ପୃଷ୍ଠା:Typical selections from Oriya literature.pdf/୨୩୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୯୬
ଓଡ଼ିଆ ସାହିତ୍ୟ-ପରିଚୟ

ବିଷ୍ଣୁ ଯାଚିଲେ ମୋତେ ବର । ମୋତେ ଅଦୃଷ୍ଟ ବଳୀୟାର ।
ମୋକ୍ଷ ନ ମାଗି ପୁତ୍ର-ଆଶେ । ପଡ଼ିଲି ମୋହଜଡ଼ପାଶେ ।
ଏବେ ଉପାୟ ତୁମ୍ଭେ କର । ଯେମନ୍ତେ ତୁଟେ ଭ୍ରମ ମୋର ।
ବସୁଦେବର ବାକ୍ୟ ଶୁଣି । ମନଆନନ୍ଦେ ବ୍ରହ୍ମମୁନି ।

(9)
ନିମି ଓ ନ‌ବ ବିପ୍ର-ସଂବାଦ
ନାରଦ ଉବାଚ

ବୋଲନ୍ତି ଧନ୍ୟ ଯଦୁବୀର । ଧନ୍ୟ ଏ ବଚନ ତୋହର ।
ତୋ ଚିତ୍ତ ଭାଗବତଧର୍ମେ । କଳ୍ପିଲା ପୂର୍ବ ପୁଣ୍ୟ-କର୍ମେ ।
ଶୁଣ ଏ ଧର୍ମର ମ‌ହିମା । କେ କ‌ହିପାରେ ଗୁଣସୀମା ।
ଯେବେ ଶ୍ରବଣେ ଏହା ଶୁଣି । ମନ ବଚନେ ପରିମାଣି ।
ଯଦ୍ୟପି ଗୁରୁ ବିପ୍ରଦ୍ରୋହୀ । ତ‌ହୁଁ ପ‌ତିତ ଯେବେ ହୋଇ ।
ତାର ଶ୍ରବଣେ ଯେବେ ପଶେ । ସର୍ବ କଳୁଷ ଦେହୁଁ ନାଶେ ।
ଧନ୍ୟ ଯାଦବ ତୋ ଜୀବନ । କୃଷ୍ଣରେ ନିବେଶିଲୁ ମନ ।
କୃଷ୍ଣର ଶ୍ରବଣ କୀର୍ତ୍ତନ । ଅଶେଷ ଦୁରିତ ଦ‌ହ‌ନ ।
କ‌ହିବା ଶୁଣ ସାବଧାନେ । ଯେ ଇତିହାସ ପୁରାତନେ ।
ପୂର୍ବେ ହୋ ବିଦେହ‌ମଣ୍ତଳେ । ନିମିରାଜାର ଯଜ୍ଞକାଳେ ।
ଦିବ୍ୟ ପୁରୁଷ ନ‌ବ‌ଋଷି । ମିଳିଲେ ଯଜ୍ଞଶାଳେ ଆସି ।
ସେ ନ‌ବ‌ଋଷି ମହାଜନ । ଶୁଣ ହୋ ତାହାଙ୍କ ବିଧାନ ।
ବ୍ରହ୍ମାର ଶରୀରୁଁ ସମ୍ଭବ । ଯେ ମନୁ ନାମ ସ୍ୱାୟମ୍ଭୁବ ।
ତାର ତନୟ ପ୍ରିୟବ୍ରତ । ସୁଗୁଣ ସାଧୁ ଶୁଚିମନ୍ତ ।
ପ୍ରିୟବ୍ରତର ପୁତ୍ର ଦୁଇ । ଅଗ୍ନିଧ୍ର ଅଗ୍ନିବାହୁ ହୋଇ ।
ଅଗ୍ନିଧ୍ର ସୁତ ନାଭି ନାମ । ସୁନ୍ଦର ସର୍ବଗୁଣଧାମ ।
ଋଷଭ ତାହାର କୁମର । ସେ ବିଷ୍ଣୁ ଅଂଶେ ଅବତାର ।
ତାର ମହିମା ଗୁଣ ଯେତେ । ଅନ୍ତ କେ କରିବ ଜଗତେ ।
ଅଶେଷ ମହିମା ତାହାର । ଭରତ ତାହାର କୁମର ।
ଶତେକ ପୁତ୍ରେ ଜ୍ୟେଷ୍ଠ ସେହି । ତା ପରେ ଊନଶତ ଭାଇ ।
ସକ‌ଳେ ବେଦବିଦ୍ୟ ଶୂର । ପବିତ୍ର ପୁଣ୍ୟ କଳେବର ।
ଭରତ ଥାଇ ପୁଣ୍ୟକାମେ । ଭାରତଭୂମି ଯାର ନାମେ ।
ଭବନେ ରାଜଭୋଗ ଭୁଞ୍ଜି । ବନେ ପଶିଲା ରାଜ୍ୟ ତେଜି ।
ତପେ ତୋଷିଲା ଭାବଗ୍ରାହୀ । ଜାତିସ୍ମର ସେ ଜାତ ହୋଇ ।
ଏମନ୍ତେ ତିନି ଜନ୍ମ ଅନ୍ତେ । ପଶିଲା କୃଷ୍ଣ ପାଦଗତେ ।
ଅଶେଷ ଦୁଃଖ ନାଶ ଗଲା । ଜନ୍ମ ମରଣ ପାସୋରିଲା ।