ବୈଦେହୀଶ ବିଳାସ/ବୈଦେହୀ ଶ୍ରୀରାମ କି ସେ କରିଣୀ କରି

ଉଇକିପାଠାଗାର ରୁ
Jump to navigation Jump to search
ବୈଦେହୀଶ ବିଳାସ ଲେଖକ/କବି: ଉପେନ୍ଦ୍ର ଭଞ୍ଜ
ତ୍ରୟୋବିଂଶ ଛାନ୍ଦ:ବୈଦେହୀ ଶ୍ରୀରାମ କି ସେ କରିଣୀ କରୀ

ରାଗ -ଚିନ୍ତାଦେଶାକ୍ଷ

ବୈଦେହୀ ଶ୍ରୀରାମ କିସ କରିଣୀ କରୀ|
ବିନୋଦ ନଦୀରେ କୁଞ୍ଜକୁଟୀରେ କରି|୧|
ବିହ୍ବଳ ମାନସ ପ୍ରେମମଦ ଆଳସା|
ବିରାଜିତ ପଦ୍ମ କରେ ପରାଗଭୁଷା|୨|
ବିଭୀତେ ବନବିହାର ଲଙ୍କା ଭଞ୍ଜନେ|
ବସତି ଶିଳାମାନରେ ଅତି ରଞ୍ଜନେ|୩|
ବୁଲିଆସି ସୂର୍ପଣଖା ନାମେ ରାକ୍ଷସୀ|
ବୃକ୍ଷାନ୍ତରେ ରହି ଚାହିଁ ହୋଇଲା ତୋଷୀ|୪|
ବଣା ଧଇର୍ଯ୍ୟ ହୋଇ ସେ ରାମ ବଶରେ|
ବିଚାରଇ ପୁନରୁକ୍ତି ବଦାଭାଷରେ |୫|
ବିହି ବିଧି ମଦନ କନ୍ଦର୍ପ କରିଣ|
ବର କାନ୍ତ ପତି ମୋର ହୁଅନ୍ତେ ପୁଣ|୬|
ବାସର ଦିବସ ନିଶି ଲବ କରନ୍ତି|
ବିଧୁନନ ରତି କରି ମତି ତୋଷନ୍ତି|୭|
ବାଳୀକି ନାହିଁ ଭୁବନେ ଲୋକରେ ବଳି|
ବର୍ଣ୍ଣେ କାଞ୍ଚନ କନକ ସୁବର୍ଣ୍ଣ ଦଳି|୮|
ବିଧୁ ଅବ୍‌ଜ ଚନ୍ଦ୍ର ଆଦରଶ ନିନ୍ଦନ|
ବଦନ ଆନନ୍ଦ ଲକ୍ଷ୍ୟ ଶୋଭାସଦନ|୯|
ବଡ଼ ଶୋଭା ରତି ଅଛି ଶମ୍ବରପୁରେ|
ବ୍ୟୟ କରିଦେବା ଏହା ଊଣା ତା ଶିରେ|୧୦|
ବିଭୋଗୀ ଏହାର ଯେଉଁ ଦିବ୍ୟ ପୁରୁଷ |
ବିହ୍ବଳିବ ନାହିଁ ପରା ମୋରେ ମାନସ |୧୧|
ବିଚାରିଲା ଭୃଙ୍ଗ ପୁଣି ମାଳତୀ ସ୍ନେହୀ |
ବାସଙ୍ଗେ ସଙ୍ଗ ହୁଅଇ ସରାଗ ବହି |୧୨|
ବିଧାତାକୁ ସ୍ତୁତି କଲା କର ସୁଦଶା |
ବସାଇଲା ପ୍ରାୟ ଚନ୍ଦ୍ର କୋଳରେ ଶଶା|୧୩|
ବନ୍ଧସଂଯୋଗ ଏହାର ମୋର ହୋଇଲେ|
ବଶ ହୋଇ ଗୋଡ଼ାଇବ ମୋହର ତୁଲେ|୧୪|
ବେଶ୍ୟା ସଙ୍ଗତି ହୋଇଲେ ରସିକ ପୁଂସ |
ବଳାଇ କି ସ୍ବକୀୟାରେ ସେ ଅଭିଳାଷ ?|୧୫|
ବଶ କରି ପ୍ରେମେ ଚିତ୍ତ ନାଶିବି ଭୀରୁ |
ବିରୋଧୋକ୍ତି ନ ଭାଷିବେ ଅନୁରୋଧରୁ |୧୬|
ବିହିଲା ସୁନ୍ଦର ରୁପ ଏମନ୍ତ ଭାଳି|
ବିନାଶିବ ଯୋଗୀଯୋଗ ଚାହିଁଲେ ଢ଼ାଳି|୧୭|
ବୈରବୁଦ୍ଧି ଲୋକଜନନୀରେ ଉଦ୍ଧବ|
ବିଷ୍ଟି ଅନୁକୂଳେ ଯୁକ୍ତ ଅଶୁଭ ହେବ|୧୮|
ବାହାର ତରୁ ଅନ୍ତରୁଁ ଗୋଲାରୁଁ ଗେଲାଇ ହୋଇ|
ବାଡ଼େ ନାସିକାର ଦେଉଅଛି ଫୁଲାଇ|୧୯|
ବସାଣୀ ଟେକି ହେବାର କି ମନୋରମ|
ବସଣି କରିବ ଯୁବା ଚିତ୍ତରେ ପ୍ରେମ|୨୦|
ବାହି ଖଡ଼ୁ ଝାଡ଼ି ମନ-ମୀନକୁ ନେଇ|
ବାହି କୁଚ କୁବେଣୀରେ ଥୋଇ ଲୋଡ଼ଇ|୨୧|
ବନ୍ଧକୀ ଜଙ୍ଘରୁ ଚେଳ ଚାଳିବା ରଙ୍ଗ|
ବନ୍ଧନ ସେ ସ୍ତମ୍ଭେ ଇଚ୍ଛେ ମନ ମାତଙ୍ଗ |୨୨|
ବିଶିଷ୍ଟେ ଭୁରୁ କମ୍ପାଇ ଡୋଳା ଖେଳାଇ|
ବିଶିଖକମ ଣେ ସନ୍ଧି ବିନ୍ଧି ନ ଦେଇ |୨୩|
ବଦାଉଛି ମଦନସମରେ ମୁଁ ଏକ|
ବଦାଉ ଭାଲେ ଟେକିଛି ଖଡ଼୍‌ଗ ତିଳକ |୨୪|
ବଳା ଡେଙ୍ଗୁରା ଦେଇ କି ଅପସରସା |
ବଳାତ୍କାରେ ଶୋଭାଗୁଣେ ଛଡ଼ାଇ ରସା |୨୫|
ବହି ରଙ୍ଗ ତାମ୍ବାଳ ପଡ଼ଇ ଅଧରେ |
ବହିରଙ୍ଗରୂପୀ ମିଳେ ରାମ ପାଶରେ |୨୬|
ବୋଲଇ ଅରଣ୍ୟବାସୀ କିପାଁ ସୁନ୍ଦର ?
ବୋଳ ଭସ୍ମ ଅଙ୍ଗେ ଶିରେ ଜଟା ତ ଧର |୨୭|
ବହ କାଣ୍ଡ କୋଦଣ୍ଡ କ୍ଷତ୍ରିୟ ପରାୟ|
ବହନ କଥନ କରି ଛେଦ ସଂଶୟ |୨୮|
ବଧୂଏ ସଙ୍ଗେ ଘେନିଛ ରସିକପଣେ |
ବଧୁଛ ମୃଗ ଗଣ୍ଡକ ପିତୃ ତୋଷଣେ |୨୯|
ବୀର ସକଳ ପ୍ରକାଶି ବନେ ଆସିବା |
ବିରସଭାବେ ଭାଷିତ ଶୁଣ ହେ ଯୁବା |୩୦|
ବଶୀଭୁତ ହୋଇ ତବ ଶୋଭାକୁ ଚାହିଁ |
ବସିବାକୁ ତୁମ୍ଭ କୋଳେ ଆସିଛି ମୁହିଁ |୩୧|
ବନ୍ଧନ କରି ଭୁଜରେ ଜାଣଇ ସତ |
ବନ୍ଧରେ ଯେ ସୁଖଚକ୍ର ପୁରୁଷାୟିତ |୩୨|
ବିଶ୍ରବାନନ୍ଦିନୀ ମୁଁ ଯେ କୁଳରେ ସାଧୁ |
ବିସ୍ରବାଇ ଓଷ୍ଠୁ ପିଅ ମଧୁରମଧୁ |୩୩|
ବତ୍ସଜାତ ହରେ ଦେଲେ କମଳକର|
ବତ୍ସଳେ ସେ ଫଳେ ହେବ ରାଜା ସ୍ବର୍ଗର |୩୪|
ବାରବେନିପୁରେ ରାଜ ମୋର ସୋଦର|
ବାରତା ପାଇ ହୋଇବେ ହରଷଭର |୩୫|
ବିରଞ୍ଚି ଲେଖିଛି ଭାଲପଟେ ତୁମ୍ଭର|
ବିରଚିବ ନନ୍ଦନବନରେ ବିହାର|୩୬|
ବିନୋଦ ଯେଉଁ ରାମାରେ କରିବ ମତି |
ବିନୋୟ ନୋହୁଁ ଧରିବି ମୁଁ ସେହି ମୂର୍ତ୍ତି |୩୭|
ବୋଇଲେ ରଘୁନନ୍ଦନରେ ରାମାବର |
ବ୍ରତ ଆଚରଣେ ଏକପତ୍ନୀ ମୋହର|୩୮|
ବଡ଼କୁଳେ ଜାତ ଭୁପ ଭଗନୀ ତୁହି |
ବୃଷସ୍ୟନ୍ତୀ ଆଚରଣ ଭଲ ତ ନୋହି|୩୯|
ବାସ୍ତୋଷ୍ପତି ଅଧିକାରେ କି କାର୍ଯ୍ୟ ମୋର ?
ବହି ନ ପାରେ ଅଧିକ ନେତ୍ର ଶରୀର |୪୦|
ବଟଭାବ ଲମ୍ପଟରେ ତେମନ୍ତ ସେହି |
ବିଅର୍ଥେ ଶିଳାସ୍ବରୁପ ନ ବହ ତୁହି |୪୧|
ବିନାଶନ ମୋ ବଲ୍ଲଭ ଭାଷେ ଚପଳ |
ବିନାଶନରେ ଅମୃତ କରୁଁ ତ ଢାଳେ |୪୨|
ବଡ଼ ମାନବୀରୁ ଘେନ ଦାନବୀ ବାଳୀ |
ବସାଇ ହୃଦୟ ତୁଳପାତ୍ରରେ ତୁଳି |୪୩|
ବିଶେଷେ ରତିରେ କେ ହୋଇବ ବିଚାର |
ବଣିକ ଭାବରେ ତହିଁ ବଣିଜ କର |୪୪|
ବିଷ୍ଣୁ ପଦୀ ଜଳ କେଡ଼େ ନିର୍ମଳ ଯୋଷା |
ବାରିଦ ଆବିଳ ଜଳେ ଚାତକ ଆଶା |୪୫|
ବହ୍ନିକଣା ଗିଳା ଚକୋର ହେ ନାଗର |
ବିଧୁକର ସ୍ବାଦୁ ଘେନି ଲୋଭୀ ତହିଁର |୪୬|
ବିଭୋଗୀ ଅସୁରୀ ଏ ବିଜ୍ଞାନ ନ କର |
ବିଷ୍ଣୁ ବଶ ଜଳନ୍ଧର ମନୋହାରୀର |୪୭|
ବିଜେ କର ଉଠି କୁଞ୍ଜେ କରିବା କେଳି |
ବକ୍ତା ହେଲେ ରାମ ଚାଳ ଘଞ୍ଚାଳ ବାଳୀ |୪୮|
ବତ୍ରକ୍ଷି ମନୁଜେ ନାହିଁ ଅନୁଜେ ଚାହାଁ |
ବୁଧସେ ମୋ ଆଜ୍ଞା କହ ହୋଇବ ନହା|୪୯|
ବାମଲୋଚନା ସଙ୍ଗତି ନାହିଁ ତାହାର |
ବାମ ନୋହି ତତ୍କାଳ କରିବ ସ୍ବୀକାର |୫୦|
ବିଲୋକି ସେ ଆଲୋକିତ ସୁନ୍ଦର ରୁପ |
ବେଗେ ଯାଇ କାମୁକୀ ଲକ୍ଷ୍ମଣ ସମୀପ |୫୧|
ବିନୟୀ ହୋଇ ନିକଷାତନୟୀ କହି |
ବକ୍ତବ୍ୟ ତରୁଣ ରାମ ସେବକ ମୁହିଁ |୫୨|
ବ୍ରହ୍ମାଣ୍ଡେ ଏକ ରାଜନଭଗ୍ନୀ ହେବ କି ?
ବିହୁଁ ଭୁମି-ଚାଷ ଜାତ-କନ୍ୟା ସେବକୀ |୫୩|
ବାସେ ରାତ୍ର ଯୋଗୀ ପ୍ରାୟ ନିଦ୍ରାକୁ ତେଜି |
ବାହୁଡ଼ରେ ବରାଙ୍ଗନା ମୋତେ ନ ଭଜି |୫୪|
ବାହୁଡ଼ିଲା ରୋପେ କାମବଶେ ଭାଷିତା |
ବିଳୋହୁ ମୋତେ ଯେମନ୍ତ ନଟଯୋଷିତା |୫୫|
ବୀଭତ୍ସରସରେ ତବ ସ୍ବାଧୀନଭର୍ତ୍ତା |
ବିଯୋଗ କରିବି ରଖି ନ ପାରେ ଧାତା |୫୬|
ବଡ଼ାଉଁ ହସ୍ତ ସୀତାର ନାଶ ଆଶରେ |
ବିହି ଲେଖ ଦେଲେ ତାକୁ ଭାଷା ଶ୍ଳେଷରେ |୫୭|
ବାବୁ ନାକ ଶିରୀ ଦାନ ଯୋଗ୍ୟ ଯୋଷାକୁ |
ବିହର କାନନ କର ଆଲିଙ୍ଗନକୁ |୫୮|
ବଇଦେହୀଦାସୀ ଏ କି ଘେନି ହୋଇବ ?
ବିଧିରେ ଇନ୍ଦ୍ର ପ୍ରଶଂସା ତୁମ୍ଭେ ପାଇବ|୫୯|
ବୋଧ ମତି କାମାନ୍ଧେ ନ ବୁଝି ହସିଲା|
ବାହୁଡ଼ାଇବା ନାହିଁ ତ ଆଉ ଭାଷିଲା |୬୦|
ବୋଲେ ଦାଶରଥି ନାହିଁ ନାହିଁ ତକ୍ଷଣ |
ବେନି ଉତ୍ତର ଦେବାରେ ପଢି ଲକ୍ଷଣ |୬୧|
ବାହୁ ଟେକି ଉଠୁଁ ତର୍କି କାର୍ଯ୍ୟ ସଫଳ|
ବାହେ ଯତି ଏହିକ୍ଷଣି କରିବ କୋଳ|୬୨|
ବାଳ ଧରୁଁ ବିଚାରିଲା କର୍ଣ୍ଣାଟ ନାରୀ |
ବନ୍ଧ ସଂଯୋଗ ନାୟକ କୁନ୍ତଳ ଧରି|୬୩|
ବିଭୋଗୀ ଏହାଙ୍କ ଦେଶେ ଏରୂପେ ପୁଂସ|
ବସୁଧାରେ ପାତୁଁ ଭାଳେ ରତି ପ୍ରକାଶେ|୬୪|
ବିଛେଦୁଁ ନାସା ଶ୍ରବଣ ଦୀର୍ଘ ରଟିଲା |
ବିଘାତୁ ସିଂହ ହସ୍ତିନୀ ଲକ୍ଷ୍ୟ ଘଟିଲା|୬୫|
ବିଦାରି ମୃଗୀ ଶାର୍ଦ୍ଧଳ ଫିଙ୍ଗିଲା ଭାବ |
ବିରୁପ କରି ପକାଇ ଦେଲେ ସେ ଜବ |୬୬|
ବିଦ୍ରାବ ତ୍ରିଧାର ରକ୍ତ ବସନ ବୁଡ଼ି |
ବାତେ ପୁଷ୍ପିତ ମନ୍ଦାର ବୃକ୍ଷ କି ଉଡ଼ି ?|୬୭|
ବାୟୁବେଗେ ଜନପଦେ ମିଳିତ ଯୋଷା |
ବୋଲେ ଖର ଦେଈଙ୍କି କେ ଦେଲା ଏ ଦଶା ?|୬୮|
ବିକାଳରେ କାଳ ହେବା ଶଙ୍କା ନ କରି|
ବ୍ୟାଳମୁଖେ ଦେଲା କେହୁ କରକୁ ଭରି ?|୬୯|
ବ୍ୟାଳ ବୋଳି ଆନ କି ବାସୁକି ବଦନ|
ବାଇ ସେ ଏମନ୍ତ ପ୍ରତେ କାହିଁ ତା ସ୍ଥାନ ?|୭୦|
ବିଂଶାକ୍ଷଭଗନୀ କହେ ପଞ୍ଚବଟୀରେ|
ବସା କରିଛନ୍ତି ଦଶରଥ କୁମରେ|୭୧|
ବାମା ଘେନି ବାମ ହେଲେ ମୁହିଁ ଗ୍ରାସନ୍ତେ|
ବିହି ଦଣ୍ଡ ଦଣ୍ଡକରେ ଦଣ୍ଡକେ ମୋତେ |୭୨|
ବଳ ସାଜିଣ ଦୁଷଣ ତ୍ରିଶିର ଖର |
ବାହାର ବୀର ଡାକରେ ଉଚ୍ଛନ୍ନ ସୁର |୭୩|
ବ୍ୟାକୁଳ ଭୟେ ତ୍ରିଦିବ ଲୁଟିବେ ପରା|
ବେପଥୁବଶ ହୋଇଲା ସତ୍ବରେ ଧରା|୭୪|
ବସର୍ଜ୍ଜନେ ନଳୀ ଗୁଳି ସୂର ଭାବନ୍ତି|
ବଂଶେ ମୋ ବାଦୀ ମୋତେ କି ଲାଖ କରନ୍ତି ?|୭୫|
ବନ ଗିରି ପୂରି ଆସୁ ଧୂଳି ଉଡ଼ିଲା|
ବିମ୍ବ ଆଛାଦନେ ଶଙ୍କା ଚିତ୍ତୁଁ ଛାଡ଼ିଲା|୭୬|
ବସୁଧାସୁତାଙ୍କୁ ସୌମିତ୍ରେୟ ରକ୍ଷିତ|
ବିରାଧବଧ ପଣ୍ଡିତ ଯୁଦ୍ଧକୁ ଗତ|୭୭|
ବର୍ଷୁକ ଘନ ପରାୟ ରକ୍ଷେ ଘୋଟିଲେ|
ବାଣଗଣ ଜଳଧାରା ପତନ କରେ|୭୮|
ବିଜୁଳି ସେନାନୀ ଖଡ଼୍‌ଗ ଝଲକପ୍ରଦା|
ବଜ୍ରପାତ ଭୟଙ୍କର ତ୍ରିଶୂଳ ଗଦା|୭୯|
ବିଜ୍ଜ୍ବଳିତ ତହିଁରୁ ହୁଅଇ ପାବକ|
ବିଜୟ ଦୁର୍ଗ ପରାୟେ ରଘୁନାୟକ|୮୦|
ବରଣ ତନୁ କବାଟାପୁଟ ହୃଦୟ|
ବାହୁ ସ୍ତମ୍ଭ ଉରୁ ଅର୍ଗଳିରେ ଉଦୟ|୮୧|
ବେଷ୍ଟନରେ ରହି ସହି ବହୁତ ଘାତ|
ବିଧାୟକ ଶସ୍ତ୍ର କୋପନରେ ପୂରିତ|୮୨|
ବଳ ସିନ୍ଧୁ କବଳକୁ ଅଗସ୍ତ୍ୟ ଶର|
ବତାଶ ତ୍ରିଶିର ଶିର ତାଳଫଳର|୮୩|
ବିଶୁଦ୍ଧ କବି ହୋଇ ସେ ବନ-କାବ୍ୟରୁ|
ବିଶୋଧିଲେ ଦୁଷଣକୁ ଗୁଣ ପ୍ରଚାରୁଁ |୮୪|
ବ୍ୟାଘ୍ର ନିଶ୍ଚେ ବିକ୍ରମିଣ ନାରାଚସାର|
ବିଦାରି ତଳେ ପକାଇ ଇଷିତେ ଖର|୮୫|
ବେଭାର ମନ୍ତ୍ରରେ ଯୁକ୍ତ ଗୁଣୀଆ ଘେନି|
ବିଦୁର ହୋଇଲା ସୂର୍ପଣଖା ଡାକିନୀ|୮୬|
ବାହୁଡ଼ାବିଜେ ରାଘବ ପତ୍ରସଦନେ|
ବିନ୍ଦୁ ବିନ୍ଦୁ ଝାଳ ରହିଅଛି ବଦନେ|୮୭|
ବନରୁହରୁ ଜନମ ହୋଇ ତୁଷାର|
ବିରୋଧୀ ନାହିଁ ଅଧିକେ ଦିଶି ରୁଚିର|୮୮|
ବର୍ଷୁ ସ୍ବେଦେ ରକ୍ତପାତେ ପବନବଳେ|
ବିଦ୍ରୁମ ଅଙ୍କୁର ଦେଇ ମର୍କବଶିଳେ|୮୯|
ବିଚିତ୍ର କର୍ମକୃତରୁ ଅଦ୍ଭୁତ ହୋଇ|
ବିହାରି ଗହ୍ବରୁ ରାମ ଅନୁଜ ଦୁଇ|୯୦|
ବିଖ୍ୟାତ ଓଳଗ ବିହି ମହା ସନ୍ତୋଷ |
ବିଧୌତ ଅଙ୍ଗ ସରିତେ ଜାନକୀ-ଇଶ|୯୧|
ବୟାଣୋଇ ପଦେ ଛାନ୍ଦ ଅତି ମାଧୁରୀ|
ବୀରବର ଉପଇନ୍ଦ୍ର ଭଞ୍ଜ ବିଚାରି|୯୨|