Jump to content

ବିଦଗ୍ଧ ଚିନ୍ତାମଣି/ଆନନ୍ଦେ କୋବିଦେ ପିଅ ଏ ରସ ଶ୍ରବଣେ

ଉଇକିପାଠାଗାର‌ରୁ
ବିଦଗ୍ଧ ଚିନ୍ତାମଣି
ଲେଖକ/କବି: ଅଭିମନ୍ୟୁ ସାମନ୍ତସିଂହାର
ଆନନ୍ଦେ କୋବିଦେ ପିଅ ଏ ରସ ଶ୍ରବଣେ


ଷଷ୍ଠ ଛାନ୍ଦ
ନାମାସ୍ୱାଦନ

ରାଗ-କଳସା
(ଆ-ପୂର୍ବାନୁପ୍ରାସ)


ଆନନ୍ଦେ କୋବିଦେ ପିଅ ଏରସ ଶ୍ରବଣେ।
ଆଦିକବି ଶ୍ରୀରାଧିକା ଶ୍ରୀନାମ ଶ୍ରବଣେ ।୧।
 
ଆଜି ଦିନ ଧନ୍ୟ ମୋର, କରନ୍ତି ବିଚାର।
ଆଜୀ କୃପା କରି କଲେ ଏ ନାମ ପ୍ରଚାର। ।୨।
 
ଆଶ୍ଚର୍ଯ୍ୟ ସେ ରାଧା ବୋଲି ଯେଉଁ ବେନି ବର୍ଣ୍ଣ।
ଆକଳନ କରୁଥାଇଁ କେମନ୍ତ ତା ବର୍ଣ୍ଣ ।୩।
 
ଆତ୍ମଭୂ-ତମାନ୍ଧ ଜନ ନୟନ ବେନିକି।
ଆନନ୍ଦ-ତଟିନୀ-ତଟ ଘଟନା ଏ ନିକି? ।୪।
 
ଆସୁଛି ମନକୁ ରତି ପୀରତି ମୂରତି।
ଆସିଛି ପବିତ୍ର କରିବାକୁ ଏ ଧରତୀ ।୫।
 
ଆଦ୍ୟ ବେନି ପତ୍ର ଅନୁରାଗ ବୀଜର କି ?
ଆନ ତୁଳନା କେ ଦେବ କାହିଁରୁ ତରକି ।୬।
 
ଆଞ୍ଚି ଧନୁଶର ବୃଷ୍ଟି କରଇ ଅତନୁ ।
ଆତ୍ମା ଅବଶୁଁ ବିବର୍ଣ୍ଣ ହୋଇଗଲା ତନୁ ।୭।
 
ଆରମ୍ଭ ଦମ୍ଭ ଭାଜିଲା ନରହି ହୃଦରେ ।
ଆସକତ ପରି ତନୁ ହେଲା ଚିନ୍ତାଦରେ ।୮।
 
ଆସି କି ଅମୃତ ସର ପଡ଼ିଲା ମୁଖରେ ?
ଆସ୍ୱାଦନ୍ତି ରାଧାନାମ ସେ ବିଧିରେ ଖରେ ।୯।
 
ଆବେଶେ ଲେହନ୍ତି ଓଷ୍ଠ ସେ ନାମ ସ୍ୱାଦରେ।
ଆଚ୍ଛନ୍ନ କରନ୍ତି ପୁଣି ଜାଣି ସ୍ନେହାଦରେ ।୧୦।
 
ଆଉଜିଲେ ସଖାଙ୍କ ଉରକୁ ବେଣୁଧର।
ଆରତ ଶ୍ୱାସେ ବିରଙ୍ଗ ଦିଶିଲା ଅଧର ।୧୧।
 
ଆତଙ୍କ ହୋଇ ସଖାଏ ଛନ୍ନେ ପଚାରନ୍ତି ।
ଆତ୍ମ ହୃଦ କାହିଁ ପାଇଁ ଦେଉଛ କରତି ।୧୨।
 
ଆନ କିଛି ବଞ୍ଚାଇ କହନ୍ତେ ରସେଶ୍ୱର।
ଆଶବଶେ ବଳେ ବାହାରଇ ରାଧାସ୍ୱର ।୧୩।
 
ଆଶୟରୁ ବିଷୟ ଜାଣିଲେ ସଖାବାର।
ଆସ୍ପଦ ବଚନ ମଧୁ କଲା କହିବାର ।୧୪।
 
ଆଖିଠାରି ସୁଦାମ ବୋଲେ,କି ହେଉଅଛି ।
ଆନ କେ ବୋଇଲା, ତୁ ନଜାଣୁ, ବିଷେ ଅଛି ।୧୫।
 
ଆନନ ଲୁଆଇଁ ଲାଜେ ବସିଲା ସୁକଳ।
ଆର୍ତ୍ତି କରାଇଲା ମନ କୃଷ୍ଣ ପ୍ରେମବଳ ।୧୬।
 
ଆରଦ୍ର ହୃଦୟ ସଖା ସମୂହ ହୋଇଲେ
ଆଶ୍ୱାସି ଗୋବିନ୍ଦ ଗାତ୍ର ପ୍ରବୋଧି ବୋଇଲେ ।୧୭।
 
ଆରଷେ ଶୁଣିଛୁଁ ଏହି ସ୍ଥାନ ଚିନ୍ତାମଣି
ଆତୁର ହୋଇ କାହିଁକି ହୁଅ ଚିନ୍ତାମଣି ।୧୮।
 
ଆଜି ବାଞ୍ଛା ପୂର୍ଣ୍ଣ ହେବ ତୁମ୍ଭର ନିକଟେ ।
ଆଦ୍ୟା ସାହା ହୁଅନ୍ତିଟି ଅତ୍ୟନ୍ତ ସଙ୍କଟେ ।୧୯।
 
ଆପାଦି କହନ୍ତି କୃଷ୍ଣ ଧଇର୍ଯ୍ୟ ହେବାରେ ।
ଆରମ୍ଭିଲୁ ଚେଷ୍ଟା ତୁମ୍ଭ ମନ ଜାଣିବାରେ ।୨୦।
 
ଆହୁରି କି ଜଣାନାହିଁ ? ହସି କହେ ମଧୁ ।
ଆଜନ୍ମୁ ତୋ ସଙ୍ଗ ମୁଁ ଚାଖୁଛି ପ୍ରେମ ମଧୁ । ୨୧।
 
ଆଣି କଣ୍ଡୁର ନବୋଲ ଆପଣା ଗାତ୍ରରେ ।
ଆକ୍ଷେପ କରି ବାରିଲେ ଗୋବିନ୍ଦ ନେତ୍ରରେ ।୨୨।
 
ଆରତ ଭଞ୍ଜଇ ଲୀଳା ନଯାଉ ମୋ ମନୁ।
ଆକଳ୍ପନା କରଇ ଯେ କବି ଅଭିମନ୍ୟୁ ।୨୩।
 
ଆପୂର୍ବାନୁପ୍ରାସ ଛାନ୍ଦ ପ୍ରାନ୍ତ ଯମକରେ।
ଆଭୋଗ ହୋଇଲା ଏ ତୋଷିବ ରସିକରେ ।୨୪।