ରସକଲ୍ଲୋଳ/କର୍ଣ୍ଣେ ନନ୍ଦସୁତ ହେବା ଶୁଣିଲେ

ଉଇକିପାଠାଗାର‌ରୁ
ରସକଲ୍ଲୋଳ ଲେଖକ/କବି: ଦୀନକୃଷ୍ଣ ଦାସ
କର୍ଣ୍ଣେ ନନ୍ଦସୁତ ହେବା ଶୁଣିଲେ



ତୃତୀୟ ଛାନ୍ଦ
ରାଗ - କେଦାର (ଚକ୍ରକେଳି ବାଣୀରେ ଗାଇବ)

କର୍ଣ୍ଣେ ନନ୍ଦସୁତ ହେବା ଶୁଣିଲେ । କଳାକରମୁଖୀ ଗୋପୀ ଧାଇଁଲେ । ୧ ।
କୋଟିନିଧି ପାଇଲା ପ୍ରାୟେ ହୋଇ । କେଉଁ ଗୋପୀ ଆନନ୍ଦରେ ଗମଇ । ୨ ।
କରୁଥିଲା କେ ଗୃହକର୍ମମାନ । କଲା ଶ୍ରବଣ ମାତ୍ରକରେ ଆନ । ୩ ।
କଲା ଭୂଷଣ କେହୁ ବିପରୀତ । କରାଇଲା ବିଭ୍ରମ ସ୍ନେହଚିତ୍ତ । ୪ ।
କରୁଥିଲା କେ କୁନ୍ତଳ ମାର୍ଜନ । କରାଇଲା ଉଚ୍ଚାଟ ତା ବର୍ଜନ । ୫ ।
କେଶରଞ୍ଜନୀ କରେ ଧରି କରି । କରୀବରଗତି ଦେଲା ବିସ୍ତାରି । ୬ ।
କାନ୍ତକୋଳ ବିଷ ହେଲା କାହାକୁ । କରିବାରୁ ଆଶ୍ରୟ ଉଚ୍ଛାହାକୁ । ୭ ।
କରୁଥିଲା କେ କାନ୍ତ ସଙ୍ଗେ ଲୀଳା । କଲା ମାତ୍ରକେ ତାହା କଲା ହେଲା । ୮ ।
କେତେରୂପେ ଧାଇଁଲେ ଗୋପବାଳୀ । କେ କହିବ ତା ଅବା ମନେ ଭାଳି । ୯ ।
କାଦମ୍ଵିନୀ କୋଳେ ଯେହ୍ନେ ବିଜୁଳି । କରେ ଝଟକ ସବୁ ଦିଗେ ମିଳି । ୧୦ ।
କଳଧଉତଲତା ବାତେ ଯେହ୍ନେ । କାମିନୀଙ୍କ ଗମନ-ଅଙ୍ଗ ତେହେଁ । ୧୧ ।
କାହା କବରୀରୁ ଫୁଲ ଖସଇ । କବି ମନେ ଏମନ୍ତ ଆଭାସଇ । ୧୨ ।
କଳାକର କି ରାହୁବଳୟରୁ । କ୍ରମେ ଗଳିପଡୁଅଛି ଗଳରୁ । ୧୩ ।
କଳାମେଘୁଁ ଚନ୍ଦ୍ର ହୋୟେ ବାହାର । କରେ ଚରମରେ କବା ବହାର । ୧୪ ।
କାହା ନିତମ୍ଵବିମ୍ଵ ଅତି ଗରୁ । କଟି ସରୁ କେଶରୀ ମଧ୍ୟଠାରୁ । ୧୫ ।
କଳହଂସ ପ୍ରାୟେ କରେ ଗମନ । କରେ ହଂସକ ହରଷରେ ସ୍ବନ । ୧୬।
କବି ମନକୁ ଏମନ୍ତ ଅସଇ । କି ସେ ନେଉଛି ପହଣ୍ଡ ମଣାଇ । ୧୭ ।
କେହୁ କରନ୍ତେ ସତ୍ଵରେ ଗମନ । କୁଚକୁମ୍ଭ ହୁଅଇ କମ୍ପମାନ । ୧୮ ।
କୃଷ୍ଣ ଜନମ ଜାଣି ଆନନ୍ଦରେ । କୃତ୍ତିବାସ ନାଚେ ଶମ୍ଭୁ ରୂପରେ । ୧୯ ।
କାବ୍ୟତାର ମୁକୁତାହାର ଛଳେ । କ୍ରତୁଭୁଜସରିତ ସେ ଉଛୁଳେ । ୨୦ ।
କାହା କଟିରେ ଡାକି କାଞ୍ଚିମାଳା । କହୁଅଛୁ ଧୀରେ ଆରେ ଅବଳା । ୨୧ ।
କାମ-ମଦ-ମତ୍ତେ ତୁ ହୋଇ ଭୋଳା । କରୁ ମଧ୍ୟମଠାରେ ଏଡ଼େ ହେଳା । ୨୨ ।
କି ତୁ ଜାଣି ନାହୁଁ ଏ ଯେଡ଼େ ସରୁ । କୁଚଯୁଗଳ ତୋର ଯେଡ଼େ ଗରୁ । ୨୩ ।
କରୁଅଛୁ ଯାହା ଦ୍ରୁତ ଗମନ । କାଳେ ଏହାକୁ ହୋଉଛୁ ଶମନ । ୨୪ ।
କି ତୋ ସାହସ ଜାୟାଜୀବ ପ୍ରାୟେ । କିବା ଏହାଠାରେ ଏଡ଼େ ନିର୍ଦ୍ଦୟେ । ୨୫ ।
କି କି ହୋଇ ଏ ଯେବେ ଯିବ ଭାଙ୍ଗି । କାଳେ ତୁହି ମରିବୁ ଏହା ଲାଗି । ୨୬ ।
କାଞ୍ଚିମାଳା ମଧ୍ୟରେ ଡାକିବାର । କଲା କବି ଏମନ୍ତ ଅଧ୍ୟାହାର । ୨୭ ।
କେତେ ରୂପେ ଧାଇଁଲେ କେତେ ନାରୀ । କହିବାକୁ ତା ବଚନେ ନ ପାରି । ୨୮ ।
କାନ୍ତାକଦମ୍ଵ ହୋଇ ଏକମେଳ । କଲେ ଦର୍ଶନ ଯାଇ ନନ୍ଦବାଳ । ୨୯ ।
କଳାମେଘ ପାଶରେ ଚନ୍ଦ୍ର ପ୍ରାୟେ । କୁମାରଙ୍କ ଶ୍ରୀଅଙ୍ଗ ଶୋଭା ପାଏ । ୩୦ ।
କଉଁ ଗୋପୀ ଅନାଇ ସୁଚକିତ । କେହୁ ହୋଇଲା ଚିତ୍ରନାରୀ ମତ । ୩୧ ।
କାହା ଅଙ୍ଗ ହୋଇଲା ପୁଲକିତ । କଲା ଆନନ୍ଦ ଅଶ୍ରୁଜଳ ଜାତ । ୩୨ ।
କେ ବୋଇଲା ଯଶୋଦା ଭାଗ୍ୟବନ୍ତ । କୋଳେ ଧଇଲା ପ୍ରତ୍ୟକ୍ଷେ ଅନନ୍ତ । ୩୩ ।
କେ ବୋଲଇ ନନ୍ଦ କି ତପ କଲା । କେତେ ପ୍ରକାରେ କେତେ ଦାନ ଦେଲା । ୩୪ ।
କେ ବୋଲଇ କଳ୍ପତରୁ-ଅଙ୍କୁର । କେ ବୋଲଇ କନ୍ଦର୍ପ ଅବତାର । ୩୫ ।
କରିଥିଲେ ଯେ କପର୍ଦ୍ଦୀ ଅନଙ୍ଗ । କର୍ମେ ଧଇଲା ଏତେ କାଳେ ଅଙ୍ଗ । ୩୬ ।
କେ ବୋଲଇ ସଖୀ ଚାହିଁ ନିଶ୍ଚଳେ । କେତେ ଲକ୍ଷଣ ଅଛି ପାଦତଳେ । ୩୭ ।
କମ୍ବୁ ଚକ୍ର ମୀନ ପଦ୍ମ କୁଳିଶ । କଲଶାଦି କାର୍ମୁକ ଅଷ୍ଟାଦଶ । ୩୮ ।
କେ ବୋଲଇ ଏ କିଶୋର ହୋଇଲେ । କଉଁ ସ୍ତିରୀକି ନୋହିବ, ଚାହିଁଲେ । ୩୯ ।
କୁଳଯୁବତୀଙ୍କ କୁଳ ବୁଡିବ । କ୍ରମେ ପତିବ୍ରତା ବ୍ରତ ଛାଡିବ । ୪୦ ।
କେ ବୋଲଇ କବିବାଟ ପଡିଲା । କ୍ରମେ ବିଧାତା ତାହାଙ୍କୁ ଛାଡିଲା । ୪୧ ।
କରୁଥିଲେ ଯହିଁକି ଯାହା ଲକ୍ଷ । କାଳେ ସବୁ ସେ ଆସି ହେଲା ମିଛ । ୪୨ ।
କରୁଥିବାରୁ ଜଳେ ତପସ୍ୟା । କେତେ ଥିବ ପଦ୍ମର ପ୍ରତି ଆଶା । ୪୩ ।
କଳାନିଧି ମହେଶଙ୍କୁ ସେବିଛି । କିଛି ହୋଇବ ଅବା ସେହୁ ଲକ୍ଷି । ୪୪ ।
କଣ୍ଠୀରବ ଭଜିଅଛି ଶିବାଙ୍କୁ । କର୍ମେ ଥିଲେ ପାଇବ ଉପମାକୁ । ୪୫ ।
କଳା-କମଳ କଜ୍ଜ୍ଵଳ ତମାଳ । କଳା ମେଘେ ମଘବା-ମଣିମାଳ । ୪୬ ।
କଳିନ୍ଦକନ୍ୟା କମଳ ଅତସୀ । କୁହୁନିଶି ନିବିଡ ତମରାଶି । ୪୭ ।
କଳା ମଧ୍ୟେ ଏ ହୋଇଥିଲେ ଗୁରୁ । କୁମାର ରୂପ ଦେଖି ନଥିବାରୁ । ୪୮ ।
କୁନ୍ଦ କୁମୁଦ କର୍ପୂର ଗୋକ୍ଷୀର । କମ୍ଵୁ-ଶମ୍ଭୁ ପର୍ବତ ଗଙ୍ଗାନୀର । ୪୯ ।
କଳଧଉତ ସ୍ଫଟିକ ତୁଷାର । କାଶ ସାଗର-ଫେନ ଶଶଧର । ୫୦ ।
କରି ଏ ପୁତ୍ରରୂପ ବିଲୋକନ । କହୁଁ କହୁଁ ଏ ଦିଶିଲେ ନିଊନ । ୫୧ ।
କବି ଏହାଙ୍କୁ ଏହାଙ୍କ କାନ୍ତିକି । କଲେ ଲକ୍ଷ ବୋଳିବା ଅବିବେକୀ । ୫୨ ।
କାଚ କାଞ୍ଚନ ତୁଳିଲା ପରାୟେ। କବିବାଣୀ ନିକିତିରେ ସେ ହୋଏ । ୫୩ ।
କାଇଞ୍ଚକୁ ସେ ସୁନାସଙ୍ଗେ ତୁଳି । କ୍ରମେ ମୂଲ ବେଳକୁ ପଡେ ବଳି । ୫୪ ।
କବି ବଚନେ କରେ ତାରତମ । କୁବେରକୁ ବୋଲନ୍ତି କୋଟିକାମ । ୫୫ ।
କଉଁଠାରେ କନ୍ଦର୍ପ ହୋୟେ ନିନ୍ଦା । କେତେ କହିବି ତାଙ୍କ ମିଛ ଫନ୍ଦା । ୫୬ ।
କହୁଁ କହୁଁ କୁମାରେ ଯେ ରୋଦନ୍ତି । କଳକଣ୍ଠ-କଣ୍ଠ ହେଳେ ନିନ୍ଦନ୍ତି । ୫୭ ।
କର ଚରଣ ଚାଳିବାର ଭାବ । କାମିନୀଙ୍କି ସେ କୋଟି କୋଟି ହାବ । ୫୮ ।
କହି ଶେଷ କେ କରିବ ସେ ସୁଖ । କବି ହୋଇଲେ ଦଶ ଶତମୁଖ । ୫୯ ।
କହି ଯାହାର ମହିମା ଅନନ୍ତ । କରି ନାହାନ୍ତି ଆଜିଯାଏଁ ଅନ୍ତ । ୬୦ ।
କୁମାରଙ୍କ ଶୋଭାକୁ ମନେ ଘେନି । କଷ୍ଟେ ଗମିଲେ ବରଜକାମିନୀ । ୬୧ ।
କମନୀୟ କୃଷ୍ଣକଥା ପ୍ରସଙ୍ଗ । କାଳସର୍ପକୁ ସେ କଥା ପ୍ରସଙ୍ଗ । ୬୨ ।
କଳାକାନ୍ତାରକୁ ସେ ସୁନାସୀର । କରେ ଯାହାକୁ ଚିନ୍ତା ସୁନାସୀର । ୬୩ ।
କଲେ ଜାତ ସେ ସର୍ବତୋମୁଖକୁ । କଲେ ଭ୍ରମ ଯେ ସର୍ବତୋମୁଖକୁ । ୬୪ ।
କଷ୍ଟସରିତକୁ ଯେ ପାଥରଥ । କାଳେ ବାହୁ ଯେ ଥିଲେ ପାଥରଥ । ୬୫ ।
କୁମ୍ଭୀରକୁ ମାରିବାର ବାରଣ । କଷ୍ଟ କଲେ ଯେ କୃପାରେ ବାରଣ । ୬୬ ।
କଲେ କୀର୍ତ୍ତନ ଯା ନାମ ସଂଘାତ । କାଳେ ପାପୀ ନ ଦେଖନ୍ତି ସଂଘାତ । ୬୭ ।
କରୁଣାରେ ଯେ ବରୁଣ ଶରଣ । କରେ ଅଶରଣ ଜନ ଶରଣ । ୬୮ ।
କାମୀ ଲୋକର ଯେ ପାରିଜାତକ । କଲେ ହରଣ ଯେ ପାରିଜାତକ । ୬୯ ।
କରି ଫଣି-ମଣିବର-ଶୟନ । କରିଅଛନ୍ତି ସୁଖେ ଯେ ଶୟନ । ୭୦ ।
କରେ ଶୋଭିତ ଯାହାର ଶଙ୍ଖାରି । କୃଷ୍ଣକଷ୍ଟ ହରିବେ ସେ ଶଙ୍ଖାରି । ୭୧ ।