ବୈଦେହୀଶ ବିଳାସ/ବାତାପି ସୂଦନ ଆଶ୍ରମ

ଉଇକିପାଠାଗାର ରୁ
Jump to navigation Jump to search
ବୈଦେହୀଶ ବିଳାସ ଲେଖକ/କବି: ଉପେନ୍ଦ୍ର ଭଞ୍ଜ
ଦ୍ୱାବିଂଶ ଛାନ୍ଦ:ବାତାପି ସୂଦନ ଆଶ୍ରମ

ଭାଗବତ ବୃତ୍ତେ

        
              
ବାତାପି ସୂଦନ ଆଶ୍ରମ | ବିପିନେ ପ୍ରବେଶ ଶ୍ରୀରାମ |୧|
ବଇରୀ ହିଂସା ତହିଁ ହତ | ବଇରୀ ସନ୍ନିଧି କପୋତ |୨|
ବାୟସ କଉଶିକ ମେଳ | ବସି ଅଛନ୍ତି ଏକ ଡ଼ାଳ |୩|
ବ୍ୟାଳ ଫଣାକୁ ଟେକି ଖେଳି | ବରହୀ ପାଶେ ନୃତ୍ୟଶାଳୀ |୪|
ବାରଣ ସିଂହ ଏକ ସ୍ଥାନ | ବିରଚି ଅଛନ୍ତି ଶୟନ |୫|
ବ୍ୟାଘ୍ର କୁରଙ୍ଗ ରଙ୍ଗ ବହି | ବୃକାଳି ମିଳୁଛନ୍ତି ତହିଁ |୬|
ବତ୍ସା ଧେନୁଙ୍କ ମହିଷିର | ବିଭୀତେ ପାନ କରେ କ୍ଷୀର |୭|
ବକ ପାଶରେ ଜଳଘାଟେ | ବିଶ ରକୁଳହିଁ ଚହଟେ |୮|
ବ୍ରାହ୍ମଣ ତପୋବଳ ସାର୍ଥ | ବିଚାର କଲେ ରଘୁନାଥ |୯|
ବିଲୋକି ସୀତା ଋଷିଶିଷେ | ବିତର୍କି ଏମନ୍ତ ମାନସେ |୧୦|
ବୃଦ୍ଧଶ୍ରବାରେ କୋପୀ ପରା | ବନେ ଆସିଲା ଚାରୁଧାର |୧୧|
ବୋଧୁଛନ୍ତି ଗୋଡ଼ାଇ ସଙ୍ଗେ | ବିଦ୍ୟାଧର ଯୁଗଳ ରଙ୍ଗେ |୧୨|
ବୋଧ ନ ଘେନୁ କି ଅଦମ୍ବା | ବଳେ ଜାନୁରେ ଯେଉଁ ରମ୍ଭା|୧୩|
ବନଜପାଦେ ଦେଇ ଦେଖା | ବିନିତି ଧରି ଚିତ୍ରରେଖା |୧୪|
ବିମଳ ଚିବୁକକୁ ଛୁଇଁ | ବିନୟୀ ଚନ୍ଦ୍ରକଳା ହୋଇ |୧୫|
ବାସଅଙ୍ଗୀରେ ଆଲୀଙ୍ଗନ | ବିଚିତ୍ର କାଳବତୀ ଘେନ |୧୬|
ବିଶିଷ୍ଠ ଯେ ସୁନ୍ଦରୀବୃନ୍ଦ | ବହେ ଏ ପୁରନ୍ଦରୀ ପଦ |୧୭|
ବାଦୀ ତହିଁରେ କେହି ହୋଇ | ବିରୋଧୀ କନ୍ତେ କାହିଁପାଇଁ |୧୮|
ବୋଲେ ସେ ଗୌତମ ଅବଳା | ବୃକ୍ଷାସଙ୍ଗମୁଁ ଶାପେ ଶିଳା |୧୯|
ବିକୁକ୍ଷିବଂଶୀ ରାମପଦ | ବାଜି ତା ପୂରୁବ ସମ୍ପଦ |୨୦|
ବଜ୍ରୀର ରସେ ବଡ଼ ପ୍ରୀତି | ବଳାଉଥିବ ପୁଣି ମତି |୨୧|
ବିଜ୍ଞ ସର୍ବଜ୍ଞ ସୁଦକ୍ଷିଣ | ବୋଇଲେ ଶୁଣି ତତକ୍ଷଣ |୨୨|
ବିଦ୍ୟାଧର ନୋହ ଏ ବେନି |ବିଜେ ରାମ ଲକ୍ଷ୍ମଣ ଘେନି |୨୩|
ବିଶ୍ବମୋହନରୂପ ଦୁଇ | ବିଧୁ ମଦନ ନ ଘଟଇ |୨୪|
ବହେ କଳଙ୍କ ଏକ ଅଙ୍କେ | ବିଦେହ ଏକ ଶୋଭା ଅଙ୍କେ |୨୫|
ବିଦେହ ରାଜସୁତା ସଙ୍ଗେ | ବିହିଲ ଲକ୍ଷକୁ କି ରଙ୍ଗେ |୨୬|
ବପୁଏ ହେଲେ ଲକ୍ଷ ଶଚୀ | ବହନ୍ତା କାହୁଁ ଏତେ ରୁଚି |୨୭|
ବର୍ଣ୍ଣନା କବିମାନଙ୍କର | ବିହିବା ସୀତାଠାରେ ସର |୨୮|
ବ୍ୟର୍ଥ ଅନ୍ୟ ସ୍ତିରୀଙ୍କ ଠାବ | ବୋଲିବା ନ ଥିଲା ନୋହିବ |୨୯|
ବର୍ତ୍ତମାନରେ ଅଛି ଏହି | ବିଶ୍ବେ ଖୋଜିଲେ ଆଉ ନାହିଁ |୩୦|
ବନଜାସନୀ ଯହିଁ ଯେତେ | ବାର ବାର ଜନ୍ମିବ ମର୍ତ୍ତ୍ୟେ |୩୧|
ବିହି ନ ଥିବ ନ ବହିବ | ବିଗ୍ରହେ ଏପରି ସ୍ବଭାବ |୩୨|
ବୋଲୁଁ ସେ ଆଶ୍ରମେ ପ୍ରକଟି | ବାରିଧିଚଳୁକଙ୍କୁ ଭେଟି |୩୩|
ବସାଇ ପ୍ରଣିପତ୍ୟ କ୍ଷଣେ | ବିଧିସମ ସେ ସବୁ ଜାଣେ |୩୪|
ବିରଚି ମାନସିକ ପୁଜା | ବୈଦର୍ଭୀ ପାଶେ ଜନକଜା |୩୫|
ବିରାଜି କହ୍ଲାର ପାଶରେ | ବିକଚ ପଦ୍ମ ଯେ ପ୍ରକାରେ |୩୬|
ବିଦୁଷେ ପ୍ରଶଂସିତ ସଦା | ବଡ଼ ସୁନ୍ଦରୀ ଲୋପାମୁଦ୍ରା |୩୭|
ବୈଦେହୀ ତା ଲୋପ କରାଏ | ବାଛି ଅମୁଦ୍ରା ମୁଦ୍ରା ପ୍ରାୟେ |୩୮|
ବିଧାତା ହୃଦ ସଂପୁଟକୁ | ବୋଲିବା ଲୋପାମୁଦ୍ରା ତାକୁ |୩୯|
ବପୁକୁ ଚାହେଁ ଆପଣାର | ବିଲୋକେ ସୀତା ମନୋହର |୪୦|
ବିନାଶନ ରୁପଗର୍ବିତା | ବଢ଼ାଇ ଚିତ୍ତୁଁ ହୋଇଲା ତା |୪୧|
ବାର ବାର ସେ ଡୋଳାଅଳି | ବିଚିତ୍ରବଲ୍ଲୀ ପରେ ଢ଼ାଳି |୪୨|
ବିମଳ ଜଳ ସ୍ତଳ ଫୁଲ | ବିଦିତ ଚାରି ଷଟ ମେଳ |୪୩|
ବିଚାରେ ଏହାର ରଞ୍ଜିତା | ବାଣୀ ପଦ୍ମିନୀ ରସଲତା |୪୪|
ବିନ୍ଧ୍ୟଭୁଲୋକ ରାମେ ତହିଁ | ବ୍ରହ୍ମାସ୍ତ୍ର ଚାପ ତୂଣ ଦେଇ |୪୫|
ବୋଲେ ଏ ଶରେ ରାବଣର | ବଧ ବିଚାର ରଘୁବୀର |୪୬|
ବଳବାନରୁ ବଳି ତେଜେ | ବଡ଼ ଏ ନାରାଚସମାଜେ |୪୭|
ବିନ୍ଧିବା ତ୍ରିପୁରେ କଳ୍ପିଲା | ବୃଷାଙ୍କ ଧନୁ ଜଳିଥିଲା |୪୮|
ବାଣାସନକୁ ତଥା ଘେନ | ବଜ୍ରାଗ୍ନି ଦହଇ କି ଘନ |୪୯|
ବିଜୟ ତୁଣ ଝର ପରି | ବାଣ ବିନ୍ଧୁଥିଲେ ନ ସରି |୫୦|
ବନରେ ପଞ୍ଚବଟୀ ସାର | ବେଶ ଥହିଁରେ ଯାଇ କର |୫୧|
ବାଟଦେଖାକୁ ଶିଷ୍ୟେ ଦେଲେ | ବିଜୟ ସେ ସ୍ଥାନରେ କଲେ |୫୨|
ବିଲୋକି ନଦୀ ଗୋଦାବରୀ | ବାମା କି ଶୁକୁ ଅଭିସାରୀ |୫୩|
ବିଷଦ ଫେନ ପାଟ ଶାଢ଼ୀ | ବାନ୍ଧି ହୋଇଛି ଫୁଲ ପଡ଼ି |୫୪|
ବିଶୁଦ୍ଧ ଦଶା ସ୍ଥିତ ହୋଇ | ବୀଚି କରକୁ ଟେକି ଦେଇ |୫୫|
ବିଷେଦ କୁମୁଦ ଛଟକ | ବିରାଜେ ରଜତ କଟକ |୫୬|
ବୁଡ଼ି ଉଠଇ ଚକ୍ର ବସି | ବାସ ଖସି କି ସ୍ତନ ଦିଶି |୫୭|
ବିଥିର ପବନେ ପୁଳୀନ | ବିପୁଳ ଉରୁ ଦରଶନ |୫୮|
ବିସ୍ବରେ କ୍ରିଡ଼େ ହଂସଶ୍ରେଣୀ | ବାନ୍ଧିଛି ନିଃସ୍ବନ କିଙ୍କଣୀ |୫୯|
ବାରିଜନେତ୍ରେ ଭୃଙ୍ଗ ଖେଳା | ବିଳସେ କି ଚଞ୍ଚଳ ଡୋଳା |୬୦|
ବଶ ଘନରସରେ ଅତି | ବୁଡ଼ାଇ କୁ(କୂ)ଳ ସଦା ଗତି |୬୧|
ବିଟପୀମାନେ ବେନୀ ପାଶେ | ବିରୋଧ କିପାଁ କରିବେ ସେ |୬୨|
ବିବିଧ ଗୋତ୍ର ଦ୍ବିଜେ କହି | ବୋଲାଉ ଗଉତୁମୀ ତୁହି |୬୩|
ବହୁ ରସ ପୂର୍ଣ୍ଣେ ନଭୁଲୁ | ବାର୍ଦ୍ଧି ଲବଣୀୟା ନ ଭାଳୁ |୬୪|
ବହିଲାକ୍ଷଣି ତାରେ ପ୍ରୀତି | ବିଧ୍ବଂସ ହେବ ସ୍ବାଦୁ ଜାତି |୬୫|
ବର୍ଜ୍ଜନା କି ଘେନିବ ତାର | ବିଭେଦ୍ୟ କାମ ଶରାଳିର |୬୬|
ବୁଧେ ରୂପକଶ୍ଳେଷ ମିଶା | ବୁଝ କବିରଚନା ଭାଷା |୬୭|
ବଢ଼ାଇ ତୋଷ ବନ ପୁଣି | ବିଭର୍ତ୍ତି ତରୁ କି ତରୁଣୀ |୬୮|
ବନ୍ଧ୍ୟା ନୁହନ୍ତି ଫଳବତୀ | ବୋଧ ସମସ୍ତେ କାନ୍ତ ପ୍ରୀତି |୬୯|
ବ୍ୟଭିଚାରୀ ପରାୟ ଶୋହି | ବଲ୍ଲୀ ଧବ ସମୀପେ ରହି |୭୦|
ବଞ୍ଚାଇ କୁସୁମ ବିକାଶେ | ବିଳାପେ ସେ ମଧୁରେ ରସେ |୭୧|
ବାସ ପବନ ଦଣ୍ଡପାଶୀ | ବଳେ ହରଇ ବୋଲି ଦୋଷୀ |୭୨|
ବିଦ୍ୟ ଚନ୍ଦନ ନଷ୍ଟଦୁତୀ | ବିହି ସେ ଭୁଜଙ୍ଗରେ ପ୍ରୀତି |୭୩|
ବିଦେଶୀ ପ୍ରୟ ପଶୁପନ୍ତି | ବିଗତ ଆଗତ ହୁଅନ୍ତି |୭୪|
ବିଦିତ ଗୁଳ୍ମ ସ୍ବୟାଦୁତୀ | ବିଶ୍ରାମ ଏଠାରେ କରନ୍ତି |୭୫|
ବସି ଯା କପୋତ ସସ୍ବନ | ବଚନ କରି ତାହା ଘେନ |୭୬|
ବିହଙ୍ଗ ସ୍ତନ ତରୁ ଝଳି | ବିଘଞ୍ଚ ସଞ୍ଚ ପତ୍ରାବଳୀ |୭୭|
ବିନିନ୍ଦ୍ୟ ଦୃଢ଼ କ୍ରୋଡାସ୍ପଦ | ବିକାଶେ ସୁମନ ପ୍ରମୋଦ |୭୮|
ବିଧାନ କରିଣ ଆଶ୍ରମ | ବଞ୍ଚେ ଲକ୍ଷଣ ସୀତା ରାମ |୭୯|
ବାସବରେ ଯେ ପ୍ରଶଂସିତା | ବିଖ୍ୟାତ ଜଟାୟୁ ନାମ ତା |୮୦|
ବିବସ୍ବାନବଂଶରେ ପ୍ରୀତି | ବୈଦେହୀ ରକ୍ଷଣେ ସମ୍ମତି |୮୧|
ବୟାଶୀ ପଦେ ଛାନ୍ଦ ପ୍ରାନ୍ତ | ବୀରବର ଭଞ୍ଜର କୃତ |୮୨|