ପୃଷ୍ଠା:Typical selections from Oriya literature.pdf/୨୭୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୨୩୬
ଓଡ଼ିଆ ସାହିତ୍ୟ-ପରିଚୟ

ଯଜ୍ଞୋପବୀତ କନ୍ଧେ ଶୋହେ । ସୁନ୍ଦର ତନୁ ମନ ମୋହେ ।
ଏରୂପେ ଧ୍ୟାନ ମୋତେ କରି । ଚଞ୍ଚଳ ଇନ୍ଦ୍ରିୟ ନିବାରି ।
ବୁଦ୍ଧିକି କରି ଆଗୁସାର । ପଣ୍ତିତ ଜନଙ୍କ ବେଭାର ।
ସର୍ବ ସଙ୍ଗମୁଁ ମନ ମାରି । ନିଶ୍ଚଳେ ମୋତେ ଧ୍ୟାନ କରି ।
ମୋ ରୂପ ଚିନ୍ତିବ ନିରତେ । ଅନ୍ୟ ନ ସୁମରିବ ଚିତ୍ତେ ।
ପୁଣି ସେ ରୂପ ଥୋଇ ପାଶେ । ଚିତ୍ତ ନିବେଶିବ ଆକାଶେ ।
ଏରୂପେ ହୃଦୟ-କମଳେ । ବ୍ରହ୍ମ ପ୍ରକାଶିବ ନିଶ୍ଚଳେ ।
ସେ ବ୍ରହ୍ମ ଚିତ୍ତ ସ୍ଥିର ଯେବେ । ମୋ ରୂପ ନ ଚିନ୍ତିବ ତେବେ ।
ସେ ବ୍ରହ୍ମରୂପ ସର୍ବଭୂତେ । ଆତ୍ମାକୁ ପ୍ରକାଶିବ ନିତ୍ୟେ ।
ମନ-ସଂଯମ ଏହିମତେ । ମୋ ରୂପ ଦେଖିବ ଜଗତେ ।
ଏରୂପେ ଭ୍ରମ ଯିବ ତୋର । କ‌ହିଲେ ବ୍ରହ୍ମାଣ୍ତ-ଠାକୁର ।
ବୋଲଇ ଦାସ ଜଗନ୍ନାଥ । ଶ୍ରୀ ଏକାଦଶେ ଭାଗବତ ।
ଶୁକ-ପରୀକ୍ଷଙ୍କ ସମ୍ବାଦ । ଶୁଣନ୍ତେ ନ ଲାଗେ ପ୍ରମାଦ ।
କଳି-କଳୁଷ-ଭୟ ନାହିଁ । ସୁଜନେ ତର ଏହା ଗାଇ ।

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ଏକାଦଶସ୍ମନ୍ଧେ ଶ୍ରୀକୃଷ୍ଣ ଉଦ୍ଧବ
ସମ୍ବାଦେ ଭକ୍ତିଯୋଗକଥନଂ ନାମ ପଞ୍ଚଦଶୋଧ୍ୟାୟଃ ।
(18)
ମୁକ୍ତି-ସାଧନା (Sk. XI, Ch. XX)
ଶ୍ରୀ ଭଗବାନୁବାଚ

କ‌ହ‌ନ୍ତି ପ୍ରଭୁ ଭଗବାନ । ଶୁଣ ହେ ଭକତପ୍ରଧାନ ।
ଉତ୍ପତ୍ତି-ସ୍ଥିତ-ତ‌ତ୍ତ୍ୱଜ୍ଞାନ । ଯେ ଅନୁମାନ ବିଚକ୍ଷଣ ।
ବିମଳମତି ଧୀରବାଣୀ । ଜଗତ ମାୟାମାତ୍ର ଜାଣି ।
ସେ ଜ୍ଞାନ ଦେଇ ମୋ ଚରଣେ । ଭାବେ ଖଟିବେ ଭୃତ୍ୟପଣେ ।
ମୋତେ ଭଜନ୍ତି ଜ୍ଞାନୀଜନ । ମୁଁ ତାଙ୍କ ଇଷ୍ଟ ପ୍ରିୟଧନ ।
ଯେ ମୋତେ ଜ୍ଞାନବନ୍ଧେ ଧରେ । ସେ ସର୍ବ କାମ ପରିହରେ ।
ତୀର୍ଥ-ଗମନ-ଜପ-ଦାନ । ଯଜ୍ଞେ ଦେବତା-ଆରାଧନ ।
ଏ କୋଟି କୋତି ବ୍ରତଧର୍ମ । ଏ ଆଦି ଯେତେ ପୁଣ୍ୟକର୍ମ ।
ନାନା ପ୍ରକାରେ ତପ କରି । ଜ୍ଞାନ‌କଳାକୁ ନୁହେ ସରି ।
ଉଦ୍ଧବ ବୁଝି ଏହା ମନେ । ତୁ ମତେ ଭଜ ତ‌ତ୍ତ୍ୱଜ୍ଞାନେ ।
ମୋତେ ଭଜିଣ ଖଣ୍ତ ଭ୍ରମ । ଏବେ ତୁ ଛାଡ଼ ସର୍ବ ଧର୍ମ ।
ପୂର୍ବେ ଅଶେଷ ମୁନିଗଣେ । ଜ୍ଞାନେ ସେବିଲେ ମୋଚରଣେ ।
ସଂଶୟ ଛାଡ଼ି ଶୁଦ୍ଧମନେ । ଗମିଲେ ବୈକୁଣ୍ଠ-ଭୁବନେ ।