ପୃଷ୍ଠା:Typical selections from Oriya literature.pdf/୨୭୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୨୩୮
ଓଡ଼ିଆ ସାହିତ୍ୟ-ପରିଚୟ

ଯେ ତ‌ତ୍ତ୍ୱଜ୍ଞାନ ପୁରାତନ । ଜଗତ-ଉତ୍ପତ୍ତି-କାରଣ ।
ଜନ୍ମ-ମରଣ ଏ ଜଗତେ । ଦୁଃଖ ସନ୍ତାପ ଆଦି ଯେତେ ।
ଆଦ୍ୟନ୍ତ ମଧ୍ୟ ପରମାଣ । ଏ ସର୍ବ ମିଥ୍ୟା ବୋଲି ଜାଣ ।
ଯାହାକୁ ଆଦି ଅନ୍ତ ମଧ୍ୟେ । ବିନାଶ ନ ଦେଖି ପ୍ରମାଦେ ।
ସେ ସତ୍ୟ ଜ୍ଞାନତ‌ତ୍ତ୍ୱ ଜାଣି । ଅଧିକ ମିଥ୍ୟା ପରମାଣି ।
ନୟନେ ଦେଖି ଶୁଣି କର୍ଣ୍ଣେ । ଯେ ଅବା କରି ଅନୁମାନେ ।
ବିକଳ୍ପ ସଂକଳ୍ପ-କାରଣ । ବିଚାରେ ନୋହେ ଏ ପ୍ରମାଣ ।
କର୍ମର ଫଳ ଏ ଜଗତ । କର୍ମ ସରିଲେ ହୁଏ ହତ ।
ସ୍ଥାବରୁ ବ୍ରହ୍ମଲୋକ ଯାଏ । କର୍ମ ସରିଲେ ହୋନ୍ତି କ୍ଷୟେ ।
ପ୍ରଥମେ କ‌ହିଲି ମୁଁ ତୋତେ । ଭକ୍ତି-ଯୋଗ-ମହିମା ଯେତେ ।
ଯେ ଭକ୍ତି ମୁକ୍ତିର କାରଣ । ଏବେ କ‌ହିବା ବୀର ଶୁଣ ।
ମୋହର କଥାମୃତବାଣୀ । ଯେ ଶ୍ରଦ୍ଧାଚିତ୍ତେ ନିତ୍ୟ ଶୁଣି ।
ବଦନେ କରଇ କୀର୍ତ୍ତନ । ସୁସ୍ୱରେ ଗାଏ ଅନୁକ୍ଷଣ ।
ମୋର ପୂଜାରେ ଏକାମତି । ଆଦରେ କରେ ନାନାସ୍ତୁତି ।
ମୋର ବ୍ୟାପାରେ ତ‌ତ‌ପର । ସାଷ୍ଟାଙ୍ଗେ କରେ ନମସ୍କାର ।
ଉଦ୍ଧବ ଯେ ମୋର ଭକତ । ଅଧିକେ ପୂଜାକର୍ମେ ରତ ।
ମୋତେ ଦେଖିବ ସର୍ବଭୂତେ । ନିରତେ ଥିବ ପ୍ରାଣିହିତେ ।
ମୋର କାରଣେ କର୍ମ ଯେତେ । ଆଦରେ କରୁଥିବ ନିତ୍ୟେ ।
ମୋର ମହିମା ଯେତେ ଗୁଣ । କୀର୍ତ୍ତନ କରୁଥିବ ପୁଣ ।
ଅଧିକ କର୍ମ କରେ ଯେତେ । ଅନ୍ତରେ ସମର୍ପିବ ମୋତେ ।
ଆଶା ନ କରି କର୍ମଫଳେ । ଶରଣ ମୋ ପାଦକମଳେ ।
କର୍ମେ ମିଳିବ ଯେତେ ଭୋଗ । ମୋ ପ୍ରୀତିଅର୍ଥେ ପରିତ୍ୟାଗ ।
ମୋ କାର୍ଯ୍ୟଅର୍ଥେ କରି ପୁଣ । ଯେ ଅବା ଯଜ୍ଞ ତପୋଦାନ ।
ଅର୍ପଣ କରି ସର୍ବ ମୋତେ । ବ୍ରହ୍ମାଆନନ୍ଦମୟଚିତ୍ତେ ।
ଦେହ ଜୀବନ ଦେଇ ମୋତେ । ବନ୍ଦିବ ମୋର ପାଦଗତେ ।
ଏ ସର୍ବ ଭକ‌ତି ଉପାୟେ । ଯେ ଅବା ସାଧେ ନିଜ ଦେହେ ।
ତାରଭକତି ମୋର ପାଦେ । ନିଶ୍ଚଳ ହୁଏ ଅପ୍ରମାଦେ ।
ତାର ସାଧନା ସିଦ୍ଧି ଯେତେ । ମୋ ତ‌ହୁଁ ଅଛି ଆନ କେତେ ।
ଯେ ପ୍ରାଣୀ ମୋହର ଚରଣେ । ଦଣ୍ତେ ନିମିଷେ ଅବା କ୍ଷଣେ ।
ମନ ନିଶ୍ଚଳ କରି ଯେବେ । ଜ୍ଞାନ-ବୈରାଗ୍ୟ ଲଭେ ତେବେ ।
ମୋ ପାଦଭକ୍ତି-ଉପାଦାନେ । ଦେଖଇ ଆତ୍ମା ତ‌ତ୍ତ୍ୱଜ୍ଞାନେ ।
ହୃଦରେ ଭକତି ଉଦୟେ । ବୈରାଗ୍ୟ ଦେଖଇ ବିଷୟେ ।
ଅଣିମା ଆଦି ଅଷ୍ଟନିଧି । ନିକଟେ ଥାନ୍ତି ନିରବଧି ।
ଏମନ୍ତେ କୃଷ୍ଣବାକ୍ୟ ଶୁଣି । ଉଦ୍ଧବ ଯୋଡ଼େ ବେନିପାଣି ।