ରସକଲ୍ଲୋଳ/କର୍ଣ୍ଣ ମନ ଦେଇ ଶ୍ରଦ୍ଧାବନ୍ତ ହୋଇ
←କୃଷ୍ଣ ବାଳକ ଲୀଳା ଏକମନେ | ରସକଲ୍ଲୋଳ ଲେଖକ/କବି: କର୍ଣ୍ଣ ମନ ଦେଇ ଶ୍ରଦ୍ଧାବନ୍ତ ହୋଇ |
କମଳ ନୟନ କୃଷ୍ଣ ଶ୍ରୀନନ୍ଦନନ୍ଦନ→ |
ଷଷ୍ଠ ଛାନ୍ଦ
ରାଗ - କୌଶିକ
କର୍ଣ୍ଣ ମନ ଦେଇ ଶ୍ରଦ୍ଧାବନ୍ତ ହୋଇ ଶୁଣ ଜନେ କୃଷ୍ଣଚରିତ
କଳାକର କରେ ଅନ୍ଧାର ପରାୟେ ନାଶ ଯାଉ ସର୍ବ ଦୁରିତ ।
କଞ୍ଜନୟନ, ଅଞ୍ଜନବରନ କେଶବ
କାମପାଳ ସଙ୍ଗେ, ଘେନି ନାନା ରଙ୍ଗେ କରନ୍ତି ବାଳଲୀଳା ଭାବ । ୧ ।
କେତେବେଳେ ବଳେ ଗୋପସୁତ ମେଳେ ନବନୀତ ଘେନି ପଳାନ୍ତି
କେତେବେଳେ ଗୃହକର୍ମରୁ ବିଗ୍ରହ କରି ଜନନୀଙ୍କି ଚଳାନ୍ତି ।
କେତେବେଳେ ସେ, କୋଳିକି ଗୋଳି କରି ରାଗେ
କେତେବେଳେ କାନ୍ଦ କଣ୍ଠେ କଣ୍ଠ ଛନ୍ଦ କାଖାରେ ବସନ୍ତି ସରାଗେ । ୨ ।
କେତେବେଳେ ନନ୍ଦକାନ୍ଧେ ବସି ଚାନ୍ଦ ମାଗନ୍ତି ରଜନୀ ସମୟେ
କରି ମନ ତୋଷ ଜହ୍ନମାମୁଁ ଆସ ଆସ ବୋଲନ୍ତି ନନ୍ଦରାୟେ ।
କେତେବେଳେ ସେ, କଉତୁକେ ହୋଇ ଉତ୍ସାହା
କାମିକାମଦୁହା ଗୋଧନ ସୋରେହାଁ ହୋଇ ଶିଖାନ୍ତି ଗାଈଦୁହାଁ । ୩ ।
କମଳ-ନୟନ ନୟନମଣ୍ଡନ କ୍ରମେ ପାରିଲେ ବତ୍ସା ରଖି
କଳାକରମୁଖୀ ଗୋପୀମାନେ ଦେଖି ମନେ ହୋଅନ୍ତି ମହାସୁଖୀ ।
କଉଁ ଗୋପିକା, କାରୁଣ ରସକୁ ବହଇ
କୃଷ୍ଣସ୍ନେହ ଘେନି ଯଶୋଦାଙ୍କୁ ମାନୀ ହୋଇ ସଖି ଆଗେ କହଇ । ୪ ।
କଉଁ ସୁଖ ନାହିଁ ନନ୍ଦଘରେ ଏହି ପୁଅ ଯାଏ ବୃନ୍ଦାବନକୁ
କରୁଣାହୃଦୟ ନୁହନ୍ତି ନିର୍ଦ୍ଦୟ ଧିକ ଏହାଙ୍କର ଧନକୁ ।
କଉଁ ବିଧାତା, କଲା ଏମନ୍ତ ଅବିଚାର
କୋଟି ଲକ୍ଷ୍ମୀ ଯାହା ସେବାକୁ ଉତ୍ସାହା ସେ କରେ ବନକୁ ସଞ୍ଚାର । ୫ ।
କମଳଚରଣ ଅତ୍ୟନ୍ତ ଅରୁଣ କେତେ ଲକ୍ଷଣ ଅଛି ଦେଖ
କେମନ୍ତ ଉଜ୍ଜ୍ୱଳ ନକ୍ଷତ୍ରମଣ୍ଡଳ ପରାୟେ ତାରତର ନଖ ।
କଉଁ ଉପମା, କରି ଜାନୁ ଜଙ୍ଘ ଶୋଭାକୁ
କରି-କଲଭର କରକୁ ଧିକ୍କାର ଶିଶୁ ମରକତ-ରମ୍ଭାକୁ । ୬ ।
କେମନ୍ତ ମଧ୍ୟମ ଅତି ମନୋରମ ଦିଶେ ବିପୁଳ ବକ୍ଷସ୍ଥଳ
କୁବଳୟମାଳେ କୋକନଦ ଝୁମ୍ପା ପ୍ରାୟେ ଶୋଭା ବାହୁଯୁଗଳ ।
କଥନୀୟ ତ, ନୋହଇ କଣ୍ଠ, କର୍ଣ୍ଣ, ନାସା
କବି କବି ହୋଇ କହିବି ବୋଇଲେ ମୁଖରୁ ନ ଆସିବ ଭାଷା । ୭ ।
କଳଙ୍କରହିତ କଳାକରଜିତ ଶ୍ରୀମୁଖ ସୁଖ-ନିକେତନ
କେତେ କାଳ ବିହି କଉତୁକ ବହି ଗଢିଲା ଏ ରୂପରତନ ।
କରିଥାନ୍ତା କି, ଦଇବ ଏ ପୁଅ ଆମ୍ଭର
କରନ୍ତାଇଁ ଇଷ୍ଟଦେବତାରୁ ଶ୍ରେଷ୍ଠ ବସାଇ ପଲଙ୍କ ଉପରେ । ୮ ।
କେମନ୍ତ ସୁନ୍ଦର କଳା କଳେବର କେମନ୍ତ ସୁରଙ୍ଗ ଅଧର
କେମନ୍ତ ନୟନ କଟାକ୍ଷର ଧନ୍ୟ ଲଲାଟପାଟୀ ମନୋହର ।
କେମନ୍ତ ମନ୍ଦ, ହସ କହିବା ଚତୁରତା
କେମନ୍ତ ପ୍ରକାରେ ନାଚଇ ସଧୀରେ କାମଧନୁଜିତା ଭ୍ରୂଲତା । ୯ ।
କମଳସମ୍ଭବ ଭବ ଆଦି ଦେବ ସ୍ତୁତି ଯାହାକୁ ତୁଚ୍ଛ ମାତ୍ର
କମଳୀ ଧବଳୀ ନାଳୀ କୁଞ୍ଜଗଳୀ ଗାଈ ଡାକିବାକୁ ସେ ପାତ୍ର ।
କାଳବଳ ୟେ, କାହାରି ଆୟତ୍ତ ନୋହଇ
କେମନ୍ତ ନୋହିଲେ ଶ୍ରୀବନ୍ତ ହୋଇଲେ କନ୍ଧେ ପଶୁରଜ୍ଜୁ ଦହଇ । ୧୦ ।
କେ ବୋଲଇ ବଡ଼ ହେଲେ ହେଁ, ଗଉଡ଼-ଘରେ ପଡିଲେ ଯେତେବେଳୁ
କଠାଉ ଦଉଡି ଶିକା ଭାର ବାଡି ଆସ୍ଥା ହେଲାଣି ତେତେ ବେଳୁଁ ।
କାହୁଁ ଖାଇବେ, ନ ରଖିବେ ଯେବେ ଗୋଧନ
କେ ବୋଲେ ଯେ ଯାହା ଜୀବିକା ସେ ତାହା ନ କଲେ କେହି ଯିବ।ଦିନ । ୧୧ ।
କମଳନୟନ ବନକୁ ଗମନ କରନ୍ତେ ପଡେ ଏହି କଥା
କେ ହୋଏ ହରଷ, କେ ହୋଏ ବିରସ, କେ ଲଭେ ମନେ ମହାବ୍ୟଥା ।
କାମପାଳଙ୍କୁ, କେଶବ ଘେନି ସଙ୍ଗତରେ,
କଉତୁକେ ବତ୍ସା ରଖୁଁ ରଖୁଁ ବତ୍ସାସୁରକୁ ମାଇଲେ ବୃକ୍ଷରେ । ୧୨ ।
କେତେ ଦିନେ ହରି ବକ ଥଣ୍ଟ ଚିରି କାଳସଦନ ଦେଖାଇଲେ
କରି ଗୋପସୁତମାନଙ୍କୁ ଚକିତ ବିଚିତ୍ର ମନେ ରଖାଇଲେ ।
କ୍ରମେ ବିନାଶ, କଲେ ସେ ଅର୍ଘା ଅସୁରକୁ
କଳୁଷ ପକାଇ ସୁରପୁରେ ଯାଇଁ ସମାନ ହୋଇଲା ସୁରକୁ । ୧୩ ।
କଳା ଗୋରୀ ବେନି ଭାଇ ବଡ଼ ଦାନୀ ଧାର୍ମିକ ବିବେକ ସୁଶୀଳ
କାଳକୁ କବଳ କରିଦେଲେ ତାଳ ପରାଏ ତାଳବନ-ପାଳ ।
କରି ଅସୁର, କୁଳକୁ ନିର୍ମୂଳ କେଶବ
କୁଞ୍ଜକାନନରେ ବରଜ ସଙ୍ଗରେ କରନ୍ତି ନାନାରୂପେ ଭାବ । ୧୪ ।
କେ କେକୀ ପରାୟେ ନାଚି ନାଚି ଯାଏ କେ ବକ ପରାୟେ ବସନ୍ତି
କେ ଭୃଙ୍ଗ ଝଙ୍କାର ଶୁଣି ଅହଙ୍କାର କରି ହୁଙ୍କାର ବିସ୍ତାରନ୍ତି ।
କେ କୀଶଶିଶୁ, ମାନଙ୍କୁ ଗୋଡାଇ ଧରନ୍ତି
କେ କାହା କରେ କର ମାରି ଖରେ ପଳାଇ ପ୍ରତିଜ୍ଞା କରନ୍ତି । ୧୫ ।
କେତେବେଳେ ବାହୁଯୁଦ୍ଧ କରି କେହୁ ଭାବେ ହୋଅନ୍ତି ଧରାଧରି
କେତେବେଳେ ଫଳ ସମରେ ଚଞ୍ଚଳ କେତେ ବେଳେ ଆଖି ବୁଜାଳି ।
କେତେବେଳରେ, କୃଷ୍ଣ ହୋଅନ୍ତି ନରପତି
କରେ ଫୁଲଛତି ଧରି ସଖାପନ୍ତି ମଣିମା ମଣିମା ବୋଲନ୍ତି । ୧୬ ।
କଉତୁକେ ଖେଳ ଖେଳୁଁ ଖେଳୁଁ ଖେଳୁଁ ବଳଦେବଙ୍କୁ ନିଅନ୍ତେ ପ୍ରଲମ୍ବ
କି କି କରି ଜାଣି ଭାଙ୍ଗି ତାର ଆଣି ପରାଣ କଲେ ଅବଲମ୍ବ ।
କୁଞ୍ଜବିହାରୀ, ପୁଣି ଅଦ୍ଭୁତ କଥା କଲେ
କରାଳୁଁ କରାଳ ଅତ୍ୟନ୍ତ ପ୍ରବଳ ମହା ଦାବାନଳ ପିଇଲେ । ୧୭ ।
କୁଶକେତୁ ମନ ଭ୍ରମାଇଲେ ବନ ଭୋଜନ ବତ୍ସାହରଣରେ
କଲେ ଅତି ଖର୍ବ ଦେବରାଜ-ଗର୍ବ ଗୋମତ-ଗିରିଧାରଣ ।
କରି ଉଶ୍ୱାସ, ଜଞ୍ଜାଳଜାଳ ନନ୍ଦବାଳ
କଉତୁକେ ବନ ବିହରି ଗୋଧନ ରଖନ୍ତି ଘେନି କାମପାଳ । ୧୮ ।
କୁମୁଦ ପ୍ରମୋଦ କମଳଙ୍କ ନିଦ ସମୟେ ଗୋପକୁ ଆସନ୍ତି
କମନୀୟବେଶ ଧରି ପୀତବାସ ସୁନ୍ଦର ସୁନ୍ଦର ଦିଶନ୍ତି ।
କେକିକଳାପ, କଳାପେ ରଞ୍ଚିତ ମୁକୁଟ
କାଦମ୍ବିନୀ-କାଳେ କଳାମେଘ କୋଳେ ଇନ୍ଦ୍ରଧନୁ ଯେହ୍ନେ ପ୍ରକଟ । ୧୯ ।
କଳାକର ଅର୍ଦ୍ଧ କପାଳରେ ଊର୍ଦ୍ଧ୍ୱ କସ୍ତୂରୀତିଳକ ବିରାଜେ
କାମିନୀଙ୍କି କାମ କରବାଳ ସମ ଚାହିଁଲେ ମର୍ମଦେଶେ ବାଜେ ।
କପାଳପଟ, ତଟେ ଗୁଞ୍ଜରା ମୁଣ୍ଡମାଳି
କିବା ଅରବିନ୍ଦ ପାଶେ ଅଳିବୃନ୍ଦ ରହେ ଅଙ୍ଗକୁ ଅଙ୍ଗ ଝରି । ୨୦ ।
କର୍ଣ୍ଣେ କମନୀୟ ମହାମଣିମୟ ମକରକୁଣ୍ଡଳ ଚଳନ୍ତି
କମଳ ଉଭୟପାଶେ ସୁଖୋଦୟ ଯୁଗଳ ମିତ୍ର କି ଖେଳନ୍ତି ।
କାବ୍ୟ ତାରରୁଁ, ତାର-ମୋତି ନାସେ ଲୁଲଇ
କରିବାରୁ ସଙ୍ଗ ଅଧର ସୁରଙ୍ଗ ଲୋହିତ ଅଙ୍ଗକୁ ବଳଇ । ୨୧ ।
କଣ୍ଠେ ତାର ହାର କାଳିନ୍ଦୀବିହାର କରେ କି ରାଜହଂସପନ୍ତି
କାଳିକାକୋଳରେ ନାଦରହିତରେ ବଳାକାବଳିକି ଚଳନ୍ତି ।
କଟିତଟରେ, ପରିଧାନ ପୀତବସନ
କନକ କିଙ୍କିଣୀ ଶ୍ରେଣୀ ତହିଁ ପୁଣି କରନ୍ତି ମଧୁର ନିଃସ୍ୱନ । ୨୨ ।
କରେ ସୁବଳୟ ଫୁଲ କୁବଳୟ ଅଙ୍ଗେ ମଣ୍ଡିତ ଗୋରୁଧୂଳି
କଦମ୍ବ କୁସୁମ ଶୋଭାକୁ ସୁଷମ ଦିଶଇ ରଙ୍ଗ ଜାମୁଡାଳି ।
କନ୍ଧେ ଉତ୍ତରୀ–ଛନ୍ଦେ ବନମାଳା ଲମ୍ବିତ
କୁସୁମରସରେ ମାତି ମଧୁକରେ ମହାସୁଖଭରେ ଚୁମ୍ବିତ । ୨୩ ।
କେ ବେଣୁ ଶୃଙ୍ଗରେ ବିବିଧ ରଙ୍ଗରେ ଗୀତ ଶବଦମାନ କରେ
କେ କାହାକୁ ବଳି ପତର କାହାଳୀ ବଜାଇ ମହା ମନୋହରେ ।
କଉତୁକେ କେ, କରେ କରତାଳି ବଜାଇ
କରେ କେ ଗଉଡ଼ନାଟ କେ ଗଉଡ଼ଗୀତ ଆନନ୍ଦମନେ ଗାଇ । ୨୪ ।
କରି ଅଗ୍ରସର ସୁରଭିନିକର ପଛେ ବିଜେ ଯଦୁଚନ୍ଦ୍ରମା
କରି ଏହି ଲୟେ ବରଜତନୟେ ଗ୍ରହଗଣ ପ୍ରାୟେ ଉପମା ।
କଳାନିଧାନୀ, ଗୋପିକା ତୃଷିତ ଚକୋରୀ
କରନ୍ତି ନୟନଚଞ୍ଚୂ-ଦ୍ୱାରେ ପାନ ଶୋଭା-ଅମୃତ ପୂର୍ଣ୍ଣ କରି । ୨୫ ।
କେ ଡାକେ ଧବଳୀ, କମଳୀ, ଚଞ୍ଚଳୀ, କେ ଡାକେ ନୀଳୀ, ପରିମଳୀ
କେ ବୋଲଇ ହଂସୀ, କେ ବୋଲଇ ବଂଶୀ ପ୍ରିୟ ବଉଳୀ, କୁଞ୍ଜଗଳୀ ।
କେତେ ପ୍ରକାରେ, ଡାକେ କେ କେତେ ନାମ ଧରି
କେ କହିବ ଶୋଭା ଜନ-ମନଲୋଭା ଯେମନ୍ତ ସମୁଦ୍ର-ଲହରୀ । ୨୬ ।
କାମ-ଶାଣବାଣ ପରାୟେ ଅରୁଣ କଟାକ୍ଷ ପଡେ ବେନି ପାଶେ
କି ସବ୍ୟସାଚିତ୍ୱ ସାଧୁଅଛି ଚିତ୍ତଜାତ ଜଗତଜୟ ଆଶେ ?
କହି ନୋହଇ, ମଧୁର ମୃଦୁ ମନ୍ଦ ହାସ ।
କାମିନୀ ମୋହିବା କେତେ କଥା ଅବା କାମ ଦେଖିଲେ ହେବ ଦାସ । ୨୭ ।
କଉଁ ଗୋପୀ ଦେଖି ଧଇର୍ଯ୍ୟ ନ ରଖି କରେ ମଧୁର ଅଙ୍ଗଭଙ୍ଗ
କର୍ଣ୍ଣ-କଣ୍ଡୂଛଳେ କରି ଟେକି ହେଳେ ବଶ କରଇ ଶିରୀରଙ୍ଗ ।
କଉଁ ଯୁବତୀ, କରଇ କରିବରଗତି
କୁଚରୁ ଅଞ୍ଚଳ ଖସାଇ ଚଞ୍ଚଳ କରଇ ଯଦୁପତି-ମତି । ୨୮ ।
କଉଁ ଗୋପୀ ବିଷ ସମ କରି ବେଶ ପ୍ରବେଶ କୃଷ୍ଣ ଦର୍ଶନକୁ
କମଳ-କୁମାର-କୁମାର-କୁମାର-ଯାନକୁ[୧] ଦେଇ ପ୍ରସନ୍ନକୁ ।
କଉଁ ଗୋପିକା, ଜାନୁ କଦଳୀ-ବୃକ୍ଷରୂପି
କନକକଳଶ କମନୀୟବେଶ କୁଚ ମଙ୍ଗଳସ୍ତମ୍ଭ ସ୍ଥାପି । ୨୯ ।
କରିଛି ଧବଳ ଗନ୍ଧସାର ଛଳ ଆସେ ବେଢାଇ ପୀତବାସ
କୁବଳୟ ଫୁଲ ଆସନ ମଣ୍ଡଳ ପତ୍ରାବଳି-ପତ୍ରବିଶେଷ ।
କରୁଅଛି ସେ, ମନ୍ଦହାସରେ ପୁଷ୍ପବୃଷ୍ଟି
କାନ୍ତିରେ ଉଜ୍ଜ୍ୱଳ ଶ୍ରୀମୁଖ-ମଣ୍ଡଳ ଦର୍ପଣ ନେତ୍ରେ ଜୀବପ୍ରୋଷ୍ଠୀ । ୩୦ ।
କହି କେ ପାରିବ ସେ କାଳ ଉତ୍ସବ ଯେତେ ହାବ ଭାବ ବିଭାବ
କଟାକ୍ଷେ କଟାକ୍ଷ ଭେଟରେ ପ୍ରତକ୍ଷ ହୋଉଛି ଯହିଁ ମନୋଭବ ।
କଉଁ ଗୋପିକା, କୁଚ ଶ୍ରୀଫଳ ଘେନି କରି
କଲା ନିମନ୍ତ୍ରଣ ଆଝୁଁ ମୋର ପ୍ରାଣନାଥ ତୁମ୍ଭେ ହେ ବେଣୁଧାରୀ । ୩୧ ।
କେ ବାହୁଯୁଗଳ କରି ଫୁଲମାଳ ମାନସିକେ କଲା ବରଣ
କେ ମନ-ବଚନ-କର୍ତ୍ତବ୍ୟରେ ଲୀନ କରି କୃଷ୍ଣେ ହେଲା ଶରଣ ।
କେତେ କହିବି, ଜଣ ଜଣକେ ଏହି ରୂପେ
କଲେ ସ୍ୱୟମ୍ବର ହରିତ-ଅମ୍ବର ଅନଙ୍ଗ ଦେଇ ଫୁଲଚାପେ । ୩୨ ।
କାମ ଏକାଦଶଠାରୁ ପ୍ରତିଆଶା ରହିଲା ନବମ[୨] ସରିକି
କେ କେତେହେଁ ଭୋଗ କରିବାକୁ ଯୋଗ ଅଛି ତାହା କହିପାରି କି ।
କହି ବିସ୍ମିଲେ, ହେବ ଏ ଲୂତାସୁତା ପ୍ରାୟେ
କହୁଁ ଯାହା ଶେଷ ନ କରିବେ ଲେଶ କଳ୍ପାନ୍ତେ ନେତ୍ର-କର୍ଣ୍ଣରାୟେ । ୩୩ ।
କରୁଣା କଟାକ୍ଷ କଟାକ୍ଷେ ଅଲକ୍ଷ ଘେନାଘେନି ଭାବ ଦେଖାଇ
କଳାକର କରେ କୁମୁଦିନୀ କରେ ଯେସନ ହଂସକୁ[୩] ରଖାଇ ।
କଉତୁକରେ, ପୁରରେ ପ୍ରବେଶ ହୋଇଲେ
କର୍ମମାନ ସାରି କାମପାଳ ହରି ମଣୋହି ବଢାଇ ଶୋଇଲେ । ୩୪ ।
କଳାପୀକଳାପ-କଳାପେ କଳାପ କମନୀୟବେଶ ଯାହାର
କରି ଅଘାଶିରେ ଅବିଧି ଦୁଆରେ ଗୋପସୁତ କଲେ ବାହାର ।
କଉତୁକରେ, ଅତିଶୟ ମନ ହରଷେ
କଲା ତାଙ୍କୁ ଦୀନକୃଷ୍ଣ ଦରଶନ କପାଟଫିଟା ଅବକାଶେ । ୩୫ ।
[୧] କମଳ-କୁମାର - ବ୍ରହ୍ମା, ବ୍ରହ୍ମାଙ୍କ କୁମାର - ନାରଦ, ନାରଦଙ୍କ ଯାନ ଅର୍ଥାତ୍ ମନକୁ ପ୍ରସନ୍ନ କରିଲେ ।
[୨] କାମପୀଡିତ (କନ୍ଦର୍ପ)ର ଦଶ ପ୍ରକାର ଅବସ୍ଥା ବା ଦଶା - ଲାଳସା, ଉଦ୍'ବେଗ, ଜାଗର୍ଯ୍ୟା, ତାନବ, ଜଡିମା, ବୈରାଗ୍ଯ, ବ୍ୟାଧି, ଉନ୍ମାଦ, ମୋହ ଓ ମୃତ୍ୟୁ । କବିମାନେ ଦଶମ ଦଶା ବର୍ଣ୍ଣନା କରନ୍ତି ନାହିଁ ।
[୩] କଳାକର-କରେ ଅର୍ଥାତ୍, ଚନ୍ଦ୍ର କିରଣରେ କଇଁ ଫୁଟେ । 'କୁମୁଦିନୀ ହସ୍ତରେ ହଂସକୁ ଯେସନ' ଅର୍ଥାତ୍, କୃଷ୍ଣଚନ୍ଦ୍ରଙ୍କ ସମ୍ମୁଖରେ ପ୍ରସନ୍ନମନା ଗୋପୀମାନେ । ସେମାନଙ୍କଠାରେ ହଂସକୁ - ସୂର୍ଯ୍ୟକୁ ଅର୍ଥାତ୍, ଅନୁରାଗ ପ୍ରଦର୍ଶନ ଜନିତ ଚନ୍ଦ୍ରିକାରେ ପ୍ରସ୍ଫୁଟିତ କୁମୁଦିନୀ ଓ ସେଥିରେ ପ୍ରେମରୂପକ ହଂସପକ୍ଷୀକୁ ରଖାଇବା ।