ରସକଲ୍ଲୋଳ/କର୍ଣ୍ଣ ଦେଇ ଶୁଣ ଆହେ ସାଧୁଜନେ

ଉଇକିପାଠାଗାର‌ରୁ
ରସକଲ୍ଲୋଳ ଲେଖକ/କବି: ଦୀନକୃଷ୍ଣ ଦାସ
କର୍ଣ୍ଣ ଦେଇ ଶୁଣ ଆହେ ସାଧୁଜନେ


ଚତୁର୍ଥ ଛାନ୍ଦ
ରାଗ - ଆହାରୀ



କର୍ଣ୍ଣ ଦେଇ ଶୁଣ ଆହେ ସାଧୁଜନେ ।
କୁମାରଙ୍କୁ ଜନମିଲା କେତେ ଦିନେ ।। ୧
କୁଚକୁମ୍ଭେ ଦେଇ କାଳକୂଟ ବିଷ ।
କ୍ରୂରକର୍ମଣୀ ପୂତନା ପରବେଶ ।। ୨
କଲା କୁଟିଳ କୁନ୍ତଳ ଖୋଷା ଖୋଷି ।
କମନୀୟ ଫୁଲମାଳେ ଅଛି ମିଶି ।। ୩
କପାଳରେ ସିନ୍ଦୂରମଣ୍ଡଳ ଚିତା ।
କଟାକ୍ଷରେ ମୋହୁଅଛି ଊର୍ଦ୍ଧ୍ଵରେତା ।। ୪
କର୍ଣ୍ଣେ ତାଟଙ୍କ ଭ୍ରମରୀ ଫୁଲ ଶୋହେ ।
କଣ୍ଠେ କଣ୍ଠ ଆଭରଣମାନ ବହେ ।। ୫
କରି ତାମ୍ଵୁଳବୋଳରେ ଓଷ୍ଠରଙ୍ଗ ।
କରୁଅଛି ପୁରୁଷଙ୍କ ଧୈର୍ଯ୍ୟ ଭଙ୍ଗ ।। ୬
କଣ୍ଠୀ-ନାସା ଆଭରଣ ନାସାପୁଟେ ।
କଜ୍ଜ୍ଵଳ ପରିପୂରିତ ନେତ୍ର ତଟେ ।। ୭
କଣ୍ଠ ସରିଯାଏ ଯାଇଅଛି ଲାଞ୍ଜି ।
କାମୀ ଦେଖିଲେ କାମରେ ହୋଏ ଗଞ୍ଜି ।। ୮
କରେ ତାଡ଼ ଚୂଡି କଡୀଆଳି ରାଜେ ।
କ୍ବଣକିତ ପାହୁଡ ପୟରେ ବାଜେ ।। ୯
କରତଟେ ଡଉଁରିଆ ମାଳି ବାନ୍ଧି ।
କଳାମେଘୀ ଶାଢୀ ଏକ ଅଛି ପିନ୍ଧି ।। ୧୦
କରିବର ଗତି ପ୍ରାୟେ ଗତିଭଙ୍ଗୀ ।
କି ସେ ମନମଥ ମହାନଦୀଡଙ୍ଗୀ ।। ୧୧
କେତେବେଳେ କଣିଆଇଁ ଚାହେଁ ଢଳି ।
କାଖେ ଅଛି ଭିନ୍ନେ ବିଷଲଡୁ ଥାଳୀ ।। ୧୨
କେ କାହାକୁ ପଚାରଇ ଡାକିକରି ।
କାହାର ଏ ଅପୂରୁବ ଯୁବାନାରୀ ।। ୧୩
କେ ବୋଲଇ ହୋଇବ ଏ ଅପସରା ।
କଉଁ ଯୁବତୀ ନୋହିଲେ ଏଡ଼େ ତୋରା ।। ୧୪
କେ ବୋଲଇ ଧନ୍ୟ ଏହା ରୂପରାଶି ।
କଉଁ ବିହି ଏହା ଗଢୁଥିଲା ବସି ।। ୧୫
କି ଏ ସ୍ତମ୍ଭନ ମୋହନ ବଶ ମନ୍ତ୍ର ।
କଇତବରେ ହୋଇଛି ମୂର୍ତ୍ତିବନ୍ତ ।। ୧୬
କହୁଁ କହୁଁ ନନ୍ଦପୁରେ ପରବେଶ ।
କୁମାରଙ୍କୁ ଦେଖି ହୋଏ ହସ ହସ ।। ୧୭
କାଖୁଁ ବିଷଲଡୁ ଥାଳୀ ଥୋଇ ତଳେ ।
କଥା ହୋଏ ନନ୍ଦଯୁବତୀଙ୍କ ମେଳେ ।। ୧୮
କର୍ଣ୍ଣେ ଶୁଣିଲା ଦିନୁଁ ପୁଅଙ୍କ ଜନ୍ମ ।
କରୁଥାଇ ଆସିବାକୁ ନିତି ମନ ।। ୧୯
କଲା ଏତେ ଦିନେ ଯୋଗ ଆସିବାକୁ ।
କୁମାରଙ୍କୁ ଦେଖି ଫୁଲୁଅଛି ବୁକୁ ।। ୨୦
କରାଇବି ଏହାଙ୍କୁ ମୁଁ କ୍ଷୀରପାନ ।
କଲେ ସନ୍ତୋଷରେ ତୁମ୍ଭେ ଅବଧାନ ।। ୨୧
କଉତୁକ କଥା ଶୁଣି ନନ୍ଦରାଣୀ ।
କୋଳେ ଦେଲେ ନବଘନ ରୂପ ଆଣି ।। ୨୨
କରିଥାଇଁ ପୂର୍ବରେ ଯେ ଯଉଁ କର୍ମ ।
କାଳେ ତାକୁ ତା ଭୋଗ କରାଇ ଧର୍ମ ।। ୨୩
କରାଇ ଯେ ଥିଲେ ଶିବେ ବିଷପାନ ।
କେତେ ବେଳେ ସେ କଥା ନୋହିଲା ଆନ ।। ୨୪
କଉଁ କଥା ଅବା ତାଙ୍କୁ ଅପ୍ରତ୍ୟକ୍ଷ ।
କଲେ ଜାଣୁ ଜାଣୁ ବିଷସ୍ତନ ଭକ୍ଷ ।। ୨୫
କଳା ବଦନେ ଦିଅନ୍ତେ ପୟ ନେଇ ।
କବଳ ମାତ୍ରେ ପରାଣ ଦେଲେ ପିଇ ।। ୨୬
କହୁଁ କହୁଁ ନିଜ ରୂପ ପ୍ରକାଶିଲା ।
କାୟା ବିସ୍ତାର କରି ଅସୁରୀ ମଲା ।। ୨୭
କୃତାର୍ଥ ହୋଇ ବିଷ୍ଣୁଲୋକକୁ ଗଲା ।
କାଳଦଣ୍ଡ ଘାତରେ ସେ ନ ପଡ଼ିଲା ।। ୨୮
କୃପାନିଧି ଯାହାଠାରେ କୃପା କରେ ।
କୁମ୍ଭକାର କୀଟ ପ୍ରାୟେ ମାରି ତାରେ ।। ୨୯
କଣ୍ଠାଗ୍ରତ ପ୍ରାଣ ହେଲେ ବଡ଼ଲୋକ ।
କେତେବେଳେ ନ ଛାଡଇ ନିଜ ଟେକ ।। ୩୦
କାଟିବାକୁ ବୃକ୍ଷ ଯଉଁ ଲୋକ ଯାଏ ।
କି କି କରି ସେ ତାହାର ଛାଇ ପାଏ ।। ୩୧
କଲା ଅତି ଅପକାର ଦଇତୁଣୀ ।
କଲେ ଉପକାର ତାକୁ ଯଦୁମଣି ।। ୩୨
କୁଚ ଉପରେ ସୁନ୍ଦର ଶିରୀରଙ୍ଗ ।
କଳାମେଘ ଖଣ୍ଡ ଯେହ୍ନେ ମେରୁଶୃଙ୍ଗ ।। ୩୩
କରେ ଧରି ଯଶୋବନ୍ତୀ ଘେନିଗଲେ ।
କୋଟି କୋଟି ଦାନ ପୁଣ୍ୟମାନ କଲେ ।। ୩୪
କରମ୍ଵିତ ହୋଇକରି ଗୋପେ ମିଳି ।
କଉତୁକେ ଅସୁରୀକି ଦେଲେ ଜାଳି ।। ୩୫
କିଛି ଦିନେ ଶକଟକା ନାଶ କଲେ ।
କଣ୍ଠ ଚିପି ତୃଣାବର୍ତ୍ତ ପ୍ରାଣ ନେଲେ ।। ୩୬
କେତେ ଦିନ ଅନ୍ତେ ଗର୍ଗ ଋଷି ଆସି ।
କୃଷ୍ଣ ରାମ ନାମ ଦେଇ ହେଲେ ତୋଷି ।। ୩୭
କବି କୃତାର୍ଥ ହୋଇଲା ଏତେବେଳେ ।
କୃଷ୍ଣ ଶବଦ ରହିଲା କର୍ଣ୍ଣବିଳେ ।। ୩୮
କେତେ ପ୍ରକାରେ ଅଇଲେ ଦ୍ଵିଜବର ।
କେତେ ରୂପେ ନୃତ୍ୟ କଲେ ନୃତ୍ୟକାର ।। ୩୯
କେତେ କୟେବାର କଲେ ବନ୍ଦିଗଣ ।
କେତେ ଦେଲେ ନନ୍ଦ ଦାନ ଆଭରଣ ।। ୪୦
କହିବାକୁ ସେ ଅତି ହିଁ ଅଗୋଚର ।
କେତେ ଉତ୍ସବ ହୋଇଲା ଗୋପପୁର ।। ୪୧
କୃଷ୍ଣ ନାମକରଣରେ ହୋଇ ତୋଷ ।
କାହୁଁ କାତ୍ୟାୟନୀ ହୋଏ ପରବେଶ ।। ୪୨
କେଶ ଗଙ୍ଗା ଯମୁନା ଚାମର ପ୍ରାଏ ।
କୁଚ ଲମ୍ଵି ପଡିଅଛି ନାଭିଯାଏ ।। ୪୩
କଙ୍କତିକା ପ୍ରାୟେ ଦିଶେ ଦନ୍ତପନ୍ତି ।
କୁହୁତିଥି ନିଶିସମ ରୂପକାନ୍ତି ।। ୪୪
କରେ ଧରିଛି ସପତ ଫୁଲଲଙ୍କା ।
କାହାକୁ ହିଁ ନାହିଁ ମନେ କରି ଶଙ୍କା ।। ୪୫
କରେ ଥରେ ଥରେ ଅଙ୍ଗଭଙ୍ଗୀ ଛଟା ।
କୋଣିଆଇଁ ଚାହଁ ବାରେ ଆଖିଲଟା ।। ୪୬
କେତେବେଳେ ବୋଲେ କୁଚ ତୋଳି ଧରି ।
କଳେ ଖାଅରେ କୁମରେ ଆସିକରି ।। ୪୭
କେ ବୋଲଇ ପୂତନା ବହିଣୀକି ।
କରୁଅଛି ତ ଶରଧା ନହୁଣୀକି ।। ୪୮
କିଛି ବିଚାର ତହିଁକି ନାହିଁ ତାର ।
କୃଷ୍ଣ-ଉତ୍ସବେ ହୋଇଛି ତତପର ।। ୪୯
କଲା ଅନେକ ପ୍ରକାରେ ଗୀତ ନାଟ ।
କଉତୁକେ ନନ୍ଦ ତାକୁ ଦେଲେ ପାଟ ।। ୫୦
କୃଷ୍ଣନାମ ସବୁଆଡେ ବାଜିଗଲା ।
କେତେ ଭକ୍ତିରେ କେ କେତେ ପୂଜା କଲା ।। ୫୧
କଳାପୂର୍ଣ୍ଣ ହେଲେ ଯେହ୍ନେ କଳାକର ।
କର ବିସ୍ତାରି ନାଶଇ ଅନ୍ଧକାର ।। ୫୨
କାର ଅଙ୍ଗରୁ ଆଜନ୍ମ ପାତକ ହିଁ ।
କହି ନ ପାଇ ରହିଲେ କାହିଁ କାହିଁ ।। ୫୩
କାହିଁ ପାଇଁ ଚିନ୍ତୁ ନାହିଁ ହୃଷୀକେଶ ।
କେଶ ଧଇଲେ କାଳ କି ଅବକାଶ ।। ୫୪
କାଶକୁସୁମ ପରାଏ ମନ କର ।
କର ଭାବନା ବାଳମୁକୁନ୍ଦଙ୍କର ।। ୫୫
କର ଅରବିନ୍ଦେ ଧରି ପାଦକଞ୍ଜ ।
କଞ୍ଜନେତ୍ର ମଣ୍ଡିଛନ୍ତି ମୁଖକଞ୍ଜ ।। ୫୬
କଞ୍ଜ ଶିବ ଆଦି ଭଜେ ଯଉଁ କୃଷ୍ଣ ।
କୃଷ୍ଣ ଚିନ୍ତି ସେ କୃଷ୍ଣକୁ ମହାତୃଷ୍ଣ ।। ୫୭