ପୃଷ୍ଠା:Typical selections from Oriya literature.pdf/୫୦୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୬୯
ଓଡ଼ିଆ ସାହିତ୍ୟ-ପରିଚୟ

ପଚାରଇ ତୁମ୍ଭର କେ ବର । ଏମନ୍ତ ବନେ କିପାଁ କଲ ଘର ।
ତୁମ୍ଭର ପ୍ରାୟ ସୁନ୍ଦରୀ ନାରୀ । ଘେନି କିପାଁଇ ହେଲେ ବନ‌ଚାରୀ ।
ଶୁଣି ଜାନ‌କୀ ସନ୍ତୋଷ ମନ । ଭିକ୍ଷୁକ ଦେଖି ଦେଲେ ଆସନ ।
ଜଳ ଫଳ ମୂଳ ଆଣିଦେଲେ । ସମସ୍ତ ବୃତାନ୍ତ ତାଙ୍କୁ କ‌ହିଲେ ।
ବୋଲନ୍ତି ଆସନ୍ତୁ ମୋର ପ‌ତି । ପ୍ରତିଦିନ ପୂଜା କରିବେ ଯତି ।
ଶୁଣି ବୋଲଇ ଦୁଷ୍ଟ ରାବଣ । ଜାଣିଲି ତୁମ୍ଭ ପତିର ଗୁଣ ।
ଯେଉଁ ଯୁବତୀ ଜଗତେ ଶୋଭା । ଯାହା ଦେଖିଲେ ମୁନି ହେବେ ଲୋଭା ।
ତାହାକୁ ରଖିଅଛି ବନରେ । ତିଳେହେଁ ଭୀତି ନାହିଁ ତା ମନରେ ।
ଆଗୋ ଆସ ଆସ ବରାଙ୍ଗନେ । କଷ୍ଟ ନ ପାଅ ତୁମ୍ଭେ ଏ ବଚନ ।
ପାପ ଦଶାରୁ ଥିଲା ଏ ଯୋଗ । ସୁବର୍ଣ୍ଣପୁରୀ ତୁ କରିବୁ ଭୋଗ ।
ମୋହର ହୋଇବୁ ତୁ ବନିତା । ରାବଣ ମୁହିଁ ବିଶ୍ରବା ମୋ ପିତା ।
ତାର ଏ ବଚନ ଶୁଣି ସ‌ତୀ । ମନେ ପାଇଲେ ସେ ବଡ଼ ଭୀତି ।
ଦମ୍ଭ ହୋଇ ବୋଲନ୍ତି ବଚନ । ଶ୍ୱାନ ଭକ୍ଷିପାରେ ସିଂହ ଅଶନ ।
ଅଇଲେ ରାମ ପ୍ରାଣେ ମାରିବେ । ଯତିକି ଉପରୋଧ ନ କରିବେ ।
ଶୁଣି ଅସୁର କୋପିତ ହୋଇ । ନିଜରୂପ ସୀତାଙ୍କୁ ଦେଖାଇ ।
ଭୟ କରାଇ ପୁଣ କ‌ହିଲା । ରାମଙ୍କୁ ଚାହାଁନ୍ତେ ବଳେ ଧଇଲା ।
ନେଇଣ ରଥରେ ସେ ବସାଇ । କାନ୍ଦୁଛନ୍ତି ସ‌ତୀ ବିକଳ ହୋଇ ।
ରାମ ରାମ ଲକ୍ଷ୍ମଣ ଲକ୍ଷ୍ମଣ । ରାମା ଉଚ୍ଚେ କ‌ରନ୍ତି କାରୁଣ ।
ଖସି ପଡ଼ିଲା କୁସୁମମାଳା । ସୁବର୍ଣ୍ଣମାଳା ଥିଲା ସ‌ତୀ ଗଳା ।
ଛିଡ଼ିଣ ବିଞ୍ଚି ହୋଇ ସେ ଗଲା । ଚନ୍ଦ୍ର କରୁ ଅବା ସୁଧା ପଡ଼ିଲା ।
ପଥେ ଭେଟି ବୋଲଇ ଜଟାୟୁ । ରାମ‌ବନିତା କିପାଁ ତୁ ନେଉ ।
ଅଧର୍ମକୁ ନାହିଁ ତୋର ଡର । ଚୋରାଇ କିପାଁ ନେଉ ଦଶଶିର ।
ଆଜି ମୁଁ ପଥ ଛାଡ଼ି ନ ଦେବି । ସୀତା ନ ଛାଡ଼ିଲେ ରଣ କରିବି ।
ଏହା ବୋଲିଣ ସଂଗ୍ରାମ କଲା । ରାବଣହିଁ ଅନେକ ଯୁଝିଲା ।
ରଥ ଭାଙ୍ଗିଣ ଅଶ୍ୱ ସାରଥୀ । ମାରିଣ ସେହ୍ନା କାଟିଲା ବିକର୍ତ୍ତି ।
ଛଡ଼ାଇ ନେଇ ଭାଙ୍ଗିଲା ଧନୁ । କ୍ରୋଧରେ କମ୍ପିଲା ରାବଣ ତନୁ ।
ଖଣ୍ତା ଘେନି କାଟିଲା ଚରଣ । ଡେଣା କାଟି କଲା ରଣଭଣ ।
ରଣ କରନ୍ତେ ସୀତା ଖସିଲେ । ଲତା ଭିତରେ ଯାଇଣ ଲୁଚିଲେ ।
ଜାଣିଣ ତ‌ହୁଁ ଆଣିଲା ଧରି । ମୃଗଣୀ ଅବା ଧଇଲା କେଶରୀ ।
ସୀତାଙ୍କୁ କୋଳରେ ସେ ଧଇଲା । ଆକାଶରେ କ୍ଷେପିଣ ସେ ଗଲା ।
ଗଳା ମୋତିହାର ପଡ଼େ ଛିଡ଼ି । କେତେଦୂରେ ପୁଣି ନୁପୁର ପଡ଼ି ।
ବାମାର ସର୍ବ ଭୂଷଣ ଗଣ । ଉତ୍ତରୀରେ ବାନ୍ଧିଲେ ସେହିକ୍ଷଣ ।
ଗିରିଶିଖେ କପିରାଜ ଚାହିଁ । ତାଙ୍କ ଆଗକୁ ଦେଲେ ପକାଇ ।
କିସ ବୋଲି ଫିଟାଇ ରଖିଲେ । ଯତନ କରି ତା ରଖାଇ ଦେଲେ ।