ସର୍ବାଙ୍ଗ ଶରୀରଯାକ ଅନଳ ସଦୃଶ ॥
ଅଷ୍ଟାଙ୍ଗ ଶରୀରେ ଦେବ ଦୋଷ ନାହିଁ କିଛି ।
ଶ୍ରୀରାମ ବୋଇଲେ ଏକ ଅବିଗୁଣ ଅଛି ॥
ଦକ୍ଷିଣ ଭୁଜରେ କିପାଁ ନ ଚଳେ ନାଟିକା ।
ଏହି କଥା ପାଇଁ ମୋତେ ଲାଗୁଛି ତାଟକା ॥
ସୁଷେଣ ବୋଲେ ଦେବ ତହିଁକି ନାହିଁ ଡ଼ର ।
ତ୍ରାସ ମରଣମାନଙ୍କ ଏସନ ବେଭାର ॥
ଶସ୍ତ୍ରଘାତ ଆବର ଯେ ବଜ୍ର ପଡ଼ିଥିବା ।
ଅପଘାତ କଥା ଶୁଣି ଜ୍ଞାନ ହରାଇବା ॥
କିବା ଦଣ୍ଡିବାକୁ କେ ବସାଇଥିବେ ନେଇ ।
ସର୍ପଆଘାତ କିବା ଶିତୁଳୀ ଥିବ ଛୁଇଁ ॥
ଅପବାଦ କଥା ଶୁଣି ହୋଇବ ଅଜ୍ଞାନ ।
ନାସା ତାଳୁକାରେ ମୃତ୍ୟୁ ଅଟଇ ଏସନ ॥
ନାଟିକା ନ ଚଳଇ ଜୀବନ ଥାଇ ରହି ।
କ୍ଷଣ କ୍ଷଣକରେ ଉଠି ବସେ ପ୍ରାଣ ପାଇ ॥
ଏହାର ଦେହରେ ଦେବ ଦୋଷ ନାହିଁ କିଛି ।
ଏକମାତ୍ର ଅବିଗୁଣ କଥାଗୋଟି ଅଛି ॥
ବୁକୁ ଫାଟିଣ ଶସ୍ତ୍ର ଯାଇଅଛି ଗଳି ।
ଏଥକୁ ମନରେ ଭ୍ରାନ୍ତି କରେ ମହାବଳି ॥
ଶୁଣି କରି ଶ୍ରୀରାମ ଯେ ଅନାଇଲେ ହିଆ ।
ଅନ୍ଧକାର ହେତୁ ବାରି ନ ପାରିଲେ ତାହା ॥