ବୈଦେହୀଶ ବିଳାସ/ବନେ ଘନେ ରଘୁମଣି, ବିପଥ ପଥ ନ ମଣି
←ବାଜୀ ବାଜିବାରେ ତ୍ରାହି ଲକ୍ଷ୍ମଣ ଶବଦ | ବୈଦେହୀଶ ବିଳାସ ଲେଖକ/କବି: ଷଡ୍-ବିଂଶ ଛାନ୍ଦ:ବନେ ଘନେ ରଘୁମଣି, ବିପଥ ପଥ ନ ମଣି |
ବିଜୟୀ ଜଗତରେ କାତର ବିମନେ→ |
ମୁନିବର ବାଣୀ
ବନେ ଘନେ ରଘୁମଣି । ବିପଥ ପଥ ନ ମଣି ।
ବନପୂର୍ଣ୍ଣ ଅନୁକ୍ଷଣ । ବେନି ଈକ୍ଷଣ ଯେ ।୧।
ବିଚ୍ଛନ୍ନ ମନ ଉଚିତ । ବଚନ ଉଚ୍ଚେ ରଚିତ ।
ବିଚ୍ଛେଦ ହେଲୁ ଈଷିତେ । ବୈଦେହୀ ସୀତେ ଯେ ।୨।
ବଦନ ତମାଳ ତମ । ବାଳେ ନୋହେ ତାରତମ ।
ବିଚ୍ଛେଦାଇ ହେଲେ ତମ । ବିଶ୍ବ ଉତ୍ତମ ଏ ।୩।
ବାୟୁବାହନ ଚମରୀ । ବନ୍ଧେ ଗର୍ଭକ ସୁମରି ।
ବିଦୁର ସେହି ସକାଶେ । ବିହି ପ୍ରକାଶେ କି ।୪।
ବସିତ ଉଚ୍ଚ ସମାନେ । ବେଭାରେ କିଞ୍ଚିତମାନେ ।
ବିଧି ସିଦ୍ଧିକି ରଖିଛି । ବୁଦ୍ଧି ଶିଖୁଛି ଯେ ।୫।
ହରାଇଲା ଚନ୍ଦନେ । ବ୍ୟାଳ ପାଇଲା ନିନ୍ଦନେ ।
ବସାଇ ଚନ୍ଦ୍ରରେ ଶଶା । ବିନା ପ୍ରଶଂସା ଏ ।୬।
ବିଭୋଗ କାଳ ବିଚାରି । ବିନ୍ଧୁ କଲି ବନଚାରୀ ।
ବାଞ୍ଛିଲା ଅକର୍ମବନ୍ତ । ବିଫଳବନ୍ତ ଏ ।୭।
ବିପିନେ କରି ବିଳାସ । ବଢାଇଥିଲି ଉଲ୍ଲାସ ।
ବିଧ୍ୱଂସ ଯଥା ସ୍ୱପନ । ବୃଦ୍ଧି କମ୍ପର ଯେ ।୮।
ବୋଲାଉ ଅତି ଗୁଣିକ । ବନିତାରତ୍ନେ ମାଣିକ୍ୟ ।
ବେଳୁଁ ବେଳ ରାଗନିଧି । ବସୁଁ ସନ୍ନିଧି ଯେ ।୯।
ବାହୁରେ କରି ବନ୍ଧନ । ବୋଲୁଥାଉ ଏକା ଧନ ।
ବାଧି ନ ପରେ ଦୀନତା । ବଡ଼ ଉନ୍ନତା ମୁଁ ।୧୦।
ବଣା ହେଲି ତେଜୁଁ ଦଣ୍ଡେ । ବିଭର୍ତ୍ତି ହେଲି କି ଦଣ୍ଡେ ।
ବାହୁଡି଼ ଆଉ ପାଇବି । ବୋଧି ହୋଇବି କି ।୧୧।
ବିଦାରି ହେଉଛି ଉର । ବସିଥିଲା କେ ଚଉର ।
ବିଦୁର ମୋର ହେବାକୁ । ବେଗେ ନେବାକୁ ସେ ।୧୨।
ବିଚିତ୍ର ଥିଲା ସେ ବନ । ବିମ୍ବ ଚନ୍ଦ୍ରର ଚୁମ୍ବନ ।
ବାଳାରୁଣୁ ପାନ ସୁଧା । ବଡ଼ ବିଶୁଦ୍ଧା ଯେ ।୧୩।
ବିଚିତ୍ର ଏବେ ଭାବନ । ବଞ୍ଚଇ ଦୂର ଜୀବନ ।
ବିନା ପିତୁଳା ନୟନ । ବ୍ୟକ୍ତ ଅୟନ ଏ ।୧୪।
ବପୁ ନ ମରୁଁ ପୋଡ଼ଇ । ବେଳ ପ୍ରଭାତୁଁ ବୁଡଇ ।
ବିଶେଷେ ଅନ୍ଧାର ଦିଶେ । ବ୍ୟୋମାଦି ଦିଶେ ଯେ ।୧୫।
ବର ଯେ ବୀରବୃନ୍ଦର । ବିଦେହ ହୋଏ ତା ଦର ।
ବିଭେଦିବ ଫୁଲଶର । ବପୁଦେଶର ଯେ ।୧୬।
ବଜ୍ର ପାକ ବଚୋଦୟେ । ବାଜିବ ଆସ ହୃଦୟେ ।
ବୃଦ୍ଧି ଆଉ ନ ଦିଶିଲେ । ବୁଝି ବସିଲେ ଯେ ।୧୭।
ବୋଲୁଁ ଏମନ୍ତ ଶୁଭିଲା । ବିବନ୍ଧ କୃତେ ଲୋଭିଲା ।
ବାହୁ ଯୋଜନ ପ୍ରମାଣ । ବରୁଁ ନିର୍ମାଣ ତା ।୧୮।
ବଡାଇ ଜୀବ ଭିଞ୍ଜିତ । ବୁକୁରେ ତୁଣ୍ଡ ରାଜିତ ।
ବିକଟମୂର୍ତ୍ତି କବନ୍ଧ । ବିହିଲା ବନ୍ଧ ସେ ।୧୯।
ବୋଲନ୍ତି ଭ୍ରାତେ ରାଘବ । ବାହୁ ହେଲା କି ଲାଘବ ।
ବାଟରେ ଏକ କମଠ । ବିହିଛି ମଠ ଏ ।୨୦।
ବଦନ ଗୁପ୍ତ ହୋଇଛି । ବିନାଶି ଭକ୍ଷିବା ଇଛି ।
ବିପାକକର୍ମରେ ରୋଧ । ବ୍ୟଙ୍ଗ ନିରୋଧ ଏ ।୨୧।
ବିକୋଷ କୃପାଣ କରେ । ବିଘାତ କଲେ ତା କରେ ।
ବ୍ୟୋମେ ଦିବ୍ୟ ରୂପସ୍ଥିତ । ବାର୍ତ୍ତା କଥିତ ସେ ।୨୨।
ବକ୍ତ୍ରମାଳୀ ଲଙ୍କପତି । ବିହିଛି ଭିନ୍ନ ବିପତ୍ତି ।
ବସୁମତୀ ସ୍ଥିରତାକୁ । ବିନାଶ ତାକୁ ଯେ ।୨୩।
ବିବୁଧ ଭାବ ଘେନି ତ । ବିଧିରେ ନରେ ଜନିତ ।
ବିଷ୍ଣୁ ମା ତୁମ୍ଭେ ଦମ୍ପତି । ବ୍ରହ୍ମାଣ୍ଡପତି ହେ ।୨୪।
ବିଗ୍ରହାନୁଗ୍ରହେ ସରି । ବିଶିଷ୍ଟ ଗତି ପ୍ରସରି ।
ବିଦୃଶ୍ୟ କହି ବହନେ । ବିଜେ ଗହନେ ସେ ।୨୫।
ବିକଳ ଚିତ୍ତେ ଶ୍ରୀରାମ । ବିଶ୍ୱଲୋଚନାଭିରାମ ।
ବିଗ୍ରହ କ୍ଷୁଧାରେ ଥରେ । ବହୁ ପଥରେ ଯେ ।୨୬।
ବିହେ ସ୍ତୁତି ଯାରେ ଶ୍ରୁତି । ବତ୍ସା ଧେନୁସ୍ୱନ ଶ୍ରୁତି ।
ବରଜେ କ୍ଷୀର ମାଗ ତ । ବିହୁ ଇଙ୍ଗିତ ସେ ।୨୭।
ବୋଲନ୍ତେ ହୋଇ ବିରକ୍ତ । ବିଦୁହଁ ନ ପୟଃ ରକ୍ତ ।
ବିନୟ ବ୍ରଜ ସରବ । ବିନା ଗରବ ସେ ।୨୮।
ବଲ୍ଲବେ କ୍ଷୀର ଦାନକୁ । ବିହି ବୋଧିଲା ମନକୁ ।
ବିପୁଳ ତୋଷ ଚିତ୍ତରେ । ବରଦ ତାରେ ସେ ।୨୯।
ବଞ୍ଛା ତୋ ଦେବୁ କୁମର । ବର ଏ କେଉଁ ଅମର ।
ବର୍ତ୍ତିବୁ ହୋଇ ତୁ ନନ୍ଦ । ବହି ଆନନ୍ଦ ଯେ ।୩୦।
ବାରେ କ୍ଷୀରଦାନେ ଜୀବ଼ । ବୋଧିଲୁ ଏ ଶୁଝାଯିବ ।
ବଢିବୁଁ ପୁତ୍ର ଭାବରେ । ବ୍ରଜ ନବରେ ଯେ ।୩୧।
ବାମା ଯଶୋଦା ବୋଲାଉ । ବାଳଖେଳରେ ଭୁଲାଉ ।
ବନମାଳୀ କୃଷ୍ଣ ହରି । ବୋଲି ବିହରି ଯେ ।୩୨।
ବଳଭଦ୍ର ଅବରଜ । ବୋଲାଇବ ହେ ବରଜ ।
ବୁଡ଼ ନା ଆଉ ଦ୍ୱାପରେ । ବିଦ୍ୟ ଦ୍ୱାପରେ ଏ ।୩୩।
ବାସ ସେ ସ୍ଥାନେ ନିଶିକ । ବାସରେ ସୂର୍ଯ୍ୟବଂଶିକ ।
ବନେ ଦକ୍ଷିଣ ମୁଖରେ । ବିହାର ଖରେ ସେ ।୩୪।
ବିପିନେ ଅତି ଝଳିକା । ବିକଚ ନବମାଳିକା ।
ବିଳସେ ଅଳିପାଳିକା । ବାଣମେଳିକା କି?୩୫।
ବିସମ ବିଶିଖ ଗୁଣେ । ବଳାଇ ଅଛି କି ଗୁଣେ ।
ବହି ଅତସୀ ପ୍ରମାଣ । ବିଦ୍ୟ କମାଣ କି ?୩୬।
ବିଷାଇ ମଧୁ ପତନୁ । ବନେ ଚମକିତ ତନୁ ।
ବଲ୍ଲଭୀମଣି ହା ସୀତା । ବଳେ ଭାଷିତା ସେ ।୩୭।
ବୃଷା ଶରଭଙ୍ଗାଳୟେ । ବସିଥିଲେ କଲେ ଲୟେ ।
ବିଷ୍ଣୁ ଅମ୍ଭ କଷ୍ଟ ଭାଙ୍ଗି । ବିପଦଭାଗୀ ସେ ।୩୮।
ବନ୍ଦୀ ଜଗତଜନନୀ । ବିମଳ କମଳାନନୀ ।
ବୋଲି ରହିଲେ ଅନ୍ତରେ । ବିଜେ ସତ୍ୱରେ ସେ ।୩୯।
ବାଣ ଶରାସନଧର । ବେନି ମୁନି ସନ୍ନିଧିର ।
ବିବୁଧାଳୟକୁ ଗମେ । ବନ୍ଦି ନିଗମେ ସେ ।୪୦।
ବଡ଼ ସୁକୃତି ଶବରୀ । ବୁଲିଣ ଦିବା ଶର୍ବରୀ ।
ବୁଝେ ରସାଳ ଅସ୍ୱାଦୁଁ । ବାଛଇ ସ୍ୱାଦୁ ସେ ।୪୧।
ବିଜୟ ରାମ କରିବେ । ବିଭୁକ୍ତେ ମୋତେ ତାରିବେ ।
ବିଲୋକି ସନ୍ତାପ ଚ୍ୟୁତ । ବଢା଼ଇ ଚୂତ ସେ ।୪୨
ବିଶ୍ୱବ୍ୟାପୀ ତା ଭାବରେ । ବିଭୋଗୀ ହେଲେ ଜବରେ ।
ବିଦ୍ୟ ଭାବଗ୍ରାହୀ ପଦ । ବେଗେ ଆସ୍ପଦ ସେ ।୪୩।
ବିଦନ୍ତମୁଦ୍ରା ରସାଳ । ବିଯୋଗ କଲେ ବିଶାଳ ।
ବନଜାକ୍ଷ ତତପର । ବସୁଧାପର ଯେ ।୪୪।
ବିଚିହ୍ନ ଏ ଦଶନରେ । ବିରୋଧୀ ମୋ ଅଶନରେ ।
ବୋଲି ଚାହିଁ ପ୍ରସନ୍ନରେ । ବିଦ୍ୟମନରେ ସେ ।୪୫।
ବ୍ୟାଖ୍ୟାନ ଶବରୀ କରେ । ବସତି ଋଷ୍ୟମୂକରେ ।
ବିହି ସୁଗ୍ରୀବ କ୍ରୋଡରେ । ବାଳିର ଡ଼ରେ ଯେ ।୪୬।
ବିଘ୍ନକର ଏ ଦଶା ସେ । ବିବାଦ ରଚି ଦଶାସ୍ୟେ ।
ବିମ୍ବୋଷ୍ଠୀକି ଦେବ ଆଣି । ବିକାଶି ଆଣି ସେ ।୪୭।
ବାରତା କହି ଭକତି । ବିମାନେ ସେ ନଭଗତି ।
ବାହାର ସେହି ଆଦେଶେ । ବନପ୍ରଦେଶେ ସେ ।୪୮।
ବାଟେ ପମ୍ପା ସାରସର । ବିରାଜିତ ସାରସର ।
ବିରାଜିତ ସାରସର । ବୃଷାର ସର ସେ ।୪୯।
ବିଧିରେ ହୀନ ଭ୍ରମର । ବିଳସୁଛନ୍ତି ଭ୍ରମର ।
ବିଳାସ ଯହିଁ ଭ୍ରମର । ବାଞ୍ଛେ ଅମର ସେ ।୫୦।
ବାରିରେ ଆଦର ସରେ । ବିମଳ ଆଦରଶରେ ।
ବିବେକ ହଂସ ମାନସ । ବଳି ମାନସ ଯେ ।୫୧।
ବିଧ୍ୱଂସ ତାପ ସ୍ପରଶ । ବଡ଼ ଅତଳସ୍ପରଶ ।
ବିନିଦ୍ର ନୀଳ ସାରସ । ବହଇ ରସ ସେ ।୫୨।
ବାଞ୍ଛି ତୃଷାର୍ତ୍ତ କମଳ । ବିଘନ ତୀରେ କମଳ ।
ବିରତେ ଭୃଙ୍ଗ କୁମୁଦ । ବହୁ କୁମୁଦ ଏ ।୫୩।
ବିଡି ଉଠେ ଚକ୍ରଚକ୍ର । ବହେ ଗତି ଯଥା ଚକ୍ର ।
ବିନୋଦରେ ଚକ୍ରବାକୀ ବିଚକ୍ରବାକି ସେ ।୫୪।
ବୀକ୍ଷଣେ ହୋଇ ବୀରହୀ । ବୋଲେ ରଘୁବୀର ରହି ।
ବିଷ୍କିର କହ ମଧୁର । ବାର୍ତ୍ତା ବଧୂର ମୋ ।୫୫।
ବାଳା ମୋ ରସସରସୀ । ବିହରେ ମୁଁ ମୀନ ରସି ।
ବିଧୂରେ କେମନ୍ତ ଜୀବ । ବୁଝ ନ ଯିବ ଯେ ।୫୬।
ବଡି଼ଶଶରେ ମଦନ । ବିଚାରୁଅଛି ଭେଦନ ।
ବହିଛି ସେ କେଉଁ ଦେଶ । ବୁଝି ସନ୍ଦେଶ ଏ ।୫୭।
ବଦନ ସଦା ଅମଳ । ବିକାଶି ଥିଲା କମଳ ।
ବିଲୋଳ ନେତ୍ର ଖଞ୍ଜନ । ବସି ରଞ୍ଜନ ସେ ।୫୮।
ବିଲୋକି ମୋ ସୁରପତି । ବିଭୁତି ଥିଲା ପ୍ରାପତି ।
ବିଚ୍ଛେଦୁ ଦୀନ ହୋଇଛି । ବାହୁଡୁଁ ଇଚ୍ଛି ଏ ।୫୯।
ବକ୍ଷୋଜେ ତବ ଯୁଗକୁ । ବିହନ୍ତି କବି ଯୋଗକୁ ।
ବଦ ଅଛି ସୋଦରତା । ବନ୍ଧୁ ବାରତା ତୁ ।୭୦।
ବୋଲୁଁ କୋପି ଚକ୍ରବାକ । ବୋଇଲା ଏମନ୍ତ ବାକ ।
ବେନିନାବେ ଦେଇ ପଦ । ବ୍ୟର୍ଥ ସମ୍ପଦ ଏ ।୬୧।
ବହୁ ଜଟା ସ୍ତିରୀହିତ । ବୁଡି଼ମରିବା ବିହିତ ।
ବିହଗ ରତି ବିଲୋକ । ବିଲଜ୍ଜ ଲୋକ ତୁ ।୬୨।
ବୋଲୁଁ ବୋଇଲେ ତକ୍ଷଣ । ବିଚକ୍ଷଣ ସୁଲକ୍ଷଣ ।
ବିଜ୍ଞ ହେଉଛୁ ଇଚ୍ଛାର । ବିହଗ ଛାର ତୁ ।୬୩।
ବିଖ୍ୟାତୁ ତପ ହେତୁ ହି । ବୋଲାଉ କୁଟୁମ୍ବୀ ତୁହି ।
ବଶିଷ୍ଠାଦି ଏ ଅଜାଣ । ବଡ଼ ସୁଜାଣ ତୁ ।୬୪।
ବିଯୋଗରେ ନିଅ କାଳ । ବିହି ଏ ଶାପ ତତ୍କାଳ ।
ବେନି ସୋଦର ବହନେ । ବିଜେ ଗହନେ ସେ ।୬୫।
ବ୍ୟାକୁଳରେ ହୋଇ କ୍ଷୀଣୀ । ବଲ୍ଲଭେ ଭାଷେ ପକ୍ଷିଣୀ ।
ବିଭୋଗରେ ରତି ସାର । ବିଦ୍ୟ ସଂସାର ଏ ।୬୬।
ବିପଦ କି ଶିରଚ୍ଛେଦ । ବଡ଼ ବିପଦ ବିଚ୍ଛେଦ ।
ବଂଶ ବଢି଼ବା ଅର୍ଜ୍ଜନ । ବ୍ୟର୍ଥ ସର୍ଜ୍ଜନ ଏ ।୬୭।
ବିଚାରି ସେ ଗୋଡା଼ୈଲେ । ବିନୟି ରାମେ ହୋଇଲେ ।
ବିଭୋ ଦକ୍ଷିଣ ଗମନ । ବାମ ସୁମନ ହେ ।୬୮।
ବହି ମଧୁର ମୂରତି । ବିହିଲ କଟୁ ଭାରତୀ ।
ବି ଜାତ କେତେ ମାତ୍ରକ । ବେଳେ ବିତର୍କ ଯେ ।୬୯।
ବଦନ ଦଶ ବିଂଶତି । ବାହୁ ତା ଆଗେ ବସତି ।
ବିମାନେ ଶୋକ ଜନିତା । ବରବନିତା ଯେ ।୭୦।
ବିଲୋକ ଏତେ ମାତର । ବିବେକ କର ଚିତ୍ତର ।
ବିହ ଶାପକୁ ସୁଗତି । ବିହୁଁ ଭଗତି ସେ ।୭୧।
ବାସରେ ମାତର ତର । ବିଭାବରୀରେ ଅନ୍ତର ।
ବେନିକୂଳେ ନଦେ ରହି । ବାଧୁ ବିରହ ଏ ।
ବରଦ ରାଘବ ହେଲେ । ବାହୁଡି଼ଲେ ପକ୍ଷୀ ହେଳେ ।
ବୋଲେ ଉପେନ୍ଦ୍ର ଆସ୍ପଦ । ବାସ୍ତରୀ ପଦ ଏ ।୭୨।