ବୈଦେହୀଶ ବିଳାସ/ବୋଲେ ସୁଗ୍ରୀବେ ରାମ କ୍ଳେଶ ଭାଷା

ଉଇକିପାଠାଗାର ରୁ
Jump to navigation Jump to search
ବୈଦେହୀଶ ବିଳାସ ଲେଖକ/କବି: ଉପେନ୍ଦ୍ର ଭଞ୍ଜ
ଅଷ୍ଟାବିଂଶ ଛାନ୍ଦ:

ରାଗ - ଦେଶାକ୍ଷ

  
ଚକ୍ରକେଳି ବାଣୀ

ବୋଲେ ସୁଗ୍ରୀବେ ରାମ କ୍ଳେଶଭାଷା । ବେନି ଜନେ ପଡିଛି ଏକଦଶା ।୧।
ବିଭାବସୁବଂଶେ ଜାତ ଅମ୍ଭର । ବିଧିରେ ତ ତୁମ୍ଭେ ତାଙ୍କ କୁମର ।୨।
ବସୁ ଅଯୋଧ୍ୟା କିଷ୍କିନ୍ଧ୍ୟା ରାଜନ । ବିଭୂତିରେ ବନେ ହେଲା ସଦନ ।୩।
ବାମା ବିଚ୍ଛେଦ ପର ଧରକ୍ଷଣେ । ବଞ୍ଚି ଦିନ ଫଳ ମୂଳ ଭକ୍ଷଣେ ।୪।
ବଞ୍ଚି ଅନୁଜ ମନ୍ତ୍ରୀ ପ୍ରବୋଧନେ । ବୋଧ ହୋଇ ରହିଥାଇଁ ଜୀବନେ ।୫।
ବାଧା ମାତା ଭ୍ରାତାରେ ଉପୁଜିଛି । ବଇରିକି ସାଧିବା ଇଚ୍ଛା ଅଛି ।୬।
ବ୍ୟବହରେ ମିତ୍ର ହେବା ଉଚିତ । ବୋଲେ ସୁଗ୍ରୀବ ଶୁଣ ରଘୁ ସୁତ ।୭।
ବୁଲ ଧରଣୀ ନିର୍ଭୟରେ ତୁମ୍ଭେ । ବାଳି ଡରେ ଗିରିରେ ଲୁଚୁ ଆମ୍ଭେ ।୮।
ବଳବନ୍ତ ହେଲେ ଯଥା କେଶରୀ । ବଧେ ଗଜାଦି ଶରଭକୁ ଡରି ।୯।
ବିହି ପାରିବି କେଉଁ ଉପକାର । ବୋଲେ ମିତ୍ର ହେବା ତୁମ୍ଭ ଆମ୍ଭର ।୧୦।
ବୋଲେ ରଘୁବୀର ଶୁଣି ଉତ୍ସୁକେ । ବିନ୍ଧି ପକାଇବି ବାଳି ବାଣକେ ।୧୧।
ବ୍ରହ୍ମଲୋକେ ଥିଲେ ସୀତା ଖୋଜାଇ । ବାଦ ରଚନେ ଆଣିବି ସେ କହି ।୧୨।
ବୀର ଏରୂପେ ମୋର ସଙ୍ଗେ ଅଛି । ବାଳଭାନୁ ଜନ୍ମୁ ଡେଇଁ ଧରିଛି ।୧୩।
ବୋଲାବୋଲି ସେ ହୋଇ ଏତେ ମାତ୍ର । ବହ୍ନି ସାକ୍ଷୀ କରାଇ ହେଲେ ମିତ୍ର ।୧୪।
ବୋଲୁଁ ଶତ୍ରୁକୁ ଦେଖାଅ ରାଘବ । ବୋଲୁଁଅଛି ସବିନୟେ ସୁଗ୍ରୀବ ।୧୫।
ବିନ୍ଧିବାକୁ ଇଚ୍ଛା ଯେବେ ବାଳିକି । ବଳ କଷ ଦୁନ୍ଦୁଭି ଅସ୍ଥି ଟେକି ।୧୬।
ବିଜେ ରାମ ଶୁଣି ସେ ସନ୍ନିଧିର । ବୃଦ୍ଧାଙ୍ଗୁଳିକି ବାମ ଚରଣର ।୧୭।
ବିନ୍ୟସ୍ତ ଯେ କଲେ ଅସ୍ଥି ଗିରିରେ । ବନରୁହେ କରୀକର ପରିରେ ।୧୮।
ବେଗେ ତୋଳି ସେ କଳିସେଯେମନ୍ତେ । ବିହାୟସେ ଭିଙ୍ଗିଦେଲେ ତେମନ୍ତେ ।୧୯।
ବରେ ଶୁଭନ୍ତେ ଶବଦ ତାହାର । ବ୍ୟୋମେ ଦୃଷ୍ଟି କିସ୍କିନ୍ଧ୍ୟାବାସିଙ୍କର ।୨୦।
ବିତର୍କିଲେ ସେ ମଇନାକ ଉଡି । ବଜ୍ରଘାଏ ବହୁତ ଦୂରେ ପଡି ।୨୧।
ବିକଳ୍ପତା ଉପୁଜିଲା ସୁଗ୍ରୀବେ । ବଡ ଗୁରୁ ଏ ହୋଇଥିଲା ପୁର୍ବେ ।୨୨।
ବସା ଆଦି ମାଂସ ଚର୍ମେ ସମ୍ପୂର୍ଣ୍ଣ । ବିନାଶତ ପୂତିବଶେ ସେମାନ ।୨୩।
ବିବସ୍ୱାନ କିରଣେ ଶୁଷ୍କଭାବ । ବହେ ବାଳି ତେବେ ଏବେ ରାଘବ ।୨୪।
ବୋଲେ କଥା ଏକ ଅଛି ଆହୁରି । ବଜ୍ରୁଁ ଆଣ୍ଟ ସପ୍ତଶାଳ ମାଧୁରୀ ।୨୫।
ବାଳି ଜାତେ ଭାରା ମଣୁ ବସୁଧା । ବଳ ଅଧେ ରଖିଛି ତହିଁ ବେଧା ।୨୬।
ବହେ ତୁଳପାତ୍ର ରହେ ସମାନେ । ବିଭାଗରେ ଗୁରୁଦ୍ରବ୍ୟ ଯେସନେ ।୨୭।
ବିନ୍ଧି ଭେଦି ନ ପାରନ୍ତି ରୁଦ୍ରାଦି । ବାଣ କରେ ପାରିବ ଯେବେ ଛେଦି ।୨୮।
ବିରାଧାରି ବୋଇଲେ କାହିଁ କାହିଁ । ବଳିମୁଖଶ୍ରେଷ୍ଠ ନେଇ ଦେଖାଇ ।୨୯।
(ନାଗବନ୍ଧ)
ବିଶାଳତା ପବି ଦୃଢ ସେ ବନ । ବୃକ୍ଷବୃତ ଶତପତ୍ର ରଞ୍ଜନ ।୩୦।
ବକ୍ରେ ରହି ସଶୋଭା ଧତା ସେହି । ବହି ନାଗ ଗାଢ ତରୁ ଦିଶଇ ।୩୧।
ବପ୍ର ତାରତର ସାର ନବୀନା । ବିଷ ସପ୍ରଭାରେ ବିହଗହୀନ ।୩୨।
ବନରୁହପଦ ପ୍ରତଳ ବଳ । ବିନୟରତ ସର୍ପ ସପ୍ତଶାଳ ।୩୩।
ବ୍ୟାଳ ସଳଖି ହେଉଁ ରଘୁବୀର । ବାଣ ପ୍ରୟୋଗ କଲେ ସେ ସତ୍ୱର ।୩୪।
ବୃକ୍ଷ ସାତ ଭେଦି ଭେଦି ପର୍ବତେ । ବାହୁଡିଲା ସେ ମାର୍ଗଣ ତ୍ୱରିତେ ।୩୫।
ବିଷ୍ଣୁ ମଣି ଚକ୍ରବନ୍ଧେ ସୁଗ୍ରୀବ । ବିନତ ସେ ଅଦ୍ଭୁତ ଦେଖି ଜବ ।୩୬।
(ଚକ୍ରବନ୍ଧ)
ବିଭୁ ଖରପର ମେଳ ସାଧବୀ । ବିଦ୍ଧଶାଳ ମେଘତନୁ ଭା-ରବି ।୩୭।
ବିରଭା-ନୁତ କ ସ୍ୱ ଭୂପ୍ରସବି । ବୀଶପ୍ରଭୁ ସ୍ୱତରେ କବିଭାବି ।୩୮।
ବିଭାବିକରେ ଖେଦ ଭେଦ ପବି । ବିପଦ ଭେଦନ ତାର ପଦବୀ ।୩୯।
ବିଦପର ତା ସମ ଦତ୍ତ ହବି । ବିହ ତ ଦଶରୁପ ରଖ ଭୁବି ।୪୦।
ବୋଲି ଓଳଗି ହୋଇଲା ବାହାର । ବେନି ସୋଦର ମନ୍ତ୍ରୀଏ ସଙ୍ଗର ।୪୧।
ବାଟେ ଯାଉଁ ଦେଖିଲେ ଦିବ୍ୟ ସରେ । ବାଦ୍ୟ ନାଦ ଶୁଭେ ଜଳ ଭିତରେ ।୪୨।
ବିଚିତ୍ର ତ ବୋଇଲେ ରାମଚନ୍ଦ୍ର । ବକ୍ତା ଶୁଣି ପ୍ଳବଗକୁଳଚନ୍ଦ୍ର ।୪୩।
ବନୌକାଏ ନାମ ତା ମନ୍ଦକର୍ଣ୍ଣ । ବିରଚଇ ତପସ୍ୟା ବସି ବନ ।୪୪।
ବଳାତ୍କରେ ଏ ଇନ୍ଦ୍ରପଦ ନେବ । ବାର ଦାର ଶକ୍ର ଭୟ ସମ୍ଭବ ।୪୫।
ବାର ମଧ୍ୟେ ପୁର ସୁରଶିଳ୍ପୀ ଯେ । ବାରସ୍ୱତୀ ଲକ୍ଷ୍ୟ କରି କଳ୍ପି ଯେ ।୪୭।
ବଶ କରି ନୃତ୍ୟ ଗୀତେ ମନ । ବାଜେ ମର୍ଦ୍ଦଳ ତାଳ ତାଳୀମାନ ।୪୮।
ବୁଧ କ୍ଷତ୍ରିୟବର ବୋଲି ଯାଇ । ବନପତି ଦ୍ୱାରରେ ସ୍ଥିତ ହୋଇ ।୪୯।
ବୀରଡାକ ସର୍ଜିଲା ଅତି ଟାଣ । ବର୍ଷା ବିନା କି ଗର୍ଗେ ମେଘ ଦ୍ରୋଣ ।୫୦।
ବଣା ବିବେକ ହେଲେ ପୁରଜନେ । ବାଳି ଥିଲା ଯେ ମଧ୍ୟାହ୍ନ ଶୟନେ ।୫୧।
ବାରୁଣୀକି ପାନହିଁ କରିଥିଲା । ବାରୁଣୀରେ ଶବ୍ଦ ଶୁଣିଣ ଧାଇଁଲା ।୫୨।
ବଜ୍ରମୁଥେ ସୁଗ୍ରୀବ ଦମ୍ଭଶୃଙ୍ଗ । ବିଭଞ୍ଜନେ ବାହୁଡି ଗଲା ବେଗ ।୫୩।
ବିଲୋକିଲେ ଏତିକି ଚାପଧାରୀ । ବିଦ୍ୟୁ ଝଟକି ଲୀନ ହେଲା ପରି ।୫୪।
ବିପଥ ଯେ ଶୁଷ୍କନଦୀ ଭାନୁଜ । ବଢି ଜଳ ପଡି ଶୀଘ୍ର ସହଜ ।୫୫।
ବିଶ୍ରାମକୁ ନ ପାଇ କେଉଁଠାରେ । ବିଲୀନ ସେ ଗିରି ଗୃହା ସାଗରେ ।୫୬।
ବାହୁଡାବିଜେ ଦାଶରଥି କହି । ବଳ କିଛି ନାହିଁ ତ ମିତ୍ର ଦେହି ।୫୭।
ବାତାତ୍ମଜ ବାଣୀ କଲା ପ୍ରକାଶ । ବ୍ରହ୍ମପ୍ରଳୟଜଳେ ମେରୁ ନାଶ ।୫୮।
ବୁଲି ଋଷ୍ୟମୁକେ ଖୋଜି ନ ପାଇ । ବିବରକେ ସେ ଠାବ କଲେ ଯାଇଁ ।୫୯।
ବୃକ୍ଷବଂଶ ଭୟେ ଯଥା ଇନ୍ଦୁର । ବାହାରଇ ନାହିଁ ନିଜ ବିବର ।୬୦।
ବୋଧ ନ ଘେନି ସେ ଏମନ୍ତ ବୋଲି । ବୁକୁ ଚମକେ ଆଉ ଗଲେ ମଲି ।୬୧।
ବ୍ୟର୍ଥେ ନ ଅରଜ ପଶୁପାତକ । ବେଳେ ଗଲି ନ ବୁଝି ଯେଣୁ ବାକ ।୬୨।
ବିଷ ଖାଇଛି ଜାଣୁ ଜାଣୁ କେହି । ବର୍ତ୍ତିଥିଲେ ସମ୍ପତ୍ତି ଭୋଗ ହୋଇ ।୬୩।
ବିଚେଷ୍ଟାକୁ ଦେଖି ରଘୁନନ୍ଦନ । ବଳ ଦେଲେ କରିଣ ଆଲିଙ୍ଗନ ।୬୪।
ବ୍ୟାଘ୍ର ବିପିନେ ଯଥା ଛପିଥାଇ । ବାହାରର କ୍ଷୁଧାର୍ତ୍ତେ ରଡି ଦେଇ ।୬୫।
ବେନି ଭ୍ରାତ ଏକ ମୂର୍ତ୍ତି ବହନ୍ତି । ବାରି ନୋହିଲେ ବୋଲି ରଘୁପତି ।୬୬।
ବନମଲ୍ଲୀମାଳା କରି ରଚନ । ବିଲମ୍ୱାଇ କଣ୍ଠରେ କଲେ ଚିହ୍ନ ।୬୭।
ବତାସର ପରାୟେ ଧ୍ୱନିମନ୍ତ । ବେଗେ ଯାଇଁ ନଗର ପାଶେ ସ୍ଥିତ ।୬୮।
ବୃକ୍ଷାନ୍ତରେ ରହିଲେ ରଘୁରାଣ । ବସାଇଣ କୋଦଣ୍ଡ ଗୁଣେ ବାଣ ।୬୯।
ବ୍ୟାଧ ଜଗି ଯେମନ୍ତେ ଜଳଘାଟ । ବାତାସନ ଆଗମରେ ଲମ୍ପଟ ।୭୦।
ବିସ୍ମୟ ଯେ କିସ୍କିନ୍ଧ୍ୟାବାସୀ ଚାହିଁ । ବୋଲେ ପୀତବାସ ହେଲା କି ତହିଁ ।୭୧।
ବୋଲେ କେ ଖଗବହ ପକ୍ଷ ଥିବ । ବିଶେଷରେ ତେଜଚକ୍ର ସମ୍ଭବ ।୭୨।
ବୋଲେ ଅପୂର୍ବ ଶିବ ହେବ କେହି । ବିଭୂଷଣେ ଫୁଲ ମାଳୀ ସେବଇ ।୭୩।
ବୋଲେ କେ କର୍ମ ଉଦୟହିଁ ଖ୍ୟାତ । ବିଧିରେ ହଂସ ତୋଷଦାନେ ସ୍ୱତ ।୭୪।
ବୋଲେ କେହି ବନୌକାସାର ଏହି । ବାଞ୍ଛା ଭସ୍ମ ଚିତାରେ କି କରଇ ।୭୫।
ବିକର୍ତ୍ତନସୁତ ଏହି ସମୟେ । ବାଳି ଆସରେ ବୋଲି ଡାକ ଦିଏ ।୭୬।
ବୋଲାଉ ତୁ ମହୀଶ ଏ ଭୁବନେ । ବକ୍ଷଭେଦ ଷକାର ଏବେ ଘେନ ।୭୭।
ବିଭେଦ ନ ରହିବ ଚରମରେ । ବୀରଶାର୍ଦ୍ଦୂଳ ମୁଖ-ପତନରେ ।୭୮।
ବର୍ଣ୍ଣ ଅଧିକ ମହୀଶ ପଦରେ । ବିହାଇବା ଯେ ମହୀଶୟନରେ ।୭୯।
ବର୍ଷାମୁଖେ ଶୁଣି ଯଥା ସ୍ତନିତ । ବହି ଗରବ ଶରଭ ପ୍ରମତ୍ତ ।୮୦।
ବଡାଇରେ କେ ମୋ ଆଗେ ଗର୍ଜଇ । ବିଦାରଣେ ନ ଜାଣି ମୃତ୍ୟୁ ଡେଇଁ ।୮୧।
ବାଳୀଶ ତ ତଥା କୋପେ ଗମିତ । ବଳୀ ଶତପ୍ରକାରେ ନିଷେଧିତ ।୮୨।
ବାଳୀଶ ତ ନୁହ ଘେନି ସୁଚିତ । ବାଳୀବରାଟ ଦ୍ୟୁତେ ସଦା ଜିତ ।୮୩।
ବାଦେ ସହାୟ ସେ କାର ପାଇଛି । ବାସରଦେ ବେନି ଧର ଧାଇଁଛି ।୮୫।
ବ୍ୟୋମେ ଦୁନ୍ଦୁଭି ଅସ୍ଥି ଉଡାଇଲା । ବିନ୍ଧି ଅବା ସପ୍ତଶାଳ ଥୋଇଲା ।୮୬।
ବଦନ ମୋ ଚନ୍ଦ୍ରପରି ତାଟଙ୍କ । ବୃହସ୍ପତି ଶୁକ୍ର ପରି ଝଟକ ।୮୭।
ବିଧୁ ଥାଉଁ ସେ ତାରା ନୋହୁ ଅସ୍ତ । ବାସ ପ୍ରସାରି ମାଗୁଅଛି କାନ୍ତ ।୮୮।
ବଲ୍ଲଭୀର ବଚନ ନ ଘେନିଲା । ବାୟୁବେଗେ ଦୁର୍ଗ ଦ୍ୱାରେ ମିଳିଲା ।୮୯।
ବରାହବର ଦ୍ୱୀପୀ ଭେଟାଭେଟି । ବରାହବ ରଚିଣ ଯଥା ରଟି ।୯୦।
ବିବାଦୀ କି ସଉରୀ କୁଜ ଦୁଇ । ବିଶ୍ୱମ୍ଭରା ଭାରବଶେ କମ୍ପଇ ।୯୧।
ବ୍ୟାଳଯୁଗ୍ମ କି ଖେଳି ଗଡାଗଡି । ବୃକ୍ଷ ପାଷାଣ ତନୁ ଲାଗି ଛିଡି ।୯୨।
ବାଳି ସୁଗ୍ରୀବ ଉପରେ ଦିଶିଲା । ବାଜ ଶୁକକୁ କି ମାଡି ବସିଲା ।୯୩।
ବାଣ ପ୍ରହାରେ ଦେଖି ଦୃଷଣାରି । ବୁକୁ ଫୁଟି ପୃଷ୍ଠେ ମୁନେ ବାହାରି ।୯୪।
ବିବୁଧାଦ୍ରିରେ ଯେସନେକ ହୋଇ । ବାରଣେନ୍ଦ୍ର ଦଶନ ଭେଦି ରହି ।୯୫।
ବୋଲି ଅଙ୍ଗଦ ତକ୍ଷଣେ ଢଳିଲା । ବିନା କାରଣେ ଅଙ୍ଗଦତ୍ତ ହେଲା ।୯୭।
ବାହୁ ଟେକି ହସ୍ତରେ ପେଲି ଦେଇ । ବିରୋଚନନ୍ଦନ ଉଭା ହୋଇ ।୯୮।
ବାହାରିଲେ ଲକ୍ଷ୍ମଣ ରାମ ଘେନି । ବୃକ୍ଷାନ୍ତରୁଁ ଯେ ସସଙ୍ଗ ସେନାନୀ ।୯୯।
ବ୍ୟାଘ୍ର ବିନ୍ଧି ପକାଇ କିଛି ଦୂରେ । ବେଢି ଦେଖନ୍ତି ଯାଇ ଯଥା ନରେ ।୧୦୦।
ବାନରେଶ ପାଶେ ଥିଲେ ଦେଖିଲା । ବପୁବନ୍ତ ଦର୍ପକ ଏ ଯୋଖିଲା ।୧୦୧।
ବିଚାରିଲା ଦର୍ପକ ଏ ଅଗ୍ରତେ । ବଳବାନ ସୁନ୍ଦର ଯେ ଜଗତେ ।୧୦୨।
ବସୁନ୍ଧରା ଚୂଡାମଣି ମର୍କତ । ବିରାଜିବା ଜ୍ୟୋତି ଏବେ ବ୍ୟକତ ।୧୦୩।
ବୋଲୁଁ କେ ତୁମ୍ଭେ ବୋଇଲେ ଶ୍ରୀରାମ । ବଂଶେ ରଘୁ ନୃପତିର ଜନମ ।୧୦୪।
ବସୁମତୀରେ ଭାରା ହେଲେ ଦୁଷ୍ଟେ । ବସୁଁ ମତିରେ ଏହି କଥା ପୁଷ୍ଟେ ।୧୦୫।
ବୁଲି ବନରେ ବିରାଧ କବନ୍ଧ । ବଳ ସହିତେ ଖର କଲୁଁ ବଧ ।୧୦୬।
ବାତାୟଏ ହୋଇ ଆସୁଁ ମାରୀଚ । ବିନ୍ଧୁଁ ତାହାକୁ ଗୋଡାଇ ନାରାଚ ।୧୦୭।
ବିସର୍ଜୁ ସେ ପ୍ରାଣ ତ୍ରାହି ଲକ୍ଷ୍ମଣ । ବଚ କଲା ଭ୍ରାତ ଗଲା ତତ୍କ୍ଷଣ ।୧୦୮।
ବାମା ସେନେହେ ସଙ୍ଗେ ଆସିଥିଲା । ବୈଶ୍ରଗଣ ଏକା ଦେଖି ହରିଲା ।୧୦୯।
ବନିତାକୁ ଖୋଜୁ ଋଷ୍ୟମୁକର । ବଡ ଦୀନ ଦିନବନ୍ଧୁ କୁମର ।୧୧୦।
ବହି କରୁଣା ମିତ୍ର ଯେ ହୋଇଲୁଁ । ବୈରୀ ମିତ୍ରର ବୋଲିଣ ମାଇଲୁଁ ।୧୧୧।
ବାଳି ବୋଇଲା ତୁ ଦାଶରଥି କି । ବୃଦ୍ଧ ବାନରେ ନାଶିଲୁ ଏଥିକି ।୧୧୨।
ବପ୍ତା ଜିଣି ଯାହାର ଗ୍ରହ ଖଞ୍ଜ । ବିସ୍ତାରିଛି କୀରତିକି ସହଜ ।୧୧୩।
ବିମର୍ଦ୍ଦନ କ୍ଷତ୍ରୟ ଭୃଗୁ ବର । ବାଦେ କ୍ଷମ ନୋହିଲା ତ ତାହାର ।୧୧୪।
ବିଂଶବାହୁ ତୋର ଦାରା ବଇରୀ । ବାଦ ତା ସଙ୍ଗରେ ଆଗ ନ କରି ।୧୧୫।
ବୃଷଦଂଶ ରୂପରେ ଗୁପ୍ତେ ରହି । ବାଣେ ବିନ୍ଧିଲୁ ଦେହେ ରହେ ସେହି ।୧୧୬।
ବଡାଇକି ରକ୍ଷଣେ ଆପଣାର । ବୋଲି ଦେଲେ ରାମଚନ୍ଦ୍ର ଏ ଗିର ।୧୧୭।
ବଳ କୋଟି ସିଂହର କି ବାନରେ । ବହେ ବସେ ରାଜନ ପଦବୀରେ ।୧୧୮।
ବହେ ସିନ୍ଧୁରେ କି ନିତି ତର୍ପଣ । ବାମା ଅନୁଜ ଭ୍ରାତାର ହରଣ ।୧୧୯।
ବୃଜିନକୁ ଛେଦି ତୋ କଙ୍କପତ୍ରେ । ବଧି ଜଣକୁ ଋଣ ଦେଲୁ ମତ୍ରେ ।୧୨୦।
ବୃଦ୍ଧି କଳନ୍ତର ହୋଇ ପ୍ରବର୍ତ୍ତି । ବଧିବେ ସେ ରାବଣ ପୁତ୍ର ନାତି ।୧୨୧।
ବୋଲିଛନ୍ତି ସୀତା ଆଣି ଦେବାର । ବାଳି ବୋଇଲା କ୍ଳେଶରେ ହେବାର ।୧୨୨।
ବିକ୍ଳେଶରେ କେ ନୋ ବିନା କରତା । ବ୍ରହ୍ମାଣ୍ଡେ ସେ ଏକା ମୋର ବିନତା ।୧୨୩।
ବିଭାକର ତେଜସ୍ୱୀ ଯଥା ହେଲେ । ବିଧୁନ୍ତୁଦ କେବଳ ଗ୍ରାସେ ଭଲେ ।୧୨୪।
ବିଶଲ୍ୟକୁ କରିବା ରାମ ଭାଷି । ବଇକୁଣ୍ଠକୁ ମୋତେ ବାଟ ଦିଶି ।୧୨୫।
ବଇକୁଣ୍ଠ ତୁ ହେଲୁ ନାଶହେତୁ । ବର୍ଷ୍ମବନ୍ତେ ଅବଧି ହୋଏ ମୃତ୍ୟୁ ।୧୨୬।
ବୋଲୁଁ କପିଈଶ ଆସେ ଅଙ୍ଗଦ । ବାର୍ତ୍ତା ପାଇ କହେ ଲଭି ବିଷାଦ ।୧୨୭।
ବିଚିତ୍ରେକ ପୂର୍ବରେ ହୋଇଥିଲା । ବିନ୍ଧ୍ୟାକରୋଧୀ ସମୁଦ୍ର ପିଇଲା ।୧୨୮।
ବିଚିତ୍ରେକ ଏବେ ତୋହ ଶରୀରେ । ବିଭେଦିତ ହୋଇଲା ତୀକ୍ଷ୍ଣଶରେ ।୧୨୯।
ବିଷ୍ଣୁ ମଧୁକଇଟଭ ପାତାଳେ । ବିନାଶରୁ ଏ କୀର୍ତ୍ତି ବଳାଇଲେ ।୧୩୦।
ବର ବରାହ ମୂରତି ଧରିବା । ବଡ ନୋହେ ହିରଣାକ୍ଷ ମାରିବା ।୧୩୧।
ବଳି ହିରଣ୍ୟ ଦାରଣୁ ଏ ଯଶ । ବଳି ପାତାଳେ ରଖିବା ରହସ୍ୟ ।୧୩୨।
ବଳି ଭୂତ ଭବିଷ୍ୟ ବର୍ତ୍ତମାନେ । ବଳିମୁଖେଶ ସମା କେ ଭୁବନେ ।୧୩୩।
ବଳି ଦଶଦିଗକୁ ଦଶଶିର । ବଳିଅଛି ମନ ଏବେ ଦେବାର ।୧୩୪।
ବିଷ୍ଣୁ ଏହି ବୋଳିଣ କପୀଶ୍ୱର । ବିଲମ୍ବାଇ ସୁଗ୍ରୀବ ସୁଗ୍ରୀବର ।୧୩୫।
ବାସ୍ତୋସ୍ପତି ଦେଲା ରତ୍ନମାଳାକୁ । ବାହୁ ଧରି ସମର୍ପି ଅଙ୍ଗଦକୁ ।୧୩୬।
ବାହୁଳେୟ କି ଶର ନେଇ କ୍ରୌଞ୍ଚୁ । ବାହୁଜେଶ ଉତ୍ପାଟ ଶରରଚୁଁ ।୧୩୭।
ବିଶେଷତ ତପ ପ୍ରଭା ହୋଇଲା । ବିନିର୍ଗତ ଜୀବନରେ ରହିଲା ।୧୩୮।
ବଚଞ୍ଚଳ ନେତ୍ରମୀନ ସ୍ତବଧ । ବିକଶିଲା ନାହିଁ ହାସକୁମୁଦ ।୧୩୯।
ବାଳି-ବେର ଯେମନ୍ତ ଶୁଷ୍କ ହ୍ରଦ । ବାର୍ତ୍ତାବହୁଁ ତାରା ଶୁଣି ବିଷାଦ ।୧୪୦।
ବାଳ ଫିଟି ଲୋଟେ ପୃଷ୍ଠେ ଧାବନ୍ତେ । ବାରିଦ କି ଖେଳେ ହେମ ପର୍ବତେ ।୧୪୧।
ବଳ ଖସିଲା ପରି ପୁଷ୍ପ ପଡେ । ବାଷ୍ପଜଳ ନୟନଯୁଗୁଁ ଗଡେ ।୧୪୨।
ବିଲୋଚନୁ ଦ୍ରବି ବହେ କଳଙ୍କ । ବକ୍ତ୍ର ପାଶେ ଚଞ୍ଚଳିତ ତାଟଙ୍କ ।୧୪୩।
ବିକାରେ କି ବାତର ଶୋଭାଜଳେ । ବେନି ନିର୍ମଳତର ତାର ଚଳେ ୧୪୪।
ବକ୍ଷୋଜରୁ ଖସେ ମୁକୁତା । ବସୁନ୍ଧରା ନୀରବିନ୍ଦୁ ଶୋଭିତା ।୧୪୫।
ବୈବସ୍ୱତ ପୁରେ ଗଲା ଏ ସ୍ୱର । ବିଧବା କରି ମୋତେ ପ୍ରାଣେଶ୍ୱର ।୧୪୬।
ବେଳ ଅସ୍ତ ହୋଇଲା ପ୍ରଭାତରେ । ବୋଲି ପଡିଲା ବାଳିର ଉପରେ ।୧୪୭।
ବଳାହକୁଁ ଛିଡିପଡି ବିଜୁଳୀ । ବଳାହକ ଉପରେ କିବା ଖେଳି ।୧୪୮।
ବିଲୋକନ କରିଣ ରଘୁବୀର । ବିଚାରିଲେ ବାନରୀ ଅସୁନ୍ଦର ।୧୪୯।
ବୋଲନ୍ତି ଯେ ଜନମାନେ ସଂସାରେ । ବିଲକ୍ଷିତ କେଉଁ ରମ୍ଭା ଏହାରେ ।୧୫୦।
ବୋଲାଇଲା ଏଥିକି ନାମ ତାରା । ବିହି ବିହୁଁ ହୋଇଲା ନେତ୍ରତାରା ।୧୫୧।
ବାଳିବାଳୀ ଶ୍ରୀରାମେ ଅନାଇଲା । ବାଣୀବାଣ ବ୍ୟାକୁଳେ ଯୋଗକଲା ।୧୫୨।
ବିଚ୍ଛେଦ ଯେ କଲା ମୋ ବଲ୍ଲଭର । ବାଳାଭୋଗ ସମ୍ପୂର୍ଣ୍ଣ ନୋହୁ ତାର ।୧୫୩।
ବ୍ୟଥା ଉପଜାଇ ରଘୁ ନାୟକେ । ବାଳି-ବିନ୍ଧିବା କାଣ୍ଡରୁ ଅଧିକେ ।୧୫୪।
ବିଧବା ତୁ କିମ୍ପାଇ ହେବୁ ଲୋକେ । ବସ ସୁଗ୍ରୀବ କୋଳେ ଅଭିଷେକେ ।୧୫୫।
ବସୁଁ ପ୍ରହ୍ଲାଦ ଇନ୍ଦ୍ରପଦ ଲଭି । ବୃଷା ଥାଉଁ ଶଚୀ ତାର ବଲ୍ଲଭୀ ।୧୫୬।
ବଧୂ ଅଧିକ କି ଶାଶୁଠାବରୁ । ବୋଧି ତାକୁ ବାଣୀ ଏହି ନ୍ୟାସରୁ ।୧୫୭।
ବାନରେନ୍ଦ୍ର ମିତ୍ରକୁ କରି ମୋଦେ । ବିହି ଯୁବରାଜ ପଦ ଅଙ୍ଗଦେ ।୧୫୮।
ବିଦ୍ୟ ପଟ୍ଟମହିଷୀ ତାରା ହୋଇ । ବନ୍ଦ୍ୟା ସାଧ୍ୱୀପଦରେ ବର ପାଇ ।୧୫୯।
ବଦନକୁ ମିତ୍ରର ଚାହିଁ ଭାଷେ । ବଡ ଦୁଃଖୀ ହୋଇଛ ବନବାସେ ।୧୬୦।
ବିଚ୍ଛେଦିତ ହୋଇ ପ୍ରିୟବତୀରେ । ବିଚ୍ଛେଦିତ ନିତିରେ ସୁରତୀରେ ।୧୬୧।
ବଞ୍ଚି ବରଷାଯାକ ରହି ପୁରେ । ବାଦୀ ହେବା ଲଙ୍କେଶେ ତଦୁତ୍ତାରେ ।୧୬୨।
ବର୍ଷା ବଞ୍ଚୁ ଆମ୍ଭେ ମାଲ୍ୟବନ୍ତରେ । ବୋଡି ବିଜେ ଲକ୍ଷ୍ମଣ ସଙ୍ଗତରେ ।୧୬୩।
ବୃତ ସେନାନୀରେ ହୋଇ ସୁଗ୍ରୀବ । ବାହୁଡାଇ ଦେଲେ ପଥୁଁ ରାଘବ ।୧୬୪।
ବଳ ସାଜି ଆସ ନ ବଳଁ କଣ୍ଟ । ବୋଲି ସୌମିତ୍ରେୟ ବାଣୀ ପ୍ରକଟ ।୧୬୫।
ବିଭାବସୁବଂଶିକ ତ୍ୱାରା ହୋଇ । ବସା ମାଲ୍ୟବନ୍ତରେ କଲେ ଯାଇ ।୧୬୬।
ବିଶ୍ୱଧାତ୍ରୀରୁ ହତ ହେଲେ କୀର୍ତ୍ତି । ବିଖ୍ୟାତିବେ ଅସୁରନାଶ କୀର୍ତ୍ତି ।୧୬୭।
ବସୁମତୀଧରେ ଶ୍ରେଷ୍ଠ ସାର । ବୋଲାଇଲା ରଚୁଁ ରାମ ବିହାର ।୧୬୮।
ବିଗତ ଦୁଃଖ ସୁଗ୍ରୀବ ସୁରଙ୍ଗେ । ବିଳସୈ ଯେ ତାରା ରୁମା ସଙ୍ଗେ ।୧୬୯।
ବିମଳିନ ଛତ୍ର ଚାମର ପୁଞ୍ଜ । ବିରାଜିତ ଭ୍ରମଣରେ ସହଜ ।୧୭୦।
ବୁଧେ ବୁଝ ଏ ଗୀତ ହୋଇ ତୋଷ । ବିଂଶ ଅଷ୍ଟ ଅଧିକ ଛାନ୍ଦ ଶେଷ ।୧୭୧।
ବାସ୍ତରି ଅଧିକ ଶତଶପଦ । ବିହୁ ସକଳ ହୃଦୟେ ପ୍ରମୋଦ ।୧୭୨।
ବନ୍ଦେ ବୀରବର ଭଞ୍ଜ ଆନନ୍ଦେ । ବଇଦେହୀଶ ଚରଣାରବିନ୍ଦେ ।୧୭୩।