ତାରକମନ୍ତ୍ର ଯେ ଆପଣାର ନାମ ଗୋଟି ।
ସୁମରିଲା ମାତ୍ରେ ବ୍ରହ୍ମହତ୍ୟା ଗଲା ଫିଟି ।
ଶ୍ରୀରାମ ଶରୀରୁ ଯେ ଛାଡ଼ିଲା ପାପରାଶି ।
ପଦ୍ମଦଳ ଲୋଚନକୁ ଦଶଦିଗ ଦିଶି ।
ଏଥୁ ଅନନ୍ତରେ ସେ ଯେ ଦଶାନନ ବୀର ।
ହୃଦପ୍ତ ଫୁଟି ଯହୁଁ ଗଲାକ ବ୍ରହ୍ମଶର ।
(5)
ସୀତାଙ୍କ ଅଗ୍ନି-ପରୀକ୍ଷା
ରାମଙ୍କୁ ନମସ୍କାର କଲେକ ବଇଦେହୀ ।
ଦୁଇଭଡ଼ା ପଛକୁ ଘୁଞ୍ଚିଣ ଉଭାହୋଇ ।
ଭୋ ଦଶରଥନନ୍ଦନ ବୋଲି ସୀତା କାନ୍ଦି ।
ମୁହିଁ ପଡ଼ିଥିଲି ଯେ ଅସୁରଘରେ ବନ୍ଦୀ ।
ଏ କର୍ମ ବିଧାତା ପୁଣି ତୋତେ ମୋତେ କଲା ।
ମୋ ପ୍ରସାଦେ ତୋତେ ଯେ କଳଙ୍କ ଉପୁଜିଲା ।
ଏତେ ବୋଲି ଦେବୀ ଯେ ରୋଦଇ ଉଚ୍ଚସ୍ୱରେ ।
ରାମ ମହୀରେ ଲୁହ ପକାନ୍ତି ଶୋକଭରେ ।
ମୁଖେ ବସନ ଦେଇଣ କାନ୍ଦନ୍ତି ଲକ୍ଷ୍ମଣ ।
କାନ୍ଦନ୍ତି ରାଜା ସୁଗ୍ରୀବ ଜାମ୍ବବ ସୁଷେଣ ।
ଅଙ୍ଗଦ ହନୁମତ ଯେ ଗନ୍ଧମାରଦନ ।
ମହୀନ୍ଦ୍ର ଦ୍ୱିବିଧ ଗବାକ୍ଷ ଯେ ସୁଶୋଧନ ।
ନଳ ନୀଳ ଗବୟ ଯେ ପବନ ସମ୍ପାତି ।
ଦଶକାଳବୃଦ୍ଧ ଶତବଳ ଯେ କାନ୍ଦନ୍ତି ।
ରମଣ କାଳିଞ୍ଜନର ଶୋକ କହି ନୋହି ।
ଋକ୍ଷ କପି କାନ୍ଦନ୍ତେ ଉଛୁଳୁଅଛି ମହୀ ।
ବିଭୀଷଣ ରାଜନ ସହିତେ ମନ୍ଦୋଦରୀ ।
ଲଙ୍କାପୁର ଅସୁରୀଏ ହାହାକାର କରି ।
ବାବୁ ବିଧାତାରେ ଏହି ପତିବ୍ରତା ସତୀ ।
ରଘୁନାଥ ଏହାର ଅନୁରୂପେ ଯେ ପତି ।
ଯୁବାକାଳେ ଦୁହେଁ ଯେ ହୋଇଲେ ଛଡ଼ାଛଡ଼ି ।
ତେରମାସେ ପୁଣି ଆସି ଏବେ ଭେଟ ପଡ଼ି ।
ମୁରୁଛି ନୁଆରିଣ ରୋଦନ କରୁଛନ୍ତି ।
କାନ୍ଦୁ କାନ୍ଦୁ ଲୋକେ ଏହା ମନେ ବିଚାରନ୍ତି ।