କୁସୁମ ଗଭା ବୋଲି ବୋଲନ୍ତି ଅବା । କରିଛି ବିହି ତାକୁ ପକାଇ ଦେବା ଗୋ । କପାଳ ତିଳକତ ବୋଲିବି ନାହିଁ । କାଳ ଯାକତ ସେହି ନ ଥାଏ ରହି ଗୋ । କଳାଡ଼ୋଳା ପ୍ରତିମା ନ ଦେଖି ଯହୁଁ । କଣ୍ଠୁଁ କଣ୍ଠ ବାହାର ନୁହଇ ତହୁଁ ଗୋ । କଣ୍ଠଭୂଷଣ ହାର ନାମ ନ ଥିଲେ । କଣ୍ଠମଣ୍ତନା ବୋଲି ବୋଲନ୍ତି ଭଲେ ଗୋ । କର୍ପୂର ଚନ୍ଦନତ ଶୁଖିଲେ ଝଡ଼େ । କି କରି ବୋଲିବି ତା ହୃଦୟ ପୋଡ଼େ ଗୋ । କିବା ବୋଲିବି କାମତଟିନୀ ଭେଳା । କେ କରି ନାହିଁ ନଦୀ ତରିଲେ ହେଳା ଗୋ । କୃତ୍ୟ ନ ଥିଲେ ବିକେ ନିର୍ଦ୍ଧନ ଧନ । କି କରି ଅବା ବୋଲିବି ଏ ବଚନ ଗୋ । କୁମୁଦ ଚନ୍ଦ୍ର ପ୍ରୀତି ଥୟ ନୁହଇ । କାହିଁ ପୁଷ୍କର କାହିଁ ପୁଷ୍କର ଯାଇ ଗୋ । କ୍ରୀଡ଼ା କରଇ ତହିଁ ଘେନିଣ ଋକ୍ଷ । କି କରି ଲକ୍ଷିବି ଦେଖୁଛି ପ୍ରତ୍ୟକ୍ଷ ଗୋ । କମଳ ସୂର୍ଯ୍ୟ ପ୍ରୀତି ନୁହଇ କହି । କମଳକୁ ଛାଡ଼ିଲେ ପକାଏ ଦହି ଗୋ । କୁକର୍ମ କରିବାରେ ଏହି କୁଶଳ । କାନ୍ତ ଆଗେ ମାତଇ ଘେନି ଭ୍ରସଳ ଗୋ । କୁସୁମ ଚୁମ୍ବି ମଧୁକର ଛାଡ଼ଇ । କଳା ମାତ୍ରକେ ଆନ ଫୁଲ ଲୋଡ଼ଇ ଗୋ । କରଇ ନାହିଁ ଆଉ ଲେଉଟି ପ୍ରୀତି । କମଳ କୁଟଜରେ ସମାନ ମତି ଗୋ । କୋଟି କୋଟି କଳ୍ପାନ୍ତେ ତୋ ଅଙ୍ଗ ସଙ୍ଗ । କେତେବେଳେହେଁ ହୋଇ ନାହିଁ ଏ ଭଙ୍ଗ ଗୋ । କାମ ଆତୁରେ କାମୀ କାମିନୀ ସଙ୍ଗେ । କହୁଥାନ୍ତି ଏ କଥା ସୁଅନୁରାଗେ ଗୋ । କେ ବୋଲେ ତୁ ମୋହର କଣ୍ଠଗ୍ରୀବକ । କେ ବୋଲେ ତୁ ମୋହର ପ୍ରଣୁଁ ଅଧିକ ଗୋ । କେତେ ପ୍ରକାରେ କେତେ କହନ୍ତି ଲୋକ । କେହି ନାହିଁ ସଂସାର ମଧ୍ୟେ ବିବେକ ଗୋ ।