ପୃଷ୍ଠା:Typical selections from Oriya literature.pdf/୪୧୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୭୩
ଓଡ଼ିଆ ସାହିତ୍ୟ-ପରିଚୟ

ରଙ୍ଗବସ୍ତ୍ର ପାଗ ମୁଣ୍ତେ ବାନ୍ଧିଲେ । ସୁନାଜରି ଫେର ତ‌ହିଁ ଭିଡ଼ିଲେ ।
ଭାଲେ ଚନ୍ଦନ‌ଚିତା ମନୋହର । ନାସାପୁଟେ ସୁନାଦଣ୍ତି ରୁଚିର ।
କର୍ଣ୍ଣତଟେ ମୁକୁତା ବୀରବଲ୍ଲୀ । ଦେଖି ପାଷାଣ ଯିବତ ତରଳି ।
ଦନ୍ତ ପାନେ ପାଚି ଶୋଭା ଦିଶୁଛି । ତ‌ହିଁ ସୁନାଖିଲମାନ ମରିଛି ।
କଣ୍ଠତଟରେ ସୁନାକଣ୍ଠିମାନ । କରେ ସୁନାକ‌ଙ୍କଣ ଶୋଭାବନ ।
ସୁନାମୁଦି ସମସ୍ତ ଅଙ୍ଗୁଳିରେ । ନାନା ରତନ ବସିଛି ଯ‌ହିଁରେ ।
କାଖେ ନିକିତି କାଠି ଶୋଭାବନ । ତନୁ ନିନ୍ଦଇ କୋଟିଏ ମଦନ ।
ରଙ୍ଗ ହଂସାବଳୀ ଫେଟା ପିନ୍ଧିଲେ । ଖାପ ଖଣ୍ତିଆ ଅଣ୍ଟାରେ ବାନ୍ଧିଲେ ।
ଯଷ୍ଠି ଘେନିଅଛନ୍ତି ବାମକରେ । କମ ବଉଦିଆ ଛତା କାନ୍ଧରେ ।
ବେନି ଗୋଡ଼େ ମଖମଲ ପାଣ୍ଢୋଇ । ଜରି କାମରେ ସୁନ୍ଦର ଦିଶଇ ।
ରାଧା ବୋଲନ୍ତି କୃଷ୍ଣଙ୍କୁ ଉତ୍ତର । ବାଣୁ ଆଣିଛ କି କି ଅଳଙ୍କାର ।
କୃଷ୍ଣ ବୋଇଲେ କ‌ହିଲେ କି ହେବ । ନ ଦେଖିଲେ କି ମ‌‌ନ‌କୁ ଆସିବ ।
ଯେବେ ଥୋକାଏ ଶୁଣିବ କ‌ହିବା । କାହାପାଇଁ ତୁମ୍ଭ ବୋଲ ଭାଙ୍ଗିବା ।
ମୁହିଁ ଯେତେ ଅଳଙ୍କାର ଆଣିଛି । ବାହୁନିବାକୁ ତ‌ହିଁ ନାହିଁ କିଛି ।
ସବୁ ମୋହର ଗଢ଼ା ଅଳଙ୍କାର । କମ ବାହାର ଭିତର ସୁନ୍ଦର ।
ଅଛି ଝମକ ଝୁଣ୍ଟିଆ ଅପାର । କମ ଗଣ୍ଠି ବଳା ନାନାପ୍ରକାର ।
ଅଛି ବାଜେଣି ନୂପୁର ଅପାର । ପାଦେ ଥିଲେ ମୋହୁଥିବ ସଂସାର ।
ବଳା ବ‌ହୁତ ଅଛି ଆଠଅଂଶା । ପାଦେ ନାଇଲେ ପାଇବ ପ୍ରଶଂସା ।
ଅଛି ବ‌ହୁତ ରତନ ପାହୁଡ଼ । କେତେ ଯତନେ ହୋଇଛି ନିବାଡ଼ ।
କମ ଚକିବାଙ୍କି ଅଛି ଅପାର । ବାମ ପାଖକୁ ଦିଶିବ ସୁନ୍ଦର ।
ଅଛି ଗୁଞ୍ଜର ଅତୁଲ ଅନେକ । ତାକୁ ଘେନିବ ନ ଘେନିବା ଲୋକ ।
ଅଛି ବ‌ହୁତ କମ ନୂଆ ଚୂଡ଼ି । ହିରା ବସିଛି ତ‌ହିଁ ଧାଡ଼ି ଧାଡ଼ି ।
ଅଛି ଅପାର କମ ନୂଆ ତାଡ଼ । ରସବତୀ ଧଇର୍ଯ୍ୟ ବନ୍ଦି ଗଡ଼ ।
ଅଛି ଅପାର ଜାତି ବିଦମାଳି । ଭୁଜେ ବାନ୍ଧିଲେ ପଡ଼ିବ ଉଛୁଳି ।
ଅଛି ଡ଼େଉଁରିଆ ମାଳି ଅପାର । ତାଡ଼ ତଳକୁ ଦିଶିବ ସୁନ୍ଦର ।
ଅଛି କାଞ୍ଚନ ସୁନାସୁତାମାନ । ଯେଝା ମନ‌କୁ ଠୁଳେ ବାଛି ଘେନ ।
ଅଛି ବ‌ହୁତ ଗଠନ କଙ୍କିଣୀ । ବାଛି ଘେନ ଗୋ ବରଜତରୁଣି ।
ମାଳି ଅପାର ଅଛି ଚାପସରି । ତାକୁ ଘେନିବାକୁ ନାହିଁ ସୁନାରୀ ।
ମାଳି ଅପାର ଅଛି ସୋରିଷିଆ । ତ‌ହୁଁ ସୁନ୍ଦର ମଥୁରାପୁରିଆ ।
ମାଳି ବଉଳ ମଞ୍ଜିଆ ଅପାର । ମାଳି ଲମ୍ବ ଅଛି ହାତ ଏଗାର ।
ଅଛି ଯୋଡ଼ିମାଳି ଅତି ଯତନ । ସାନ ବଡ଼ ନାହିଁ ସବୁ ସମାନ ।
ସରୁ ନକ୍ଷତ୍ର କଣ୍ଠିମାଳି ଅଛି । ମାତ୍ର କଥା କ‌ହୁନାହିଁ ହସୁଛି ।
ଅଛି ଗଉଗଡ଼ିଆ ଗଣ୍ଠି ମାଳି । ଗଣ୍ଠି ପଡ଼ିନାହିଁ ସୁନାଶିକୁଳି ।
ଅଛି ରସୁଣିଆମାଳି ଅନେକ । ସୁନା କୋଡ଼ିଏମାଢ଼ରୁ ଅଧିକ ।