ରସକଲ୍ଲୋଳ/କର ସାଧୁଜନମାନେ ମନକୁ ଏକ

ଉଇକିପାଠାଗାର ରୁ
Jump to navigation Jump to search
ରସକଲ୍ଲୋଳ ଲେଖକ/କବି: ଦୀନକୃଷ୍ଣ ଦାସ
କର ସାଧୁଜନମାନେ ମନକୁ ଏକ


ପ୍ରଥମ ଛାନ୍ଦ
ରାଗ – ସଙ୍ଗମତିଆରି

କର ସାଧୁଜନମାନେ ମନକୁ ଏକ,
କର ଧୀରେ ଧ୍ୟାନ ନୀଳାଚଳ-ନାୟକ ।୧।
କମନୀୟ ଶ୍ରୀମୁଖ ଚନ୍ଦ୍ରରୁ ଅଧିକ,
କଲେ ଦର୍ଶନ ନ ରହେ ସଂସାର ଶୋକ ।୨।
କମଳନୟନ କୋଟି ସୁଖଦାୟକ,
କଳାଡୋଳା ଭ୍ରମର ଚୁମ୍ୱିଲା ପ୍ରାୟକ ।୩।
କପାଳେ ସୁବର୍ଣ୍ଣ ରାହୁରେଖା ଝଲକ,
କଉଁ ଲୋକ ଅଙ୍ଗ ନ କରାଇ ପୁଲକ ।୪।
କହି ନୋହଇ ସୁରଙ୍ଗ ଅଧର ଟେକ,
କବି ଜଡ ହୋଏ ଯାହା କରି ବିଲୋକ ।୫।
କର୍ଣ୍ଣେ ମକର-କୁଣ୍ଡଳ ଭାଲେ ତିଳକ,
କରେ କଚଟି ବାହୁଟି, ହୃଦେ ପଦକ ।୬।
କମ୍ଭୁ-କଣ୍ଠେ କଉସ୍ତୁଭ ମଣିନାୟକ,
କଳୁଷ ଅନ୍ଧକାରକୁ ଦିନ-ନାୟକ ।୭।
କଳିତ ଲଳିତ ଫୁଲମାଳ ଅନେକ,
କରଇ ବଶ ଅବଶ୍ୟ ତ୍ରୈଲୋକ୍ୟଲୋକ ।୮।
କଳ୍ପବୃକ୍ଷେ ନାନାରତ୍ନ-ଫଳ ପ୍ରାୟେକ,
କଳାପୀ-କଳାପେ ଶୋଭା ଶ୍ରୀଅଙ୍ଗଯାକ ।୯।
କରେ ଶଙ୍ଖ-ଚକ୍ର କଷ୍ଟ-ଦୁଷ୍ଟ-ମାରକ,
କର୍ପୂର ଚନ୍ଦନୁ ଆହାଲାଦ କାରକ ।୧୦।
କନକ-କିଙ୍କିଣି-ପୀତାମ୍ୱର-ଧାରକ,
କରୁଣା କଟାକ୍ଷେ ସୁରନରତାରକ ।୧୧।
କମ୍ୱୁ କଟକ ମଧ୍ୟରେ ନାଗର ଏକ,
କଉତୁକ କଥାମାନଙ୍କରେ ରସିକ ।୧୨।
କମଳାନେତ୍ରୀ-କମଳା-ପ୍ରାଣନାୟକ,
କଳା ପର୍ବତରେ ଲୀଳା କରି ଅନେକ ।୧୩।
କଲେ ଇଚ୍ଛା ମନେ ହେବା କଂସ ଅନ୍ତକ,
କରିବା ଉଶ୍ୱାସ ମହୀଭାରା ଯେତେକ ।୧୪।
କପଟେ ହୋଇବା ନନ୍ଦେ ଗୋପବାଳକ,
କଉତୁକେ ବୋଲାଇବା ପଶୁପାଳକ ।୧୫।
କରି ଏ ବିଚାର କଇବଲ୍ୟ-ଦାୟକ,
କଂସ ଆଦି ମାରିବାକୁ ହେଲେ ଉତ୍ସୁକ ।୧୬।
କଚ୍ଛପମତ୍ସ୍ୟାଦି ଅବତାର ଯେତକ,
କରିବାକୁ ଜାତ ଜଗନ୍ନାଥ ଜନକ ।୧୭।
କହି ନୋହେ ତାହାଙ୍କ ମହିମା ଯେତେକ,
କରନ୍ତି କୃତାର୍ଥ ଜୀବ ହରି ପାତକ ।୧୮।
କମଳ-ସମ୍ଭବ ଭବ ସୁରନାୟକ,
କଉଣପ ଆଦି ଲୋକ ଯାହାର ଲୋକ ।୧୯।
କରୁଣା ସାଗର ସାଗର ଜାନାୟକ,
କର ଅଭୟ ଅଭୟବର ଦାୟକ ।୨୦।
କଷ୍ଟ ମହୀଧର-ମହୀଧର କଣ୍ଟକ,
କଳମଷବାରଣ ବାରଣ ଅନ୍ତକ ।୨୧।
କର ଆଜ୍ଞା ଆଜ୍ଞାସୁର ପ୍ରଭୁ ଏତେକ,
କହୁ ଦୀନକୃଷ୍ଣ କୃଷ୍ଣକଥା ଯେତକ ।୨୨।