ପୃଷ୍ଠା:Typical selections from Oriya literature.pdf/୧୭୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୩୭
ଓଡ଼ିଆ ସାହିତ୍ୟ-ପରିଚୟ

ଭୋ ରାମଚନ୍ଦ୍ର ତୁ ମନେ ନୁ ହସି ବିକଳ ।
ତୋହର ନାମଗୋଟିକି ମନେ ମନେ ଭାଳ ।
ତୋତେ କିପାଁ ପାପ ଯେ ଲାଗିବ ରଘୁପତି ।
ତୁହି ସିନା କରିଅଛୁ ଏସନେକ ରୀତି ।
ଅନନ୍ତ ବ୍ରହ୍ମାଣ୍ତର ଠାକୁର ଚକ୍ରପାଣି ।
ତୋହରେ ସେ ସର୍ଜିଲା ଅଟଇ ଚାରିଖାନି ।
ଶୁଣି ରଘୁନାଥ ଯେ ପରମ ତୋଷମନ ।
ହୃଦପଦ୍ମେ ବିଚାର କଲେକ ତ‌ତ୍ତ୍ୱଜ୍ଞାନ ।
ଜୀବ ପରମ ଆତ୍ମାକୁ ଏକମନ କଲେ ।
ପ୍ରକୃତିକି ଅନ୍ତର କରିଣ ବିଚାରିଲେ ।
ମୁହିଁଟି ଶ୍ରୀହରି ଯେ ଜଗତ ଅଧିପତି ।
ମୋହ ସଞ୍ଚିଲା ସିନା ଅଟଇ ସପ୍ତ‌ପୃଥ୍ୱୀ ।
ପାପ ପୁଣ୍ୟ ବୋଲି ସିନା ମୁହିଁ ବିଚାରିଲେ ।
ଧର୍ମ ଅଧର୍ମ ବୋଲିଣ ମୁହିଁ ପୁଛା କଲି ।
ବେଦ ବଉଦ୍ଧ ମୋହର ଏହି ଦୁଇ ମତ ।
ମୁହିଁ ସିନା ଭିଆଇଲି ଦେବତା ଦଇତ ।
ସନ୍ଥ ପ୍ରତିପାଳି ଦୁଷ୍ଟଜନ ବିନାଶଇ ।
ରାକ୍ଷସନ୍ତ ନାଶିଣ ଦେବତାନ୍ତ ବସାଇ ।
ଏ ଯେ ରାବଣ ବ‌ହୁତ ଅନ୍ୟାୟ ଯେ କଲା ।
ମୋ ଘରଣୀ ଜଗନ୍ମାତା ଚୋରାଇ ଆଣିଲା ।
ତେଣୁ ଯେ ନାରାଚେ ହରିଲି ଏହାର ପ୍ରାଣ ।
ମୁହିଁତ ଅପାପିପୁରୁଷ ଯେ ନାରାୟଣ ।
ପାପକୁ ହରନ୍ତି ନରେ ମୋତେ ଆଶ୍ରେ କରି ।
ଜଗତ ରଖିଲି ମୁହିଁ ରାବଣକୁ ମାରି ।
ଏ ମାୟାସଂସାର ସିନା ମୋହର ପାତନା ।
ନ ଜାଣି କଳୁଷ ତୁହି ହେଉଅଛୁ ବଣା ।
କେ ମୃତ୍ୟୁ ପାଇଲା କେହୁ କାହାକୁହିଁ ମାରି ।
କେ ପାପ ପୁଣ୍ୟ ପାଇଲା କାହାକୁ ଆବୋରି ।
ଯାଅସି କଳୁଷ ହେ ସୁଝିଲୁ ତୋର ସେବା ।
ନୋହିଲେ ତୋତେ ମୁଁ ଶାପ ଦେଇଥାନ୍ତି ଅବା ।
ପୂର୍ବେ ଯେ ମରୁତ ରାଜାଠାରେ ଥିଲା ଦୋଷ ।
ତାହାକୁ ଯେ ମୁହିଁ ଭୋଗ କଲି ହେ କଳୁଷ ।
ନିୟମ ପୂରିଲା ଏବେ ଯାଅ ଅଙ୍ଗୁ ଛାଡ଼ି ।
ଏତେ ବୋଲି ରାମ ଯେ ଆପଣା ନାମ ପଢ଼ି ।