ବିଦଗ୍ଧ ଚିନ୍ତାମଣି/ଧୀରେ ଧୀରେ ଶୁଣ ଏ ଉତ୍ତାରୁ ଚରିତ
ବିଦଗ୍ଧ ଚିନ୍ତାମଣି ଲେଖକ/କବି: ଅପ୍ରାକୃତ ପ୍ରେମମୂର୍ତ୍ତି ଜୟ ରାଧା ହରି |
ବିଦଗ୍ଧ ଚିନ୍ତାମଣି/କୃଷ୍ଣ ପଉଗଣ୍ଡକାଳ ଅନ୍ତରେ→ |
ଦ୍ୱିତୀୟ ଛାନ୍ଦ
କୃଷ୍ଣଙ୍କର ବାଳ ପୌଗଣ୍ଡ ଲୀଳା
(ଆଦ୍ୟ ଯମକ, ସଙ୍ଗମ ତିଆରି ବାଣୀ)
ଧୀରେ ଧୀରେ ଶୁଣ ଏ ଉତ୍ତାରୁ ଚରିତ।
ପୁଣ୍ୟ ପୁଣ୍ୟଜନେ କଲେ ସଂସାରୁ ହତ।୧।
ମହୀ ମହୀଶଙ୍କ ତାପ ଅମାପ ହେଲା।
ନାଗନାଗରେ ଅବନୀ ବୁହା ନଗଲା।୨।
ପର ପରଜାଙ୍କ ବିତ୍ତ ହରିଲେ ବଳେ।
ସୁର ସୁର ଦ୍ୱେଷ-ତ୍ରାସେ ବିରସ ହେଲେ।୩।
ନରଙ୍କ ନରକ ଅତିଶୟ ହୋଇଲା ।
ତପ ତପବନ୍ତଙ୍କର ଥୟ ନୋହିଲା ।୪।
ବିଧିରେ ବିଧିରେ ମୁନି ଯାଇଁ କହିଲେ।
ଅସୁର ଅସୁର ଦର୍ପେ ଦେବେ ତ ହେଲେ।୫।
ଲୋକେ ଲୋକେଶ ଯେ ଦୟାକରି ବିଚାରି
ସର୍ବ ସର୍ବସୁର ମୁନି ଘେନି ବାହାରି ।୬।
ଚିତ୍ତେ ଚିନ୍ତେ କ୍ଷୀରସିନ୍ଧୁ ତୀରେ ବିଧାତା
ହର ହରଷରେ ହରି ସକଳ ଚିନ୍ତା।୭।
ଅନନ୍ତ ଅନନ୍ତ ଶୟନରେ ତା ଜାଣି
ଲୋକେ ଲୋକେ ଜନମି ତାରିବି ମୁଁ ପୁଣି।୮।
ନିଦରେ ନିଦରେ ଥାଅ, ବିଧିରେ କହି
ସିତା ସିତାଙ୍ଗଜ ରୋମ ଦେଲେ ଯେ ତହିଁ।୯।
ବ୍ରହ୍ମା ବ୍ରହ୍ମାଣ୍ଡକରତା ଆଦେଶ ପାଇ
ଚିତ୍ତେ ଚିନ୍ତେ ଏରୂପେ ଜନ୍ମିବେ ଗୋସାଇଁ।୧୦।
ସୁମନସେ ସୁମନସେ ବିଧାତା ହୋଇ
ଦର ଦରଧର ବିନାଶିବେ ବୋଲାଇ।୧୧।
ଅରି ଅରି ଧରି ହରି କରିବେ ନାଶ
ଶ୍ରବଣେ ଶ୍ରବଣେ ସୁର ମୁନିଏ ତୋଷ।୧୨।
ଜୟ ଜୟ କହି ନିଜ ପରକୁ ଗଲେ
ସାତ୍ୱତ ସାତ୍ୱତ କୁଳେ ଜାତ ଇଚ୍ଛିଲେ ।୧୩।
ଦେବକୀ ଦେବକିନ୍ନରେ ତାରଣ ପାଇଁ
ଜନ ନିବାସ ଜନନୀବାସକୁ ଧ୍ୟାୟି।୧୪।
ଲୋକେ ଲୋକେ ଜନ୍ମବାଦ ପ୍ରକାଶ କରି
ଧରାଧରା ଜାତ ମାତା ଧରାର ପୁରୀ।୧୫।
ଜନଙ୍କ ଜନଙ୍କ ନଜାଣିମାରେ ନେଇ
ଗୋପେ ଗୋପ୍ୟ ନନ୍ଦଘରେ ବହନ ଥୋଇ।୧୬।
ନନ୍ଦନନ୍ଦନ ଯେ ମାୟା ଆଶ୍ରିତ ହୋଇ
ଜାତ ଯାତନାକୁ ଥିଲେ ସ୍ୱହିତେ ପାଇ।୧୭।
ଅଙ୍ଗ ଅଙ୍ଗ ଘନ ବିଦ୍ୟୁ ପ୍ରାୟେ ମିଶିଲା
ପରପରମାତ୍ମାରେ କି ଜୀବ ପଶିଲା।୧୮।
ଶକ୍ତି ଶକ୍ତିବନ୍ତ ତାତେ ପାଲଟ ଦେଲେ
ମାୟା ମାୟାରେ ତା’ ବସୁଦେବ ଯେ ନେଲେ।୧୯।
କଂସ କଷଣ ବିହିଲା ପ୍ରାତେ ତା ଜାଣି
ଖରେ ଖରେ ଅନ୍ତର୍ଦ୍ଧାନ ସେ ଠାକୁରାଣୀ।୨୦।
ଅରି ଅରିଧର ତୋର ଜାତ ଭୂ-ଲୋକେ
ଜୀବ ଯିବ ଦୁଷ୍ଟଙ୍କର ଶୂନ୍ୟରେ ଡାକେ।୨୧।
ଶ୍ରବଣେ ଶ୍ରବଣେ କଂସ ଦେବୀ ଭାରତୀ
ବୁଦ୍ଧି ବୃଦ୍ଧି ବିଷ୍ଣୁବାଦେ କଲା ସେ ନିତି।୨୨।
ବଳଭଦ୍ର ବଳଭଦ୍ର ରୋହିଣୀ –ସୁତ
ଅନନ୍ତ ଅନନ୍ତମୂର୍ତ୍ତି ଆଗହୁଁ ଖ୍ୟାତ।୨୩।
କୃଷ୍ଣ କୃଷ୍ଣ ମୂର୍ତ୍ତି ଧରି ପୁଣି ଜନ୍ମିଲେ
ଯଶୋଦୟା ଯଶୋଦୟାକାରୀ ସେ ହେଲେ ।୨୪।
ସିତା ସିତାମ୍ବୁଜ ମୁଖ ଯୁଗଳ ଦେଖି
ଜନନୀ ଜନନିଚୟ ଅତ୍ୟନ୍ତ ସୁଖୀ।୨୫।
ରାମ ରାମଶ୍ୟାମ ବାଳକାଳ ପାଳନ
ଶେଷ ଶେଷ କରିବେ କି କଲେ କଥନ।୨୬।
ଆନ ଆନନ୍ଦକୁ ଲକ୍ଷ୍ୟ ଦେବାର ନୋହେ
ଜନ ଜନକ ଜନନୀ ମନକୁ ମୋହେ।୨୭।
ପୂତନାମା ପୂତନାମାରଣକୁ କଲେ
ଶକଟ ସଙ୍କଟରୁ ନିଶଙ୍କେ ତରିଲେ ।୨୮।
ତୃଣା ତୃଣାବଳୀ ପରି ହେଲା ବିନାଶ
ବତ୍ସା ବତ୍ସାରଖାଠାରେ ହୋଇଲା ନାଶ।୨୯।
ବକ-ବକତ୍ର ଚିରିଲେ ଦ୍ୱିଫାଳ କରି
ଅଘ ଅଘରଷର ତାଳୁ ବିଦାରି।୩୦।
ଯାମଳା ଯାମଳା ପୂର୍ବ ଶାପୁଁ ତରିଲା
ବୃଷ ବ୍ରୁଷଶ୍ରେୟେ ହରି ହସ୍ତରେ ମଲା।୩୧।
ଧେନୁକ ଧେନୁକପାଳ ତାଳାର୍ଥେ ନାଶି
ଫୁଟି ଫୁଟିଲାର ପରି ନାଶିଲା କେଶୀ।୩୨।
କାଳୀ କାଳିଆ ଚରଣେ ଦଳି ହୋଇଲା
ଧର ଧରଣରେ ଇନ୍ଦ୍ର ବାଦେ ହାରିଲା।୩୩।
ବିଧୀରେ ବିଧୀରେ ବତ୍ସା ହରଣେ ଗଞ୍ଜି
ଗୋକୁଳ ଗୋକୁଳ ସୁତ ହୋଇଣ ରଞ୍ଜି ।୩୪।
କଦମ୍ବ କଦମ୍ବ ତଳେ ନାସିଲେ ରାମ
କନ୍ଦରେ କନ୍ଦରେ ଚାପ କଲେ ଯେ ସମ ।୩୫।
ବ୍ୟୋସ ବ୍ୟୋମ ପଥେ ନେଉଁ ମୁଥରେ ମାରି
ପ୍ରଳମ୍ବ ପ୍ରଳମ୍ବ କେଶ ଧରି ସିଂହାରି।୩୬।
ନନ୍ଦ ନନ୍ଦକ ଧାରଣ ବନ୍ଦିରୁ ତାରି
ଜାତବେଦ ଜାତବେଦ ଗର୍ଭେ ସଂହରି।୩୭।
ମହୀ ମହିମାକୁ ଦେଖି ହେଲା ହରଷ
ଗଣେଷ ଗଣେଶରେ ସେ ହେବ କି ଶେଷ।୩୮।
ହେଲା ହେଳାରେ ଏମାନ ବାଲ୍ୟ ପୌଗଣ୍ଡେ
କବି କବି ହେଲେ କହି ନୋହିବ ତୁଣ୍ଡେ।୩୯।
ନ ବରଷେ ନବରସେ ବଳିଲା ମନ
ଆର ଆର ଛାନ୍ଦେ ତା ଶୁଣିମେ ସୁଜନ।୪୦।
ବିଦଗ୍ଧ ବିଦଗ୍ଧ ଚିନ୍ତାମଣି ଏ
ଶ୍ୟାମ ସାମନ୍ତସିଂହାର କରଇ ଲୟେ।୪୧।