Jump to content

ବିଦଗ୍ଧ ଚିନ୍ତାମଣି/ଶ୍ରୀରାଧା କୃଷ୍ଣନାମ ଶୁଣି କାତରେ

ଉଇକିପାଠାଗାର‌ରୁ
ବିଦଗ୍ଧ ଚିନ୍ତାମଣି
ଲେଖକ/କବି: ଅଭିମନ୍ୟୁ ସାମନ୍ତସିଂହାର
ଶ୍ରୀରାଧା କୃଷ୍ଣନାମ ଶୁଣି କାତରେ


ନବମ ଛାନ୍ଦ
ଶ୍ରୀରାଧାଙ୍କ କୃଷ୍ଣ ନମାନୁସ୍ୱାଦନ

ରାଗ-କେଦାର କମୋଦୀ
(ଉ-ପ୍ରାନ୍ତାନୁପ୍ରାସ)


ଶ୍ରୀରାଧା କୃଷ୍ଣନାମ ଶୁଣି କାତରେ । ବିଶାଖାରେ କହନ୍ତି ସେ ଏକାନ୍ତରେ ଯେ ।।
ଯେଉଁ ନାମ କହିଲେ ଶ୍ରୀପୂର୍ଣ୍ଣମାସୀ । ଚିନ୍ତାସିନ୍ଧୁଙ୍କୁ ହେଲା ସେ ପୂର୍ଣ୍ଣମାସୀ ଯେ ।।୧।।
ସେ ନାମ ଗଢ଼ା ମିଶି କେତେ ଅମୃତ । ଯେ ଶୁଣିବ ତାର କି ହେବ ଅମୃତ ଯେ ।।
ବିଚିତ୍ର ସୁଖ ହୋଏ ତାହା ଶ୍ରବଣେ । ଲାଳସାହୋଏ କୋଟିକୋଟି ଶ୍ରବଣେ ଯେ ।।୨।।
ଉଚ୍ଚାରଣ କରିବାବେଳେ ମୁଖରେ । ଶେଷାନନ ହେବାକୁ ବାଞ୍ଛେ ମୁଁ କରେ ଯେ ।।
ପଡ଼ଇ ଯେତେବେଳେ ସେ ମାନସରେ । ଜ୍ଞାନେନ୍ଦ୍ରିୟ ମାନଙ୍କ ଗୁମାନ ସରେ ଯେ ।।୩।।
କୃଷ୍ଣବୋଲି ସେ ଯେଉଁ ବେନି ଅକ୍ଷର । କମାନ୍ଧିନୀଙ୍କ କନୀନିକା ଅକ୍ଷର ଯେ ।।
କି ସେ ତାଟଙ୍କ ପ୍ରିତୀନାରୀ ଶ୍ରୁତିର । କି ଭକ୍ତି ମୁକ୍ତି ଫଳ ବେନିଶ୍ରୁତିର ଯେ ।।୪।।
କିବା ଜୀବ ପରମ ସର୍ବଲୋକର । କାମୀତମ ଚନ୍ଦ୍ରାର୍କ କି ତ୍ରିଲୋକର ଯେ ।।
କିବା ଆନନ୍ଦ ଆହାଲାଦ ମୂରତି । ସେନାମରେ କେବଳ ଇଛେ ମୁଁ ରତି ଯେ ।।୫।।
ଉପମା ହେବ କାହା ପରଶଂସାରେ । ତୁଳା କରିତ ନାହିଁ ବିଧି ସଂସାରେ ଯେ ।।
ତା ଶୁଣିଲେ କି ରହେ ପତିବରତ । ମୋ ମାନସ ଆରତି ଅନୁବରତ ଯେ ।।୬।।
କୃଷ୍ଣ ନାମ ବଡ଼ଶୀ ମନ-ମତ୍ସ୍ୟର । ମୋ ହୃଦରୁ ଛଡ଼ାଇ ଦେଲା ମତ୍ସର ଯେ ।।
ଯେଯାହା ବୋଇଲେବୋଲ ସହୀବାର । ବଳାତ୍କାରେ ହେଲାନି ମୋସହିବାର ଯେ ।।୭।।
କରୁ କରୁ ସେ ନାମ ସୁମରଣକୁ । ବିହି ଭେଟାଇ ଦେଉ ସୁ-ମରଣକୁ ଯେ ।।
ତୁମ୍ଭେ କରି ବସିଲେ ନିବାରଣକୁ । ଔଷଧୀ ନାହିଁ ମୋ ଜୀବ ତାରଣକୁ ଯେ ।।୮।।
ରଙ୍ଗସେ ସଂସାରେବୋଲାଇ ନାରଙ୍ଗ । ଶ୍ୱେତବର୍ଣ୍ଣ ଦିଶଇ ତାହା ନା ରଙ୍ଗ ଯେ ।।
ନାମ ନାମୀ ଅଭେଦେ ଶଙ୍କା ଜନିତ । ଚିନ୍ତା ସେ ନ ଗଲା ଦିବାରଜନୀ ତ ଯେ ।।୯।।
ଯା ନାମ ସ୍ୱାଦୁ ଲୋଭେ ମାନସ ରତ । ତା ରୂପ ହୋଇଥିବ ସୁଧାସାର ତ ଯେ ।।
ନାମ ଅର୍ଥରୁ ତା ବର୍ଣ୍ଣ ଆଭାସଇ । ତଥାପି ସଂଶୟତାରୁଁ ନ ଭାଶଇ ଯେ ।।୧୦।।
କୃଷ୍ଣନାମ ଭାଷନ୍ତି ସେ କଳନିଧି । ନାମରୁ ବର୍ଣ୍ଣ ଭିନ୍ନ ଯେ ଜଳନିଧି ଯେ ।।
ଅଭେଦ ନାମନାମୀ ଅଛି ବେଦରେ । ଏ ଅଧ୍ୟାହାରୁଁ ଅଛି ମୁଁ ନିର୍ବେଦରେ ଯେ ।।୧୧।।
ମର୍ମଦାରଣ ସେ ଅବଳା ଜନଙ୍କ । ସେ ନାମ ଅଟଇ କି କମଜନକ ଯେ ।।
କି ଭାଗ୍ୟୁଁ ହେଲା ମୋତେ ପରାପତ ରେ । ଆଜ ଯାଏଥିଲା କାହିଁ ଗୁପତରେ ଯେ ।।୧୨।।
କରିବଇଁ ଯୋଗିନୀ ଆଚରଣକୁ । ତୁଣ୍ଡେ କରି ସେ ନାମ ଉଚ୍ଚାରଣକୁ ଯେ ।।
ପର୍ଯ୍ୟଟନ କରିବ ଏ ଧରତୀକି । ଶୁଣି ଦୟା କରିବେ ଏ ଆରତିକି ଯେ ।।୧୩।।
ଦୂର କଲିନି ଲାଜ ଧ୍ରୁବ ଲୋକରେ । ଅପକୀରତି ଭରୁ ଧ୍ରୁବ ଲୋକରେ ଯେ ।।
ମୋ ମନ ହୋଇଲା ତ ମତ୍ତବାରଣ । କି କରିବି ନୋହିଲା କରି ବାରଣ ଯେ ।।୧୪।।
ଶ୍ରବଣରେନାହିଁ ତ ମୋରରସନା । କି ସ୍ଵାଦୁ ଚାଖି ବୋଲେଆନେ ରସ ନା ଯେ ।।
ରସନାରେ ମୋହର ନାହିଁ ତ ଶ୍ରୁତି । କି ଶୁଣି କରି ନ ଗଣିଲା ତ ଶ୍ରୁତି ଯେ ।।୧୫।।
ଦେହ ଉପରେ ସିନାମନାଧିକାର । ସେହି ଘେନିଲା ନାହିଁକଲେ ଧିକ୍କାର ଯେ ।।
କେ ଜାଣି ତହୁଁ ପାଇଲା କି ପଦାର୍ଥ । ଜାଣୁ କି କହ ସଖି କୃଷ୍ଣ ପଦାର୍ଥ ଯେ ।।୧୬।