ଏଣୁ ଏ ଈଶ୍ୱର ଅଧୀନେ । ପଡ଼ଇ ଶରୀର ବନ୍ଧନେ ।
ବୋଲଇ କରୁଅଛି ମୁହିଁ । ମୋଠାରୁ କର୍ତ୍ତା ଭିନ୍ନ ନାହିଁ ।
ଦେହ-ବନ୍ଧନେ ହୋଇ ଭ୍ରମ । କରଇ ନାନାମତେ କର୍ମ ।
ଦେହ-ବିଯୋଗେ କର୍ମ ଘେନି । ଜନ୍ମ ଲଭଇ ନାନା ଯୋନି ।
ଅଶେଷ ଦେହ କର୍ମେ ଭଜେ । ଦୁର୍ଗମ ଦୁଃଖ ସୁଖ ଭଞ୍ଜେ ।
ଯାବତ ମାୟା ନୁହେ ହତ । ତାବତ ଦୁଃଖ ସୁଖେ ଗ୍ରସ୍ତ ।
ଭବ-ସଙ୍କଟେ ଏହିମତେ । ଭ୍ରମଇ ଦୁଃଖ-ସୁଖପଥେ ।
ଏ ବିଷ୍ଣୁ ମାୟାର ବିଧାନ । ଶୁଣ ହୋ ବିଦେହ-ରାଜନ ।
ଯେ ନିରାକାର ଆଦିକନ୍ଦ । ନିର୍ଗୁଣ ନିତ୍ୟ ସୁଖାନନ୍ଦ ।
ପ୍ରଳୟକାଳେ ତେଜୋରାଶି । ବେଗେ ବ୍ରହ୍ମାଣ୍ତ ମଧ୍ୟେ ପଶି ।
ଅନାଦିନିଧନ ସେ ହରି । ସୃଷ୍ଟି-ପ୍ରଳୟ-ଅଧିକାରୀ ।
ଶତବରଷ ବେଦମତେ । ଜଳ ନ ବରଷେ ଜଗତେ ।
ଦ୍ୱାଦଶ ସୂର୍ଯ୍ୟ ଶୂନ୍ୟେ ରହେ । ତିନି ଭୁବନ ତେଜେ ଦହେ ।
ଅନନ୍ତମୁଖୁଁ ଅଗ୍ନି ଜାତ । ଦହଇ ପାତାଳ ସମେତ ।
ଦହନ-ଅନ୍ତେ ମେଘମାଳ । ମିଳନ୍ତି ଗଗନମଣ୍ତଳ ।
ସମ୍ବର୍ତ୍ତ ନାମ ସେ ବହନ୍ତି । ଶତବରଷ ବରଷନ୍ତି ।
ଧାରା ବରଷେ ଘୋରବାୟେ । ପ୍ରମାଣ ହସ୍ତୀଶୁଣ୍ଡପ୍ରାୟେ ।
ଜଳ ବହୁଳେ ସୃଷ୍ଟି ନାଶ । ତା ଦେଖି ବିରାଟପୁରୁଷ ।
ତତ୍କ୍ଷଣେ ଛାଡ଼ି ତ୍ରିଭୁବନ । ବ୍ରହ୍ମ-ଶରୀରେ ହୁଏ ଲୀନ ।
ଭୁତବିକାର ପଞ୍ଚଗୁଣ । ତ୍ରିଗୁଣ ଅହଙ୍କାର ପୁଣ ।
ମହତ ଦେହେ ବିଶ୍ରାମଇ । ପ୍ରଳୟ ନ ପାରଇ ସହି ।
ସେ ପୁଣି ମାୟା-ଅବସାନ । ପ୍ରକୃତି-ଦେହେ ହୁଏ ଲୀନ ।
ପ୍ରକୃତି ପ୍ରଳୟର ତ୍ରାସେ । ମିଳେ ପରମାଆତ୍ମା-ପାଶେ ।
ଏ ମାୟା ଜଗତମୋହିନୀ । ଖେଳଇ ଜୀବାଅତ୍ମା ଘେନି ।
ଏ ବିଷ୍ଣୁ ମାୟାର ଭିଆଣ । ସୃଷ୍ଟି, ପାଳନ, ସଂହାରଣ ।
ଏମନ୍ତେ ଅନ୍ତରୀକ୍ଷ ବାଣୀ । ନିମି ବୋଲଇ ତାହା ଶୁଣି ।
ଦୁର୍ବୋଧ ଈଶ୍ୱରର ମାୟା । ମୂଢ଼ କେମନ୍ତେ ଜାଣେ ତାହା ।
ସେ ମାୟା ନିସ୍ତାର କେମନ୍ତେ । ଉପାୟ ଥିଲେ କହ ମୋତେ ।
ପ୍ରବୁଦ୍ଧ ବୋଲେ ଶୁଣ ରାୟ । କହିବା ଯେ ଅବା ଉପାୟ ।
ଦୁଃଖ ବିନାଶେ ସୁଖ ପାଇ । ଭୁଞ୍ଜେ ଅଖଣ୍ତ ତନୁ ବହି ।