ବୈଦେହୀଶ ବିଳାସ/ବିଭାବରି ସାରି ବିଳମ୍ବ ଶୁଣି
←ବେଳ ଶୁଭଦରେ ପ୍ରବେଶ ଆବେଶ | ବୈଦେହୀଶ ବିଳାସ ଲେଖକ/କବି: ଦ୍ୱାଦଶ ଛାନ୍ଦ: ବିଭାବରି ସାରି ବିଳମ୍ବ ଶୁଣି |
ବସିଛନ୍ତି ଦଶରଥ ସଭା ମଧ୍ୟେ→ |
ଦ୍ୱାଦଶ ଛାନ୍ଦ: ବିଭାବରି ସାରି ବିଳମ୍ବ ଶୁଣି
(ରାଗ-ବରାଡୀ,ଆଷାଢ଼ଶୁକ୍ଳବାଣୀ)
ବିଭା ବରି ସାରି ବିଳମ୍ବ ଶୁଣି | ବିଭାବରୀ ହେଉଁ ରମଣୀମଣି ।
ବିଭାବରୀଚରୀ ଘୋଟିଲା ଗ୍ରାସେ । ବିଭାବ ରୀତିରୁ ନିଦ୍ରା ନ ଆସେ ।
ବିରହେ ଭାଷେ ସେ ।
ବିର ହେ ! ଭାଷେ ସେ ତାଡ଼କୀ ତ୍ରାସେ । ୧ ।
ବାସରେ ନିନ୍ଦେ ସଜସରୋଜ ଯେ । ବାସରେ ତା ପାଶେ ଭ୍ରମ ଉପୁଜେ ।
ବାସରେ ଯୁଗ କର ଇ ବିଚାର । ବାସରେ ଯୁଗ ନୋହୁଁ ପଞ୍ଚଶର ।
ବନାଶିଲେ ପୁନଃ ।
ବିନା ଗତିରେ ତ ଗଲା ଜୀବନ । ୨ ।
ବିରୋଚନ ହେଲା ସୁଧା ଆହାର । ବିରୋଚନକଣ କର୍ପୂର ଚୂର ।
ବିରୋଚନ ଉଦେ ହୋଇବା ଚାହିଁ । ବିରୋଚନ କର ନ ଛାଡେ଼ କହି ।
ବୟସୀଙ୍କ ସାର ।
ବୟସି ! ମେରୁ ହେଲା ଆମ୍ଭ ପୁର । ୩ ।
ବସନ୍ତ ଋତୁ ବଶୁଁ ମତ୍ତଭରେ । ବସନ୍ତ ରସାଳ ତରୁ ଉପରେ ।
ବସନ୍ତଦୂତ କୃତ ଉଚ୍ଚସ୍ୱରେ । ବସନ୍ତବସନା ଅଗସ୍ତ୍ୟ ସ୍ମରେ ।
ବ୍ୟାଧିଘାତକର ।
ବ୍ୟାଧିଘାତ ଗୁଚ୍ଛୁଁ ଉଡୁ ଭ୍ରମର । ୪ ।
ବାରେ ବାରେ ଶିବ ଶିବ ସେ ଘୋଷେ । ବାରେ ବାରେ ବ୍ରତମାନ ମନାସେ ।
ବାରେ ବାରେ ନାହିଁ ମୁର୍ଚ୍ଛାରେ ସଖୀ । ବାରେ ବାରେ ଭୟ ସଂଶୟ ରଖି ।
ବନରୁହନାଡ଼ ।
ବନଜାକ୍ଷୀ ଦେଖି ଚିନ୍ତୁ ଗରୁଡ଼ । ୫ ।
ବିଶ୍ୱସ୍ଥ ସଖୀଜନଙ୍କୁ କଥିତ । ବିଶ୍ୱସ ଜନେ ବୋଲନ୍ତି ମରୁତ ।
ବହଇ ଉଣ ବ୍ୟାଧି ନାମ ସେହି । ବହଇ ମନ୍ଦଗୁଣେ ହୋଇ ସ୍ନେହୀ ।
ବିଧିରେ ଅସୁର ।
ବିଧିରେ ସୁର କଲେ ପୁରନ୍ଦର । ୬ ।
ବିଶଦକର ଗୋଟାଏ ଆହୁରି । ବିଶ(ସ)ଦ ମାର୍ଗରେ ଗମନ କରି ।
ବିଦ୍ୟାଗୁରୁ ପତ୍ନୀ ହରଣେ ଆଗ । ବିଦ୍ୟାଂଶୁ କଳଙ୍କ ଧରଇ ଅଙ୍ଗ ।
ବିଷର ସୋଦର ।
ବିସୋର ନୁହେ ବାରୁଣୀ ଆଦର । ୭ ।
ବିଗ୍ରହଯାକହିଁ ଯାଇଛି ପୋଡା଼ । ବିଗ୍ରହ ମୋର ସେ ପ୍ରେତର ଲୋଡା଼ ।
ବାମଲୋଚନା ବୋଲି ଛାଡି଼ ନାହିଁ । ବାମମାର୍ଗରେ ଯୋଗଭଙ୍ଗ ଧ୍ୟାଇ ।
ବିହଗ ଯୋଡା଼ଏ ।
ବିହକ ପୁଣି ଏହାକୀ ପୀଡା଼ଏ । ୮ ।
ବକୁଳ ଆସବ ପାନେ କେ ରଟେ । ବ୍ୟାକୁଳଦାତା ଜନିତ କରଟେ ।
ବିମୁଖ କରେ ମଧୁରେ ଧିଆନ । ବ୍ୟତ୍ରକେ ପାନ ଯେ ନ କରେ ଆନ ।
ବଧ ମୋ ଇଚ୍ଛନ୍ତି ।
ବୃଜିନୀ ପାଞ୍ଚ ପାଞ୍ଚ କରିଛନ୍ତି । ୯ ।
ବୋଧଇ ଆଳୀ ଯେ ଏହି ନିମିତ୍ତ । ବିପାକକର୍ମ ପାକ ହେଲା ମିତ ।
ବଳି କର୍ମେ ଅଛି ଇନ୍ଦ୍ର ପଦବୀ । ବାସବ ବଜ୍ର ପ୍ରହାରେ ନ ଦ୍ରବି ।
ବାମନ ରକ୍ଷଣ ।
ବିମନ ନୋହି ବିଚାର ତକ୍ଷଣ । ୧୦ ।
ବୋଧ ହେଲା ଚିତ୍ତ ସାତ୍ୱିକେ ତାର । ବିଲୋକ ହେଲା କେତେ ହାସ ତାର ।
ବିଗତ ରଭା କି ପ୍ରଭାତ ତାର । ବେତନ ପାଣି କେତେ ଯଥା ତାର ।
ବେଦନାରୁ ତାର ।
ବୋଲି ବିହେ ସ୍ତୁତି ସେ ବିଧାତାର । ୧୧ ।
ବଇବର୍ଣ୍ଣ୍ୟ ଦଶା ଅବକାଶର । ବର୍ଣ୍ଣ ଦିଶିଗଲା କେଡେ଼ ଧୂସର ।
ବଇଦେଲା କିଛି କର କେଶର । ବିନୟ ପାଦେ ଦେଖି ସାରସର ।
ବନ ନିବାସର ।
ବଞ୍ଚେ ବାହୁଡା଼ଇ ନେବା ତ୍ରାସର । ୧୨ ।
ବକ୍ଷୋଜରେ ନବ ପାଣ୍ଡୁ ବିଳାସ । ବିଫଳ କି ଶିବ ସେବା ତୁଳାଶ ।
ବଡା଼ଇ ଆଣିଲା ଗିରି କୈଳାସ । ବେଳୁଁବେଳ ଜାତ କରି ଉଲ୍ଲାସ ।
ବିମ୍ବେ ଅଭିଳାସ ।
ବିହିଲେ ରଙ୍ଗ ଲକ୍ଷ କୃକଲାସ । ୧୩ ।
ବଶୀଭୂତ ରାମ ପ୍ରୀତି ଆଦରେ । ବସି ଭୂତପତି-ରିପୁର ଦରେ ।
ବାରବାଣ ହେବ ସୁନ୍ଦରୀ ଖର । ବାରବାଣକୁ ପଞ୍ଚ ବିଶିଖର ।
ବି-ଶାଖା ସ୍ୱଭାବେ ।
ବିଶାଖା-ପତି ମୁଖ ଛବି ଭାବେ । ୧୪ ।
ବାହୁଲତାରେ ସମ ନୋହି ଦୀନ । ବାହୁଲତାରେ ତାକୁ କେଉଁଦିନ ।
ବାନ୍ଧି ବିରଚିବି ନ କରି ମଠ । ବାନ୍ଧିବି ! ବୋଲି ଧିରିବି ନର୍ମଠ ।
ବନ୍ଧୁ ମୋ ବିଶୁଦ୍ଧା ।
ବନ୍ଧୁକ ଅଧରୁ ପିଇବି ସୁଧା । ୧୫ ।
ବଳାହକେଶୀ ନେତ୍ର ଶବଳା । ବଳାହକସ୍ତନୀ ସ୍ନେହପ୍ରବଳା ।
ବଳାଉଁ ରତିରେ ମତି ଅବଳା । ବଳାରି ସୁଖକୁ ହେବ କବଳା ।
ବଳାଇବ ବଳା ।
ବଳତ୍କାରେ ମାର ହେବ ଦୁର୍ବଳା । ୧୬ ।
ବିଶଲ୍ୟ ରାମା ରାପତେ ହବିଷ । ବିଷୟ ଅନ୍ତର ଅଶନ ବିଷ ।
ବିଶ-ପ୍ରଭୁ ପ୍ରେମ-ବାଣିଜ୍ୟେ ବିଷ । ବିଶଦଭାନୁ ଭାନୁ ଏ କିଳ୍ବିଷ ।
ବିଷଧର ବିଷ ।
ବିଷମତାପ ବଶ ଏ ଭବିଷ୍ୟ । ୧୭ ।
ବସି ପାରାବତୁ ହୁଁ କୃତ ସ୍ୱନେ । ବଶିଷ୍ଠ ଆଦି ଆସେ ସୁଖାସନେ ।
ବିଥିରେ ଶ୍ୟାମଳ କମଳବାସୀ । ବୀଥିରେ ଦେଖିବା ଅଯୋଧ୍ୟାବାସୀ ।
ବିତର୍କି ଚିତ୍ତରେ ।
ବିତରଣକୃତ ନେତ୍ର କାତରେ । ୧୮ ।
ବିଭ୍ରାଜ ପଲାଶହୀନ ପଲାଶ । ବିଭ୍ରାନ୍ତି ହୁଏ ପଦଗ ବିଳାସ ।
ବଳାକାପନ୍ତି ଯାଉଁ ତ୍ୱକସାର । ବଳାନ୍ତି ଚିତ୍ତ ପତାକା ପ୍ରସାର ।
ବିଳସେ ସୁମନ ।
ବିଳମ୍ବ ତେଜି କଲେ ତ ଗମନ । ୧୯ ।
ବିରଳେ ଆଦ୍ୟ ଯମକେ ବିଦ୍ୟକ । ବିଭୂଷିତ ଧ୍ୱନି ପ୍ରାନ୍ତ ଯମକ ।
ବିଶ୍ରାମ ଯମକ ଆଦ୍ୟ ପ୍ରାନ୍ତରେ । ବିଶୁଦ୍ଧ ରୂପକ ବିଂଶ ପଦରେ ।
ବୀରବର କହି ।
ବାଳିଶେ ବିସ୍ମୟ ବୁଧଙ୍କୁ ମୋହି । ୨୦ ।