ପୃଷ୍ଠା:Typical selections from Oriya literature.pdf/୨୦୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୭୦
ଓଡ଼ିଆ ସାହିତ୍ୟ-ପରିଚୟ

ଦେବକୀ ଦେବି କଂସଘରେ । ବନ୍ଦୀରେ ଥିଲେ ଶୋକଭରେ ।
ମୁଁ ପଞ୍ଚପୁତ୍ର ଘେନି ଏବେ । ବନେ ବଞ୍ଚାଇ ଦୁଃଖ ଭାବେ ।
ଦେବକୀ ପ୍ରାୟେ ମୋତେ କରି । ଅଶେଷ ସଙ୍କଟୁ ଉଦ୍ଧରି ।
ଦ୍ରୋଣପୁତ୍ରର ବ୍ରହ୍ମଶର । ତ‌ହୁଁ ରଖିଲୁ ବଂଶ ମୋର ।
ଏଣୁ ବପତ୍ତି ନିରନ୍ତର । ହେଉ ହେ ଜଗତ୍‌ଗୁରୁ ମୋର ।
ଯେଣୁ ତୋର ଦରଶନ-ଫଳେ । ଏ ଜୀବ ରହଇ ନିଶ୍ଚଳେ ।
ପରମ ମୋହେ ଲଭେ ବାସ । ତୁ ନାଥ ଭକ‌ତ-ବିଶ୍ୱାସ ।
ଉତ୍ତମ କୁଳେ ଜନ୍ମ‌ପାଇ । ବିଦ୍ୟା ସମ୍ପଦ ଯେବେ ଥାଇ ।
ବୁଡ଼ଇ ମତ୍ତ ଗର୍ବ-ଚିତ୍ତେ । ସେ ତୋତେ ଜାଣିବ କେମନ୍ତେ ।
ତୁ ନାଥ ଆତ୍ମାରାମ ଶାନ୍ତ । ନମଇ କୈବଲ୍ୟର ନାଥ ।
ତୁ ନାଥ କାଳରୁପ ହେଉ । ଅନାଦି-ନିଧନ ବୋଲାଉ ।
ସମେ ତୁ ବସୁ ସର୍ବଦେହେ । ପ୍ରାଣିଏ ତୋର ମାୟା-ମୋହେ ।
ତୋହର ଇଚ୍ଛା କେ ଜାଣିବ । ଶରୀରେ ବହି ବ୍ରହ୍ମାଶିବ ।
ତୋର ଚରିତ ଭଗବାନ । ଏ ନରଲୋକେ ବିଡ଼ମ୍ବନ ।
ଯେଣୁ ତୋ ରିପୁ ମିତ୍ର ନାହିଁ । ପ୍ରାଣୀ ଜାଣିବେ ତୋତେ କାହିଁ ।
ପଶୁଙ୍କପରେ ହେଉ ଜାତ । ଋଷିଙ୍କପରେ ଋଷିସୁତ ।
ଜଳଜନ୍ତୁଙ୍କ ମଧ୍ୟେ ତୁହି । ବିହରୁ ମୀନରୁପ ହୋଇ ।
ଏ କ‌ଥା ଲୋକେ ବିଡ଼ମ୍ବନ । ତୁ ଆତ୍ମା ଆଦି ନିରଞ୍ଜନ ।
ଦ‌ଧିମନ୍ଥନ ବେଳେ ଧରି । ରୋଳେ ବାନ୍ଧିଣ ନନ୍ଦନାରୀ ।
ପଛେ ଲୁଚାଇ ଛାଟ ଗୋଟି । ତା ଦେଖି ଭୂମିରେ ତୁ ଲୋଟି ।
ଚକ୍ଷୁଁ ଅଞ୍ଜନ ଘଷିକରେ । କାନ୍ଦି ପଡ଼ିଲୁ ତା ପୟରେ ।
ତୋ ନାମ ଚିତ୍ତ-ଭୟହର । ତୁ କିପାଁ ଯଶୋଦାକୁଡ଼ର ।
ତୁ ଦେବ ଯୋଗମାୟା ଅଂଶେ । ଜନ୍ମିଲୁ ଯହୁଁ ରାଜାବଂଶେ ।
ସ୍ୱଭାବେ ଜନ୍ମ ନାହିଁ ତୋର । ଯେଣୁ ଖଣ୍ଡିବୁ ଭୂମିଭାର ।
ଏଣୁ କଳ୍ପନ୍ତି ସାଧୁଜନ । ମଳୟେ ଯେସନେ ଚନ୍ଦନ ।
ତୋ ଜନ୍ମ କରି ଅନୁମାନ । ଅପରେ ଯେତେ ସାଧୁଜନ ।
ବୋଲନ୍ତି ବସୁଦେବ-ଘରେ । ଜନ୍ମିଲୁ ଭାରାହରଣରେ ।
ପୂର୍ବେ କଠୋର ତପ କରି । ବର ମାଗିଲା ପୁତ୍ରହରି ।
ଅସୁରଙ୍କର ଡ଼ରେ ମହୀ । ବ୍ରହ୍ମା ସକ୍ଷାତେ ଦୁଃଖ କହି ।
ତାହାର ଅର୍ଥେ ପଦ୍ମାସନ । ଗଲେ ତୋହର ସନ୍ନିଧାନ ।
ସର୍ବ ଦେବଙ୍କୁ ଘେନିଗଲେ । ତୋର ଚରଣେ ସ୍ତୁତି କଲେ ।
କ‌ହିଲେ ତୋ ଚରଣ-ତଳେ । ନାବ ବୁଡ଼ଇ ଯେହ୍ନେ ଜଳେ ।