ବୈଦେହୀଶ ବିଳାସ/ବେଳ ଶୁଭଦରେ ପ୍ରବେଶ ଆବେଶ

ଉଇକିପାଠାଗାର ରୁ
Jump to navigation Jump to search
ବୈଦେହୀଶ ବିଳାସ ଲେଖକ/କବି: ଉପେନ୍ଦ୍ର ଭଞ୍ଜ
ଏକାଦଶ ଛାନ୍ଦ: ବେଳ ଶୁଭଦରେ ପ୍ରବେଶ ଆବେଶ

ଏକାଦଶ ଛାନ୍ଦ: ବେଳ ଶୁଭଦରେ ପ୍ରବେଶ ଆବେଶ

(ରାଗ-ବସନ୍ତବରାଡି଼)
ବେଳ ଶୁଭଦରେ ପ୍ରବେଶ ଆବେଶ ବେଶ ସଖୀଏ ସାରିଥିଲେ ।
ବିଚାରେ ସୁମନା ଶ୍ରୀ-କରେ ସୁମନା-ସୁମନା-ମାଳା ନେଇ ଦେଲେ ।
ବୋଇଲେ, ବଶକ ଏ କଳାଭୃଙ୍ଗର ।
ବସି ଦଶରଥ-ସୁତ-ଜାନୁ-ରଥ ଯେ ମନୋରଥ ସାର୍ଥ କର । ୧ ।
ବେଷ୍ଟିତତର ତରଳାକ୍ଷୀକି ତାର ତାର ପରିଧି କି ବିଧୂରେ ।
ବିଧିରେ ମଙ୍ଗଳବିଧିରେ କେ ହୁଳହୁଳୁକି ବିହିଲେ ବିଧୀରେ ।
ବିଞ୍ଚନ୍ତି, ବିଧୂଚୂର୍ଣ୍ଣ କେହୁ ଆଗରେ ।
ବଜାଇ ହେଜାଇ ମାର୍ଗ କେ ପ୍ରବୀଣା ବୀଣା ଧରି ଅନୁରାଗରେ । ୨ ।
ବ୍ୟଜନ ରଞ୍ଜନ କରି କେ ଚାଳନ୍ତି ଢାଳନ୍ତି କେ ଖଦୀ ଚାମର ।଼
ବକ୍ତା ମଣିମା ମଣିମା ପଦରେ କେ ଅଣିମାଦିଦାୟୀ ଛାମୁର ।
ବାରିଧି, ବାରିମଧ୍ୟୁଁ ବେଢି ରମ୍ଭାଦି ।
ବିଜେ କରାନ୍ତି ଉତ୍ପତ୍ତିହୀନେ ସୁରାସୁର ଆଗେ ଶ୍ରୀକି ସମ୍ପାଦି | ୩ ।
ବିତାନ-ଚିର ଧରିଛନ୍ତି ଉପର ବୀଚିର ରୁଚିର ସେହିତ ।
ବଳାନିନାଦ ପ୍ରବାଳ ଅବତାଙ୍କ ଶୁକ୍ତି ଉକ୍ତିକି ସେ ମୋହିତ ।
ବାସୁକି, ବାହୁ କି ଉରଜମନ୍ଦର ।
ବିଚଳିତ ସ୍ଵତଃ ଲଳିତ କଳିତ ଅଛି ହାସ ସୁଧା ସଂଚାର । ୪ ।
ବିଳସି ବିଳସି ଗର୍ଭାଳସୀ ହଂସୀ ମନ୍ଥର ମନ୍ଥର ଗତିରେ ।
ବର ସନ୍ନିଧିକି ସେ ଶୋଭାନିଧିକି ନେଉଁ ଧିକି ଧିକି ରତିରେ ।
ବିହିଲେ, ବସୁମତୀପତି ସକଳେ ।
ବିଧାତା ବିଧାନୀ ଉଚ୍ଚାଟ ନିଧାନୀ ନୋହେ ସାବଧାନୀ ହୋଇଲେ । ୫ ।
ବିଘ୍ନରାଜ ସତ ଉପମାରାଜିତ ରାଜିତମାନ କରି ଲୋଡି଼ ।
ବକ୍ରତୁଣ୍ଡ ହେଲେ ବର୍ଣ୍ଣି ଆଣୁ ଯେଣୁ ସେମାନେ ସେ ମାନେ ହାହୁଡି଼ ।
ବିବେକ, ବର୍ଜ୍ଜନ ଏ କଦା ନୁହନ୍ତି ।
ବୃହତ୍କୁକ୍ଷି ତୂର୍ଣ୍ଣେ ସେ ପୂର୍ଣ୍ଣ ହୋଇଲେ ଧନ୍ୟ ସୀତା ମାଳେ ଜପନ୍ତି । ୬ ।
ବିପୁଷ୍ଟି ଦୃଷ୍ଟି ସୃଷ୍ଟି ଯହିଁ ଉଶନା ଏକଦୃଷ୍ଟି କବି ବୋଲାଇ ।
ବଣା ହେବାରେ ଲକ୍ଷଣା ବାରେ ବାରେ ଗଣା ତା କରିବା କିପାଇଁ ।
ବାଳାରେ, ବିଲେପ କରି ତୋ ଶୋଭିତ ।
ବହିଲେ ଅନନ୍ତ ଅନନ୍ତ ଲପନ ବର୍ଣ୍ଣି ଆଣନ୍ତେ ଲାଳାୟିତ । ୭ ।
ବିଦ୍ୟାବିଶାରଦା ଶାରଦା ଶାରଦା ବିନୟୀ ଧରାତନୟୀ ! ହେଲେ ତୋତେ ।
ବଡିମା ରକ୍ଷଣେ ସୁଷମା ଅସମା ଉପମା ଅଙ୍ଗୀକାର କୃତେ ।
ବାଳାରେ, ବତ୍ସଳା ହେଲେ ଭକ୍ତିଯୁକ୍ତେ ।
ବିନ୍ୟାସ କରନ୍ତି କବିତ୍ଵ ଚାତୁରୀ କବି ସମ୍ମତେ ମତିମତେ । ୮ ।
ବିଶ୍ରମ୍ଭ ପଦର ଗମନେ ଆଦର କରି କେ ସୁମନେ ଭାଳଇ ।
ବିଶାଳ ଉରୁ କରେ ଚାରୁ ଯୌବନ-କରା କୋକନଦ ଚାଳଇ ।
ବାଳାର, ବୋଲେ କେ ନିରେଖି ଅଙ୍ଗୁଳି ।
ବାଳିକା ମହୀ ମାଳିକା କରି ତହିଁ ଅଶୋକକଳିକାରୁ ଝଳି । ୯ ।
ବିହେଠନ ମୁଖ ପୟୋଧର ଶିଖ ଦେଖି କେତେ ଯୋଖି ଉପମା ।
ବିଷମସନ୍ତାପ ସମ୍ଭୁତେ ଶମ୍ଭୁର ଶୂନ୍ୟୁ ଖସି ଆସି ଚନ୍ଦ୍ରମା ।
ବାଳାର, ବିଗତ ହେଉଁ କୋଣେ ଡୋ଼ଳା ।
ବିହରି ହରିଣ କି ବିଷଧାରଣ ବେନି ସଂଶୟ ଉପୁଜିଲା । ୧୦ ।
ବିଘଟନା ଲକ୍ଷକୃତେ କେତେ ଦକ୍ଷ ଚାହିଁ ଦେଇ ଚାରୁ ଅଳକ ।
ବିଲୋମଲୋମ ବର୍ଣ୍ଣସ୍ତୋମ ଏ କାମଦରକୁ କରତା ତାରକ ।
ବାଳାର, ବିଚିତ୍ର ତିଳକ ଶାୟକ ।
ବିଶ୍ଵକେତୁକୁ ଧନ୍ଵୀ ବୋଲି ଦଇବେ ହୋଇବ କି ଏବେ ଫରିକ । ୧୧ ।
ବୁଧାନେ ଉପମା ବିଧାନେ ଆଣିଲେ କେଶ-ବେଶ-ଜାଲି ସିନ୍ଦୂରେ ।
ବିପ୍ରଚିତ୍ତିସୁତ ମଧ୍ୟ ପାଟସୂତ୍ର ସିହାଁରୁ ଭୂଷିତ ଟୋପରେ ।
ବାଳାର, ବିଶୀର୍ଣ୍ଣ ଝିଲିମିଲିମାଳି ।
ବିଜୃମ୍ଭିତବଶେ ଜମ୍ଭାଦି ଦନ୍ତାଳ ଉତ୍ତଂସ ଘେନି ଦିଶେ ଝଳି । ୧୨ ।
ବିଲକ୍ଷିତ କଲେ କ୍ଷିତିକ୍ଷତ୍ରିକୁଳେ ପ୍ରଦୀପ୍ତ ତାଟଙ୍କ ଅନାଇ ।
ବିଶ୍ଵକେତୁତମ ଘୋଟିତ ଜନରେ ପ୍ରସନ୍ନ ଦରଶନ ପାଇଁ ।
ବାଳା ଯେ, ବିଲମ୍ବାଇ ବେନି ପ୍ରଦୀପ ।
ବିଜ୍ଜ୍ଵଳିତକାରୀ ରତନ ଝୁଣାରେ ଯତନ ଦିଶଇ ସ୍ଵରୂପ । ୧୩ ।
ବ୍ୟକ୍ତିଏ ଓଷ୍ଠ ପରା ତୋରା ସୁରଙ୍ଗେ ପରମ୍ପରା ନାହିଁ କେ ଭାଳି ।
ବଳେ ତାମ୍ବୁଳେ କ୍ଷାଳିତ ବିଦ୍ଧିବଳେ ଦେଲେଟି ତାହା ଦର୍ପ ଦଳି ।
ବାଳାର, ବିମ୍ବ ଗଣ୍ଡଚିତ୍ର ଅନାଇଁ ।
ବିକ୍ଷପ୍ତ ରସ ହରଷ ହାସପୂର୍ଣ୍ଣ ସ୍ଥାନ ଏକେ ଲକ୍ଷ ମଣାଇ । ୧୪ ।
ବଲ୍ଗୁ ଚିବୁକେ କସ୍ତୁରୀ ଜାଣି କେହି ସୁମରେ ତିଳ କୁସୁମରେ ।
ବଶରେ ଯାଉଁ ଭ୍ରମର ଶ୍ଵାସବଶେ ପାତକୀ ଲାବଣ୍ୟ ଭ୍ରମରେ ।
ବାଳାର, ବିଲମ୍ବମାଳା ଫୁଲି ଦେଖି ।
ବାନା ଚରମ ମନୋରମ ପ୍ରଭାରେ ବନ୍ଧା କେ ଏମନ୍ତ କେ ଯୋଖି । ୧୫ ।
ବାଜନ୍ତି ରସନା ବଳା ବରଜନା ନୂପୁର ପ୍ରଚାର ମାଧୁର୍ଯ୍ୟ ।
ବୋଲନ୍ତି ରସ ନା ବଳା ନା ସୁମନା ତ୍ରିପୁର ଶୋଭାଟି ଏ ହେଜ ।
ବାଳାର, ବପୁସଙ୍ଗରଙ୍ଗୁ ପଣ୍ଡିତ ।
ବ୍ୟକତ ଭଙ୍ଗାଭଙ୍ଗ ଦତ୍ତାକ୍ଷର ଯେ ଚ୍ୟୁତତତ୍ତାକ୍ଷରେ ମଣ୍ଡିତ । ୧୬ ।
ବୁଝି ଏ ଶବଦ ରାଜନେ ସ୍ତବଦ ବୀରାୟୁଧମାନ ପତନ ।
ବଦାବଦି ଯାଇଥିଲେ ଲାଜେ କେହି ଏ ଶୋଭା ହୁଅନ୍ତା ଦର୍ଶନ ।
ବାଳା ଯେ, ବରଣମାଳା ଧରିଥିଲେ ।
ବ୍ରୀଡାସଂଯୁତେ ଉତକଣ୍ଠୀ ରାମ ଗଳାରେ ଲମ୍ବାଇଲେ । ୧୭ ।
ବର୍ଯ୍ୟା ପ୍ରଭାଙ୍ଗୀ କୋଣିଆଇ ଅନାଇ ସେ ଭଙ୍ଗୀ ଧୈର୍ଯ୍ୟେ ଭଙ୍ଗି ହେଲା ।
ବାହୁଡେ ହୁଡେ ସେ ପଥରେ ମନ୍ଥରେ ମନ ପାଲଟ କରି ନେଲା ।
ବାହୁର, ବିମଳ ଚମ୍ପାଦାମ ଭାବ ।
ବାହୁଡାଇ ଧନ ଈଶ ହେବା ଦିନ ହେବାକୁ ବିଚାରେ ରାଘବ । ୧୮ ।
ବର୍ତ୍ତୀ ହୋଇ ଗଲା ଯୁବତୀରତନ ନେତ୍ରରୋଗ ଗଲା ନିବର୍ତ୍ତି ।
ବିସ୍ମାପନ ରଚି ଜାଲିକ ଯେମନ୍ତ ଦେଖାଇ ହର ଇ ତଡ଼ତି ।
ବାଳାର, ବିଲୋଚନ ସେହି ପ୍ରକାର ।
ବିସର୍ଜନେ ସଭା ରାଜନେ ଗମିଲେ ସ୍ଥିତ ରାମ ଆରାମପୁର । ୧୯ ।
ବିଭା ମଙ୍ଗଳ କାଲି ପରି ବରିବା ବିଶ୍ଵାମିତ୍ରେ କହେ ଜନକ ।
ବିରୋଧିଲେ ଶୁଣି ସେ ବାଣୀ ଲକ୍ଷ୍ମଣ କେ ବିଭା ନ ଜାଣି ଜନକ ।
ବହତୁ, ବହନ ଶତାନନ୍ଦ ହେଲେ ।
ବିଂଶ ପଦେ ଶେଷ ଶେଷଶାୟୀ ଚିନ୍ତି ଉପଇନ୍ଦ୍ର ଭଞ୍ଜ କହିଲେ । ୨୦ ।