ଉଦ୍ଧବ ଶୁଣି କୃଷ୍ଣ-ବାଣୀ । କପୋଳେ ଦେଇ ବେନିପାଣି ।
ବୋଲଇ ଶୁଣ ଭଗବାନ । ତୁମ୍ଭେ କହିଲ ତୁମ୍ଭ ଧ୍ୟାନ ।
କିରୂପେ ଜଗତ ବିଖ୍ୟାତ । କହ ହେ ତ୍ରିଭୁବନନାଥ ।
ଭକ୍ତବତ୍ସଳ ଭଗବାନ । ବିକଚ କମଳଲୋଚନ ।
ଯେ ଜ୍ଞାନେ ଯୋଗିଜନ ଚିନ୍ତି । ଘୋର ସଂସାରୁ ତରିଯାନ୍ତି ।
କିରୂପେ କରି ତୋତେ ଧ୍ୟାନ । କହ ହେ ଦେବକୀନନ୍ଦନ ।
ଶୁଣ ଉଦ୍ଧବ ବାଣୀ କର୍ଣ୍ଣେ । କୋମଳ ଗଭୀର ବଚନେ ।
ବୋଲନ୍ତି ପ୍ରଭୁ ଜଗନ୍ନାଥ । ଶୁଣ ଉଦ୍ଧବ ଧ୍ୟାନତତ୍ତ୍ୱ ।
ସମ ଆସନେ ବସି ଧୀରେ । ସମୀର ସମ କଳେବରେ ।
ଜାନୁଯୁଗଳେ ବେନିପାଣି । ଦୃଢ଼େ ସ୍ଥାପିବ ବେଳ ଜାଣି ।
ବେନି ନୟନ ନାସା ଅଗ୍ରେ । ନିଶ୍ଚଳେ ସ୍ଥାପିବ ସମଗ୍ରେ ।
ପବନ ତୋଳି ନାସାଦ୍ୱାରେ । ପୂରକ କୁମ୍ଭକ ପ୍ରକାରେ ।
ଅଳପ ଅଳପ ସାଧନେ । ଚିତ୍ତ ସ୍ଥାପିବ ସଂଯମନେ ।
ଓଁ କାର ପବନ ନିଶ୍ଚଳୁଁ । ତୋଳିବ ହୃଦୟ-କମଳୁଁ ।
ଉତ୍ତମ ଘଣ୍ଟାନାଦ-ସ୍ୱନେ । ମନ-ପବନ ଏକଧ୍ୟାନେ ।
ମୃଣାଳ-ସୂତ୍ର-ମାର୍ଗେ ଧରି । ନିଶ୍ଚଳେ ଅନାହତେ ପୂରି ।
ଲବ ନିମିଷ ଦଣ୍ତ ଘଡ଼ି । ନିତ୍ୟେ ସାଧିବ ଦୁଃଖେ ପଡ଼ି ।
ଏରୂପେ ଅନ୍ତର ବାହାରେ । ନିତ୍ୟେ ସାଧିବ ନିରନ୍ତରେ ।
ଏମନ୍ତେ ସାଧି ଏକମାସେ । ପ୍ରାଣପବନ ସ୍ଥାପିବ ସେ ।
ହୃଦୟ-ପଦ୍ମ-ମଧ୍ୟଭାଗେ । ଯେ ଅଷ୍ଟଦଳ ଅଷ୍ଟଦିଗେ ।
ମଧ୍ୟ ପାଖୁଡ଼ା ତାର ଶିଖେ । ନିତ୍ୟେ ଲମ୍ବଇ ଅଧୋମୁଖେ ।
ଧ୍ୟାନେ ଚିନ୍ତିବ ହୃଦମଧ୍ୟେ । ଯେ ଅଷ୍ଟଦଳ ତାର ଉର୍ଦ୍ଧ୍ୱେ ।
ସୂର୍ଯ୍ୟମଣ୍ତଳ ଚିନ୍ତାକରି । ସୋମମଣ୍ତଳ ହୃଦେ ଭରି ।
ତାହାର ମଧ୍ୟେ ହୁତାଶନ । ତା ମଧ୍ୟେ ସୁବର୍ଣ୍ଣ-ଆସନ ।
ତାର ଉପରେ ଦିବ୍ୟ ରୂପ । ଚିନ୍ତିବ ମୋହର ସ୍ୱରୂପ ।
ଆଜାନୁ ଲମ୍ବେ ଭୁଜ ଚାରି । ଶଙ୍ଖ-କମଳ-ଚକ୍ରଧାରୀ ।
ସୁମୁଖ ସୁନ୍ଦର କପୋଳ । ବିକଚପଦ୍ମ ପ୍ରାୟ ଡ଼ୋଳ ।
ଶ୍ରବଣେ ମକର କୁଣ୍ତଳ । ହୃଦେ ଲମ୍ବଇ ବନମାଳ ।
ଶ୍ୟାମ ଜଳଦ-କଳେବର । କଣ୍ଠେ କୌସୁଭ ମଣିସାର ।
ହୃଦରେ ଶ୍ରୀବତ୍ସର ଚିହ୍ନ । ପୀତବସନ ପରିଧାନ ।
ମଞ୍ଜ ମଞ୍ଜୀର-ପାଦଯୁଗେ । ରତ୍ନମେଖଳା କଟିଭାଗେ ।