Jump to content

ବୈଦେହୀଶ ବିଳାସ/ବିନାଶ ନାସା ଶ୍ରବଣ ସୂର୍ପଣଖା ପ୍ରବେଶ ଲଙ୍କାର

ଉଇକିପାଠାଗାର‌ରୁ
ବୈଦେହୀଶ ବିଳାସ ଲେଖକ/କବି: ଉପେନ୍ଦ୍ର ଭଞ୍ଜ
ଚତୁର୍ବିଂଶ ଛାନ୍ଦ:ବିନାଶ ନାସା ଶ୍ରବଣ ସୂର୍ପଣଖା ପ୍ରବେଶ ଲଙ୍କାର

ରାଗ -କୁମ୍ଭକାମୋଦୀ

 ବିନାଶ ନାସା ଶ୍ରବଣ ସୂର୍ପଣଖା ପ୍ରବେଶ ଲଙ୍କାର ।
ବୃକ୍ଷ ପାଟଳୀରୁ ଫୁଲ ଝାଡି଼ ଉଡି଼ ଯାଉଛି କି କୀର ?
ବହେ ନେତ୍ରୁ ଅଶ୍ରୁ ପତ୍ରୁଁ କି ପଡୁଛି ପଡିଲା ତୁଷାର ।
ବାରବାୟୁରେ ଧୈର୍ଯ୍ୟ ମୂଳ ଉପୁଡି଼ ପଡି଼ଲା ପ୍ରଜାର । ୧ ।
ବିଂଶପାଣି ଆଗେ ପଡୁଁ ପୁଚ୍ଛି ବେଗେ ଏ ଦଣ୍ଡକେ ଇଚ୍ଛି ।
ବହିଣୀ ତୁ ମୋର ନ ଜାଣି ସଂସାରମଧ୍ୟରେ କେ ଅଛି ?
ବୃଷା ବୃଷାସନ ବାସୁକି ବିଧାନ ନୋହେ ଏ ଉଚିତେ ।
ବନ୍ଧା ସୁତେ କଇଳାସ ଉପଡ଼ନ୍ତେ ଜାଣନ୍ତି ସେ ମୋତେ । ୨ ।
ବାଜୀଦଇବତ ଶିରୀ ଆଜି ହତ କରିବି ଅବଧି ।
ବଢି଼ କି ରୋଗ ଏ ଦଶା ହେଲା ଭୋଗ ନ ଦେଲେ ଔଷଧି ।
ବୋଇଲା ଅନୁଜା ନାଗଜାତି ରାଜା ଜଗତବଇରୀ ।
ବହି କି ହେବ ନେତ୍ର ମଦେ ମୁଦ୍ରିତ ପ୍ରତିଚକ୍ଷୁ ପରି । ୩ ।
ବାର୍ତ୍ତାବହ ହୀନ ବିଶ୍ୱ ପାଠମାନ ଗୋଚର ହେବାକୁ ।
ବଧି ତ୍ରିଶିର ଦୂଷଣ ଖର ମୋତେ ଏ ଦଣ୍ଡ ହେବାକୁ ।
ବନୌଜା ବେଶେ ନାମ ରାମ ଲକ୍ଷ୍ମଣ ଅଯୋଧ୍ୟା ନରେଶ ।
ବେନିକୁମର ବାମା ତାଙ୍କ ସଙ୍ଗର ଦଣ୍ଡକେ ନିବାସ । ୪ ।
ବ୍ରହ୍ମା କୋଟି କନ୍ୟା ପରି ଗୋଟିଏ ଗଢି଼ବେ କି କରି ।
ବ୍ରହ୍ମାଣ୍ଡ ଲକ୍ଷରେ ଖୋଜିଲେ ଲକ୍ଷ୍ୟରେ ନ ଥିବ ସୁନ୍ଦରୀ ।
ବିହେ ନୃତ୍ୟ ଆସି ରମ୍ଭା ଉରୁବଶୀ ତୋ ଆଗେ ଦେଖିଛି ।
ବନିତାମଣି ଦାସୀପଣେ ନ ଗଣି ମୋ ମନେ ରଖିଛି | ୫ ।
ବଦନ ଓଷ୍ଠ ସୁଷମା କରି ପୁଷ୍ଟ ପୂର୍ଣ୍ଣମୀ ପ୍ରାଚୀକି ।
ବିଧୁ ପାଳାର୍କ ବ୍ୟାଜେ ରୌପ୍ୟ ମାଣିକ୍ୟ ସ୍ଥାଳୀକି ରଚି କି?
ବନ୍ଦାଣ ମାସକେ ରଚେ କେ ଉତ୍ସ କେ କେ ନିତ୍ୟ ବନ୍ଦାଇ ।
ବିହଙ୍ଗ ଆଳୀ ଦ୍ୱିକାଳେ ହୁଳହୁଳୀ ତହିଁକି କି ଦେଇ । ୬ ।
ବଦ ଇ ଶଙ୍ଖ ନୋହିବା ହେବା ଯୋଖା ଏକାଳେ ସୁରୁଚି ।
ବାସରମୁଖେ ସନ୍ଧ୍ୟାରେ ଭ୍ରମି ଦୁଃଖେ ଦେଖନ୍ତି ସେ ଲୁଚି ।
ବିଭୁଷା ସୁବର୍ଣ୍ଣ ଯେ ସହସ୍ରବାନ ପିଞ୍ଜର ପରିରେ ।
ବର୍ଣ୍ଣକୁ ନିଊନ ଦିଶେ ଏଡେ଼ ବାନ ଥାଇ ତା ଶରୀରେ । ୭ ।
ବଲ୍ଲଭୀ ଯେ ତୋର ସଂସାରର ସାର ତହିଁର ମଧ୍ୟରେ ।
ବଡ଼ ସୁନ୍ଦରୀ ହୋଲାଇ ମନ୍ଦୋଦରୀ କାହିଁକି ବିଚାରେ ?
ବିଧ୍ୱଂସି ହେଲା ସେ ସଂଶୟ ରଭସେ ତାହାର ଦର୍ଶନେ ।
ବିଧାତା ଛନ୍ଦ ରଖିଛି ନାମେ ମନ୍ଦ ଏହାର ଯତନେ । ୮ ।
ବର ଦେବତାଙ୍କୁ ମାରି ମୁଁ ତାହାକୁ ଆଣନ୍ତି ତୋ ପାଇଁ ।
ବିକୃତରୁପେ ଯାଉଁ ତାଙ୍କ ସମୀପେ ଏ ଦଣ୍ଡ ସେ ଦେଇ ।
ବିକ୍ରମି ଲୋକନେ ତ୍ରିଶିର ଦୂଷଣେ ସବଳେ ଖରହିଁ ।
ବିରଚି ସମର ଗଲେ ଯମପୁର ଅଇଲି ମୁଁ କହି । ୯ ।
ବଳିଷ୍ଠଶ୍ରେଷ୍ଠ ରରିଷ୍ଠ ମାନ ଯେବେ ଉଦ୍ଧରି ପାରିବ ।
ବାରିଧି ଜୀବନେ ଜୀବନ ତେଜିବା ତେବେ ମୋ ନୋହିବ ।
ବଇଶ୍ରବଣ ଶ୍ରବଣ କରି କହେ ହେବ ସେ ଜାନକୀ ।
ବିଶ୍ୱ ପ୍ରପଞ୍ଚରେ ଏଡେ଼ ସୁସଞ୍ଚରେ ସୌନ୍ଦର୍ଯ୍ୟ ଆନ କି ? ୧୦ ।
ବ୍ରହ୍ମର କର କର୍ଣ୍ଣ ନାସା ଚରଣ ନାହିଁ କି ଅବଜ୍ଞା ?
ବିଗରଶୋଚନା ହୁଅ ସୁଲୋଚନା ଦେଖ ମୋ ପ୍ରତିଜ୍ଞା ।
ବଳେ ବା କିତବେ ତା ଅବଳା ଏବେ ଆଣିବି ମୁଁ ହରି ।
ବନେ ବେନି ଭ୍ରାତ ଝୁରି ହେବେ ହତ ଭକ୍ଷ ତୁ ବିହରି । ୧୧ ।
ବିରସ ଶୁଣି ସକଳ ରାଣୀଶ୍ରେଣୀ ଦୁର୍ଭାଗ୍ୟ ଶଙ୍କାରେ ।
ବିଧବା ହେବାରେ ଦରି ମନ୍ଦୋଦରୀ ବଚନ ଉଚ୍ଚାରେ ।
ବାଡେ଼ ସୁଲେଖନ ଶ୍ଳୋକେ ଅବଧାନ ନୋହୁଛି କାହିଁକି ?
ବାରି କି ବାରିଜାକ୍ଷି ଅନୁକୁଳରେ ? ବୋଇଲା ତହିଁକି । ୧୨ ।
ବିମାନେ ଆରୋହି ଅଭିମାନେ ଯାଇ ବିଚାରୁ ମାନସେ ।
ବୁଦ୍ଧି ସ୍ଫୁରିଲା ମାରୀଚ ପାଶେ ଗଲା ବିନୋୟୀ ଚାହିଁ ସେ ।
ବୋଇଲା ଚାତକ ପ୍ରାୟ ମୁଁ ଯାଚକ ଆସିଛି ତୃଷାତ୍ତେର୍ ।
ବାରିଦ ତୁହି ଆଶାରେ ଦୁଏ ହୋଇ ରସ ଦେ ତ୍ୱରିତେ । ୧୩ ।
ବୋଲେ ସୁନ୍ଦାତ୍ମଜ ତୁ ରାଜାଧିରାଜ କି ଦେବି ତୋତେ ମୁଁ ?
ବଧ ଜନନୀ ଭ୍ରାତା ମୋ ସୈନ୍ୟ ଘେନି ଜୀଇଛି କି ଧର୍ମୁ ।
ବିଂଶଭୁଜ ଭଣି ବଇରୀ କେ ପୁଣି କହ ମୋରେ ତାକୁ ।
ବାତ୍ତାର୍ ବନ୍ଧୁ ହୋଇ ନ ଦେଲୁ କିପାଇଁ ଶଉଚ ହେବାକୁ ? ୧୪ ।
ବୁଡି଼ ପାରାବାର ବାରିରେ ସୋଦରଭାବକୁ ଦେଖାଇ ।
ବୀରକେଶ ଧରି ମାରିବାକୁ ଅରି ବାହାରି ଡା଼କଇ ।
ବୋଇଲା ତାଡ଼କୀନନ୍ଦନ ତହିଁକି ବସ ହେ ଭୁପତି ।
ବହ୍ନିବା ଚାଲିବା ବିଷ ଜୀଣ୍ଣର୍ ହେବା ଉପାୟେ ଅଛନ୍ତି । ୧୫ ।
ବିନା ଉପାୟ ରାଘବ ଶରଚୟ ଯମର ସେ ଯମ ।
ବିଷ୍ଣୁ ହେଲେ ହେବ ଆଉ ତ ନ ଥିବ ତାହାକୁ କେ ସମ ?
ବଡ଼ କହିଲୁ ତ ବୋଲେ ଲଙ୍କନାଥ ନ ଡ଼ର ତୁ କିଛି ।
ବାଜି ବିଷ୍ଣୁଚକ୍ର ମୋ ହୃଦେ ପଦକ ପୟେ ଲାଗିଛି । ୧୬ ।
ବୋଲୁ ଯେ ରାଘବ ତାହାର ପୂରୁବପୁରୁଷ ମାରିଛି ।
ବିଧାତା ଘଟନ ତୋର ମୋର ପୁଣ ବଇରୀ ହୋଇଛି ।
ବିଧି ତୋ ଜନନୀ ଛେଦିଛି ମୋ ଭଗ୍ନୀ ନାସିକା ଶ୍ରବଣ ।
ବଳ ଭ୍ରାତା ହତ ହେଲା ଏକମତ ପାଞ୍ଚିବା ମାରଣ । ୧୭ ।
ବକ୍ତ୍ରମାଳୀକି ମାରୀଚ ଛଳିକି ତୋ ସାମର୍ଥ୍ୟ ବଡା଼ଇ ।
ବାନ୍ଧିଲା ଅର୍ଜୁନ ତୋତେ ତା ଛେଦନ ଦର୍ପ ଯେ ଛଡା଼ଇ ।
ବଂଶ ନ ମରା ଦାତ୍ୟୂହ ପରା ହୋଇ ବିରୋଧ କରନା ।
ବିମ୍ବ କରି ଥୟ କୂପେ ସିଂହ ପ୍ରାୟ ବୁଡି଼ ତୁ ମର ନା । ୧୮ ।
ବୋଲୁ ରମାମଣି ରାମାଙ୍କ କେ ଭଣ ବଧୂକୁ ବିଧୁକୁ ।
ବେଗେ ଆମେ ଦୃଷ୍ଟି ରାମ ମଣି କଷ୍ଟି ହୁଅଇ ବଧକୁ ।
ବିରାମ ଆରାମ କହୁଁ ହୋଇ ଭ୍ରମ ପଛକୁ ଅନାଇ ।
ବିନ୍ଧିବାଠାଣି ପୂର୍ବରୁ ଦିଶି ପୁଣି କମ୍ପି ମୁଁ ପଳାଇ । ୧୯ ।
ବିଜନେ ବାସ ଦେଲାଟି ପୁଣ ତ୍ରାସ ଦେଖିଲି ସ୍ୱପନେ ।
ବିନିଦ୍ର ହୋଇ ତପସ୍ୱୀ ବେଶ ବହି ରହିଛି ଏ ସ୍ଥାନେ ।
ବକ୍ତା ଦଶମୁର୍ଦ୍ଧା ନ ଭାଙ୍ଗ ମୋ ଶ୍ରଦ୍ଧା ମାରିବା କପଟେ ।
ବିହର ଚିତ୍ର ଚମରୀରୂପ ଧରି ତୁ ତାଙ୍କ ନିକଟେ । ୨୦ ।
ବିଦୁରେ ନେଇ ରାମ ତ୍ରାହି ଲକ୍ଷ୍ମଣ କହି ହୋ ଅନ୍ତର ।
ବଟୁ ବେଶେ ଭିକ୍ଷା ମାଗି ପକ୍ଷ୍ମଳାକ୍ଷୀ ହରଇ ମୁଁ ତାର ।
ବୋଲେ ମାରୀଚ ରାଜା ଏ ଲୋଭ ମୁଞ୍ଚ ତୁ ମଧୁ ସଦୃଶ ।
ବଂଶ ପଦ୍ମବନ କରିଛୁ ବର୍ଦ୍ଧନ ସୁମନ ପ୍ରକାଶ । ୨୧ ।
ବେଭାରେ ସୀତା ସୀତ ହେଲେ ମିଳିତା ସେ ରାମ ଲକ୍ଷ୍ମଣ ।
ବରଷି କରରୁ ତୁଷାର ଶରକୁ ନାଶିବେ ତକ୍ଷଣ ।
ବୈଦ୍ୟ ସୁବୁଦ୍ଧି ବାଣୀ ତାର ଔଷଧି ନ ରୁଚି ଭକ୍ଷଣେ ।
ବ୍ୟାଧି ନାଶକାରୀ ଯେବେ ତା ନ କରି ପ୍ରବର୍ତ୍ତେ ମରଣେ । ୨୨ ।
ବୋଲିଛି ମଧୁ ଷକାର ଭେଦେ ପୁଣି ମହୀଶ ଆପଣ ।
ବର୍ଦ୍ଧିଜା ଦୂର୍ଗା ଲୋଭେ ଯାହା ହୋଇଲେ ତାହା କି ନ ଜାଣ ?
ବଳେ ଯେ ଯାହାରେ ଊଣା ସେ ତାହାରେ ଆରମ୍ଭେ କି ଦ୍ୱନ୍ଦ୍ୱ ।
ବହି ଅହଂବୁଦ୍ଧି ମାନ କରୁ ସିଦ୍ଧି ଉପୁଜେ ଯେ ମନ୍ଦ । ୨୩ ।
ବିଶ୍ରବାସୁତ କୋପରେ ପ୍ରଜ୍ଜ୍ୱଳିତ ଶୁଣି ତା ବଚନ ।
ବିକୋଷ କରିଣ କରବାଳ କର ବାଳରେ ତା ମନ ।
ବୋଇଲା ଅବଜ୍ଞା କରୁ ମୋର ଆଜ୍ଞା ମାନବଭୟାଳୁ !
ବାଳକ ମୁଁ ସତେ ତୁ ବୁଝାଉ ମୋତେ କେ ତୋତେ ସମ୍ଭାଳୁ ? ୨୪ ।
ବିଚାରିଲା ତ ଡ଼କେୟ ଏ ମାଇଲେ ହୋଇବି ଅମୋକ୍ଷ ।
ବୈକୁଣ୍ଠ ଗମନ୍ତି ରାମ କରୁ ହତ ଦେଖିଛି ପ୍ରତ୍ୟକ୍ଷ ।
ବଳିଆଇ କହି ଆଗ ମୁହିଁ ତୁହି ମରିବୁ ପଛରେ ।
ବାରି ତାତି ଝସ ଶୁଖି ଗ୍ରାହବଂଶ ଯେମନ୍ତ କାସାରେ । ୨୫ ।
ବିଷାଣ ତୀକ୍ଷଣ କ୍ଷୁର ସୁଘଟନ ମାଣିକ୍ୟେ ନିର୍ମିତ ।
ବିରାଜେ ସ୍ୱର୍ଣ୍ଣ ଅଜିନେ ମୋମପନ୍ତି ମୁକୁତା ମର୍କତ ।
ବିମଳ କ୍ଷୁଦ୍ର ନୀଳେନ୍ଦ୍ରମଣିବୃନ୍ଦ ପୁଚ୍ଛ କି ଚାମର ?
ବିଚିତ୍ର ମୃଗ ହୋଇ ବେଗେ ବିହରେ ରାବଣ ଆଗର । ୨୬ ।
ବସୁ ପ୍ରାପତ କୃପଣ ଦୀନବତ ହୋଇଲା ଅନାଇଁ ।
ବାହିଲା ବିମାନ ପଞ୍ଚବଟୀବନ ବସାଇ ରସାଇ ।
ବେଗେ ମାୟାମୃଗ ଯାନ କରି ତ୍ୟାଗ ଅରଣ୍ୟେ ପଶିଲା ।
ବୈଦେହୀ ଚତ୍ୱରେ ଖେଳନ୍ତେ ସତ୍ୱରେ ଦେଖି ସେ ରସିଲା । ୨୭ ।
ବୀଣାଜିଣାଭାଷୀ ଶ୍ରୀରାମରେ ଭାଷି ଏ ମୃଗେ ମୋ ଶ୍ରଦ୍ଧା ।
ବସନ୍ତି ଅଜିନେ ଅତି ସୁରଞ୍ଜନେ ଯିବ କି ଏ ବାଧା ?
ବନ୍ଧନେ କବରୀ କରନ୍ତି ଚଉଁରୀ ଏ ଚାରୁ ଚାମର ।
ବାମେ ଧନୁ ଧରି ରାଘବ ଉଚ୍ଚାରି ଏ କେତେ ମାତର ? ୨୮ ।
ବଦତି ଲକ୍ଷ୍ମଣ ଏ କପଟୀ ଏଣ ମାରୀଚ ନିଶ୍ଚୟ ।
ବିଲୋକିବା ଥାଉ ଶୁଣିଛ ବାତାୟ ସ୍ୱର୍ଣ୍ଣରତ୍ନମୟ ।
ବିନୋଦ ଦେଖାଇ ଦୁର କରି ନେଇ ନୃପଜମାନଙ୍କୁ ।
ବଧ କରେ ତୁଙ୍ଗ ଶୃଙ୍ଗରେ ଏ ରଙ୍ଗ ଆସଇ ମନକୁ । ୨୯ ।
ବଧିବି ଅବଶ୍ୟ ମୃଗ ବା ରାକ୍ଷସ ଶ୍ରୀରାମ ବୋଇଲେ ।
ବରାରୋହା ଭୀରୁ ନାସ୍ତି କରୁ କରୁ ତା ପଛେ ଧାଇଁଲେ ।
ବୋଲିଣ ଲକ୍ଷ୍ମଣ ସୀତାର ରକ୍ଷଣ ଲାଗଇଟି ତୋତେ ।
ବଡ଼ ମାୟାବୀ ଅସ୍ରପେ ଏ ଅଟବୀ ଭ୍ରମନ୍ତି ନିରତେ । ୩୦ ।
ବିଦୁର ରକ୍ଷ ବିଦ୍ୟୁ ପ୍ରାୟ ପ୍ରତ୍ୟକ୍ଷ ହୁଅଇ ନୁହଇ ।
ବିଦୁରେ ନେଇ ଲକ୍ଷ୍ମଣ ତ୍ରାହି କହି ତ୍ରିବାର ଶୁଭାଇ ।
ବଧିରବତ ଧୀର ସୀତା ଦେବାର ସେ ଶବ୍ଦ ଶ୍ରୋତାରେ ।
ବସୁମତିପୁତ୍ରୀ ବୋଇଲେ ସୌମିତ୍ରି ଯାଅ ହେ ସତ୍ୱରେ । ୩୧ ।
ବିପତ୍ତି ପତନ ପତି ତବ ନାମ ଧରି ଯେ ଡା଼କନ୍ତି ।
ବିଶ୍ୱେ ଏକ ବୀର ଏ ନିଷତ ଗିର ତାଙ୍କର କି ସତି !
ବୋଲନ୍ତେ ଲକ୍ଷ୍ମଣ ମୈଥିଳୀ ଭାଷଣ ଛଦ୍ମେ କି ଗମନ ?
ବଲ୍ଲଭୀ କରି ମୋତେ ଦେବୁ ବିଚାରି ଭରତ ସଦନ । ୩୨ ।
ବୈଶ୍ୱାନରେ ମୁଁ ଝାସିବି ବୋଲି ଖରେ ସେ ପାଶେ ଈଶିତ ।
ବାହ୍ୟ କର ଏକ ଆତ୍ମା ଦୁଷି ହେବ ଲକ୍ଷ୍ମଣ ଭାଷିତ ।
ବ୍ୟାଘ୍ର ପରାୟେ ଗତିକି ବ୍ୟଗ୍ର କଲେ ହୋଇ ସେ କୁପିତ ।
ବିଜନ ବନ ଶଙ୍କା ଘେନି ଜାନକୀ ହୁଅନ୍ତେ ଗୁପତ । ୩୩ ।
ବହି ଯତିବେଶ ରାବଣ ଯେ ଆସ୍ୟ ଭୁଜକୁ ଲୁଚାଇ ।
ବିଭୁତି ଅଙ୍ଗ କରଙ୍କ କରମାଳେ ଶଙ୍କର ଜପଇ ।
ବସନ କଷାୟ ଭିକ୍ଷା ଆଣି ଦିଅ ଥାଳିରେ ବୋଇଲା ।
ବସ କ୍ଷଣେ ଈଶ ଆସନ୍ତୁ ଏ ଭାଷ ଭାଷଣ ମହିଳା । ୩୪ ।
ବିଂଶପାଣି ଭଣି ଈଶାନ କଲେଣିଏ ବନେ କି ବସା ?
ବୈଦେହୀ କହି ନ ବୁଝ କି ସେ ନୋହି ଧବରେ ଏ ଭାଷା ।
ବୋଲେ ଲଙ୍କପତି ଏଥି ଗତାଗତ କରନ୍ତି ବୃକ୍ଷ କି ?
ବଲ୍ଲଭେ କହଇ ରାଘବଟି ସେହି ଭାଷିତ ଜାନକୀ । ୩୫ ।
ବିଚିତ୍ର ବାଣୀ ଶୁଣିଲି ଦୈତ୍ୟ ଭଣି ତୁହି ତ ମାନୁଷୀ ।
ବାରିଧିବାସୀ ମତ୍ସ୍ୟ ସେ ସ୍ଥଳେ ଆସି ତୋ ସଙ୍ଗେ ବିଳସି ।
ବକ୍ର ଉକତି କହୁଛ ହୋଇ ଯତି ବୋଇଲେ ପାର୍ଥିବୀ ।
ବୋଲେ ମୁଁ ଲଙ୍କେଶ ତୋତେ କରି ଆଶ ଆସିଛି ସାଧବି । ୩୬ ।
ବିଭୁତି କିସ କହିବି ମୋର ଦେଶ କନକ ମୃତ୍ତିକା ।
ବିଂଶଭୁଜ ଦଶବଦନ ବିଶେଷ ପଦ୍ମିନୀନାୟିକା ।
ବଡପଣୁ ବସେ ଇନ୍ଦ୍ର ଦ୍ୱାଃସ୍ଥ ପାଶେ ବିଶୁଦ୍ଧ ଜାତିରେ ।
ବ୍ରହ୍ମାର ଚତୁର୍ଥ ପୁରୁଷ ମୁଁ ସତ ଚିରାୟୁ ତା ବରେ । ୩୭ ।
ବୋଇଲେ ମହୀଜା ଜାତୁଧାନ ଯା ଯା ନୋହି ଶିରଚ୍ଛେଦ ।
ବୃଷାଳି ବଞ୍ଚକ ବିରୂପ କି ଠିକ ବଡାଇ ସମ୍ବାଦ ।
ବୀରକେଶରୀ ଜାୟାକୁ ଲୋଡୁ ହରି ହୋଇଛି କେବେହେଁ ।
ବୀର ଆରଣ୍ୟ ନୃପୁଁ ତୋ ପତି ଧନ୍ୟ ହେବ କି ସେ କହେ । ୩୮ ।
ବପ୍ତା ଦଶରଥ ଜଣା ସାମରଥ ଡରାଉଁ ଭୃଗୁପ ।
ବୋଲେ ମୈଥିଳୀ ତା ଗର୍ବ ଦଳି ନାଶ ଯିବୁରେ କୌଣପ ।
ବିଂଶାଭିମାନ ଉଦ୍ଧରେ ସୁନନ୍ଦନ ସେ କାଳ ପ୍ରମାଣ ।
ବହି ନିଜମୂର୍ତ୍ତି ବଳେ ନେବା ରୀତି ଆରମ୍ଭୁ ରାବଣ । ୩୯ ।
ବରହି ଅନ୍ତରେ ଗୁପତ ସତ୍ୱରେ ନ ଦେଖି ଲଙ୍କେଶ ।
ବେଦମତୀ ମତ ଏହି ହେଲା ସତ ବିଚାରେ ମାନସ ।
ବ୍ୟକ୍ତ ଦିଶୁଁ ପୁଣି ବଳେ ଧରି ଆଣି ଆଣନ୍ତେ ଅଙ୍ଗଣ ।
ବାତ ସରିତ ସ୍ଥକିତ ତରଳିତ ହୋଇଲା ପାଷାଣ । ୪୦ ।
ବସୁଧା କମ୍ପିତା ଚକିତ ଦେବତା କି ହେଲା କି ହେଲା ।
ବଚନେ ଶୋଭନ ଅଶ୍ରୁ ବିମୋଚନ ଆକାଶ ପୁରିଲା ।
ବରଷିଲା ଟୋପା ଟୋପା ନୀର କିପାଁ ନ ଥାଇ ମୁଦୀରେ ।
ବିହଙ୍ଗେ ଉତ୍ସୁକେ ଭାବନ୍ତି ଚାତକେ ବାରିଲେ ପାନରେ । ୪୧ ।
ବିବୁଧ ବିବିଧ ବୁଦ୍ଧି କଲେ ସିଦ୍ଧି କେ ବୋଲେ ଏ ସୀତା ।
ବୋଲେ କେ ଛାୟା କେ ବୋଲେ ମାୟା କାୟା ଜାଣଇ ବିଧାତା ।
ବନ୍ଦୀ କାରାପୁରେ ମୁଦିଲା ପ୍ରକାରେ ବସାଇ ସ୍ୟନ୍ଦନେ ।
ବନ୍ଦୀ ହୋଇ ସେ ସ୍ତୁତିପାଠ ପଠନେ ବାହିଲା ବହନେ । ୪୨ ।
ବନବଳଜା ହା ରାମ ସ୍ୱନେ ପୂର୍ଣ୍ଣ ଜଟାୟୁ ତରକେ ।
ବନପ୍ରିୟକୁ ଶିଖାଇ ଗୀତ ଶୋକବରାଡୀ ରାଗେ କେ ?
ବଜାଇ ବୀଣାରେ ନାରଦ ରାମରେ ସଙ୍ଖୋଳି ଯାଇ କି ?
ବିଂଶବାହୁ ସୀତା ଏକ ରଥେ ସ୍ଥିତା ଚାହାଁନ୍ତେ ବିଲୋକି । ୪୩ ।
ବେଦପୋଥି କେ ସୁରାପ କରେ ଦେଲା ବୋଲି ସେ ଧାଇଁଲା ।
ବିସ୍ତାରି ଚଞ୍ଚୁ ସ୍ୟନ୍ଦନ ଗ୍ରାସ ରଞ୍ଚୁଁ ଉଦ୍ଗାରି ଥୋଇଲା ।
ବାର୍ଧି ଅଗସ୍ତି ଉଦରେ ଜୀର୍ଣ୍ଣମତି ଏକ୍ଷଣି ହୁଅନ୍ତୁ ।
ବୈଦେହୀ ତ୍ରାହି କହି ଦେହ ବିଦାରି ମୁଖ କ୍ରୋଟି ହେତୁ । ୪୪ ।
ବିମାନକୁ ପକ୍ଷପାତେ ପକ୍ଷଘାତେ ଭାଙ୍ଗିଲା ଉଦ୍ବେଗେ ।
ବାମେ କ୍ଷୀଣକୁକ୍ଷୀ ଦକ୍ଷିଣେ ପକ୍ଷକୁ ଛେଦିଲା ଖଡ଼ଗେ ।
ବସି ବୁଷ୍ପକରେ ଭାବୁଁ ଆସିବାରେ ପୁଷ୍କରେ ଗମନ ।
ବାର୍ତ୍ତା ଦେବାଯାଏ ଅଯୋଧ୍ୟାଈଶ୍ୱରେ ଥାଉ ତୋ ଜୀବନ । ୪୫ ।
ବୋଲୁଁ ଠକୁରାଣୀ ରକ୍ଷ ଛଳ ଭଣି ଅଯୋଧ୍ୟାବର ଯେ ।
ବାରତା ପ୍ରାପତେ କି କରିବ ମୋତେ ପୁଣି ସେ ନାରାଜେ ?
ବୋମେ ରଥ ଯାଇ ଋଷ୍ୟମୂକେ ପାଇ ଅବଳା ଦେଖିଲେ ।
ବସିଛି ସୁଗ୍ରୀବ ଘେନିଣ ସଚିବ ଭୁଷଣ କାଢି଼ଲେ । ୪୬ ।
ବସନେ ବାନ୍ଧି ପକାଇ କୃପାନିଧି ପାଇବେ କଳ୍ପିଣ ।
ବାନରେଶ ପାଇ ଦେଲା ଶୂନ୍ୟେ ଚାହିଁ ଜାନକୀ ଭାଷଣ ।
ବାର୍ତ୍ତା କହ ରାମେ ମୋତେ ଲଙ୍କାଗ୍ରାମେ ନେଲାଟି ରାବଣ ।
ବିସୋରିଲେ ଚିତ୍ତୁଁ ମୂଳିଟି ମୋ ମୃତ୍ୟୁ କାହାକୁ ଦୁଷଣ ? ୪୭ ।
ବୋଲିବାକୁ ରଥ ଗଲା ଏତେ ପଥ ଅଦୃଶ୍ୟ ହୋଇଲା ।
ବିଭୁଷଣମାନ କରିଣ ଯତନ ସୁଗ୍ରୀବ ଥୋଇଲା ।
ବିୟତୁଁ ଖସାଇ ରଥ ପୁରେ ଯାଇ ଅଶୋକ ବିପିନେ ।
ବେଢାଇ ସହସ୍ର ଅସୁରୀ ଜଗାଇ ତହିଁରେ ପ୍ରଧାନେ । ୪୮ ।
ବେଭାରେ ସମର୍ପି ସମର୍ପାକୁ ସଖୀ ତ୍ରିଜଟା କରାଇ ।
ବୃଦ୍ଧି ହରଷ ଭବନରେ ପ୍ରବେଶ ହସିଲା ହୁଅଇ ।
ବାନ୍ଧବୀ ରାମର ପାଶବନ୍ଧା ମୃଗୀ ପରାୟ ଭୟରୁ ।
ବହିଲା ଶିଳା ପିତୁଳା ତୁଳା ସିଦ୍ଧି ସୁଶୀଳା ହେବାରୁ । ୪୯ ।
ବିଧାତା ବଚନେ ସୁଧା ଘେନି ବନେ ନାରଦ ମିଳିତ ।
ବିମୋହିତ କରି ଅସୁରୀମାନଙ୍କୁ କହିଲେ ସଙ୍କେତ ।
ବିଚ୍ଛେଦ ତୁଟିବ ଚତୁର୍ଦ୍ଦଶମାସେ ନ କର ଶୋଚନା ।
ବଧ ରାବଣ ସଗୋତ୍ର ହୋଇ ହେବ ବିମଳଲୋଚନା । ୫୦ ।
ବାଧା ନ କରିବ କ୍ଷୁଧା ପିପାସା ଏ ସୁଧା କର ଗ୍ରାସ ।
ବୈଦ୍ୟ ଅଷ୍ଟାଙ୍ଗବ୍ୟାଧିମନ୍ତେ ଔଷଧି ବିହିଲା ସଦୃଶ ।
ବିବେକ ହେଲା ପାଇବି ତ ମୁଁ ଧନ୍ୟ ଈଶ୍ୱର ଭରସା ।
ବାହୁଡିଲେ ଋଷି ଅମୃତକୁ ଗ୍ରାସି ବସିଲେ ସୁଦୃଶା । ୫୧ ।
ବିମ୍ବୋଷ୍ଠୀ ଅବନୀଦୃଷ୍ଟି ଅତି କଷ୍ଟୀ କପୋଳେ ଶ୍ରୀକର ।
ବ୍ୟାକୁଳ କେତେ ନ ଦେଖି ହେବେ ମୋତେ କରେ ଏ ବିଚାର ।
ବଇଦେହୀଶ ବିଳାଶ ନାମ ଗୀତ ବକାରେ ରଚନ ।
ବାମପଦେ ଛାନ୍ଦ ଉପୈନ୍ଦ୍ର କୃତ ବୁଝିବେ ସୁମନ । ୫୨ ।