(5)
ଧ୍ରୁବ ଚରିତ (Ch. VI)
ମୈତ୍ରେୟ ଉବାଚ
ସାଧୁଜନେ ଦୃଢ଼ଚିତ୍ତେ କର ଏଥେଁ ଭାବ ।
ଏ ଦୃଢ଼ବୋଇତେ ଭବବାରାଧି ତରିବ ।
ବିଷ୍ଣୁର ଆଦେଶେ ସୃଷ୍ଟିକାଳେ ପଦ୍ମଯୋନି ।
ମିଥୁନପ୍ରକାରେ ସେହୁ ଶିବଶକ୍ତି ଘେନି ।
ନିଜ କଳେବର ବ୍ରହ୍ମା ବେନିଖଣ୍ଡ କଲେ ।
ସ୍ୱୟଂ ଭୁବମନୁ ଶତଋପୀ ପ୍ରକାଶିଲେ ।
ମୈଥୁନ-ପ୍ରବନ୍ଧେ ଉପୁଜିଲେ ପୁତ୍ରବେନି ।
ସୃଷ୍ଟିଅଂଶ ହେତୁ ତିନି କନ୍ୟା ସଙ୍ଗେ ଘେନି ।
ପ୍ରିୟବ୍ରତ ଉତ୍ଥାନପାଦ ନାମ ଆଦ୍ୟର ।
ସୁଗୁଣ ସ୍ୱରୁପ ରୂପେ ମୋହେ ତିନିପୁର ।
କନ୍ୟା ଏକ ତହୁଁ ପ୍ରଜାପତିର ସମ୍ଭୂତ ।
ଯେଣୁ ବ୍ରହ୍ମା ଭିଆଇ ସର୍ଜିଲା ଏ ଜଗତ ।
ସୃଷ୍ଟିପୂର୍ବେ ମନୁରୂପେ ବେନି ସହୋଦର ।
ପ୍ରଜା ସ୍ୱର୍ଗ ସଞ୍ଚିଲେ ସେ ଅନେକ ପ୍ରକାର ।
ଉତ୍ତାନପାଦର ସେ ହୋଇଲେ ପତ୍ନୀବେନି ।
ସୁରୁଚି ସୁନୀତି ଯେ ସୁନ୍ଦରଗୁଣ ଘେନି ।
ସେ ବେନିପତ୍ନୀଙ୍କର ମଧ୍ୟେ ସୁରୁଚି ସୁପ୍ରିୟା ।
ଉତ୍ତାନପାଦର ଚିତ୍ତେ ତାର ବଡ଼ ଦୟା ।
ତାହାର ଉଦରେ ଯେଉଁ ବେନିପୁତ୍ର ହୁଏ ।
ରୁପ ଗୁଣ ସୁନ୍ଦରେ ଜଗତଜନ ମୋହେ ।
ତାର ବହୁପ୍ରିୟ ଯେ ଉତ୍ତାନପାଦ ରାଜା ।
ଭୂଷଣ ବସନ ଆଦି କରେ ତାକୁ ପୂଜା ।
ନିତ୍ୟେ ପ୍ରିୟବତୀ ସେ ନମିଷେ ନ ଛାଡ଼ଇ ।
ପତ୍ନୀ ସୁତ ସ୍ୱଭାବେ ଗୌରବ ଭାବ ବହି ।
ସୁନୀତି ଅପ୍ରିୟତାର ସୁତ ଧ୍ରୁବ ନାମ ।
ରୂପଗୁଣେ ସୁନ୍ଦର ମୋହିତ କୋଟିକାମ ।
ବେନିସୁତ ବେନିଧାତ୍ରୀ ଘେନିଥାନ୍ତି ନିତ୍ୟେ ।
ପିତାର ସମୀପେ ଦ୍ୟନ୍ତି ରାଜସେବାମତେ ।
ଏକ ଦିନେ ସୁରୁଚି ଉତ୍ତମ କର ଧରି ।
ନୃପତି ସମୀପେ ମିଳେ ପ୍ରିୟଭାବ କରି ।