Jump to content

ବିଦଗ୍ଧ ଚିନ୍ତାମଣି/ଧୀରେ ଘେନ ରାଧା ଉନ୍ମାଦୀ ଉତ୍ସବ

ଉଇକିପାଠାଗାର‌ରୁ
ବିଦଗ୍ଧ ଚିନ୍ତାମଣି
ଲେଖକ/କବି: ଅଭିମନ୍ୟୁ ସାମନ୍ତସିଂହାର
ଧୀରେ ଘେନ ରାଧା ଉନ୍ମାଦୀ ଉତ୍ସବ

ଚତୁର୍ଥ ଛାନ୍ଦ
ଶ୍ରୀ କିଶୋରୀ ଜୀଉଙ୍କ ଜନ୍ମାଦି ଲକ୍ଷଣ

ରାଗ-କଲ୍ୟାଣ ଆହାରୀ

ଧୀରେ ଘେନ ରାଧା ଜନ୍ମାଦି ଉତ୍ସବ,
ତତ୍ତ୍ୱ ସାଧୁଶାସ୍ତ୍ରେ ଖୋଜିବ
ବୃଷଭାନୁ ଭାନୁବଂଶୀରାଜ ହେଜ,
ଦୁନୁଜ କଂସରେ ବିଭାବ।
ଅବନ୍ତୀ, ତେଜି ଗୋକୁଳ ଯାବଟରେ
ରହି ନନ୍ଦାସ୍ପଦେ ଗୋକୁଳ ସମ୍ପଦେ,
ବୁତ୍ତି କଳ୍ପିତ ନୂତନରେ ।୧।
 
ତାଙ୍କ ମହିଷୀ କୀର୍ତ୍ତିଦା ନାମ,
ରସି ଶ୍ରୀ ଗୋପେଶ୍ୱର ସେବା ଫଳେ
ଉଦର କ୍ଷୀର ସାଗରରୁ ପରମା
ମହାଲକ୍ଷ୍ମୀକି ଜାତ କଲେ।
ଦୁର୍ବାସା, ଜାତକ ବିଧି ସିନ୍ଧିବନ୍ତ
ର ରଶ୍ମିରସ, ଅଗ୍ନିବୀଜ ଅଧିକା
ଘେନି ରାଧିକା ନ ଦେଲେ ତ ।୨।
 
ଶ୍ରୀମତ ଉନ୍ନତ ଜାଣି ପୂର୍ଣ୍ଣମାସୀ
ଶ୍ରୀମତୀ ନାମ ପୁଣି ଦେଲେ
ବୃନ୍ଦା ବୃନ୍ଦାବନେଶ୍ୱରୀ ସାର୍ଥ କରି
ନାମ କଳ୍ପିତ ବିଚାରିଲେ।
ଜନକ, ରସି ରସବତୀ ବୋଇଲେ
ଜନନୀ ବିନୋଦିନୀ ବାମ ବିନୋଦ
ଭାବ ଆନନ୍ଦେ ଦତ୍ତ କଲେ ।୩।
 
ତ୍ରିରାତ୍ର ନେତ୍ର ବିମୁଦ୍ରିତ ହେବାରେ
ଜନକ ଜନନୀ ବିରସ
ଜାଣି ପୂର୍ଣ୍ଣମାସୀ ଆସି ଯଶୋଦାଙ୍କୁ
ଘେନାଇ ହେଲେ ପରବେଶ।
କୃଷ୍ଣଙ୍କୁ, କାଖରେ ଘେନି ନନ୍ଦ ରାଣୀ
ବିଲୋକନ୍ତେ, ବିଲୋକିଲେ, କୃଷ୍ଣ
ମୁଖ ପ୍ରଥମେ ଶୁଭ ସୁଲକ୍ଷଣୀ ।୪।
 
କୃଷ୍ଣ-ସର୍ବେନ୍ଦ୍ରିୟ ଆହ୍ଲାଦିନୀ
ସର୍ବେନ୍ଦ୍ରିୟ ଆନନ୍ଦ ବରଧନ
କୃଷ୍ଣ-ଅଧରାମୃତ କ୍ଷୀର ପ୍ରଥମେ
ଯଶୋଦା କରାଇଲେ ପାନ।
ଏକଥା,ସନ୍ଧନୀ କଳାପ –ସମ୍ମତି
ଜନକ ଜନନୀ ସେହି ଦିନୁଦିନୁ
ଆନନ୍ଦ କଲେ ମତି ।୫।
 
ବାଲ୍ୟଶୋଭା ବର୍ଣ୍ଣନା-
ସୁରଙ୍ଗ ବାଙ୍କିଆରେ ରଙ୍ଗା-ଦୋଳନ
ଶୋଭନ ଏସନ ମାନଇ
ପହୁଡ଼ି ରମା ଉମା ମୂର୍ତ୍ତିକି ଚାରୁ
-ପ୍ରବାଳ-ପଲଙ୍କେ ଅଛଇ?
ଲାଳନା, ପାଳନା ଦିନୁ ଦିନ ପାଇ
କଳାନିଧି କଳାବୃଦ୍ଧି ବିଧି
ରସନିଧି ସୁଷମା ବିରାଜଇ ।୬।
 
ଅଗୁଳି ଅଙ୍ଗୁଳି ଧରି ଚାଲିବାର
ବାଡ଼ ଆଉଜା ଶୋଭା ଚାହିଁ
ରତି-ପତି-ମତି କଳ୍ପିଲା ଜଗତ
ଏହା ସାହାରେ ଦେବି ମୋହି।
ଶଙ୍କର, ଜିଣିମାରେ କେତେ ମାତର।
ହରିମନ ହରିବାକୁ ଏ
ଅମୋହ ଅସ୍ତ୍ର କି ଧାତାର ।୭।
 
କାଛରେ ଇଚ୍ଛଲ ତୁଚ୍ଛ କ୍ଷଣକରେ
କରେ ଧୂଳି ଗାତ୍ର ମଣ୍ଡନ
ଗୋରଜ ପତନ କେତକୀ ଯତନ
ଶୋଭାକୁ କରଇ ଦଣ୍ଡନ।
ଶ୍ରୀମୁଖୁ, ସ୍ୱେଦ ଜନିତେ କି ସୁନ୍ଦର
ମୃଗାଙ୍କ-ଅଙ୍କରୁ ଅମୃତ ବିନ୍ଦୁକି
ପ୍ରତି ରୋମାଦ୍‌ଗମେ ପ୍ରଚାର ।୮।
 
ପଞ୍ଚ ସଂବତ୍ସରେ ବିଦ୍ୟା ଆଦ୍ୟରମ୍ଭା
ଦମ୍ଭ କୁମ୍ଭ ଭଙ୍ଗୀ ଆଚରି
ଅସମା ନବସମାରେ ସମାପତ
ସମସ୍ତ କଲା ହେତୁ କରି।
ବିଦ୍ୟାକି ? ସ୍ୱୟଂସିଦ୍ଧ ମହାବିଦ୍ୟା ସେ
ବାଣୀ ଋଣୀ ହୋଇଥିଲେ ପୁଣି ଗୁଣି
ହୋଇଲେ ସକଳେ ମାନସେ ।୯।
 
ବୟଃ-ସନ୍ଧି ବର୍ଣ୍ଣନା-
ରୋହିଣୀ ଗଉରୀ ବୟ ଅତିକ୍ରମି
କନ୍ୟା ସନ୍ଧିକାଳ ହୋଇଲା
ବିଶ୍ୱକର୍ମା ସିଦ୍ଧି ପାଇ ରସନିଧି
ମୂର୍ତ୍ତି ମଦନ ସଜାଡ଼ିଲା
କୁମାରୀ, ପ୍ରୀତି ସୁକୁମାରୀ ତେଜିଲା
ପରିହାସୀ ସମବୟସୀ ରସିବା
ଆସି ମାନସରେ ମିଲିଲା ।୧୦।
 
ଅତିଶୟୋକ୍ତି-
ସୁମତି –ଗତିରୁ ଅତି ଚଞ୍ଚଳତା
ଦୃଗଞ୍ଚଳକୁ ଆଶ୍ରେ କଲା
କଟି ଉନ୍ନତି ପ୍ରକଟି ଭୀରୁ ଚାରୁ
ଉରୁ ଗୁରୁତା ବଢାଇଲା।
ଅତୁଳା, ପିତୁଳା ଲୀଳା-ସ୍ନେହ ତେଜି
ସମ୍ବନ୍ଧ ବନ୍ଧ ପଟଳରେ ନିର୍ବନ୍ଧ ସେ
କାନ୍ତେ ଏକାନ୍ତେ ନିମଜ୍ଜି ।୧୧।
 
ହରଧର ରଜତର ଦେଖି ମାର
ପର ପରଶଂସା ନସହି
କନକ ମଞ୍ଜୁଳ ଶଇଳ ଯୁଗଳ
କି ସାର ଉର ଦେଶେ ବିହି।
ବଢାଏ, କ୍ରମେ କ୍ରମେ ତାର ଉନ୍ନତ
ମଦନ ମୋହନ ମିଶି ବେନି ଜନ
ସଦନ ତହିଁ କଲେ ସତ ।୧୨।
 
କି କାମ ପ୍ରେମ ହେମ ଚିତ୍ରଲତାରେ
ଶ୍ରୀଫଳ ଯୁଗ ଫଳାଇଲା।
ରତି-ପତି-ପ୍ରୀତି ଯୋଗସାଧନେ
କି ଉଟଜଯୁଗ ସରଜିଲା?
ସୁରତ-ରଙ୍ଗିଣୀ ରସାଗମନରେ
କି ମେରୁ ପର୍ବତ ଗୁରୁ ଐରାବତ
ଭେଦରେ ବଢନ୍ତି ଦ୍ୱନ୍ଦ୍ୱରେ ୧୩।
 
ସ୍ତନ ଉନ୍ନତ ଚକ୍ରବାଡ଼ ସୀମାକୁ ନେତ୍ର
କମଳ ନ ବଳିଲା
ତରୁଣ ଅରୁଣ-ଚରଣ ଯୁଗଳ
ଆଲୋକର ଯୋଗ ନୋହିଲା।
ରୋମାଳୀ, କଳି କୁଚ କରି ଶିକଳୀ।
କି କଳୀ କୁଣ୍ଡଳୀ ନାଭିବିଳେ ପଶେ
ସ୍ତନେ ପେଟିକାରୁ ନିକିଳି ।୧୪।
 
ଉପମାମାନେ ଅପମାନେ ପଡ଼ିଲେ
ସୁଷମା ସମ ନୋହିବାରେ
ରମା ଉମା ରତି ବାଣୀ ଆଣି
ଖ୍ୟାତି ହୋଇଲା ନାମ ଆଭାସରେ।
କାନ୍ତିକି, ଅଲକ୍ଷରେ ତିକ୍ତ ଚମ୍ପକ
କେତକୀ କଣ୍ଟକୀ ଦୁର୍ଗ ଆଶ୍ରେ କଲା
ଅଗ୍ନିରେ ଦାହିଲା କନକ ୧୫।
 
ନୟନ ଆନନ ହାସବାସ ବାହୁ
କର ଚରଣ ଉଦରକୁ
ଉପମା ଆଭାସେ କବି ଛି ଛି
ଭାସେ ମନ ଘେନିଲା ବିମନକୁ।
ପଙ୍କଜ, ତପକୁ ସାଧି ବିଷମେ
ଜଳ ପ୍ରବଳରେ ବଳେ ବୁଡ଼ିମଲେ
ମାନରେ ଧନ୍ୟ କଲେ ହିମେ ୧୬।
 
ଆଜଯାଏ ଗଜ ମୁଖ ନ ଟେକନ୍ତି
ଲାଜମତିରେ ଗତି ଚାହିଁ
ମୁଖ-ସାନ୍ଦ୍ରକୁ ପୂର୍ଣ୍ଣଚନ୍ଦ୍ର ନ ଘଟି
ଘଟିଲା ଦେହ ଚିନ୍ତାବିହି।
କପାଳ, ତୁଳ ଅଧକରେ ନୋହିଲା।
ଦଣ୍ଡ ଦେଲା ଗଣ୍ଡ ଖଣ୍ଡ ତ୍ରିଭାଗକୁ
ଦଳା ଚିବୁକ ଚାରିକଲା ।୧୭।
 
କଳାକରେ ରହି ହାସେ ଲାଜ
ବହି ପ୍ରପଦେ ଶରର ପଶିଲା
ହେବାପାଇଁ ଲକ୍ଷ ବୋଲାଇଲା
ନଖ ତେବେ ହେଁ ଛିକାର ପାଇଲା।
ସାଗରେ, ନିତି ଦିନ ଝାସ ଦିଆଇ
ନୋହିଲା ମରଣ ହୋଇଲା ସ୍ମରଣ
ସୁଧାପିଣ୍ଡ ହେଲି କି ପାଇଁ ୧୮।
 
ଉରୁବର ତୁଳା ସମେ ନୋହି
ତୁଳା କହଳୀ ଅନ୍ତସାର ଭିନ୍ନ
ଜାନୁ ଅନୁମାନ ଘେନୁଥାଇଁ
ସଂପଟକ ହୃଦୟ ହେଳା ଶୂନ୍ୟ।
ଅରୁଣ, ଅଧ ଋଣୀ ହୋଇବାରେ
ଦେଖାଇ ଦୀନତା କ୍ଷଣକେ ଆନତା
ମୂରତିକି କରେ ପ୍ରଖରେ ।୧୯।
 
ବିମ୍ବା ବିରାଗରେ ବଇରାଗୀ ବେଶ
ଧଇଲା ଭସ୍ମ ବିଲେପନେ
ବଳାଇ ମାନକୁ ଦଳାଇ ହୋଇଲା
ହିଙ୍ଗୁଳ ବଳିବା ଭାବନେ।
ଜବାତ,ଶିବା ସେବାକୁ ମୂଳକଲା।
ଆଉରଙ୍ଗମାନେ ବିଭଙ୍ଗ ଗୁମାନେ
କେ କାହିଁ ପଳାଇ ପଶିଲା ୨୦।
 
ସୁଧା,ବସୁଧା-ବିଶୁଦ୍ଧ ହାସ ଦେଖି
ବାସ ସ୍ୱର୍ଗେ କଲା ସଦ୍ରବେ
କର୍ପୂର ପୁରସ୍କାର କେତେ ମାତର
ତିକ୍ତଗୁଣ ବହେ ସ୍ୱଭାବେ।
କୁମୁଦ, ଜଳଦୁର୍ଗ ମଧ୍ୟେ ରହିଲା
ତୁଚ୍ଛ ପଉରୁଷ ସିନା କାଶ କୁଶ
ଜଳି ମିଳାଇ ଛିଡ଼ିଗଲା ।୨୧।
 
ଲୋକନ ବିଲୋକନେ ପଶି କାନନେ
ଚକିତ ଚଞ୍ଚଳ କୁରଙ୍ଗ
ଗଞ୍ଜନ ହୋଇ ଖଞ୍ଜନ ଗୁରୁ କଲା
ଲୋଭୀ ହୋଇ ଭଙ୍ଗୀ ପ୍ରସଙ୍ଗ।
ଚାହାଣୀ,ଦେଖି ମାର କଲା ସାୟକ
ଚାରୁ ଭୂରୁ ଦେଖି ନତ ଆମଞ୍ଚନେ
ହେଲା ଗୁଣବନ୍ତ କାର୍ମୁକ ।୨୨।
 
ଦର ଦର ଦରଶନରେ ବହଇ
ସୁକଣ୍ଠୀ ଗ୍ରୀବା ବିଲୋକନେ
ଦେବ ସେବା କଲା ସମାନ ନୋହିଲା
କରତାଇ ହେଲା ବହନେ।
ଦନ୍ତକୁ, ଚାହିଁ ହୀରା ଶାଣେ ବସିଲା
ମୋତି ହେଲା ଭେଦ ଦାଡ଼ିମ୍ବ
ବିପଦ ବିଶେଷ ହୃଦ ଫାଟିଗଲା ।୨୩।
 
ବୀଣା ପ୍ରବୀଣା ବାଣୀ ଶୁଣି ଲାଜରେ
ଖନା ପରାୟେ ସ୍ୱନ କଲା
ଲଭଲ୍ୟରେ ଶାରୀ ହାରୀ ବନେ ଗଲା,
ମଧୁରେ ପିକ ମୂକ ହେଲା।
ପାଟଳି, ପାଟଳି ଯାଏ ଶ୍ରୁତି ଦେଖି
ଚରମ ମନୋରମ ଚାହିଁ ଫଳକ
କମ୍ପେ ସ୍ୱନରେ କାଳେ ଲକ୍ଷ ।୨୪।
 
ନାକଟେକ ଦେଖି ତିଳ ସୁମନସ
ମୋହିତ ମହୀତ ଭଜଇ
ତୂଣୀ ଗୁଣି ପୁଣି ଅଶରଣ ହୋଇ
ବୀରଙ୍କୁ ଶରଣ ହୁଅଇ।
ଏ ବିଧି, ଅବିଧିକି କଲେ ଉପମା
ପ୍ରେମାଧାମାରାମା ବାମା ନାମାଭାସେ
ଭାଳିଲେ ହେବ ପରା ବାମା ।୨୫।
 
ପେଟି ଘଟିତକି ନିତମ୍ୱବିମ୍ବକୁ,
ବନ୍ଧନ ଲୋକରେ ଯାଉଛି
ମୃଦୁଳାକୁ ତୁଳା ନୋହି କରି ତୁଳା
ଦେହକୁ ପିଞ୍ଜାଇ ହେଉଛି।
ଅଶେଷ, ଶେଷରେ ତ ଶେଷ ନୋହିବ
କବି ଭାବି ହେଲେ ଏଥର ଆମ୍ଭର
ବଚନ ଅଳଂକୃତ ହେବ ।୨୬।
 
ଅପ୍ରମିତ ମିତ ଦାସୀ ବିଗଣିତ
ମଧ୍ୟେ ଅନ୍ତରଙ୍ଗା ପ୍ରଭୃତି
ନକ୍ଷତ୍ର ନିଧି ସିଦ୍ଧିନାମା ପ୍ରସିଦ୍ଧି
ସଂଖ୍ୟାରେ ଏତିକି ଗଣନ୍ତି।
ତାଙ୍କର, ପାଞ୍ଚ ପ୍ରକାରରେ ବିଭଦେ
ଶାସ୍ତ୍ର ଅନୁମାନେ ଜାଣିମେ ସୁଜନେ
ଯେ ହେବ ତାପିନୀ ପ୍ରବିଦ ।୨୭।
 
କୃଷ୍ଣ ଶୋଭା ପ୍ରଭା ଦେଖି ଲୋଭା
ହୋଇ ସଭାରେ ରାଜନ ବିଚାରି
ସିନ୍ଧୁ ସମ୍ଭବା-ପରାଭବା-ବିଭାକୁ
ବିଭା କରିବା ମୂଳକରି।
ମହୀଶ,ମହିଷୀ ପୁରତେ କହିଲେ
ପୂର୍ବ ସନମତି ଚନ୍ଦ୍ରସେନ ମାତ ତୁଲେ ଅଛି,
ରାଣୀ ବୋଇଲେ ।୨୮।
 
ସେ ପଦେ ହାସ୍ୟାସ୍ପଦ ରାଜା କରନ୍ତେ,
ଶୁଣି ଦୁର୍ବାସା ପୂର୍ଣ୍ଣମାସୀ
ଶାସ୍ତ୍ର ପ୍ରବର୍ତ୍ତାଇ ସେ ସତ୍ୟକୁ
ସ୍ଥାୟୀ ନିଜ ଶ୍ରେୟ ମନେ ମନାସି।
ଗୋବିନ୍ଦ, ପ୍ରେମ ସର୍ଜକ ବିଧି ଯେଣୁ
ପରକୀୟା ରସ ଉଲ୍ଲାସ ବିଶେଷ
ହେବାର ଭିଆଇଲେ ତେଣୁ ।୨୯।
 
କିଶୋରୀ ରତନ ନୂତନ ଯତନ
ସୁଷମା ଘେନି କରି ମନେ
ଦୀନ ଅଭିମନ୍ୟୁ ସାମନ୍ତସିଂହାର
ଶରଣ ଇଚ୍ଛେ ପ୍ରତିଦିନେ।
ସାଧବେ, ମାଧବେ, ମୋହି ଯେ ପାରିବ
ବିଶ୍ୱ ବଇଭରା ଭବାବ୍‌ଧିତାରଣ
କାରଣ କଉଁ ଅସମ୍ଭବ ।୩୦।