ବୈଦେହୀଶ ବିଳାସ/ବସିଛନ୍ତି ଦଶରଥ ସଭା ମଧ୍ୟେ

ଉଇକିପାଠାଗାର ରୁ
Jump to navigation Jump to search
ବୈଦେହୀଶ ବିଳାସ ଲେଖକ/କବି: ଉପେନ୍ଦ୍ର ଭଞ୍ଜ
ତ୍ରୟୋଦଶ ଛାନ୍ଦ: ବସିଛନ୍ତି ଦଶରଥ ସଭା ମଧ୍ୟେ

ତ୍ରୟୋଦଶ ଛାନ୍ଦ: ବସିଛନ୍ତି ଦଶରଥ ସଭା ମଧ୍ୟେ

(ରାଗ-ଭୂପାଳ)
ବସିଛନ୍ତି ଦଶରଥ ସଭା ମଧ୍ୟେ ।
ବେତ୍ର-ହସ୍ତ ଦ୍ୱାସ୍ଥ କହେ ଅତିଶ୍ରଦ୍ଧେ । ୧ ।
ବାରଣାରି ଦ୍ୱାରେ ହୋଇଛନ୍ତି ସ୍ଥିତ ।
ବହି ଶ୍ରୀରାମବାର୍ତ୍ତା ମିଥିଳା ଦୂତ । ୨ ।
ବେଗେ ରାଜା ଆଣ ବୋଲୁ ନେଲା ମୁନି ।
ବଶିଷ୍ଠରେ ନମି ନୃପମାନ୍ୟ ଘେନି । ୩ ।
ବାର୍ତ୍ତା କହେ ସ୍ରୂପକେ ଶତାନନ୍ଦ ।
ବିଶ୍ୱାମିତ୍ରଗୁରୁ ସଙ୍ଗେ ରାମଚନ୍ଦ୍ର । ୪ ।
ବନ-ବ୍ୟୋମେ ଉଦେ କରି ପ୍ରଭାକର ।
ବିଧ୍ୱଂସିଲେ ତାଡ଼କା ଘୋରାନ୍ଧକାର । ୫ ।
ବିଚେଷ୍ଟିତ ମାରୀଚ ବାୟସ କରି ।
ବିଟପତି ସୁବାହୁକୁ ସେ ନିବାରି । ୬ ।
ବିକଶିତ ଯେ ଯଜ୍ଞ କୁମୁଦ କଲେ ।
ବିଧୂଶିଳା ଅହଲ୍ୟାକୁ ଦ୍ରବାଇଲେ । ୭ ।
ବ୍ୟବସ୍ଥିତେ ପୁଣ ସଲକ୍ଷ୍ମଣ ସେହି ।
ବୈଦେହିକ ଜନ ଚକୋରକୁ ମୋହି । ୮ ।
ବଇଦେଶ ଧୈର୍ଯ୍ୟ ଧନୁ ଅଜଗବ ।
ବିଭଞ୍ଜନ କଲେ ସ୍ପରଶରେ ଜବ । ୯ ।
ବସୁପତି ପଦ୍ମ ମୁଦି ଲଜ୍ଜାବଳେ ।
ବସାଇବେ ସୀତା ରୋହିଣୀକି କୋଳେ । ୧୦ ।
ବିଧିରେତ ଜନକ ସାଗର ସତ ।
ବିଭଙ୍ଗର ଛଳେ ତୋଷ ଉଚ୍ଛୁଳିତ । ୧୧ ।
ବେଳା ଅତିକ୍ରମି ହେଲେ ସ୍ନେହ-ବାର ।
ବିହରିଲେ ସଙ୍ଗେ ମୀନ ରାଶିବାର । ୧୨ ।
ବାର୍ଭଟ କି ଗଜଯୂଥ ଭେଳା ହୟ ।
ବହିତ୍ର କି ରଥ ଭେକ ପତ୍ତିଚୟ । ୧୩ ।
ବାଦ୍ୟନାଦ ଗରଜନ ତହିଁ ମେଳ ।
ବଡ଼ ବଡ଼ ଲୋକ ନିଶ୍ଚେ ପୋତମାଳ । ୧୪ ।
ବନ୍ଦର ଯେ ମିଥିଳା ମିଳିବେ ଯାଇଁ ।
ବିଲୋକିଲାକ୍ଷଣି ରାମା ରତ ତହିଁ । ୧୫ ।
ବୋଲିବେ ଯେ କି ଉପମାଏ ଅମୂଲ୍ୟ ।
ବ୍ୟୁତ୍ପତ୍ତିରେ କବି କଲା ଏତେ ମୂଲ୍ୟ । ୧୬ ।
ବାକୀ ଏ ଦୃଷ୍ଟି ଜନକ ରାଜଋଷି ।
ବାଲମୀକି କୌଶିକ ଗୌତମମିଶି । ୧୭ ।
ବୈଖାନସଗଣ ଘେନି ବାଟେ ମେଳା ।
ବାରାନିଧି ସଙ୍ଗମ କି ଋଷିକୁଲ୍ୟା । ୧୮ ।
ବିଶ୍ରାମକ ସୁଖାସନ ଦୂରେ କିଛି ।
ବ୍ରହ୍ମପୁତ୍ରେକ ପୁରୁଷୋତ୍ତମ ଅଛି । ୧୯ ।
ବ୍ୟାପ୍ତ ଦିବ୍ୟ କଟକରେ ନେଇ କରି ।
ବସା ନିବାସେ ରଖି ଜନକ ଠାରି । ୨୦ ।
ବିଚାରହିଁ ହୋଇଥିଲେ ଶତାନନ୍ଦ ।
ବଶିଷ୍ଠରେ କହିଲେ ଏ ଚାରିପଦ । ୨୧ ।
ବେଳୁଁ ଶ୍ରୀରାମ ହେଲେ ତ୍ରିପୁରଜେତା ।
ବିଚାରଇ ତାଙ୍କ ଧାର୍ଯ୍ୟକାରୀ ସୀତା । ୨୨ ।
ବାର୍ଦ୍ଧି ଲକ୍ଷ୍ମଣ ଗମ୍ଭୀର-ଗୁଣଗ୍ରାହୀ ।
ବିହୁ ଉର୍ମିଲାବନ୍ୟ କେଳିକି ସେହି । ୨୩ ।
ବିଦ୍ୟମାନ ଶୁଭରତ ସୁମୂର୍ତ୍ତିକି ।
ବିଧି ନ ଦେବା ସୁମନେ ମାଳିନୀକି । ୨୪ ।
ବୈରି-ଘନ ସୁକୀର୍ତ୍ତିରେ ଯୁକ୍ତ ସତ ।
ବଚନରେ ଶତାନନ୍ଦ କଲେ ଜାତ । ୨୫ ।
ବିଖନକୁ ପ୍ରଶଂସନ୍ତି ସାଧୁଜନେ ।
ବର ଚାରି ଚାରି କନ୍ୟା ଏକସ୍ଥାନେ । ୨୬ ।
ବିହିଥିଲା ନୋହିଥିଲେ କାହିଁ ବିହି ।
ବାହୁଡି଼ଲେ ଜନକ ପ୍ରମୋଦ ବହି । ୨୭ ।
ବ୍ୟତିପାତ ବିଷ୍ଟି ବିବର୍ଜିତ ଦିନ ।
ବୁଝି କନ୍ୟା ଦେଖିବାକୁ ଆଗମନ । ୨୮ ।
ବାମଦେବ ଜାବାଳି କଶ୍ୟପ ତିନି ।
ବଶିଷ୍ଠଙ୍କୁ ସୁମନ୍ତ୍ରଙ୍କୁ ସଙ୍ଗେ ଘେନି । ୨୯ ।
ବିଜେ ଜନକମନ୍ଦିରେ ଦଶରଥ ।
ବୋଲେ ଜାମାଙ୍କୁ ଆଣ ଦେଖୁଣି ଅଥ । ୩୦ ।
ବେଶ କରି ସାରିଥିଲେ ଆଗୁ ଜାଣି ।
ବେହରାଏ ସର୍ବ ଶୋଭାପୁରୀ ପୁଣି । ୩୧ ।
ବିଦ୍ୟକୁନ୍ତଳ ଚମ୍ପାପୁଷ୍ପାଲିଙ୍ଗନ ।
ବିମଳକ ଚୋର ମାଳବରେ ପୁନ । ୩୨ ।
ବିଚଳିତ କାଞ୍ଚନ କଟକ କାଞ୍ଚୀ ।
ବେଳେବେଳେ ଖଞ୍ଜିତ ହେବାର ପାଞ୍ଚି । ୩୩ ।
ବିଭୂଷଣ ରତ୍ନପୁର ଶ୍ରୀନଗର ।
ବିଶାଳରେ କରିଅଛି ସେ ଆଦର । ୩୪ ।
ବାହ୍ନୀକରେ ଅଙ୍ଗକୁ କରାଇ କୋଳ ।
ବର୍ଦ୍ଧମାନ କରେ ହାସ ମହୋଜ୍ଜ୍ଜ୍ୱଳ । ୩୫ ।
ବଳାଇ ଯେ ପୁରୁଁ ଆଣିବାରେ ଦାସୀ ।
ବିହି ଯନ୍ତ୍ର ପିତୁଳାପରାୟ ଦିଶି । ୩୬ ।
ବିଲୋକିତ ହେଲେ ସେ ରମଣୀ ଚାରି ।
ବ୍ୟତିରେକେ ରମଣୀୟା ନାହିଁ ନାରୀ । ୩୭ ।
ବେଦୀଶ ବିକଳ୍ପି କର୍ମ ଆରମ୍ଭଣେ ।
ବଳି ଜ୍ୟାରୁ ଜନ୍ମ ଅନୁପମେ ଜଣେ । ୩୮ ।
ବଳାରାତିର ଅବଳା ଉମା ରମା ।
ବହି ଏକ ମୂରତି ନୋହିବେ ସମା । ୩୯ ।
ବ୍ୟକ୍ତେ ତାଙ୍କୁ ପଦରୁ ଅଧିକ ଧରି ।
ବୋଲାଇଲେ ଏ ସୁନ୍ଦରୀ-ପୁରନ୍ଦରୀ । ୪୦ ।
ବାଣୀ ବିଖ୍ୟାତ ଗଉରୀ ଶିରୋମଣି ।
ବିଦ୍ୟାବନ୍ତେ ଯେ କମଳାସାର ଭଣି । ୪୧ ।
ବନାଇବାରେ ପୁଣି ଯେ ପ୍ରତିମାଏ ।
ବପୁବନ୍ତ ହେଲା ଘୁଣକ୍ଷର ପ୍ରାୟେ । ୪୨ ।
ବୋଲି ସ୍ତିରୀ ମଧ୍ୟେ ସାର ଯେଉଁ ରମ୍ଭା ।
ବେଗେ ପାଦଦେଶ କେ ସେ ପରିରମ୍ଭା । ୪୩ ।
ବିଶ୍ୱକର୍ମାକୁ ଘେନି ଗଢିଲେ ଦୁଇ ।
ବିନ୍ଧାଣିତ୍ୱ ବିବାଦକୁ ସେ ଦେଖାଇ । ୪୪ ।
ବାଳୀ ଏକ ତିଳେ ତିଳୋତ୍ତମା ହେଲା ।
ବାଳୀ ଏକ ରତି ରତି ତାକୁ ଦେଲା । ୪୫ ।
ବିଷ୍ଣୁ ମୋହିନୀରୂପକୁ ଧରିଥିଲେ ।
ବୃଷାସନ ଦମ୍ଭକୁ ହରିଲେ ବଳେ । ୪୬ ।
ବାଦେ ଅଶେଷ ଲାବଣ୍ୟଶିରୀ ଆଣି ।
ବହୁକାଳେ ଦେଖାଇଲେ ଶିରୀ ଆଣି । ୪୭ ।
ବାଳା-ଜ୍ୟୋଷ୍ଠା ଶ୍ରେଷ୍ଠା କୋଟି ବ୍ରହ୍ମାଣ୍ଡରେ ।
ବିଭୂଷଣା ଆଉ ତିନି ତିନି ପୁରେ । ୪୮ ।
ବିଶ୍ୱମୋହିନୀ ରୂପ ସୀତାଙ୍କୁ ସାଜି ।
ବର ହେଲେ ରାମରୂପେ ବିଷ୍ଣୁ ହେଜି । ୫୦ ।
ବଧୂ ଦେଖାକୁ ବହୁତ ଅଳଙ୍କାର ।
ବଢା଼ ହୋଇଥିଲା ତହୁଁ ନରେଶ୍ୱର । ୫୧ ।
ବନିତାରେ ମଥାମଣି ଦେକେ ତୋଳି ।
ବନିତାରେ ଏ ପଦ ନ ବୋଲି ବୋଲି । ୫୨ ।
ବିଷ୍ଣୁ ଉରସ୍ଥ କୌସ୍ତୁଭ ନୃପମଣି ।
ବସି ଯେଉଁ ରାମ ନାମ ଗୁଣି ଭଣି । ୫୩ ।
ବିଧୁର କି ହୁଅନ୍ତା ସେ ମୂର୍ତ୍ତି ଦୀପ୍ତେ ।
ବ୍ୟାଜ ଏ ମଣିରୂପେ ପ୍ରବେଶ ଗୁପ୍ତେ । ୫୪ ।
ବତ୍ସେ ବିହରିବ ପୁଣି କାଳାନ୍ତରେ ।
ବଳେ ଏବେ ସୀତାରାମ ଭାବନାରେ । ୫୫ ।
ବିରାଜିତ ଉପଇନ୍ଦ୍ର ଭଞ୍ଜ ମନେ ।
ବିରଚନା ବିଚାରିବ ସାଧୁଜନେ । ୫୬ ।
ବିଭୂଷିତ କରୁ ଶିରେ ଶିଳ୍ପକାରୀ ।
ବିବିଧରେ ଉଦ୍ପ୍ରେକ୍ଷାକୁ ଜାତ କରି । ୫୭ ।
ବିମଳିନ ନିଳୋତ୍ପଳଦଳେ ଜଳ ।
ବିପୃଷ କି ପଡି଼ବାରେ ଢଳ ଢଳ । ୫୮ ।
ବୃଷା-ନୀଳମଣି-ବୃନ୍ଦ ପ୍ରଭା ଚୋରି ।
ବଜ୍ରଠାରୁ କରି କିବା କୋଳେ ଧରି । ୫୯ ।
ବିଜ୍ଜ୍ୱଳିତ କାଳୀମଣି କାଳିନ୍ଦୀରେ ।
ବୀଚି କୁଞ୍ଚିତେ କିବା ଚାଞ୍ଚଲ୍ୟ ଧରେ । ୬୦ ।
ବିଦିତ ଯେ ସନ୍ଧ୍ୟାକାଳେ ହେଲା ପରା ।
ବିହାୟସେ ଏକ କାବ୍ୟ ଦିବ୍ୟ ତାରା । ୬୧ ।
ବାରିବାହ ଭେଦି ଇନ୍ଦୁ ଉଦେ ତର୍କି ।
ବାହାରିଛି ଜ୍ୟୋତିଛଳେ କିରଣ କି ? ୬୨ ।
ବାଳା ଅଶେଷ ଶୋଭା କହିବାପାଇଁ ।
ବାର୍ତ୍ତାବହ ହୋଇ ପ୍ରଭା ଯଶ ଯାଇ । ୬୩ ।
ବଧୂ ତିନିଙ୍କି ଯେ ସ୍ତିରୀରତ୍ନ ଘେନି ।
ବିଳୋଇଲେ ଅମୂଲ୍ୟ ରତନ ତିନି । ୬୪ ।
ବିଲମ୍ବାଇଲେ ବାମା କାହାର ହୃଦେ ।
ବିନ୍ଧ୍ୟଗିରି ପାଶେ କି ଅଗସ୍ତ୍ୟ ଉଦେ । ୬୫ ।
ବାନ୍ଧି ମଣିବନ୍ଧରେ କାହାର ଆଳୀ ।
ବନରୁହ ନାଡ଼ମୂଳେ କିବା ଅଳି । ୬୬ ।
ବିଭୂଷଣେ କଲେ କାହ କଣ୍ଠ ଶୋଭା ।
ବୋଳ ପାନର ଫୁଟି ଦିଶିଲା ପ୍ରଭା । ୬୭ ।
ବାହୁଡା଼ଇଲେ କନ୍ୟା ସୈରିନ୍ଧ୍ରୀବୃନ୍ଦ ।
ବୋଧିଗଲା ଚକୋର ଦ୍ୱିତୀୟ ଚାନ୍ଦ । ୬୮ ।
ବିଲକ୍ଷିତ ଏହି ଲକ୍ଷ ଦରଶନେ ।
ବିଦ୍ୟୁ ଝଟକିବା କାନ୍ତି ପରସନ୍ନେ । ୬୯ ।
ବିହି ଇକାର ନିଜ ନାମରେ କହି ।
ବଶିଷ୍ଠ ଯେ ସର୍ବ କନ୍ୟାଗଣେ ଏହି । ୭୦ ।
ବାମଦେବ ଯେ ସଫଳ ହେଲା ବୋଲେ ।
ବାମଦେବ ଯା ତ୍ରିନେତ୍ର ବହିଥିଲେ । ୭୧ ।
ବିଚକ୍ଷଣଙ୍କ ନନ ହୋଇଲା ତୋଷ ।
ବାର ଅଧିକ ତ୍ରିବିଂଶ ପଦେ ଶେଷ । ୭୨ ।