ଧ୍ୟାନେ ଗୁପତ ପୁରାତନ । ବିଶେଷେ ନାରଦ-ବଚନ ।
ଯେ ଏହା ଶ୍ରବଣେ ଶୁଣନ୍ତି । କି ଅବା ବଦନେ ଗୁଣନ୍ତି ।
ସକଳ ପାପପଙ୍କୁ ତରି । ଅନ୍ତେ ଲଭନ୍ତି ନରହରି ।
ଶ୍ରୀ ଏକାଦଶ ଭାଗବତ । କହିଲା ଦାସ ଜଗନ୍ନାଥ ।
ହରି ଚରିତ ଗୀତବନ୍ଧେ । ସଂକ୍ଷେପେ ଏକାଦଶସ୍କନ୍ଧେ ।
ଅମୃତ ରସମୟ ଗୀତା । ଶୁଣନ୍ତେ ଜଗତ ପବିତ୍ର ।
ନାରଦ ସମ୍ବାଦେ ବର୍ଣ୍ଣଭେଦଭକ୍ତିଯୋଗ କଥନଂ
ନାମ ଷଷ୍ଠୋଧ୍ୟାୟଃ ।(14)
ଅବଧୂତ-ଯଦୁରାଜ-ସଂବାଦ (Sk. XI, Ch. X).
ଅବଧୂତ ଉବାଚ
ଶୁଣ ହେ ଯଦୁ ନୃପବର । ଯେ ଅବା ଅନୁଭବ ମୋର ।
ଗୁରୁ-ବଚନ ମୋର ଯେତେ । ସବୁ କହିବି ତୋ ଅଗ୍ରତେ ।
ଏ ଯେତେ ଦ୍ରବ୍ୟ ପରିଗ୍ରହ । ଜାଣ ତୋ ସର୍ବ ଦୁଃଖମୟ ।
ଏ ଘେନି ଜ୍ଞାନୀ ଅକିଞ୍ଚନେ । ନିଶ୍ଚିନ୍ତେ ରହେ ସୁଖମନେ ।
ପକ୍ଷିଙ୍କ ମଧ୍ୟେ ବଳୀୟାର । ସ୍ୱଭାବେ ପ୍ରଚଣ୍ତ କୁରର ।
ନିତ୍ୟେ ମାରଇ ନାନା ପକ୍ଷୀ । ଜୀବନ ପୋଷେ ମାଂସ ଭକ୍ଷି ।
ତାର ମହିମା ଜନେ ଶୁଣି । ବନ୍ଦୀ କରନ୍ତି ଘରେ ଆଣି ।
ସେ ପୁଣି ନିତ୍ୟେ ପକ୍ଷୀ ମାରେ । ମାଂସ ଭକ୍ଷଇ ନେଇ ପରେ ।
କେବଳ ଶ୍ରମମାତ୍ର ସାର । ନ ଭକ୍ଷେ ଉଚିତ ଆହାର ।
ମୁହଁ ତାହାର ଦୁଃଖ ଚାହିଁ । ତା ତହୁଁ ଗୁରୁଶିକ୍ଷା ପାଇ ।
ନ କରି ବସ୍ତୁ ପରିଗ୍ରହ । ଏକା ଭ୍ରମଇ ଶୂନ୍ୟ ଦେହ ।
ନାହିଁ ମୋ ମନେ ଅପମାନ । ପୁତ୍ର, କଳତ୍ର, ଗୃହ, ଧନ ।
ଆତ୍ମାକୁ ରମଇ ମୁଁ ନିତ୍ୟେ । ନିଶ୍ଚିନ୍ତେ ଭ୍ରମଇ ଜଗତେ ।
ଶିଶୁର ନାହିଁ ପରାପର । ସମସ୍ତ ଏକଇ ବିଚାର ।
ଯେଣୁ ତା କିଛି ଚିନ୍ତା ନାହିଁ । ତେଣୁ ମୁଁ ଗୁରୁ-ଶିକ୍ଷା ପାଇ ।
ଏବେ ହୋ ଶୁଣ ମନସ୍ଥିରେ । ପୂର୍ବେ ଯେ ଅବନ୍ତୀ ନଗରେ ।
ସୁସାଧୁ ସୁନ୍ଦର ଶରୀରେ । କନ୍ୟାଏ ଥିଲା ବିପ୍ରଘରେ ।
ସେ କନ୍ୟା ବିଭା-ଅର୍ଥେ ବରି । ବିପ୍ରେ ମିଳିଲେ ପାଞ୍ଚ ଚାରି ।
କନ୍ୟାର ପିତା ସଙ୍ଗମେଳେ । ବିବାହ-ପ୍ରସ୍ତାବ ବିରୋଳେ ।
ବିଚାର କରି କନ୍ୟା ମାତା । ନିକଟେ ବସାଇ ଦୁହିତା ।