ପୃଷ୍ଠା:Typical selections from Oriya literature.pdf/୯୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୬୨
ଓଡ଼ିଆ ସାହିତ୍ୟ-ପରିଚୟ

ତୁ ଯାଇ କ‌ହ ଜନ‌କରାଜା ପାଟରାଣୀ ।
ସୀତାଙ୍କୁ ବେଶ କରିଣ ଦିଅନ୍ତୁ ସେ ଆଣି ।
ତ‌ତ‌କ୍ଷଣେ ମୁଦୁସୁଲୀ ଜଣାଇଲା ଯାଇ ।
ସୀତାଙ୍କୁ ବେଗେ ବେଶ କରାଅ ମହାଦେଈ ।
ଆଜ୍ଞା ହୋଇଅଛି ଘେନିଯିବେ କୁଶଧ୍ୱଜ ।
କନ୍ୟାଙ୍କୁ ଦେଖିବେ ଦଶରଥ ମହାରାଜ ।
ଶୁଣିଣ ଜନ‌କର ସକଳ ରାଣୀମାନେ ।
ମୁଦୁସୁଲୀ ବଚନେ ହରଷ ହୋଇ ମନେ ।
ସୁବର୍ଣ୍ଣ ପୀଢ଼ାରେ ନେଇ ବସାଇଲେ ସୀତା ।
ବେଢ଼ିଣ ଅଛନ୍ତି ତାଙ୍କୁ ସମସ୍ତ ବନିତା ।
ପବିତ୍ର ଜଳରେ ସଉରଭ ଦ୍ରବ୍ୟ ଭରି ।
ସୁବର୍ଣ୍ଣକୁମ୍ଭରେ ଜଳ ଭରିଲେ ସୁନ୍ଦରୀ ।
ଶତେକ ଘଟ ଯେ ଜଳ ବସାଇଲେ ନେଇ ।
ସୁଗନ୍ଧ ତଇଳ ସୀତା ଦେବୀ ଶିରେ ଦେଇ ।
ଶ୍ରୀଅଙ୍ଗରେ ପୁଷ୍ପ ବାସତଇଳ ଘଷନ୍ତି ।
ତିଳଅଏଁଳାକୁ ଦେଇ ଚିକଣ କରାନ୍ତି ।
ଅଗର ଗନ୍ଧ ସଙ୍ଗରେ କସ୍ତୁରୀ ମିଶାଇ ।
ସୀତାଙ୍କ କେଶରେ ତାହା ଲଗାଇଲେ ନେଇ ।
ତୀର୍ଥଜଳ ଢାଳିଣ ତଇଳ ଭାଗ ଲେଛି ।
ସରୁବାସ ଘେନିଣ ଶ୍ରୀଅଙ୍ଗ ତାର ପୋଛି ।
ନାନା ସୁଗନ୍ଧ ଦ୍ରବ୍ୟ ଲେପିଲେ ତ‌ହିଁ ନେଇ ।
ସର୍ବାଙ୍ଗ ସ‌ହିତେ ତାକୁ ମାର୍ଜନା କରାଇ ।
ତୀର୍ଥଜଳ ଘେନି ପୁଣ ସଂମାର୍ଜନ୍ତି କେଶ ।
ମଥାକୁ ପୋଛନ୍ତି ପୁଣି ଘେନି ଝିନବାସ ।
ସୁରଙ୍ଗ ହଳଦୀ ସଙ୍ଗେ ଟଭାରସ ଭରି ।
ପୁଣି ସୀତାଦେବୀଙ୍କର ଶ୍ରୀଅଙ୍ଗରେ ବୋଳି ।
ସୁବାସ ଜଳ ଘେନିଣ ଧୁଅନ୍ତି ତା କାୟେ ।
ବସ୍ତ୍ର ଘେନି ଶ୍ରୀଅଙ୍ଗ ପୋଛନ୍ତି ସର୍ବମାୟେ ।
ଶୁଦ୍ଧସୁବର୍ଣ୍ଣ ସେ ରସାଣିଲା ପତ୍ର ଜାଣି ।
ତା ତ‌ହୁଁ ସ‌ହସ୍ରଗୁଣେ ଦିଶିଲା ତରୁଣୀ ।
କେଶ ଶୁଖାଇଲେ ସେ ବିଞ୍ଚଣା ଘେନି ବିଞ୍ଚି ।
ଚିକୁର ଚାଚେର କେଶ ଅଟେ ମହାଘଞ୍ଚି ।
କୃଷ୍ଣ ଚାମରହୁ ସେ ଦିଶଇ ଅତିକଳା ।
ଶୋଭିତ ସୁସଞ୍ଚ ସ୍ୱର୍ଣ୍ଣ ଅଳଙ୍କାର ମାଳା ।