ପୃଷ୍ଠା:Typical selections from Oriya literature.pdf/୪୪୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୧୦
ଓଡ଼ିଆ ସାହିତ୍ୟ-ପରିଚୟ

କ‌ହିଲେ ହେ ଗୋପୀମାନେ । ବଣାହେଲୁଁ ବୃନ୍ଦାବନେ ।
କି ବିଚାରୁଥିଲ ମନେ । ଆମ୍ଭ ବିହୀନେ । ସମସ୍ତେ ।
କ‌ହେ ଦୀନ‌କୃଷ୍ଣ ଦାସ । କଞ୍ଜନେତ୍ର ପୀତବାସ ।
କେବଳ ଜାଣ ଏ ରସ, ତୁମ୍ଭେ ବିଶେଷ । ମୋହ‌ନ ।
ତ୍ରୟୋବିଂଶ ଛାନ୍ଦ
ରାଗ-ଆନନ୍ଦଭୈରବ-ସଡ଼ିତାଳ
କୃଷ୍ଣଙ୍କୁ ଦେଖି ଗୋପୀ ହେଲେ ଯାହା । କେ କ‌ହିବ ଅବା ବଚନେ ତାହା ।
କଳାକର ଦର୍ଶନ । କଲେ କୁମୁଦବନ ।
କୋଟିନିଧି ପାଇଲା ମହା ଦରିଦ୍ରଜନ ।
କମଳ ଦେଖିଲା ରବିମଣ୍ତଳ । କୋକିଳ ପାଇଲା ବସନ୍ତକାଳ ।
କୃଷ୍ଣମେଘ ଉଦୟେ । କେକୀ ଯେମନ୍ତ ହୁଏ ।
କୃଷ୍ଣ ଚାହିଁ ଗୋପୀଏ ସେହି ପ୍ରକାର ହୁଏ ।
କେ ବୋଲଇ ଆହେ ପଙ୍କଜମୁଖ । କେତେ ଦେଲ ଆମ୍ଭମାନଙ୍କୁ ଦୁଃଖ ।
କୃପାସାଗର ହେଲେ । କର ଏକଥା ଭଲେ ।
କୋଟିବ୍ରହ୍ମାଣ୍ତନାଥ କାହିଁ ପାଁଇ ନୋହିଲେ ।
କଲେ ଦାସୀଙ୍କ ଠାରେ ଏଡ଼େ ନିରାଶ । କେଉଁପ୍ରକାରେ ନ ରହଇ ଯଶ ।
କୃପାବନ୍ତ ହୃଦୟ । କଲେ ଏଡ଼େ ନିର୍ଦ୍ଦୟ ।
କରାଇଲ ଏ ଭୟ କେତେ ପାଇଲ ଜୟ ?
କେଶବ ବୋଲନ୍ତି ତୁମ୍ଭ ନିମିତ୍ତେ । କୁଞ୍ଜବନ ଯାକ ବୁଲିଲୁଁ କେତେ ।
କରିବାକୁ ସୁବେଶ । କଳ୍ପି କୁସୁମ ଆଶ ।
କିପାଁ କରିଛ ରୋଷ କିଛି ନାହିଁ ମୋ ଦୋଷ ।
କ‌ହ‌ନ୍ତି ଗୋପୀ ତୁମ୍ଭେ ହେଲ ବାମ । କାମ ଏଣେ ପୂର୍ଣ୍ଣ କଲା ତା କାମ ।
କଲା ରୋମକେ କାଣ୍ତେ । କେ ରଖିବ ବ୍ରହ୍ମାଣ୍ତେ ।
କାନ୍ତ ଥାଉଁ କାନ୍ତାକୁ କେ ଦେଇଅଛି ଦଣ୍ତେ ।
କୁସୁମଶର ମୋହ ତେଜି ବସି । କୃଷ୍ଣ ଗୋପୀଙ୍କ ସ୍ନେହ ଦେଖି ହସି ।
କାଣ୍ତ କୋଦଣ୍ତ କରେ । କରଦେଇ ନିସରେ ।
କରେ ଇଚ୍ଛା ମନରେ । କଟାଳିବାକୁ ଥରେ ।
କୁରଙ୍ଗ ଯେହ୍ନେ ମୃଗତୃଷ୍ଣା ଚାହିଁ । କି ନ କରେ ତାକୁ ପତଙ୍ଗ ଧାଇଁ ।
କାଳେ ହୋଏ ଯେମନ୍ତ । କାମ କଥା ତେମନ୍ତ ।
କରେ ପ୍ରାଣ ଯେ ହତ । କରେ ତ‌ହିଁ ମ‌ମତ ।