ବୈଦେହୀଶ ବିଳାସ/ବିରୋଧାଭାଷ ପ୍ରକଟାଇ କବିରେ

ଉଇକିପାଠାଗାର ରୁ
Jump to navigation Jump to search
ବୈଦେହୀଶ ବିଳାସ ଲେଖକ/କବି: ଉପେନ୍ଦ୍ର ଭଞ୍ଜ
ଊନତ୍ରିଂଶ ଛାନ୍ଦ:

ରାଗ - କଲ୍ୟାଣ ଆହାରୀ

  
ବିରୋଧାଭାଷ ପ୍ରକଟାଇ କବିରେ ବରଷା ସମୟ ସଞ୍ଚରି ।
ବ୍ୟାପି ଶୋଭା ଦିଶେ ଭୟଙ୍କର ଦିଶେ ଗରାସେ ଘନାଘନ ହରି ।
ବିସର୍ଜଇ ଯେ । ବଡ ଆନନ୍ଦରେ ଜୀବନ ।
ବିଧି କାଳିକା ମହିଷସନ୍ତାପ ନାଶି ପ୍ରମୋଦ କରେ ଦାନ ।୧।
ବିଜନିତ କଲା ଶ୍ୱା(ସ୍ୱା)ନ ଅବିରତେ ଚମକ ରଚିଲା ଶରଭେ ।
ବିହିତ ଦ୍ୱିଜବ୍ରଜର କଷଣକୁ କରକେ ପୁଣ ସେ ଆରମ୍ଭେ ।
ବୃଦ୍ଦଶ୍ରବାର । ବାଣାସ(ଶ)ନ ଯେ ହୋଇ ଜାତ ।
ବିହିତ ରୋହିତ ସ୍ୱରୂପ ତ୍ୱରିତ ନାକରେ ରଙ୍ଗେ ବିହରିତ ।୨।
ବିଷ୍ଣୁ-ପଦ ଲୀନ ହେବାରେ ଚଞ୍ଚଳା ଜ୍ୟୋତି ପ୍ରକାଶି କଲା ଲୀଳା ।
ବିଷକଣ୍ଠ ସୁଖେ ବିଳସେ କୁଳିଶେ ଗିରିଜା ସଂଘାତି ହୋଇଲା ।
ବିଲୋକନେ ଯେ । ବିରସ ଯୋଗିଏ ନୋହିଲେ ।
ବିକାଶ ପୁଷ୍ପେ ସୁଜାତି ସୁମନାଏ ମଧୁପ ମନକୁ ମୋହିଲେ ।୩।
ବ୍ରହ୍ମପୁତ୍ରକୁ ଭକ୍ଷିବା ଇଚ୍ଛା କଲେ ବିଚ୍ଛେଦୀ ହୋଇଥିଲା ଜନେ ।
ବିଚାରି ପଥିକ ପଦ ବିସରିଲେ ଅତି ଉତ୍ସୁକ ଜାତ ମନେ ।
ବିହେ ଅଗତି । ବହେ ତହିଁରେ ସଦା ଗତି ।
ବିପଟ ବିନାଶେ ସୁମନରେ ହସେ ଗଣିକାପନ୍ତି ଦିବାରାତି ।୪।
ବିମଳା କକୁଭ କଦମ୍ୱ କକୁଭ କଦମ୍ୱ ମଳିନ ରଭସେ ।
ବିଦିତ ଉଡୂପ ପୁଷ୍ପରେ ଉଡୁପ ଆଉ ଯେ ନ ଦିଶେ ।
ବନେ କଲେ ଯେ । ବରହୀ ଶିଖା ଟେକି ନୃତ୍ୟ ।
ବନେ ହେଲେ ଯେ ବରହି ଶିଖା ତହିଁ ସମସ୍ତେ ପରକାରେ ହତ ।୫।
ବାହାରୁ କନ୍ଦଳୀ ଭକ୍ଷିଲେ କନ୍ଦଳୀ ହୋଇ ଅତିଶୟ ଲାଳସ ।
ବିପୁଳ କାମଦର ଦୂର ନୋହିଲା କାମେ ଦରଦୁର ହରଷ ।
ବର କୋଳରେ । ବସି ଗନ୍ଧବତୀ ଶୋଭନ ।
ବର କୋଳରେ ଗନ୍ଧବତୀ ଅଶୋଭା ସହଜେ ହୋଇଲା ଜନନ ।୬।
ବିଯୋଗୀ ସାରସେ ସଂଯୋଗୀ ସାରସେ ହୋଇ ଯେ ରହିଲେ ସରସୀ ।
ବିଗତ ହେଲେ ଦିନଚକ୍ର ଆଗତ ହୋଇଲେ ଦୀନଚକ୍ର ଆସି ।
ବାଳିନାଶନ । ବାଳୀପ୍ରୀତିମନ୍ତ ଶ୍ରବଣ ।
ବନଦନିନଦ କରୁ ପଚାରିଲେ ଶୁଣ ସୁଲକ୍ଷଣ ଲକ୍ଷ୍ମଣ ।୭।
ବୋଲେ ଘଟ ଘଟ କେଉଁ ଘଟକାର ଏହି ଘଟ ଘଟ ନେବ ?
ବିଦୁର ଧନ ଯାହାର ତାକୁ ଘୋଟ ଲଗାଇ କି କଲା ଦଇବ ।
ବୁଲେ ତା ଚାର । ବୃତ୍ତ ଏଣୁ କାଳ କଣ୍ଟକେ ।
ବେଭାରେ ମୁଁ ବୋଲି ଚିହ୍ନି ନ ପାରିଟି ପୁଚ୍ଛନ୍ତି କୋକା କୋକା ଡାକେ । ୮।
ବଳାତ୍କାରେ ଘଟ ଘେନିକେ ଅଛି ତ ମନ୍ଦେ ଭଲ କଷ୍ଟୁ ତରଣେ ।
ବାର୍ତ୍ତା ପାଇ ପ୍ରାଣେଶ୍ୱରୀ ଅନୁସରି ସୁଗତି ଅଛି ତା ଚରଣେ ।
ବନ୍ଧୁ ସେ ପୁଣି । ବାରିଦାନ ନେତ୍ରୁ କରଣେ ।
ବାକ୍ୟ ହା ନାଥ ଯୁକ୍ତେ ହେବ ସୁଗତି ଧାତା ବନ୍ଦିବା ଏ କାରଣେ ।୯।
ବାହାରି ପର୍ଣ୍ଣବାସୁ ଚାହିଁ ବୋଇଲେ ବିଭ୍ରମେ ସରାବୁଁ ରାବଣ ।
ବୈଦେହୀ ହରଣେ ଜଟାୟୁ ମାରଣେ ଗରୁଡ଼ ଡରେ ପକ୍ଷୀଗଣ ।
ବେଢିଛନ୍ତି ଯେ । ବିକାଶି କେ ଶିଖା କେ ଡାକେ ।
ବସିଣ ମରୁତରଥେ ଶର ବୃଷ୍ଟି କରେ ଯୁକ୍ତ ହୋଇ କାର୍ମୁକେ ।୧୦।
ବାଳାକୁ ମୋର ଚରମେ ଲୁଚାଇଛି ନ ଦିଶେ ତେଣୁ ଶଶୀମୁଖ ।
ବିଦ୍ୟୁତକାନ୍ତି ଦିଶି ନ ଦିଶି ଯାଉଛି ଅଙ୍ଗ ପ୍ରଚଳେ ତାର ଦେଖ ।
ବାଣୀ କୋକିଳ । ବହିଛି ଗଦ୍ଗଦ ଶୋକରୁ ।
ବଢାଇ ସମର ଛଡାଇ ଘେନିବା ସାର ନାହିଁ ଏହା ବିଚାରୁ ।୧୧।
ବରଷା ହେଲାଣି ଘନ ନଭେ ଖେଳେ ଭାଷିଲେ ଶତ୍ରୁଘନ ଜ୍ୟେଷ୍ଠ ।
ବିନତି ହେଲେ ଉନ୍ନତି ଛାଡି ଦୂତ ହୁଅ ବୋଲିଣ ହୋଇ ହୃଷ୍ଟ ।
ବାରିବାହୁ ହେ । ବିନାସିଛ ଦବବିକଳ ।
ବନରାମର ମୁହିଁ ରାମ ବିନାଶ କାମାନଳତାପ ଚପଳ ।୧୨।
ବୀରହରେ କ୍ଷୀଣ ଭୀରୁମଣି ଧନ ନ ନିଅ ପ୍ରଖର ପବନ ।
ବଜ୍ରପତନ ସ୍ତନିତ ନ କରିବ ପ୍ରବେଶ ହେବ ସନ୍ନିଧାନ ।
ବାରିବାହ ହେ ! ବନ୍ଧୁ ନବାନୁଭବୀ ସତ ।
ବୋଲିବ ଯେମନ୍ତେ ଶିବ ଶିବ ନିତ୍ୟେ ସେ ରୂପେ ମନାଇବ ଚିତ୍ତ ।୧୩।
ବୁଝାଅ ତୁ ପରା ପରାଣ କାନ୍ତର ତୋ ହତେ ସେ ତ ନ ଜୀଇଁବ ।
ବରରସିକା ସ୍ନେହାଧୀନା ଏ ଶଙ୍କା ବହିଟି ଜୀବନେ ରହିବ ।
ବାରିବାହ ହେ ! ବଚନେ ରଚିବ ଏତେକ ।
ବିଚ୍ଛେଦେ ଅନେକ ଦିଶୁ ତୁ ତ ଏକ ପୁଣି କେଉଁ କଉତୁକ ?୧୪।
ବୁଜୁଁ ନୟନ ଶୟନେ ଲୀଳାମାନ ଦିଶିଯାଇ ତେଣୁ ତୋହର ।
ବେଳ ତେତେକ ସୁଖ ଭୋଗ ଯେତେକ କଉତୁକ ଜାତୁଁ ମାତର ।
ବାରିବାହ ହେ ! ହୋଲ ଦୁଃଖୀ ସଦା ନୋହିଲେ ।
ବାହାରେ ତୋହର ଆହା କରିବାକୁ ସାହା ନାହିଁ ଯହୁଁ ଅଖିଳେ ।୧୫।
ବେଶ କରେ ମାନସିକେ କେଶ ବାନ୍ଧୁ ଅଳତା ଲେଖନ ପର୍ଯ୍ୟନ୍ତେ ।
ବିଚାର ମାନସ ମୁଁ ପ୍ରିୟାର ଦାସ ସେବା ବିଘ୍ନ ନୋହେ ଯେମନ୍ତେ ।
ବାରିବାହ ହେ ! ବିସ୍ମରିବ ନାହିଁ ଏ ବାଣୀ ।
ବର୍ତ୍ତନ ରତିରତନ ଲେଖି ଦେବ ଭେଟେ ତରୁଣୀ ନୋହି ଋଣୀ ।୧୬।
ବିନିଦ୍ରେ ରଜନୀ ନିଏ ଯୋଗଧ୍ୟାନୀ ଜପେ ତୋ ନାମ ମନ୍ତ୍ର କରି ।
ବାସରେ କ୍ଷୁଧା ନାହିଁ ଅନ ରୁଚିବ ଯେ ତୋ ଓଷ୍ଠ ସୁଧା-ଆହାରୀ ।
ବାରିବାହ ହେ ! ବିନିମିଷ ନେତ୍ର କହିବ ।
ବିଚିତ୍ର ଦର୍ପଣ ହେଲା ସେ ଅନ୍ତରେ ଧରିଛି ଟିକି ପ୍ରତିବିମ୍ୱ ।୧୭।
ବିଗ୍ରହ ରମଣୀ ମୁହିଁ ଛାଇ ପୁଣି ନ ଛାଡ଼ୈ ଅନବରତ ।
ବେଦବର ଭିନ୍ନ ଭିନ୍ନ କରାଇଲା ଅନ୍ଧାର କରାଇ ଜଗତ ।
ବାରିବାହ ହେ ! ବିକାଶ ହୋଇ ନିଶି ଦିନ ।
ବିଧୁମୁଖ ହାସ ଅରୁଣ ଅଧର ତାମ୍ବୁଳ କିରଣ ପ୍ରସନ୍ନ ।୧୮।
ବିଚ୍ଛେଦ ତମଗ୍ରସ୍ତେ ସିନା ପତନ ହେଉଅଛି ମୋର ଭରସା ।
ବିଶିଷ୍ଟରେ ମୁକ୍ତି ହେବ ମହାଦର ନାହିଁ ନିର୍ମଳ ହେବ ଆଶା ।
ବାରିବାହ ହେ ! ବପୁଯୁକ୍ତ ହେବି ପୁଣି ତ ।
ବିଧାନ ଚକୋର ପଦ୍ମ ଲକ୍ଷ ନେତ୍ରେ ସେ ଦେଖି ହେବେ ଉଲ୍ଲସିତ ।୧୯।
ବୈଦ୍ୟ ଯୋଷା ହେବ ଆହୁରି ଉତ୍ସବ ଅନଙ୍ଗବ୍ୟାଧି ତୁଟିଯିବ ।
ବଦନ ଔଷଧିଈଶ ଓଷ୍ଠ ଉଦେ ଭାସ୍କରରସ ଯହୁଁ ଦେବ ।
ବାରିବାହ ହେ ! ବନ୍ଧ କୁ ଏତେ ଘେନାଇବ ।
ବସି ଏ ଭାବନା କରେ ଉଦଯୋଗ ଯେମନ୍ତେ ତ୍ୱରିତେ ହୋଇବ ।୨୦।
ବଲ୍ଲଭୀ ବୋଲି ମୋର ତାକୁ ଚିହ୍ନିବ ଯେ ଶଯ୍ୟା କରିଥିବ ଧରା ।
ବିଶୀର୍ଣ୍ଣ ଶାଣବସା ରତ୍ନ ଗଣ୍ଠିରୁ ଫୁଟି ପତନ ହେଲା ପରା ।
ବାରିବାହ ହେ ! ବସିଥିବ ଅବା ଦେଖିବ ।
ବେଣୀ ପୃଷ୍ଠଭାଗେ ମନ୍ତ୍ରଧୂଳିପାତ ସ୍ଥଗିତ ନାଗ ପ୍ରାୟ ଥିବ ।୨୧।
ବାର୍ତ୍ତା ମୋର କହି ତା ବାର୍ତ୍ତା ଆଣିଲେ ଭେଟ ହେଲା ଦିନୁ ପ୍ରିୟାର ।
ବଡାଇ ତୋ ରଖି ଘନକେଶୀ ବୋଲି ନିତ୍ୟେ ଡାକିବି ସତ୍ୟ ମୋର ।
ବୋଲୁଁ ବାରିଦ । ବାୟୁବଳେ ଚଳୁଁ ଦକ୍ଷିଣେ ।
ବିଚାରି ଗଲା ତ ତୃପତି ବାଇଶିପଦରେ ଉପଇନ୍ଦ୍ର ଭଣେ ।୨୨।