ପୃଷ୍ଠା:Typical selections from Oriya literature.pdf/୪୧୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୭୯
ଓଡ଼ିଆ ସାହିତ୍ୟ-ପରିଚୟ

କାଳିନ୍ଦୀ ସୁର-ସରିତ ହୋଇଲା ପ୍ରାୟେ ଏକତ୍ୱ,
କମନୀୟ ଦିଶେ କଳା ଧଳା ଶ୍ରୀଅଙ୍ଗ ।
କରିବାକୁ କଳୁଷ ନାଶ । କଲା ବିହି ମନେ ବେନି ତୀର୍ଥ ପ୍ରକାଶ ।
କରାଇ ପବିତ୍ର ସ୍ଥାନ ତୀର୍ଥ ଜଳେ କଲେ ସ୍ନାନ ଏ ତୀର୍ଥ ନାମରେ ନାନା ଦୂରିତ ନାଶ ।
କଇବିଲ୍ୱ ଲଭି ହେଳେ ନ ପଡ଼ି ଜଠରଜାଳେ,
ବଇକୁଣ୍ଠେ ବସି ବଇକୁଣ୍ଠ ସଦୃଶ ।
କରି ଏହିକଥା କୀର୍ତ୍ତନ । କରୁଥାଇ ଦୀ‌ନ‌କୃଷ୍ଣ ଦିନ କିର୍ତ୍ତନ ।
ତୃତୀୟ ଛାନ୍ଦ
ରାଗ-କେଦାର ଚକ୍ରକେଳି
କର୍ଣ୍ଣେ ନନ୍ଦସୁତ ହେବା ଶୁଣିଲେ । କଳାକରମୁଖୀ ଗୋପୀ ଧାଇଁଲେ ।
କୋଟିନିଧି ପାଇଲା ପରା ହୋଇ । କେଉଁ ଗୋପୀ ଆନନ୍ଦରେ ଗମଇ ।
କରୁଥିଲା କେ ଗୃହକର୍ମମାନ । କଲା ଶ୍ରବଣମାତ୍ର କରେ ଆନ ।
କଲା ଭୂଷଣ କେହୁ ବିପରୀତ । କରାଇଲା ବିଭ୍ରମ ସ୍ନେହ ଚିତ୍ତ ।
କରୁଥିଲା କେ କୁନ୍ତଳ ମାର୍ଜନ । କରାଇଲା ଉଚ୍ଚାଟ ତା ବର୍ଜନ ।
କେଶମାର୍ଜନୀ କରେ ଧରି କରି । କରିବରଗତି ଦେଲା ବିସ୍ତାରି ।
କେତେରୂପେ ଧାଇଁଲେ ଗୋପବାଳୀ । କେ କ‌ହିବ ଅବା ତା ମନେ ଭାଳି ।
କାଦମ୍ବିନୀ କୋଳେ ଯେହ୍ନେ ବିଜୁଳି । କରେ ଝଟକ ସବୁ ଦିଗେ ମିଳି ।
କଳଧଉତଲତା ବାତେ ଯେହ୍ନେ । କାମିନୀଙ୍କ ଗମନେ ଅଙ୍ଗ ତେହ୍ନେ ।
କାହାକବରୀରୁ ଫୁଲ ଖସଇ । କବିମ‌ନ‌କୁ ଏମନ୍ତ ଆସଇ ।
କଳାକର କି ରାହୁ କବଳରୁ । କ୍ରମେ ଗଳି ପଡ଼ୁଅଛି ଗଳରୁ ।
କଳାମେଘୁଁ ଚନ୍ଦ୍ର ହୋଏ ବାହାର । କରେ ଚରମରେ କିବା ବିହାର ।
କାହାନିତମ୍ବବିମ୍ବ ଅତିଗୁରୁ । କଟି ସରୁ କେଶରୀମଧ୍ୟଠାରୁ ।
କଳହଂସ ପ୍ରାୟେ କରେ ଗମନ । କରେ ହଂସକ ହରଷରେ ସ୍ୱନ ।
କାବ୍ୟ ତାର ମୁକୁତାହାର ଛଳେ । କ୍ରତୁ-ଭୁଜ ସରିତ ସେ ଉଛୁଳେ ।
କେତେରୂପେ ଧାଇଁଲେ ଗୋପନାରୀ । କ‌ହିବାକୁ ତା ବଚନେ ନ ପାରି ।
କଳାମେଘ ପାଶରେ ଚନ୍ଦ୍ରପ୍ରାୟେ । କୁମାରଙ୍କ ଶ୍ରୀଅଙ୍ଗ ଶୋଭାପାଏ ।
କେଉଁ ଗୋପୀ ଅନାଇଁ ସୁଚକିତ । କେହୁ ହୋଇଲା ଚିତ୍ରପଟ ମତ ।
କାହା ଅଙ୍ଗ ହୋଇଲା ପୁଲକିତ । କଲା ଆନନ୍ଦ ଅଶ୍ରୁଜଳ ଜାତ ।
କେ ବୋଲଇ ଯଶୋଦା ଭାଗ୍ୟବନ୍ତ । କୋଳେ ଧଇଲା ପ୍ରତ୍ୟ‌କ୍ଷେ ଅନନ୍ତ ।
କେ ବୋଲଇ ନନ୍ଦ କି ତପ କଲା । କେତେ ପ୍ରକାରେ କେତେ ଦାନ ଦେଲା ।
କେ ବୋଲଇ କଳ୍ପତରୁ ଅଙ୍କୁର । କେ ବୋଲଇ କନ୍ଦର୍ପ ଅବତାର ।