ବୈଦେହୀଶ ବିଳାସ/ବିଜୟୀ ଜଗତରେ କାତର ବିମନେ
←ବନେ ଘନେ ରଘୁମଣି, ବିପଥ ପଥ ନ ମଣି | ବୈଦେହୀଶ ବିଳାସ ଲେଖକ/କବି: ସପ୍ତବିଂଶ ଛାନ୍ଦ: |
ବୋଲେ ସୁଗ୍ରୀବେ ରାମ କ୍ଳେଶ ଭାଷା→ |
ରାଗ - ଭୈରବ
ଆଦ୍ୟପ୍ରାନ୍ତାନୁପ୍ରାସ
ବିଜୟୀ ଜଗତରେ କାତର ବିମନେ ।
ବିଜୟି ପଥେ ତୋଳିଲେ କଦମ୍ବ ସୁମନେ ।
ବୀର ହେଜେ କେଉଁ ଦିନ କରିବି ଦର୍ଶନ ।
ବିରହେ ଯେ ହୋଇଥିବ କପୋଳେ ଏସନ ।୧।
ବିବସନ କରି ନଖ ଚାଳନ୍ତେ କିଞ୍ଚିତ ।
ବିବସରୁ ହେବ କି ଏ ରୁପେ ରୋମାଞ୍ଚିତ ?
ବଙ୍କିଳ ହରି ଖୋଜିଲେ ନ ପାଇ ବିମତି ।
ବଙ୍କିମ ନୟନା ମୋ ହୋଇଲା ଏହିମତି ।୨।
ବିଚକ୍ଷଣ ହୋଇଲେ କି ହେବ ପରମ୍ପରା ।
ବିଚଳିତ ଦମ୍ଭ ଠାବ ନ କରିବି ପରା ।
ବିବେକ ଜାତରେ ପୁଷ୍ପ ପକାଇ ବେଗରେ ।
ବିବେଚନା କଲେ ଅଛି କର୍ବୁର ନଗରେ ।୩।
ବହିଲେ କୋପ ଛେଦି ପକାଇ ଦେବି ଶିର ।
ବହିଲେ ପଥେ ଝମକ ପ୍ରକାଶି ଅସିର ।
ବିରାଧପର ଲକ୍ଷ୍ମଣ ଧୃତ ଧନୁଶର ।
ବିରାଜିଲେ ଋଷ୍ୟମୂକ ଗିରି ପାରୁଶର ।୪।
ବବରଗତ ସୁଗ୍ରୀବ ଦେଖି ସେ ଉଭୟ ।
ବି-ବର ଲୋକନେ ଯଥା ପନ୍ନଗ ସଭୟ ।
ବଳିଷ୍ଠ କରି ପେଷିଛି ପାଞ୍ଚି ବେନିଚାର ।
ବଳିମୁଖରାଜେ ଯେଣୁ ଗିରି ଅପ୍ରଚାର ।୫।
ବଧିବେ ମୋତେ ବିଚାରି ବେପଥୁ ରଚନ ।
ବଧିର ପ୍ରାୟେ ନ ଶୁଣେ ମନ୍ତ୍ରୀଙ୍କ ବଚନ ।
ବାଳିଶ କି ତୁମ୍ଭେ ତାକୁ କହେ ହନୁମାନ ।
ବାଳି ବିନା ପରାକ୍ରମେ କେ ଆମ୍ଭ ସମାନ ?୬।
ବିଧୁରେ ଏ ପ୍ରଭା ଥିବ ଲକ୍ଷ୍ୟ ଯୋଖିବାରେ ।
ବିଧୁରେ ଏ ପ୍ରଭା ନାହିଁ ପୂର୍ଣ୍ଣେ ଦେଖିବାରେ ।
ବାନପ୍ରସ୍ଥ-ବେଶଧାରୀ ମନକୁ ନ ପାଇ ।
ବାନରପତିର ଚାର ହେବେ ଏ କିପାଇଁ ?୭।
ବଶୀଭୂତ ନୋହି ନଭମାର୍ଗେ ସ୍ୟନ୍ଦନରେ ।
ବସି ଯାଉଥିଲା ରାମା ଯୁକ୍ତ କ୍ରନ୍ଦନରେ ।
ବଲ୍ଲରୀ ପଶୁ-ପକ୍ଷୀଙ୍କି କରୁଥିଲା ସାକ୍ଷ୍ୟ ।
ବଲ୍ଲଭ ସେ ନାରୀର ହେବେ କି ସାରସାକ୍ଷ ।୮।
ବିରହୀ ହେଲା ପରାୟ ଦିଶଇ ତନୁ ତ ।
ବିରଞ୍ଚି ରଚିବାରେ ସୁନ୍ଦରେ ଏହି ନୁତ ।
ବାଡ଼ବେୟସୁତ ଭାଷେ ସତ ଏ ତରକ ।
ବାର ଏତେ କନ୍ୟା ଯେଉଁ ନାମ ଉଚ୍ଚାରକ ।୯।
ବିହି କଙ୍କବେଶେ ଯାଇ କେ ତୁମ୍ଭେ ପଚାର ।
ବିହିବ ସେ ତାହି ଯେବେ ହୋଇବ ପ୍ରଚାର ।
ବାହାର ହେବ ବଚନ ପ୍ରାକ୍ରମ ଭରସା ।
ବାହା ଧନୁ ଦେଖି ମଣି ଜିଣିପାରେ ରସା ।୧୦।
ବହନ କରି କପଟ ମୂରତି ବିଧାନ ।
ଚହତୁ ସେ କରୁଣାନିଧାନ ସନ୍ନିଧାନ।
ବଦତି ବିହରୁଅଛ ଘୋର କାନନର ।
ବଦରିକା ତେଜି କିପା ନାରାୟଣ ନର ।୧୧।
ବାହୁଜମୂର୍ତ୍ତି ତ ଜଟା ମୁକୁଟ ମଣ୍ଡନ ।
ବାହୁ ବହ ଶସ୍ତ୍ର ଇଚ୍ଛି କାହାର ଖଣ୍ଡନ ?
ବାଚକ ହୋଇଣ ପୁଚ୍ଛା କରୁଁ ରଘୁରାଣ ।
ବାଚସ୍ପତିକି ବ୍ରହ୍ମା କି ବୁଝାଇ ପୁରାଣ ।୧୨।
ବହୁତ ବିଧାନେ ଦଶରଥଙ୍କ ତନୟ ।
ବହୁଁ ରାମ ଲକ୍ଷ୍ମଣ ନାମକୁ ସବିନୟ ।
ବିଶ୍ୱାମିତ୍ର ଆସି ନେଲେ ଯାଗକୁ ପଚାରି ।
ବିଶ୍ୱାମିତ୍ର ସୁବାହୁର ବିନାଶ ବିଚାରି ।୧୩।
ବିଭାବସୁ-କୋଟି-ପ୍ରଭା ଶିବଧନୁ ଧରି ।
ବିଭା ହେଲୁଁ ସୀତା କି ଶୋଭିତା ବିମ୍ବାଧରୀ ।
ବନ୍ଦାରୁ ପରଶୁରାମ ଦର୍ପ ବିଭଞ୍ଜନ ।
ବନ୍ଦାନ୍ତେ ପ୍ରାତେ ଜନକ କରିଣ ରାଜନ ।୧୪।
ବିଧାତା ବନଗତି ମନ୍ଥରା ମନ୍ଥିଲା ।
ବିଧାତା ଭାଲ ଲେଖନ ପ୍ରିୟା ଦୂର ଥିଲା ।
ବଞ୍ଚୁଥିଲୁଁ ଦିନ ପଞ୍ଚବଟୀରେ ବିହରି ।
ବଞ୍ଚକ ହରିବଲ୍ଲଭୀ ଏ ଅଦ୍ଭୁତ ହରି ।୧୫।
ବିଲୋକନ କରାଇଲା ବିଚିତ୍ର କୁରଙ୍ଗ ।
ବିଲୋଳ ହୋଇ ତା ସଙ୍ଗେ କରିବାକୁ ରଙ୍ଗ ।
ବେଦନା ଅଗୋଚରରୁ ଜାତ ଅକଥିତ ।
ବେଦଚୋର ଶଙ୍ଖ ପ୍ରାୟ ସିନ୍ଧୁ ମଧ୍ୟେସ୍ଥିତ ।୧୬।
ବିଚ୍ଛେଦୀ ଜାନକୀ ଅଛି ବୋଲି ଲଙ୍କାଦେଶ ।
ବିଚ୍ଛେଦୁଁ କବନ୍ଧ ବାହୁ କହିଲା ସନ୍ଦେଶ ।
ବିଂଶ ସଂଖ୍ୟା କର ଦଶ ସଂଖ୍ୟା ତା ଲପନ ।
ବିଷମବିଶିଖେ ମୋତେ କରିଛି ତାପନ ।୧୭।
ବିଷମ ବିଶିଖେ ତାକୁ କରିବି ଅବଶ ।
ବିଂଶଭୁଜ ଦଶମୁଣ୍ଡ ଛିଦିବି ଅବଶ୍ୟ ।
ବିଗ୍ରହୁଁ ମୋ ଜୀବ ଭିନ୍ନ କରି ସେ ପ୍ରକଟ ।
ବିଗ୍ରହୁଁ ତା ଜୀବ ଭିନ୍ନ କରିବି ନିକଟ ।୧୮।
ବିଭିନ୍ନ ଶିରେ କବନ୍ଧ ନୃତ୍ୟନ୍ତି ସମରେ ।
ବିଭୀତେ ପ୍ରାଣ ବିହୀନେ ଭ୍ରମେ ସେ ସମରେ ।
ବିକା ମୋର ପ୍ରାଣ ମନ ଜାନକୀ ପାଶରେ ।
ବିକାଶ ତୁମ୍ଭେ କେ ଭ୍ରମ ଏ ବନ ଦେଶରେ ୧୯।
ବଳବୃଦ୍ଧି ହେଲା ଯେଣୁ ରାମ ଦରଶନୁ ।
ବଳରିପୁସୋଦରଜ କହେ ପରସନ୍ନୁ ।
ବଳିମୁଖଶ୍ରେଷ୍ଠ ବାଳି ସୁଗ୍ରୀବ ସୋଦର ।
ବଳି ନାହିଁ ବଳେ ତାଙ୍କୁ ବେନି ବିବାଦର ।୨୦।
ବନବାସୀ ସୁଗ୍ରୀବ ଏ ଗିରି ଅନୁସରି ।
ବନଧିରେ ମଇନାକ ଲୁଚିଲାର ସରି ।
ବହିଣୀତନୁଜ ମୁହିଁ ନାମ ହନୁମାନ ।
ବହିଣ ତାହାରେ ପ୍ରୀତି ରହେ ସାନୁ ମାନ ।୨୧।
ବିଜେ କର ଘନଶ୍ୟାମ ସେ ହେଉ ସାରଙ୍ଗ ।
ବିଜେ ତୁମ୍ଭ କୃପାଜଳ ବଶେ କରୁ ରଙ୍ଗ ।
ବିଧୁକରେ ମହୋଜ୍ଜ୍ୱଳ ଯେମନ୍ତ ରଜନୀ ।
ବିଧୁପ୍ରଭା ଅଧିକ ରଜନୀ ହେଲେ ଜନି ।୨୨।
ବ୍ୟବସ୍ଥିତେ ପଡିଅଛି ସେହି କାଳ ସାର ।
ବ୍ୟବହାରେ ହେବ ଏବେ ବିଖ୍ୟାତ ସଂସାର ।
ବିଲୋମେ ପଦ୍ମଲୋଚନ ଭାଷେ ଭରତୀକେ ।
ବିଲୋକ କରିବା ଧର ନିଜ ମୁରତିକି ।୨୩।
ବହୁ ବୀର ଶାଖା ମୃଗ ତନୁ ତତପର ।
ବହୁତ ଆନନ୍ଦ ଚାହିଁ ହେଲେ ଖରପର ।
ବିଭୁ ଜଗତର ଚାହିଁ ପୁଚ୍ଛିଲେ ଝଟିତ ।
ବିଭୁଷଣ କପି ହୋଇ ଦିବ୍ୟ କିରୀଟି ତ ।୨୪।
ବ୍ରହ୍ମାବରେ ପାଇଛି ମୁଁ ପବନତନୟ ।
ବ୍ରହ୍ମାଣ୍ଡନାଥ ଶୁଣ ହେ ବୋଲି ସବିନୟେ ।
ବାର ବାର ପଦ୍ମପାଦେ ବିହି ଦଣ୍ଡବତ ।
ବାରଣତ୍ରାଣଙ୍କୁ ଘେନି ଗଲା ପରବତ ।୨୫।
ବୋଧି ମାତୁଳକୁ ରାମ ପାଶେ ଭେଟାଇଲା ।
ବୋଧିଦ୍ରୁମ ତଳେ ପ୍ରବାଳରେ ବସାଇଲା ।
ବିକଶିତ କଲେ ରାମ ବେଗେ ସ୍ୱଚରିତ ।
ବିକର୍ତ୍ତନସୁତ ପୁନଃ କଥିତ ତ୍ୱରିତ ।୨୬।
ବିଧିବଶେ ଋକ୍ଷରାଜା ପଶି ସ୍କନ୍ଦବନେ ।
ବିଧିରେ ହୋଇଣ ସ୍ତିରୀସ୍ୱରୂପ ଜବନେ ।
ବୃଷା, ଭାନ ଯାଉଁ ବିଧାତାକୁ ସଂଖୋଳିତ ।
ବୃଷାଳ ଉରୁକୁ ଦେଖି ରେତହିଁ ସ୍ଖଳିତ ।୨୭।
ବାଳ ଗ୍ରୀବେ ପତନେ ପତନ ହେଲୁଁ ମହୀ ।
ବାଳ ବେନି ଖ୍ୟାତ ବାଳି ସୁଗ୍ରୀବ ନାମହିଁ ।
ବନରୁ ପାର୍ବତୀର ଯେ ଉଦ୍ଧରି ସାଦରେ ।
ବନରୁ ଉଦ୍ଭବ ସମର୍ପିଲେ ଖଡ଼ଦରେ ।୨୮।
ବସୁଁ ରାଜା ଯୁବରାଜପଦେ କିସ୍କିନ୍ଧ୍ୟାରେ ।
ବସୁଧାରେ ବାଳି ସମ ନାହିଁ କେ ଯୋଦ୍ଧାରେ ।
ବାରିଜବନ୍ଧୁ ଉଦେକୁ ଏଡେ ବୀରପଣ ।
ବାରିଧି ଚାରିରେ କରି ଆସଇ ତର୍ପଣ ।୨୯।
ବାତକୀ ପରାୟେ ରିପୁ ଦର୍ଶନେ ଥରିତ ।
ବାତ ପୁଷ୍ପଗନ୍ଧ ପ୍ରାୟେ ବଳାର୍ଦ୍ଧ ହରିତ ।
ବାଦନ ନ କଲେ ସ୍ୱର୍ଗେ ଦେହତା ଦୁନ୍ଦୁଭି ।
ବାଦ ରଚିବ ବିଚାରି ଶୁଣିଲେ ଦୁନ୍ଦୁଭି ।୩୦।
ବାହାସ୍ଫୋଟ ମାରିବାକୁ ସୁମେରୁ ପର୍ବତେ ।
ବାହାରୁ ସେ ଦୈତ୍ୟ ଭୟେ ସ୍ତୁତିରେ ପ୍ରବର୍ତ୍ତେ ।
ବିଭ୍ରାଟ ପାରିଲେ ରଚ କପୀଶେ ସଂଗ୍ରାମ ।
ବିଭାବରୀଚର ଶୁଣି ଭାଙ୍ଗିଲା ଏ ଗ୍ରାମ ।୩୧।
ବିଧାନେ ମନ୍ଦାନ୍ଧକରୀ ସେ ଏ ହରିବର ।
ବିଧା ପ୍ରହାର ଉଚିତେ ପ୍ରକଟ ଭାବର ।
ବଳୀ ଗର୍ବ ଖର୍ବ ହୋଇ ଏତେକେ ଦଇତ ।
ବଳିବର୍ଦ୍ଦ ରୂପ ଧରି ହେଉଁ ପଳାୟିତ ।୩୨।
ବାମ ଯାରେ ଇନ୍ଦ୍ରସୁତ କାହିଁ ତା ରକ୍ଷଣ?
ବାମକରେ ପାଦ ଧରି ବୁଲାଉଁ ତତ୍-କ୍ଷଣ ।
ବିସର୍ଜିଲା ପ୍ରାଣ ନାସାରନ୍ଧ୍ରେ ଜାତ ରକ୍ତ ।
ବିପତିତେ ମାତାଙ୍କ ଆଶ୍ରମେ ସେ ବିରକ୍ତ ।୩୩।
ବିହିତ ମଣି ଅମରହିତ ସେ ରୋଷିଲେ ।
ବିହି ଶାପ ତୋର ମୃତ୍ୟୁ ଏ ଶୈଳେ ଆସିଲେ ।
ବହି ଶବ ତାହା ଜାଣି ଆଣି ଏ ନିକଟେ ।
ବହିତ୍ର ଯେମନ୍ତସ୍ଥିତ ସମୁଦ୍ରେ ପ୍ରକଟେ ।୩୪।
ବଳାହକୁଁ ପୃଥୁ ତୁଙ୍ଗ ନ ଭେଦେ ଭିଦୂର ।
ବଳାତ୍କରେ ବାଳି କେଡେ ବହି ଏତେ ଦୂର ।
ବଡ଼ କ୍ରୋଧେ ତା ଭ୍ରାତ ମାୟାବୀ ଆଗତରେ ।
ବଡ଼ଭୀ ପ୍ରସାଦ ଭାଙ୍ଗି ନଗରୁ ସତ୍ୱରେ ।୩୫।
ବର ସେ ଯୋଦ୍ଧାରେ ମରାମରି ତଳେ ତଳେ ।
ବରଷେ ଯୁଝି କଢାଇ ନେଇ ରସାତଳେ ।
ବିଳଦ୍ୱାରେ ଦୈତ୍ୟ ନାଶେ ବାହାର ରୁଧିର ।
ବିଳସେ ଚିତ୍ତରେ ବାଳି ବିନାଶ ଅଧୀର ।୩୬।
ବସୁଧାଭୃତରେ ପାତି ଆସିଲୁଁ ବିବର ।
ବସୁଁ ଅଭିଷେକେ ମୁହିଁ ମିଳେ କବିବର ।
ବାଳାକୁ ମୋ କୋଲୁଁ ଧରି ରଚି ନିଧୁବନ ।
ବାଳାକର୍ଷିବାରେ ନେଉଥିଲା ମୋ ଜୀବନ ।୩୭।
ବିକଳ ହୋଇ ପଳାଉଁ ଗୋଡାଇ ଚରମେ ।
ବିକଳେ ଲୋକାଲୋକ ଡେଇଁଲି କି ଧରମେ ?
ବାହୁଡିଥିବ ସେଠାରୁ ନିଜ କଟକର ।
ବାହୁଜବର ମୁଁ ପଡୁ ସୁବର୍ଣ୍ଣ ପଙ୍କର ।୩୮।
ବିହାୟସ ବାଣୀ ଶୁଣି ନୟନ ବୁଜିଲି ।
ବିହାର ଡେଇଁ ପଡି ଏ ଗିରିରେ ସର୍ଜିଲି ।
ବିଲମ୍ବି ଛତ୍ର ଚାମର ଯାହା ଯାହା କରେ ।
ବିଲଗ କରି ରଖି ନ ଦେଲା କଟକରେ ।୩୯।
ବୀର ଏକେ ଏକେ ଜିଣି ପାରନ୍ତି ଧରଣୀ ।
ବିଭଙ୍ଗ ତାହା ଯୁଦ୍ଧକୁ ଏହାଙ୍କ କରଣୀ ।
ବିଂଶକର ନେଲା ଦିନ ସ୍ୟନ୍ଦନେ ନଭରେ ।
ବିଷମ ବ୍ୟଥିତମତି ହେଲା ଶୋକଭରେ ।୪୦।
ବାଳିକି ଛଡାଇଥାନ୍ତୁ ଆମ୍ଭେ ତୁଚ୍ଛ ରଣେ ।
ବାଳିମିତ୍ର ଭୟ ହେଲା ଗୁହାରି କରଣେ ।
ବିମାନ ଚାହିଁବାକୁ କିସ୍କିନ୍ଧ୍ୟା ପାଶେ ଥିଲା ।
ବାମାତୃଜ ନୋହେ ବ୍ୟର୍ଥେ ମୋ ଦର୍ପ ମନ୍ଥିଲା ।୪୧।
ବିଭୂତି ଜଟା-ଧାରଣ ଚିହ୍ନ ସେ କାହାର ।
ବିଭୁଷା ପକାଇଛି କେୟୁର ମଣିହାର ।
ବୋଲି ସେ ଗୁହାରୁ ଆଣି ଦେଲା ସେ ଭୂଷଣ ।
ବୋଳିଦେଲା କି ଚନ୍ଦନ ଶମ୍ବରଦୂଷଣ ।୪୨।
ବସନେ ଅମ୍ଳାନ ହୋଇଥିଲା ସେ ବନ୍ଧନ ।
ବଶଚିତ୍ତ କବଚକୃତକୁ ଦେଲା ଧନ ।
ବୀଥି ବୀଥି ବାଣ ପ୍ରହାରିବାରେ ଅତନୁ ।
ବିଥିର ହୋଇ ଏଥିରେ ଘୋଡାଇବି ତନୁ ।୪୩।
ବାସଗଣ୍ଠି ଫିଟାଇ ଦେଖିଲେ ଅଳଙ୍କାର ।
ବାସଅଙ୍ଗୀ ପ୍ରଶଂସା କହିଲେ ଏ ପ୍ରକାର ।
ବାମନେତ୍ରାଟି ମଣ୍ଡନ ରତ୍ନମଣ୍ଡନକୁ ।
ବାମ ହେଲା ବିଧି ଏତେକାଳେ ଏମାନଙ୍କୁ ।୪୪।
ବିହୀନବେଶ ସେ ନୋହି ଏ ହୋଇ ସମ୍ମତ ।
ବିହିତ ଶୋଭା ଅଶେଷ ପ୍ରିୟା ନଭ ମତ ।
ବିଭିନ୍ନ ଦୀନ ହେବାରେ ନକ୍ଷତ୍ରମାଳାରେ ।
ବିଭୀତ ଚିତ୍ତ ନୋହିବ ରଜନୀ ମେଳାରେ ।୪୫।
ବିଦୀପ୍ତ ହେବାରୁ କରି ତାପ ଘନକାଳ ।
ବିଦିତ କଲା କଙ୍କଣ ମୁଞ୍ଚିବା ତତ୍କାଳ ।
ବିଦ୍ୟୁଦ୍ଗୋରୀ ମାନସର ସ୍ମରଶର ଦରେ ।
ବିଦୁରତା ହଂସକର ନିଶ୍ଚୟ ଆଦରେ ।୪୬।
ବନ୍ଦୀ ହୋଇ ରକ୍ଷପୁରେ ଏମନ୍ତ ମତିରେ ।
ବନ୍ଦିଆ ରଖିଲା ପରା ତାହାର ଶ୍ରୁତିରେ ।
ବିଧବା ବେଶ ଶଙ୍କାରେ ରଖିଛି ଅତୁଲ ।
ବିଧ୍ୱଂସେ ଏ ଭାବ ଧୈର୍ଯ୍ୟ ସ୍ନେହୀ କାହିଁ ତୁଲ ?୪୭।
ବର୍ଣ୍ଣନ୍ତେ ଏରୂପ ସ୍ୱରଭଙ୍ଗ ପରଚରେ ।
ବର୍ଣ୍ଣମାନ ବ୍ୟକ୍ତ ହୋଇ ତହୁଁ ନ ଉଚ୍ଚରେ ।
ବତ୍ସର ସମ ଲବକ ନୋହିଲା ନିବାରି ।
ବତ୍ସସ୍ଥଳ ତିନ୍ତିଗଲା ପଡି ଅଶ୍ରୁବାରି ।୪୮।
ବିଷାଦେ ନିଶ୍ୱାସ ତେଜି ହା ସୀତା ଭାଷିତ ।
ବିଷାବିଷ୍ଟ କାମକାଣ୍ଡେ ହେଲେ ଆକର୍ଷିତ ।
ବାନ୍ଧନ୍ତେ ଭୂଷା ଲକ୍ଷ୍ମଣ ଏହା ଦେଖି ହେଳେ ।
ବାନ୍ଧିବିରେ କି ଦଣ୍ଡ ହେଲାଟି କହି ହେଲେ ।୪୯।
ବଡଭୀ ଶୟନେ ହୃଦୁଁ ହୃଦୟ ଅନ୍ତରେ ।
ବଡ ଭୟାଳୁ ଚମକି ଭିଡୈ କାତରେ ।
ବିଲୋପ ଜୀବନ ନୋହି ଥିବ ନିକି ସତୀ ।
ବିଲୋକି ଦଶବଦନ ଭିଜହିଁ ବିଶତି ।୫୦।
ବଞ୍ଚକ ଆୟତ୍ତେ ଶଶ ପଡିଲା ପରିରେ ।
ବଞ୍ଚନ ତା ଜୀବେ ଥିଲେ ଦିବା ଶର୍ବରୀରେ ।
ବନ୍ଦୀ ବ୍ୟାଧଜାଲେ ହେଲା କପୋତୀ ଯେସନ ।
ବନ୍ଦିତା କବିରେ ଯେ ସୁନ୍ଦରୀ ସେ ଏସନ ।୫୧।
ବିନା ଦରଶନ ତାହା କଷଣ ଭାବନେ ।
ବିନାଶ ନୋହି ରହିଛି କାହିଁକି ଜୀବନେ ।
ବିରଚି ଆଦ୍ୟନ୍ତ ଅନୁପ୍ରାସ ଅସପଦେ ।
ବୀରବର ଉପୈନ୍ଦ୍ର ଛାଦ ବାନପଦେ ।୫୨।