ପୃଷ୍ଠା:Typical selections from Oriya literature.pdf/୨୧୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୭୬
ଓଡ଼ିଆ ସାହିତ୍ୟ-ପରିଚୟ

ସ୍ୱଭାବେ ରୁଦ୍ର-ଆତ୍ମା ସେହି । ତାର ମହିମା କେ ଜାଣଇ ।
ଗର୍ଜଇ ଭୟଙ୍କରନାଦେ । ବେଗେ ଧାମଇ ବେନିପାଦେ ।
ଶୂଳ ବୁ‌ଲାଇ ଦକ୍ଷ କରେ । ନୂପୁର ବାଜଇ ପୟରେ ।
ଧାମଇ ପବନହୁଁ ବେଗେ । ରୁଦ୍ର କୋପେ ଉତ୍ତର ଦିଗେ ।
ଶବଦେ ଦଶଦିଗପୁରେ । ଧୂଳି ଉଡ଼ଇ ପାଦଭରେ ।
ବିପ୍ରେ ଯେ ଥିଲେ ଯଜ୍ଞଶାଳେ । ଧୂଳି ଦେଖନ୍ତି ଅନ୍ତରାଳେ ।
ଉତ୍ତରଦିଗେ ରେଣୁ ଦେଖି । ଉଠିଲେ ସୁଯଜ୍ଞ ଉପେଖି ।
ଉତ୍ତରଦିଗକୁ ଅନାଇ । କହ‌ନ୍ତି ଏକ ଆରେ ଚାହିଁ ।
ଦେଖ ଦିବସେ ଘୋରତମ । ଦିଗ ନ ଦିଶେ ବାତଭ୍ରମ ।
ଏମନ୍ତେ ଦେବେ ବିପ୍ରନାରୀ । ଦେଖନ୍ତି ହସ୍ତେ ହସ୍ତଧରି ।
କହ‌ନ୍ତି କିଏ ତମଘୋର । ଦିଶଇ ଅତି ଭୟଙ୍କର ।
ପ୍ରଚଣ୍ଡ ବହଇ ପବନ । ତମେ ଆଚ୍ଛାଦିଲା ଗଗନ ।
ଗୋରୁ-ଚରଣ-ଧୂଳି ନୋହେ । କିୟେ ତମସ କାହୁଁ ହୋଏ ।
ଆଜ କି ପ୍ରଳୟ ହୋଇବ । ବାମ କି ହୋଇଲା ଦଇବ ।
ପ୍ରସୂତି ଆଦି ବାମା ଯେତେ । ଉଠି ଚାହାଁନ୍ତି ଦୁଃଖଚିତ୍ତେ ।
ଏମନ୍ତେ ଶୁଣ ନରନାଥ । ଅଦ୍ଭୂତ ରୁଦ୍ରର ଚରିତ ।
ପ୍ରଚଣ୍ଡ ମଣ୍ଡଳ ଆକାରେ । ତୀକ୍ଷଣ ଶୂଳ ଧରି କରେ ।
ରୁଦ୍ର ଧାଇଁଲେ ଅତିବେଗେ । ଦେଖି ପଳାନ୍ତି ଦିନଲାଗେ ।
ସହସ୍ର ହସ୍ତ ଊର୍ଦ୍ଧ୍ୱେ କରି । ନ‌ଟଙ୍କ ପ୍ରାୟେ ବେଶ ଧରି ।
ଚଣ୍ତାଟ୍ଟ‌ହାସ୍ୟ ଶୋହେ ତୁଣ୍ତେ । ଯେହ୍ନେ ବିଜୁଳି ମେଘଖଣ୍ତେ ।
ଅସଂଖ୍ୟ ତେଜ ଯୋଗବଳ । ଦିଶଇ ଭୃକୁଟୀ କୁଟିଳ ।
କରାଳଦଂଷ୍ଟ୍ର ଶୋହେ ତୁଣ୍ଡେ । ତେଜେ ନକ୍ଷତ୍ରଗଣ ଖଣ୍ଡେ ।
ଦକ୍ଷକୁ ଚାହିଁ ସଭାଜନେ । କହ‌ନ୍ତି ଅତି ଦୁଃଖମନେ ।
ଦେଖ ଏହାର କର୍ମଫଳ । ଆଜତ ନାଶିଲୁ ସକଳ ।
ଉତ୍ପାତ ଭୟେ ଦୁଃଖମନେ । ଭୟେ ଲୁଚିଲେ ସର୍ବଜନେ ।
କେ କ‌ହୁ ଜନଙ୍କ ବିକଳ । ତ‌କ୍ଷଣେ ମିଳି ରୁଦ୍ରବଳ ।
ନାନା ଆୟୁଧ ଘେନି କରେ । ବେଢ଼ିଲେ ବେଗେ ଯଜ୍ଞଘରେ ।
ପିକ ପିଙ୍ଗଳ ଦିଶେ ବର୍ଣ୍ଣ । ସକଳେ କୁମାର-ଆନନ ।
ଶବଦେ ଗ‌ଗନ ଉଚ୍ଛଳେ । ବେଗେ ମିଳିଲେ ଯଜ୍ଞଘରେ ।
କେହି ଭାଙ୍ଗିଲେ ଗୃହବାସ । ପ‌ତ୍ନୀଭୁବନ ଅବଶେଷ ।
କେ ପାକଶାଳେ ପ୍ରବେଶନ୍ତି । କେ ଯଜ୍ଞପାତ୍ରକୁ ଲୁଟନ୍ତି ।
କେ ଯଜ୍ଞକୁଣ୍ଡରେ ମିଳନ୍ତି । ମୂତ୍ରପୁରୀଷ ଉତ୍ସର୍ଗନ୍ତ ।
କେ ବ‌ହୁ ଘୋରନାଦ କଲେ । ଯଜ୍ଞମେଖଳା ବେଦିତୁଲେ ।
ଭାଙ୍ଗିଲେ ଅତି କୋପଭରେ । ଶୂଳ ବୁଲାଇ ଦକ୍ଷକରେ ।