ବୋଲନ୍ତି ରାଜନ ଶୁଣିଥିଲ ଅବା କାହିଁ

ଉଇକିପାଠାଗାର ରୁ
Jump to navigation Jump to search

ବୋଲନ୍ତି ରାଜନ ଶୁଣିଥିଲ ଅବା କାହିଁ
ବିଷୟ
ରାଗ ମଙ୍ଗଳଗୁଜ୍ଜରୀ

ବୋଲନ୍ତି ରାଜନ ଶୁଣିଥିଲ ଅବା କାହିଁ ।
କେମନ୍ତ ପ୍ରକାରେ ବିଜେ କରାଇଲେ ନେଇ ।
ଶୁଣିଣ ସୁମନ୍ତ୍ର ମନ୍ତ୍ରୀ କ‌ହେ କର ଯୋଡ଼ି ।
ବିଭାଣ୍ତକପୁରେ ଥିଲେ ବେଦ ଶାସ୍ତ୍ର ପଢ଼ି ।
ଲୋମ‌‌ପାଦ ନୃପ ବେଶ୍ୟାମାନଙ୍କୁ ପେଶିଲେ ।
ସେମାନେ ଯାଇଣ ତାଙ୍କ ବନେ ପ୍ରବେଶିଲେ ।
ମଠ ଯଗାଇ ତପକୁ ଗଲେ ବିଭାଣ୍ତକ ।
ତାହା ଜାଣି ବାରନାରୀ ମିଳିଲେ ଅନେକ ।
ଋଷି ପ୍ରାୟ ଜାଣି ଋଷ୍ୟଶୃଙ୍ଗ ପୂଜା କଲେ ।
ତାଙ୍କ ରୂପ ଶୋଭା ଦେଖି ଋଷି ହୃଷ୍ଟ ହେଲେ ।
ପଚାରନ୍ତି କେବଣ ବନରେ ତୁମ୍ଭ ମଠ ।
କରିଅଛ କେବଣ ଶାସ୍ତ୍ରକୁ ତୁମ୍ଭେ ପାଠ ।
ଧନ୍ୟ ଅଟେ ତୁମ୍ଭ ବନ ଧନ୍ୟ ତୁମ୍ଭ ପୁଣ୍ୟ ।
କେବଣ ବୃକ୍ଷର କ୍ଷୀର କରିଛ ଲେପନ ।
କେବଣ ତ‌ରୁକୁସୁମ ହୋଇଛ ଭୂଷଣ ।
କେବଣ ବନୁଁ ଆଣିଛ ଏ ବକଳ ପୁଣ ।
ସେମାନେ ବୋଲନ୍ତି ଆମ୍ଭ ବନରେ ଏମାନ ।
ନାନା ପକ୍ୱଫଳ ଆମ୍ଭେ କରୁଁ ଯେ ଅଶନ ।
ଆମ୍ଭେମାନେ ରତିଶାସ୍ତ୍ର ପଢ଼ିଣ ପଣ୍ତିତ ।
ଅନବରତରେ କରୁଥାଉଁ ନୃତ୍ୟ ଗୀତ ।
ଏତେ ବୋଲି ଭଣ୍ତିଣ ଆଣିଲେ ତପୋଧନ ।
ନଉକା ଉପରେ ବୃକ୍ଷମାନ ସେ ରୋପିଲେ ।
ତ‌ହିଁରେ ବସାଇ ତାଙ୍କୁ ଘେନିଣ ଅଇଲେ ।
ତୁମ୍ଭର ମଇତ୍ର ଲୋମ‌ପାଦ ନୃପବର ।
ତାହାଙ୍କ ଦେଶକୁ ଏବେ ଅନୁକୂଳ କର ।
ଶୁଣି ଆନନ୍ଦ ହୋଇଲେ ଅଯୋଧ୍ୟା ଭୁପାଳ ।
ସାଜିଲେ ସେ ସମଦଣ୍ତ ଚତୁରଙ୍ଗ ବଳ ।
ଅଙ୍ଗଦେଶ କଟକରେ ହୋଇଲେ ପ୍ରବେଶ ।
ପାଛୋଟି ଅଇଲେ ଅଙ୍ଗଦେଶର ନରେଶ ।
ବ‌ହୁ ହୃଷ୍ଟ ହୋଇ ବେନି ମିତ୍ର ଆଲିଙ୍ଗନ ।
ଘେନିଣ ତାହାଙ୍କୁ ଗଲେ ଆପଣା ଭୁବନ ।
ଋଷ୍ୟଶୃଙ୍ଗ ଦେଖି ରାଜା ନମସ୍କାର କଲେ ।
କୁମାରୀକି ଦେଖି ରାଜା ବ‌ହୁହୃଷ୍ଟ ହେଲେ ।
ମିତ୍ରଙ୍କୁ କ‌ହିଲେ ସେ ମନ ବେଦନାମାନ ।
ପୁତ୍ରକାମ ଯଜ୍ଞ ସେ କରିବେ ତପୋଧନ ।
କୁମାରୀ ସ‌ହିତେ ଆମ୍ଭେ ଯିବୁଁ ବେନି ଘେନି ।
ଶୁଣି ରାଜା ସମର୍ପିଲେ ସନ୍ତୋଷରେ ବେନି ।
ଲୋମ‌ପାଦ ଅନେକ ଅନେକ ଦ୍ରବ୍ୟ ଦେଲେ ।
ବ‌ହୁ ଉପ‌ହାର ଦେଇ ମନ ତୋଷ କଲେ ।
କୁମାରୀସ‌ହିତେ ମୁନି ଘେନିଣ ଅଇଲେ ।
ବୋଲେ ବିଶି ପୁତ୍ରକାମ ଯଜ୍ଞ ଆରମ୍ଭିଲେ ।